ଭାରତର ଶ୍ରେଷ୍ଠ ହାସ୍ୟ ଗଳ୍ପ

 

 

 

 

 

 

 

 

 

ଭାରତର ଶ୍ରେଷ୍ଠ ହାସ୍ୟ ଗଳ୍ପ (ଉର୍ଦ୍ଦୁ)

ମୂଳଲେଖା : ଜନାବ୍‌ ମୁଜ୍‌ତବା ହୋସୈନ୍‌

ଅନୁବାଦ : ଇସ୍‌ମାଇଲ ସୟେଦି ଆଜର୍‌, ଫତୁରାନନ୍ଦ

 

ଗ୍ରନ୍ଥ ସୂଚନା

 

କଟକର ବିଶିଷ୍ଟ ଉର୍ଦ୍ଦୁ ହାସ୍ୟରସ ସ୍ରଷ୍ଟା ଶ୍ରୀଯୁକ୍ତ ଇସ୍‌ମାଇଲ୍‌ ସୟେଦି ଆଜର୍‌ ରାଜ୍ୟ ଅଭିଲେଖାଗାରରେ, ଡଗର ପତ୍ରିକା ସଂସ୍ପର୍ଶରେ ଆସି କ୍ରମେ ତା ପ୍ରତି ଆକୃଷ୍ଟ ହେଲେ । ଦିନେ ସେ ଡଗର ପ୍ରେସ୍‌କୁ ଆସି ଡଗର ବିଷୟରେ ମୋ ସହିତ ଆଲୋଚନା ଆରମ୍ଭ କଲେ । ହାସ୍ୟରସ ପରିବେଷଣରେ ଡଗରର ଅବଦାନ ବିଷୟରେ ସେ କେତେକ ସୁମନ୍ତବ୍ୟ ଦେଇ କହିଲେ ଯେ ହାସ୍ୟରସରେ ଉର୍ଦ୍ଦୁ ସାହିତ୍ୟ ଅତି ସମୃଦ୍ଧ । ଡଗର ମାଧ୍ୟମରେ ଉର୍ଦ୍ଦୁ ସାହିତ୍ୟର ହାସ୍ୟରସକୁ ଓଡ଼ିଆ ପାଠକମାନଙ୍କ ନିକଟରେ ପରିବେଷଣ କଲେ ଓଡ଼ିଆ ସାହିତ୍ୟ ବେଶ୍‌ ପରିପୁଷ୍ଟ ହୁଅନ୍ତା ଏବଂ ଓଡ଼ିଆ ହାସ୍ୟରସର ସ୍ରଷ୍ଟାମାନେ ମଧ୍ୟ ବହୁ ଭାବରେ ଉପକୃତ ହୁଅନ୍ତେ । ଏହି ପ୍ରସ୍ତାବ ମୋ ପକ୍ଷରେ ଅତି ଲୋଭନୀୟ ଥିଲା ।

 

କିନ୍ତୁ ଉର୍ଦ୍ଦୁର ଅନଭିଜ୍ଞତା ମୋତେ ପଛକୁ ଟାଣି ପକାଇଲା । ଇସ୍‌ମାଇଲ୍‌ ସାହେବ ଅନୁବାଦ ଦିଗରେ ମୋତେ ସମସ୍ତ ପ୍ରକାର ସାହାଯ୍ୟ ଦେବାକୁ ଅଙ୍ଗୀକାର କରିବାରୁ ମୁଁ ଅତି ଆନନ୍ଦରେ ତାଙ୍କ ପ୍ରସ୍ତାବରେ ସମ୍ମତି ଜଣାଇଲି । ତତ୍‌ପରଦିନ ସେ ମୁଜ୍‌ତବା ହୋସୈନଙ୍କ ଗୋଟିଏ ଗପ ପଢ଼ି ବୁଝାଇ ଦେଲେ । ଏହା ମୋତେ ଏତେ ଆନନ୍ଦ ଦେଲା ଯେ ସଙ୍ଗେ ସଙ୍ଗେ ଅନୁବାଦ କାର୍ଯ୍ୟ ଆରମ୍ଭ କରିଦେଲି । ଧାରାବାହିକ ଭାବରେ ଅନୁବାଦ କାର୍ଯ୍ୟ ଚାଲିଲା ଏବଂ ଡଗରରେ ପ୍ରକାଶ ପାଇବାକୁ ଲାଗିଲା । ଅନୁବାଦକ ରୂପେ ତାଙ୍କ ନାମ ଦେବାରୁ ସେ ଘୋର ପ୍ରତିବାଦ କଲେ ଏବଂ ତାଙ୍କ ନାମ ପରିବର୍ତ୍ତେ ମୋ ନାଆଁ ରଖିବାକୁ କହିଲେ । ସେ ଯୁକ୍ତିକଲେ ଯେ ତାଙ୍କ ବନ୍ଧୁମାନେ ତାଙ୍କୁ ଥଟ୍ଟା କରି କହିବେ “ହଇରେ ଗାଲୁଆ ତୋତେ ତ ଓଡ଼ିଆ ଭଲ ଆସେ ନାହିଁ ତୁ ଲେଖିଲୁ କେମିତି ?” ମୁଁ ତାଙ୍କୁ କହିଲି—ମୋର ବନ୍ଧୁମାନେ ସେହିପରି ମୋତେ କହିବେ “ହଇରେ ଗାଲୁଆ ତୋତେ ତ ଉର୍ଦ୍ଦୁ ଆସେ ନାହିଁ ତୁ ଉର୍ଦ୍ଦୁରୁ ଅନୁବାଦ କଲୁ କିପରି-?” ମୁଁ କହିଲି–ଆପଣଙ୍କ ନାଆଁ ରହୁ, ସେ କହିଲେ ନା ଆପଣଙ୍କ ନାମ ରହୁ । ବହୁବାର ଏହିପରି କୁହାକୁହି ହେବା ପରେ ମନେ ପଡ଼ିଗଲା—ଟ୍ରେନ୍‌ରେ ଉଠିଲା ବେଳେ ଦୁଇଜଣ ମୌଲବୀ ପହିଲେ ଆପ୍‌, ପହିଲେ ଆପ୍‌ କହୁ କହୁ ଗାଡ଼ି ଦୁହିଁଙ୍କୁ ଛାଡ଼ି ଚାଲିଯାଇ ଥିଲା । ଆମେ ଦୁହେଁ ପ୍ରକୃତିସ୍ଥ ହୋଇ ସ୍ଥିର କଲୁ ଯେ ଦୁହିଁଙ୍କ ନାମ ରହିବ । ସେହି ଅନୁଯାୟୀ କାମ ଆଗେଇ ଚାଲିଲା । ଆମ କାର୍ଯ୍ୟରେ ମୋର ସାନଭାଇ ଅଧ୍ୟାପକ ଶ୍ୟାମ ସୁନ୍ଦର ମିଶ୍ର ମଧ୍ୟ ସାହାଯ୍ୟ କଲା । ଇସ୍‌ମାଇଲ୍‌ ସାହେବ ଉର୍ଦ୍ଦୁ ପଢ଼ି କଥାଟା ବୁଝେଇ ଦିଅନ୍ତି । ମୁଁ ଆଉ ଶ୍ୟାମ ବାକ୍ୟଟିକୁ ସଜେଇ ସାଜେଇ ଲେଖୁ-। ମୁଜ୍‌ତବା ହୋସୈନ୍‌ଙ୍କ ଗଳ୍ପ ସବୁ ଯେତିକି ଯେତିକି ଅନୁବାଦିତ ହେଲା ତାଙ୍କ ପ୍ରତିଭା ନିକଟରେ ମୋର ମୁଣ୍ଡ ସେତିକି ସେତିକି ନଇଁ ଆସିଲା । ଆଧୁନିକ ଓଡ଼ିଆ ସାହିତ୍ୟରେ ହାସ୍ୟରସ ପ୍ରାରମ୍ଭିକ ଅବସ୍ଥାରେ ଅଛି । ଓଡ଼ିଆ ହାସ୍ୟରସ ସ୍ରଷ୍ଟାମାନେ ମୁଜ୍‌ତବାଙ୍କ ଉଚ୍ଚକୋଟୀର ହାସ୍ୟରସରୁ ଯଥେଷ୍ଟ ପ୍ରେରଣା ପାଇବେ । ନୂତନ ଆଲୋକର ସନ୍ଧାନ ପାଇ ସ୍ୱୀୟ ହାସ୍ୟରଚନାକୁ ମାର୍ଜିତ, ରୁଦ୍ଧିମନ୍ତ କରିବେ । ଏହି ଗଳ୍ପଗୁଡ଼ିକୁ ପୁସ୍ତକାକାରରେ ପ୍ରକାଶ କରିବାକୁ କଟକ ଲେଖକ ସହଯୋଗ ସମିତିର ସଭ୍ୟବୃନ୍ଦ ସାଗ୍ରହ ପଦକ୍ଷେପ ନେଇଥିବାରୁ ସେମାନେ ଓଡ଼ିଆ ପାଠକମାନଙ୍କ ନିକଟରେ ଅଭିନନ୍ଦନୀୟ ହେବେ, ଏଥିରେ ସନ୍ଦେହ ନାହିଁ ।

 

ଏହି ପୁସ୍ତକଟି ଭାରତୀୟ ଶ୍ରେଷ୍ଠ ହାସ୍ୟଗଳ୍ପ ସିରିଜ୍‌ର ପ୍ରଥମ ପୁସ୍ତକ । ଅନ୍ୟାନ୍ୟ ବିଖ୍ୟାତ ଉର୍ଦ୍ଦୁ ହାସ୍ୟରସ ସ୍ରଷ୍ଟାମାନଙ୍କର ଉଚ୍ଚକୋଟୀର ହାସ୍ୟଗଳ୍ପ ସବୁ ଏକତ୍ର କରି ଏହି ସିରିଜ୍‌ର ପୁସ୍ତକ ରୂପେ ପ୍ରକାଶିତ ହେବ ବୋଲି ସ୍ଥିର କରାଯାଇଛି । ଏହାପରେ ଭାରତର ସମସ୍ତ ଆଞ୍ଚଳିକ ଭାଷାରୁ ହାସ୍ୟଗଳ୍ପ ସଂଗୃହୀତ ହୋଇ କ୍ରମେ ପ୍ରକାଶ କରାଯିବ । ଆମର ଆଶା ଓଡ଼ିଆ ହାସ୍ୟରସ ସ୍ରଷ୍ଟାମାନେ ଏଥିରୁ ପ୍ରଚୁର ଲାଭବାନ ହେବେ । ପାଠକମାନଙ୍କୁ ଅନୁରୋଧ ସେମାନେ ଏହି ପୁସ୍ତକରୁ ହୋସୈନଙ୍କ ପ୍ରତିଭାର ଯଥାର୍ଥ ମୂଲ୍ୟାଙ୍କନ କରି ତାଙ୍କ ନିକଟକୁ ସ୍ୱୀୟ ମତାମତ ପଠାଇବେ । ଏହାଦ୍ୱାରା ଲେଖକ ଓ ପାଠକ ଭିତରେ ଘନିଷ୍ଟ ସମ୍ୱନ୍ଧ ସ୍ଥାପିତ ହେବ ।

 

ଫତୁରାନନ୍ଦ

Image

 

ଲେଖକଙ୍କ ତରଫରୁ

 

ଦୁଇବର୍ଷ ତଳର କଥା; ମୋର ପ୍ରିୟ ବନ୍ଧୁ ଇସ୍‌ମାଇଲ୍‌ ଆଜାର୍‌ ତାଙ୍କର ଏକ ପତ୍ରରେ ଫତୁରାନନ୍ଦ ମହାଶୟଙ୍କ ସମ୍ପର୍କରେ ଲେଖିଥିଲେ ଯେ ସେ ଓଡ଼ିଆ ଭାଷାର ଜଣେ ଲେଖକ ଓ ସାମ୍ୱାଦିକ ଏବଂ ମୋର ହାସ୍ୟ ରଚନାଗୁଡ଼ିକୁ ସେ ପସନ୍ଦ କରନ୍ତି । ମୁଁ ଜଣେ ଭଦ୍ର ଲୋକ ଭଳି ଇସ୍‌ମାଇଲ୍‌ ଆଜାର୍‌ଙ୍କ ମାର୍‌ଫତ୍‌ରେ ହିଁ ଫତୁରାନନ୍ଦ ମହାଶୟଙ୍କୁ ଧନ୍ୟବାଦ ଜଣାଇଲି । ମୋର ବିଶ୍ୱାସ ଥିଲା ଯେ ଧନ୍ୟବାଦ ଜଣାଇ ଦେବା ପରେ ସବୁ ହିସାବ ତୁଟିଯିବ ଓ ସ୍ନେହ ସମ୍ପର୍କ ସେଇଠି ଶେଷ ହୋଇଯିବ; କିନ୍ତୁ କିଛିଦିନ ପରେ ଇସ୍‌ମାଇଲ୍‌ ଆଜର୍‌ଙ୍କ ଚିଠି ଆସିଲା ଯେ ଫତୁରାନନ୍ଦ ମହାଶୟ ନିଜ ପତ୍ରିକାରେ ମୋର ରଚନା ଗୁଡ଼ିକୁ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି । ମୁଁ ଅନୁମତି ଦେଲି ଓ ପୁଣି ଧନ୍ୟବାଦ ଜଣାଇ ଦେଲି (ଜଣେ ଲେଖକ, ସେ ପୁଣି ଉର୍ଦ୍ଦୁ ଲେଖକ କେବଳ ଧନ୍ୟବାଦଟି ହିଁ ତ ଜଣାଇପାରେ !) ଏହାପରେ ଫତୁରାନନ୍ଦଙ୍କ ପତ୍ରିକା ଡଗରରେ ମୋର ରଚନା ଲାଗ୍‌ ଲାଗ୍‌ ପ୍ରକାଶ ପାଇବାରେ ଲାଗିଲା, ଏହି ରଚନା ସବୁର ପ୍ରକାଶ ଏପରି ହେଉଥିଲା କି ଇସ୍‌ମାଇଲ୍‌ ଆଜାର୍‍ ମୋର ରଚନା ସବୁ ପଢ଼ି ଯାଉଥିଲେ ଓ ଫତୁରାନନ୍ଦ ମହାଶୟ ସେ ସବୁର ଅନୁବାଦ କରୁଥିଲେ । ମୋତେ କୁହାଯାଇଥିଲା ଯେ ଫତୁରାନନ୍ଦ ମହାଶୟ ଜଣେ ବୟୋବୃଦ୍ଧ ବ୍ୟକ୍ତି ଆଉ ତାଙ୍କ ଦୃଷ୍ଟି ଶକ୍ତି ମଧ୍ୟ କ୍ଷୀଣ ହୋଇଯାଇଛି । କିନ୍ତୁ ଏତେ ବାଧାବିଘ୍ନ ସତ୍ତ୍ୱେ ମୋତେ ଓଡ଼ିଆ ଭାଷାରେ ପରିଚିତ କରାଇବା କାମ ସେ ଯେଉଁ ସ୍ନେହ ଶ୍ରଦ୍ଧା ସହ କରି ଆସିଲେ ସେଥିରୁ ମୋର ବିଶ୍ୱାସ ହେଉଛି ଯେ ଫତୁରାନନ୍ଦ ମହାଶୟଙ୍କର ସ୍ନେହ ଓ ସାହିତ୍ୟ ବିଷୟରେ ସବୁ ବାଧା ବିଘ୍ନର ସମ୍ମୁଖୀନ ହେବାପାଇଁ ସାମର୍ଥ୍ୟ ଅଛି । ଫତୁରାନନ୍ଦ ମହାଶୟଙ୍କ ସହ କେବେ ସାକ୍ଷାତ ହୋଇନାହିଁ; ଅବଶ୍ୟ ଥରେ ତାଙ୍କର ପତ୍ର ଆସିଥିଲା, ସେହି ପତ୍ରରେ ସେ ସ୍ନେହ ଶ୍ରଦ୍ଧାର ବନ୍ୟା ଛୁଟାଇ ଦେଇଥିଲେ । ଓଡ଼ିଆ ଭାଷାର ଏକ ମହାନ ସାମ୍ୱାଦିକ ଓ ସାହିତ୍ୟିକର ହୃଦୟରେ ଉର୍ଦ୍ଦୁର ମୋ ଭଳି ଏକ ସାମାନ୍ୟତମ ଲେଖକ ପାଇଁ ଏତେ ସ୍ନେହଥିବା ଜାଣି ମୁଁ ଅଭିଭୂତ ହୋଇଗଲି । ପ୍ରେମର ଭାଷା ନା ହେଉଚି ଓଡ଼ିଆ ନା ଉର୍ଦ୍ଦୁ । ପ୍ରେମର ପ୍ରକାଶ ପାଇଁ ପୃଥିବୀର ସମସ୍ତ ଭାଷା ଯଥେଷ୍ଟ ନୁହେଁ ।

 

ଓଡ଼ିଆ ଭାଷାରେ ମୋ ରଚନା ସଂକଳନର ପ୍ରକାଶନ ପଛରେ ଫତୁରାନନ୍ଦଙ୍କ ସ୍ନେହ ଓ ଶ୍ରଦ୍ଧା ଏବଂ ଇସ୍‌ମାଇଲ୍‌ ଆଜର୍‍ଙ୍କ ବନ୍ଧୁତ୍ୱର ହାତ ଅଛି । ମୁଁ ଏହି ଦୁଇ ସହୃଦୟ ବ୍ୟକ୍ତିଙ୍କ ଠାରେ କୃତଜ୍ଞ ଏଇଥିପାଇଁ ଯେ ମୁଁ ଓଡ଼ିଆ ସାହିତ୍ୟିକ ମହଲରେ ଏଇ ଅବସରରେ ପରିଚିତ ହେଉଛି । ଭାରତୀୟ ଭାଷା ଗୁଡ଼ିକ ପଛରେ ଭ୍ରାତୃତ୍ୱ ଓ ପାରସ୍ପାରିକ ସମ୍ମାନହିଁ ଖାଣ୍ଟି ଭାରତୀୟ ସାହିତ୍ୟର ପ୍ରକୃତ ଚିତ୍ର ଆଙ୍କିପାରେ ।

 

ବର୍ତ୍ତମାନ ଯେତେବେଳେ ଫତୁରାନନ୍ଦ ମହାଶୟଙ୍କ ଦୟାରୁ ଏ ବହି ଛପାହେଉଛି ସେତେବେଳେ ବି ମୁଁ ତାଙ୍କୁ ଧନ୍ୟବାଦ ଦେବା ଛଡ଼ା ଆଉ କିଛି କରିପାରୁନାହିଁ, କାରଣ ତାଙ୍କର ଏଇ ‘ପ୍ରଚଣ୍ଡ ସ୍ନେହ’ ଆଗରେ ନିଜକୁ ଅସହାୟ ଓ ସଙ୍କୁଚିତ ମନେ କରୁଚି

 

ଓଡ଼ିଆ ସାହିତ୍ୟିକ ବନ୍ଧୁ ମହୋଦୟଗଣ ଏହି ବହି ବିଷୟରେ ନିଜର ମତାମତ ଓ ସୁପରାମର୍ଶ ଅର୍ପଣ କଲେ ମୁଁ ସେମାନଙ୍କ ପ୍ରତି କୃତଜ୍ଞ ରହିବି ।

 

 

ସ୍ୱା: ମୁଜ୍‌ତବା ହୋସୈନ୍‌

୧ ଡିସେମ୍ୱର ୭୯

୮୦/୨୯ ମାଲବ୍ୟ ନଗର

 

ନୂଆଦିଲ୍ଲୀ-୧୧୦୦୧୭

Image

 

ସୂଚୀପତ୍ର

 

୧.

ସିନେମା ଦେଖାରୁ ଭଗବାନ ରକ୍ଷା କରନ୍ତୁ

୨.

ଅତିଥି

୩.

ମୋ ଚାକର

୪.

ଚାକିରି ସନ୍ଧାନେ

୫.

ଡାଇରେକ୍‌ଟରଙ୍କ କୁକୁର

୬.

ହୋଟେଲ୍‌ ଶବାନା

୭.

ନିର୍ବାଚନ ଧ୍ୱନି

୮.

ମିର୍ଜାଙ୍କ ସ୍ମରଣେ

୯.

ସାହିତ୍ୟିକମାନଙ୍କର ଘରୋଇ ଅବସ୍ଥା

୧୦.

କାହାଣୀ କଳଦାନ୍ତ ବ୍ୟଥାର

୧୧.

ଶୋକ ସଭା

୧୨.

ସଭାପତି ମହୋଦୟ

୧୩.

ରେଳବାଇ ମନ୍ତ୍ରୀ ଯାତ୍ରୀ ବନିଗଲେ

Image

 

ସିନେମା ଦେଖାରୁ ଭଗବାନ ରକ୍ଷା କରନ୍ତୁ

(ଖୋଦା ବଚାଏ ଫିଲ୍ମି ଦେଖ୍‌ନସେ)

 

ମୁଁ ସିନେମା, ବିଶେଷ କରି ଭାରତୀୟ ସିନେମା ଦେଖିବାକୁ ଖୁବ୍‌ ଭୟକରେ କାରଣ, ଭାରତୀୟ ଫିଲ୍ମିଗୁଡ଼ିକ ନା ‘ଭାରତୀୟ’ ନା ‘ଫିଲ୍ମି’ । ଏଥିପାଇଁ ଯଦି ମୋତେ କିଏ ଫିଲ୍ମି ଦେଖିବାକୁ ଡାକେ ତ ମୁଁ ତା’ ପାଦତଳେ ପଡ଼ିଯାଏ ଓ କାକୁତିମିନତି କରି କହେ “ଭାଇ ମୁଁ ଏପରି କଅଣ ଦୋଷ କଲି ଯେ ମୋତେ ଫିଲ୍ମି ଦେଖିବାକୁ ଟାଣୁଚ ? ମୁଁ ତ ତୁମକୁ ଆଜି ପର୍ଯ୍ୟନ୍ତ ବନ୍ଧୁ ବୋଲି ଭାବି ଭାବି ଆସିଚି । ତେବେ ମୋର କେଉଁ ଦୋଷରେ ମୋତେ ତିନି ଘଣ୍ଟାର ‘କଠିନ କାରାଦଣ୍ଡ’ ଭୋଗେଇବାକୁ ଚାହୁଁଚ ? ମୋତେ ଦଣ୍ଡ ଦେବାକୁ ଚାହୁଁଚ ତ ଫାଶୀ କାଠ ଉପରକୁ ଚଢ଼ାଇଦିଅ ପଛକେ, ଫିଲ୍ମିକୁ ନିଅ ନାହିଁ । କାହିକି ନା ଫାଶୀକାଠ ଉପରେ ମଣିଷର ଜୀବନ ଚଟ୍‌ କରି ଚାଲିଯାଏ କିନ୍ତୁ ଫିଲ୍ମି ଦେଖିଲାବେଳେ ମଣିଷ ସ୍ୱାଶରୁଦ୍ଧ ହୋଇଯାଉ ଥାଏ କିନ୍ତୁ ସେ ମରେନି । ଏ ଅବସ୍ଥା ଅତି କଷ୍ଟଦାୟକ ହୁଏ ।

 

ଆପଣ ବିଶ୍ୱାସ କରନ୍ତୁ, ଯଦି କୌଣସି ଖରାପ ଫିଲ୍ମି ବାହାରେ, ତେବେ ମୁଁ ତାହାର ଅସଂଖ୍ୟ ଟିକଟ କିଣି ମୋ ଶତ୍ରୁମାନଙ୍କ ପାଖକୁ ପଠାଇ ଦିଏ । ଶତ୍ରୁଙ୍କ ଉପରେ ପ୍ରତିଶୋଧ ନେବାର ଏହା ସବୁଠୁ ସହଜ ଉପାୟ । ଏତିକି ନୁହେଁ, ମୁଁ ଯଦି କାହା ଉପରେ ରାଗେ, ତେବେ ତାକୁ ଗାଳିଦେବା ପାଇଁ ଭାରତୀୟ ଫିଲ୍ମିର ହିଁ ସାହାଯ୍ୟ ନିଏ । ମୁଁ ତାକୁ କହେ “ଭଗବାନ୍‌ ତତେ ଓ ତୋ ପିଲାପିଲି ସମସ୍ତଙ୍କୁ ‘ବାଗଦାଦ୍‌କା ଚୋର’ ଫିଲ୍ମି ଦେଖାନ୍ତୁ” । “ତୁ ହେଉଚୁ ‘ଡାକୁ ମାନ ସିଂ’, ତୁ ‘ବଦ୍‌ ତମିଜ୍‌’, ତୁ ‘ଜଙ୍ଗଲି’ ତୁ ‘ପକେଟମାର’ ଆଉ ତୁ ‘ଗୁନାହୋଁ କା ଦେବତା’ ଇତ୍ୟାଦି ଇତ୍ୟାଦି”-। ଏହାର ଅର୍ଥ ଆପଣ ଭାବନ୍ତୁ ନାହିଁ ଯେ ମୁଁ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମି ଦେଖିନାହିଁ । ମୁଁ ମୋର ଛାତ୍ର ଜୀବନରେ ଏପରି ଅନେକ ଫିଲ୍ମି ଦେଖିଚି, ଯାହାର ବିଷୟବସ୍ତୁ ପାଠ୍ୟ ପୁସ୍ତକରେ ଥିଲା । ଉଦାହରଣତଃ ଇତିହାସ ପରୀକ୍ଷାରେ ସଫଳ ହେବାପାଇଁ ମୁଁ ‘ସିକନ୍ଦର ଏ ଆଜାମ୍‌’ ‘ପୃଥିବୀରାଜା ଚୌହାନ’ ଓ ‘ମୋଗଲ ଏ ଆଜାମ’ ଏଭଳି ଫିଲ୍ମି ସବୁ ଦେଖିଥିଲି । କିନ୍ତୁ ଏ ଫିଲ୍ମି ଦେଖିବା ପରେ ଯେତେବେଳେ ପରୀକ୍ଷା ଦେଇ ସାରିଲି, ସେତେବେଳେ ଇତିହାସ ପରୀକ୍ଷା ଖାତାର ଭୂଗୋଳଟା ବିଗିଡ଼ିଗଲା । ମୁଁ ଫିଲ୍ମିର ସବୁ ସଂଳାପ ପରୀକ୍ଷା ଖାତାରେ ଲେଖି ଦେଇ ଥିଲି । ଆଉ ‘ମହାନ୍‌ ଆକବର’ଙ୍କ ବିଷୟରେ ଏହା ବି ଲେଖିଥିଲି ଯେ, ମହାନ୍‌ ଆକବରଙ୍କ ଅସଲ ନାଁ ଥିଲା ‘ପୃଥିବୀରାଜ କପୁର ।’ ମହାନ ଆକବରଙ୍କ ତିନୋଟି ପୁଅ ଥିଲେ । ସେମାନଙ୍କ ନାଁ ରାଜ କପୁର, ଶଶୀ କପୁର ଓ ଶମ୍ମି କପୁର । ମହାନ ଆକବର ଖୁବ୍‌ ଭଲ ଅଭିନେତା ଥିଲେ କିନ୍ତୁ ‘ଅନାରକଲି’ ଥିଲା ତାଙ୍କଠାରୁ ବି ଭଲ ଅଭିନେତ୍ରୀ ।

 

ପରୀକ୍ଷା ଫଳ ଜଣାପଡ଼ିବାରୁ ମୋ ଅବସ୍ଥା କୌଣସି ଏକ ରୋମାଣ୍ଟିକ୍‌ ଫିଲ୍ମିର ନାୟକ ଭଳି ହୋଇଗଲା, ଯେ କି ପ୍ରେମ ପ୍ରକାଶ କଲାବେଳେ ନିଜ ଚେହେରାକୁ ଏପରି କରିଦିଏ, ଯେପରି କି ସେ ଜଡ଼ାତେଲ ପିଇଦେଇଚି କିମ୍ୱା ପେଟ ଦରଜ ହେଇଛି । ମୋର ଏ ଅବସ୍ଥା ବହୁତଦିନ ପର୍ଯ୍ୟନ୍ତ ରହିଲା । ମୋତେ ଜଣାପଡ଼ିଗଲା ଯେ ଏ ସବୁ ଦୁରବସ୍ଥା ଫିଲ୍ମି ଦେଖିବାରୁ ହେଲା । ମୁଁ ଯଦି ଫିଲ୍ମି ଦେଖି ନ ଥାନ୍ତି, ସମ୍ଭବତଃ କୌଣସି ଇତିହାସ ବହିରେ ମୋର ଚର୍ଚ୍ଚା ହୋଇ ଥାନ୍ତା କିନ୍ତୁ ଏସବୁ ସତ୍ତ୍ୱେ ମୋର ଫିଲ୍ମି ଦେଖିବା ଅଭ୍ୟାସ ଗଲା ନାହିଁ । ମୋର ଭଲକରି ମନେଅଛି ‘ପକେଟମାର’ ଫିଲ୍ମି ଦେଖିବା ପାଇଁ ମୁଁ ମୋ ବାପାଙ୍କ ପକେଟ ମାରୁ କରିଥିଲି । ‘ହଣ୍ଟରବାଲି’ ଦେଖି, ବାପାଙ୍କଠାରୁ ହଣ୍ଟର ମାଡ଼ ଖାଇଥିଲି । ‘କାଂଚକି ଚୁଡ଼ିଆଁ’ ଫିଲ୍ମି ଦେଖିବାପାଇଁ ମା’ଙ୍କର ସୁନା କାଚ ବିକ୍ରି କରିଦେଇଥିଲି । ‘ସହିଦ୍‌’ ଫିଲ୍ମି ଦେଖିବାକୁ ଯାଇ, ଟିକଟ ଘରର ଧାଡ଼ି ଭିତରେ ସହିଦ୍‌ ହେଉ ହେଉ ବଞ୍ଚିଗଲି । ‘ଫଜ’ ଫିଲ୍ମି ଦେଖିବାକୁ କରଜ କରିଥିଲି । ଅବିବାହିତ ଥିଲା ପର୍ଯ୍ୟନ୍ତ ଫିଲ୍ମି ଦେଖିବାରେ ଅଧିକାଂଶ ସମୟ କଟୁଥିଲା । ଏହି ସବୁ ଫିଲ୍ମ ଦେଖି ଅନେକ ସମୟରେ ମୋର ଇଚ୍ଛା ହେଉଥିଲା ଯେ, ମୋର ବି ଜଣେ ନାୟିକା ଥାଆନ୍ତା, ଯାହାର ବାପା ଲକ୍ଷପତି ହୋଇଥାନ୍ତା ଆଉ ମୁଁ ତା ବାପାର କାରଖାନାରେ ଶ୍ରମିକ ହୋଇଯାଆନ୍ତି ଓ ପଦୋନ୍ନତି ପାଇ ପାଇ ତାର ଜୋଇଁ ହେଇଯାଆନ୍ତି କାରଣ, ଫିଲ୍ମି ‘କାରଖାନା’ମାନଙ୍କରେ ହିଁ ଶ୍ରମିକର ପଦୋନ୍ନତି ହେଲେ, ସେ ଜୋଇଁ ହୋଇଯାଏ । ପୁଣି ଏପରି ସୁଯୋଗ ଆସନ୍ତା, ଯେତେବେଳେ କି ମୋ ନାୟିକାର ଜୀବନ ରକ୍ଷା ପାଇଁ ମୁଁ ସମୁଦ୍ରକୁ ଡେଇଁ ପଡ଼ନ୍ତି (ଯଦିଓ ମୋତେ ପହଁରା ଆସେନି) । ଆମର ଜଣେ ଭିଲେନ ବି ଥାଆନ୍ତା । ତାକୁ ସତର୍କ କରାଯାଇ ଥା’ନ୍ତା ଯେ ମୁଁ ତାକୁ ଯେତେ ଇଚ୍ଛା ସେତେ ମୁଥି ମାଇଲେ ମଧ୍ୟ ସେ ତା ବଦଳରେ ମୋଟେ ମୁଥି ମାରନ୍ତା ନାହିଁ । ପୁଣି ଭଗବାନଙ୍କର ଏପରି କରଣି ହୁଅନ୍ତା ଯେ ମୋ ନାୟିକାର ବାହାଘର ଭିଲେନ ସହ ସ୍ଥିର ହୁଅନ୍ତା ଓ ଠିକ୍‌ ବାହାଘର ବେଳେ ମୁଁ ମଣ୍ଡପ ପାଖରେ ପହଞ୍ଚି ଘୋଷଣା କରିଦିଅନ୍ତି “ବନ୍ଦକର ! ଏ ବାହାଘର ହେଇ ପାରିବ ନାହିଁ ।” ମୋ ସାଙ୍ଗରେ ବହୁତ ପୋଲିସବାଲା ଥାଆନ୍ତେ ଆଉ ପୋଲିସର ତତ୍ତ୍ୱାବଧାନରେ ମୁଁ ସେ ନାୟିକାକୁ ଘରକୁ ନେଇ ଆସନ୍ତି । କାରଣ ଫିଲ୍ମିରେ ପୋଲିସ ସାହାଯ୍ୟ ବିନା କୌଣସି ବାହାଘର ହୋଇ ପାରେନି । ସେଠାରେ ପୋଲିସର ଏକମାତ୍ର କାମ ହୁଏ ନାୟକ ସହ ନାୟିକାର ବାହାଘର କରେଇ ଦେବା । ନହେଲେ ପୋଲିସ ବିଭାଗ ରଖି ଲାଭ କଣ ? ସତ କହିବାକୁ ଗଲେ ଆମ ଫିଲ୍ମିରେ ଗୋଟିଏ କଥା ସତ । ତାହା ହେଉଛି ହତ୍ୟାକାଣ୍ଡ ଘଟିଯିବା ପରେ ଓ ଲୋକଙ୍କ ପଞ୍ଜରା ହାଡ଼ ଭାଙ୍ଗିଯିବା ପରେ ପୋଲିସ ସିପାହି ହୁଇସିଲ୍ ବଜାଇ ଆସନ୍ତି ଓ ନାୟକ ପାଖରେ ଠିଆ ହୋଇ ଫଟୋ ଉଠାଇବାକୁ ଦିଅନ୍ତି ।

 

ସଂକ୍ଷେପରେ, ମୋ ମନରେ ଏକ ଇଚ୍ଛା ଥିଲା ଯେ ମୋର ବାହାଘର ପୋଲିସ ସାହାଯ୍ୟରେ ହଅନ୍ତା କିନ୍ତୁ ସେପରି ହୋଇ ପାରିଲା ନାହିଁ । ନାଚାର ହୋଇ ମୁଁ ଏପରି ଏକ ଝିଅ ବାହାହେଲି, ଯାହାର ରୂପ କୌଣସି ଫିଲ୍ମିର ଏକ୍‌ସ୍‌ଟ୍ରା ଗାର୍ଲ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ କିନ୍ତୁ ମତେ କ’ଣ ଜଣାଥିଲା ଯେ ଏଇ ଏକ୍‌ସ୍‌ଟ୍ରା ଗାର୍ଲ ବି ନିଜକୁ ନାୟିକା ବୋଲି ଭାବୁଚି । ମତେ ପରେ ଜଣାପଡ଼ିଲା ଯେ ସେ ବି ବହୁତ ସ୍ୱପ୍ନ ଦେଖୁଥିଲା । ତା ମନରେ କେବେ କେବେ ଏପରି ଆଶା ଜାଗୁଥିଲା ଯେ, କେହି ତାକୁ ସମୁଦ୍ରରେ ବୁଡ଼ିଯିବାରୁ ରକ୍ଷା କରୁ, କେହି ପୋଲିସ ତତ୍ତ୍ୱାବଧାନରେ ତାକୁ ବାହା ହେଉ କିନ୍ତୁ ସମୟ ଚାଲିଯାଇଥିଲା, କାହିଁକି ନା ଆମର ବାହାଘର ତ ହୋଇଗଲା । ସିଏ ଏବେ ବି ସବୁବେଳେ ମୋ ସହ ଝଗଡ଼ା କରେ ଯେ ମୁଁ କାହିଁକି ତାକୁ ବାହାଘର ପୂର୍ବରୁ ସମୁଦ୍ରରେ ବୁଡ଼ିଯିବାରୁ ବଞ୍ଚେଇଲି ନାହିଁ । ଆଉ ମୁଁ ତାକୁ ବୁଝେଇ କରି କହେ “ହେ ମୋ ପୁରୁଣା ସ୍ୱପ୍ନର ପୁରୁଣା ରାଣୀ, କାହିଁକି ଉଦାସ ହେଉଚ । ମୁଁ ତମକୁ ଏବେ ବି ସମୁଦ୍ରରୁ ବୁଡ଼ିଯିବାରୁ ରକ୍ଷାକରି ପାରିବି । ବିଶ୍ୱାସ ନ ହେଉଚି ତ ଏବେ ମୋ ସାଙ୍ଗରେ ଚାଲ ଆଉ ସମୁଦ୍ରକୁ ଲମ୍ଫ ଦେଇ ଦେଖ” । ଉତ୍ତରରେ ମୋ ସ୍ତ୍ରୀ କହନ୍ତି, “ଆଉ ମୁଁ ତୁମ କଥାରେ ଯିବିନି ।” ଏସବୁ ତୁମର ଷଡ଼ଯନ୍ତ୍ର । ମୁଁ ଜାଣେ । ଯଦି ମୁଁ ସମୁଦ୍ରକୁ ଡେଇଁପଡ଼େ, ତେବେ ତୁମେ କୂଳରେ ଠିଆହୋଇ ମୋ ବୁଡ଼ିବାର ଖେଳ ଦେଖୁଥିବ । କାହିଁକି ନା ତମେ ଏବେ ମୋଠାରୁ ମୁକ୍ତି ଚାହୁଁଚ ।’’

 

ମୋର ବିଶ୍ୱାସ ହେଉଚି ସତରେ ଯଦି ମୋ ସ୍ତ୍ରୀ ଏବେ ସମୁଦ୍ରକୁ ଡେଇଁ ପଡ଼ନ୍ତି, ତେବେ ମୁଁ ତାକୁ ବଞ୍ଚେଇବି ନାହିଁ କାରଣ, ବାହାଘର ପୂର୍ବରୁ କେଉଁ ଝିଅକୁ ବୁଡ଼ିବାରୁ ରକ୍ଷା କରିବାର ମଜା ଅନ୍ୟ ପ୍ରକାର । ଭଲା ଆଜି ପର୍ଯ୍ୟନ୍ତ କେହି ନିଜ ସ୍ତ୍ରୀକୁ ବୁଡ଼ିବାରୁ ବଞ୍ଚେଇଚି ।

 

ମୁଁ ଏତେ ଓଲା ନୁହେଁ କି ସ୍ତ୍ରୀ ବି ଏତେ ଓଲି ନୁହନ୍ତି ଯେ ମୋ କଥାରେ ବିଶ୍ୱାସ କରିବେ-

 

ପୋଲିସ ତତ୍ତ୍ୱାବଧାନରେ ଯେ ମୋର ବିବାହ ହୋଇନି ଏହା ଠିକ୍‌ କିନ୍ତୁ ବିବାହ ପରେ ଏପରି ଅସଂଖ୍ୟ ଥର ଏପରି ସୁଯୋଗ ଆସିଥିଲା, ଯେତେବେଳେ କି ଅବସ୍ଥା ଦେଖି ମୋର ପୋଲିସକୁ ଡାକିବା ଉଚିତ ଥିଲା । ମୋର ଶକ୍ତି ଥିଲେ, ଦିନ ରାତି ମୋ ଘରେ ପୋଲିସ ପହରା ରଖନ୍ତି, କାରଣ ଚବିଶଘଣ୍ଟା କାଳ ଆମ ଦିହିଁଙ୍କ ଭିତରେ କୌଣସି ନା କୌଣସି ବିଷୟରେ କଳି ହୁଏ, ଆଉ ଏଇ କଳି ପରେ ପରେ ଘରର ସବୁ ଆସବାବପତ୍ର ମୋର ଅନୁସରଣ କରି ରାସ୍ତା ଉପରକୁ ପଳେଇ ଆସନ୍ତି

 

ଏ ସବୁ ଏଇଥି ପାଇଁ ହେଉଛି ଯେ ମୁଁ ଓ ମୋ ସ୍ତ୍ରୀ ବିବାହ ପୂର୍ବରୁ ଅଲଗା ଅଲଗା ଅନେକ ଫିଲ୍ମି ଦେଖିଛୁ । ମୁଁ ମୋ ପାଇଁ ଏକ ‘ନାୟିକା’ର ସ୍ୱପ୍ନ ଦେଖିଥିଲି; ଆଉ ମୋ ସ୍ତ୍ରୀ ନିଜ ପାଇଁ ଏକ ‘ନାୟକ’ର ସ୍ୱପ୍ନ ଦେଖିଥିଲେ । ଫଳରେ ଏଇଆ ହେଲା ଯେ ବିବାହ ପରେ ମୁଁ ତାକୁ ‘ନାୟିକା’ ଓ ସେ ମୋତେ ‘ନାୟକ’ ଭଳି କରିବାର ଚେଷ୍ଟା ଆରମ୍ଭ କରିଦେଲେ । ସବୁ କଳି ଏଇଥି ପାଇଁ

 

ମୁଁ ତାଙ୍କୁ ‘ସାଧନା’ କରିଦେବାକୁ ଚାହୁଁଥିଲି । ସେଥିପାଇଁ ଦିନେ ତାଙ୍କ ବାଳକୁ ସାମନାରୁ କାଟିଦେଲି । ସେଥିରେ ସେ ମୋ ଉପରେ ରାଗିଗଲେ ଓ କହିଲେ, ପ୍ରେମ କରୁଚ ସାଧନାକୁ ଆଉ କାଳ କାଟୁଚ ମୋର । ଯଦି ସାଧନାକୁ ତୁମର ଏତେ ପସନ୍ଦ, ତେବେ ମୋତେ କାହିଁକି ବାହା ହେଉଥିଲ ? ମୁ ଏଥରକ ଚୁପ୍‌ ରହିବି ନାହିଁ । ମୁଁ ବି ତୁମକୁ ଏଥରକ ମୋ ‘ହିରୋ’ କରିଦେବି । ଏଇୟା କହି ସେ କଇଁଚି ନେଇ ଆସିଲେ ଆଉ ମୋର ବାଳ ମଧ୍ୟ ସାମନାରୁ କିଛି କାଟିଦେଲେ । ମୁଁ ଚିତ୍କାର କରି କହିଲି “ଏ କ’ଣ କରୁଚ ?”

 

ସେ କହିଲେ—“କିଛି ନାହିଁ, ମୁଁ ତୁମକୁ ଦିଲ୍ଲୀପକୁମାର କରି ଦଉଚି । ‘ଗଙ୍ଗା ଯମୁନା’ରେ ଦିଲ୍ଲୀପ କୁମାରର ବାଳ ତ ଏଇପରି ।”

ଏହାପରେ ମୋତେ ଏମିତି ନିର୍ଦ୍ଦେଶ ଦିଆଗଲା ଯେ ୟାଡ଼କୁ ମୁଁ ଦିଲ୍ଲୀପକୁମାର ପରି ଚାଲେ, ଦିଲ୍ଲୀପକୁମାର ପରି ହସେ, ଦିଲ୍ଲୀପକୁମାର ପରି କଥାବାର୍ତ୍ତା କରେ, ଦିଲ୍ଲୀପକୁମାର ପରି କାଶେ, ଦିଲ୍ଲୀପକୁମାର ପରି ସିଗ୍ରେଟ୍‍ ପିଏ, ଏପରିକି ବେମାର ପଡ଼ିଲେ ଦିଲ୍ଲୀପକୁମାର ପରି କୁନ୍ଥାଏ ।

ଏହାପରେ ମୋର ସବୁ କାର୍ଯ୍ୟକଳାପ ଉପରେ କଡ଼ା ଦୃଷ୍ଟି ଦିଆଗଲା । ମୁଁ ଦିଲ୍ଲୀପକୁମାର ବଦଳରେ ମନୋଜକୁମାର ପରି କାଶିଦେଲି ତ, ମୋ ଉପରେ ଗାଳି ବର୍ଷିଯାଏ । ଦିନେ ମୁଁ ଭୁଲରେ ରାଜ କପୁର ପରି ସିଗ୍ରେଟ ପିଉଥିଲି । ମୋ ସ୍ତ୍ରୀ ମୋ ଉପରକୁ ବାସନକୁସନ ଫୋପାଡ଼ିବାକୁ ଆରମ୍ଭ କଲେ ।

ମୁଁ ଚିତ୍କାର କରି ପଚାରିଲି, ହଇହେ, ଦିଲ୍ଲୀପକୁମାରକୁ ଯଦି କୌଣସି ସ୍ତ୍ରୀଲୋକ ମାରେ, ତେବେ ସେ କଅଣ କରେ କୁହ; ମୁଁ ସେହିପରି କରିବି ।

ସେ କହିଲେ “କଅଣ ‘ରାମ ଓ ଶ୍ୟାମ’ ଫିଲ୍ମିରେ ଦିଲ୍ଲୀପକୁମାରକୁ ମା’ ହାତରୁ ମାଡ଼ ଖାଇବା ଦେଖିନ । ଏବେ ସେମିତି କର ।” ଆଉ ମୁଁ ମାଙ୍କଡ଼ଙ୍କ ପରି କୁଦିବାକୁ ଲାଗିଲି ।

କିଛିଦିନ ପର୍ଯ୍ୟନ୍ତ ମୁଁ ଚୁପ୍‌ଚାପ୍‌ ଦିଲ୍ଲୀପକୁମାରର ଅଭିନୟ କରି ଲାଗିଲି । ଦିନେ ଘରେ ଆରାମରେ ବସିଥିବା ବେଳେ ମୋ ସ୍ତ୍ରୀ ଅଚାନକ ମୋ ଭଲ ହାତଟାର ଚାରିପଟେ ପଟି ବାନ୍ଧିଲେ-। ମୁଁ ପରାରିଲି, “ମୋ ହାତ କଅଣ ହେଇଚି ଯେ ପଟି ବାନ୍ଧୁଚ ?”

ସେ କହିଲେ, ବହୁତ ଦିନ ପରେ ଆଜି ସକାଳ ଶୋ’ରେ ମୁଁ ‘ଦିଦାର’ ଫିଲ୍ମି ଦେଖି ଆସିଲି । ଏଥିରେ ଦିଲ୍ମୀପକୁମାର ହାତରେ ଏମିତି ପଟି ବନ୍ଧାହେଇଚି ।

ଏହାପରେ କୋଉ ଫିଲ୍ମିରେ ଦିଲ୍ଲୀପକୁମାର ମୁଣ୍ଡରେ ପଟି ଭିଡ଼ା ହୋଇଥିଲେ, ମୋ ମୁଣ୍ଡରେ ମଧ୍ୟ ବାଧ୍ୟତାମୂଳକ ଭାବରେ ପଟି ଭିଡ଼ିଦିଆଯାଏ । କେଉଁ ପିଲ୍ମିରେ ଦିଲ୍ଲୀପକୁମାର ଛୋଟେଇ ଛୋଟେଇ ଚାଲୁଥିଲେ ମୁଁ ମୋ ପାଦର ମଙ୍ଗଳ ପାଇଁ ପ୍ରାର୍ଥନା କରିବାକୁ ଲାଗିଲି । ଏ ସବୁ ସାଧାରଣ ବ୍ୟାପାର ହେଇଗଲା । ମୋ ଘର ମୋର ନହେଇ ଦିଲ୍ଲୀପକୁମାର ଘର ପରି ମନେହେଲା । ମୋ ସବୁ ଫଟ ଫ୍ରେମ୍ ଭିତରୁ ବାହାର କରି ଦିଆଗଲା । ଘରର ବିଭିନ୍ନ ଜାଗାରେ ଦିଲ୍ଲୀପକୁମାରର କ୍ୟାଲେଣ୍ଡର ଟଙ୍ଗେଇ ଦିଆଗଲା । କେବେ କେବେ ମୋତେ ସୁଟ୍ ପିନ୍ଧେଇ ଦିଆଯାଉଥିଲା, କେବେ ଧୋତି ପିନ୍ଧେଇ ଦିଆ ଯାଉଥିଲା, କେବେ ଡାକୁ ପୋଷାକ, କେବେ ଶ୍ରମିକର ପୋଷାକ ପିନ୍ଧେଇ ଦିଆହେଲା । ମୁଁ ମୋ ଘରେ ଦିଲ୍ଲୀପକୁମାରର ‘ଡମି’ ମାତ୍ର ହେଇ ରହିଗଲି ।

କେତେଦିନ ପର୍ଯ୍ୟନ୍ତ ଏଇ କାରବାର ଚାଲିଲା । ଦିନେ ହଠାତ୍‌ ଖବର ମିଳିଲା ଯେ ଦିଲ୍ଲୀପକୁମାର ସାଇରାବାନୁକୁ ବାହା ହୋଇ ଗଲାଣି । ମୁଁ ଖୁବ୍‌ ଖୁସି ହେଲି ଆଉ ସ୍ତ୍ରୀଙ୍କି କହିଲି, “ହଇହେ ଏଥରକ ମତେ ଦାସତ୍ୱରୁ ମୁକ୍ତି ଦିଅ, ଯାହା ଫଳରେ ମୁଁ ବି କୋଉ ସାଇରାବାନୁକୁ ବାହାହେଇ ପାରିବି ।”

ସେ ବହୁ ଉଦାସ ହୋଇଗଲେ କିନ୍ତୁ ତଥାପି ରାଗରେ କହିଲେ, “ମୁଁ ତମକୁ କେବେହେଲେ ସ୍ୱାଧୀନ ହେବାକୁ ଦେବିନାହିଁ । ଦିଲ୍ଲୀପକୁମାର ଯୋଉ ଧୋକ୍‌କା ଦେଲା, ତା’ର ବଦଲା ନେବି । ତେଣୁ ତୁମକୁ ଆଜି ରାଜେଶ ଖାନ୍ନା କରିବା ଆରମ୍ଭ କରିଦେବି ।”

ମୁଁ କହିଲି, “ଏ ସବୁ ମୋ ଦେଇ ହେଇପାରିବ ନାହିଁ । ମୁଁ ଏତେ ବର୍ଷକାଳ ଦିଲ୍ଲୀପକୁମାରର ଅଭିନୟ କରି କରି ଅସଲି ଦିଲ୍ଲୀପକୁମାର ହେଇଯାଇଚି । ବର୍ତ୍ତମାନ ଆଉ ରାଜେଶ ଖାନ୍ନା ହେବା ମୋ ଶକ୍ତିର ବାହାରେ ।”

ଏଥିରେ ସ୍ତ୍ରୀ କହିଲେ“କିନ୍ତୁ ମୁଁ ଦିଲ୍ଲୀପକୁମାରକୁ ଏ ପ୍ରବଞ୍ଚନାର ଠିକ୍‌ ମଜାଟା ଚଖେଇ ଦେବାକୁ ଚାହୁଁଚି ।”

ମୁଁ କହିଲି “ତାହେଲେ ଦିଲ୍ଲୀପକୁମାରକୁ ମଜା ଚଖାଅ ମଝିରେ ମୋତେ କାହିଁକି ପୂରଉଚ ।”

ସେ କହିଲେ, “ମୁଁ କିଛି ଶୁଣିବିନି । ଦିଲ୍ଲୀପକୁମାରକୁ ଜଣାନାହିଁ ଯେ ନାରୀର ପ୍ରତିଶୋଧ ନିଆଁ କେତେ ଜୋର । ଆଜିଠୁ ମୁଁ ତୁମକୁ ରାଜେଶ ଖାନ୍ନା କରିବି ହିଁ କରିବି । ଦେଖିବି ଦିଲ୍ଲୀପକୁମାର କଅଣ କରୁଚି ।”

ଏହିପରି ନାରୀର ପ୍ରତିଶୋଧାଗ୍ନିକୁ ଥଣ୍ଡା କରିବାପାଇଁ ମୋତେ ରାଜେଶ ଖାନ୍ନା ହେବାକୁ ପଡ଼ିଲା । ମୋର ଲୁଗାପଟା ବଦଳିଗଲା । ମୋ ହସକୁ ବଦଳେଇ ଦିଆଗଲା ଆଉ ମୋ ଚାଲି ବି ବଦଳେଇ ଦିଆଗଲା । କିଛିଦିନ ପାଇଁ ତ ମୁଁ ଠିକ୍‌ ଢଙ୍ଗରେ ରାଜେଶ ଖାନ୍ନାର କାମ କରିବାକୁ ଲାଗିଲି ।

ଦିନେ ହଠାତ୍‌ ସ୍ତ୍ରୀ ମୋତେ ପଚାରିଲେ, “ତୁମକୁ କ’ଣ କ୍ୟାନସର ହେଇପାରିବନି ?”

ମୁଁ ପଚାରିଲି, “ସିଏ କାହିଁକି !”

ସେ କହିଲେ, “ଆନନ୍ଦ’ ଫିଲ୍ମରେ ରାଜେଶ ଖାନ୍ନାକୁ ଯେ କ୍ୟାନସର ହେଇଛି ।”

ପାଣି ଏଥର ମୋ ମୁଣ୍ଡ ଉପରୁ ଉଠି ଯାଇଥିଲା । ଆଉ ସହିବାର ଶକ୍ତି ନଥିଲା । କ୍ରୋଧରେ କହିଲି, “ଆଜିଠୁ ମୁଁ ଆଉ ରାଜେଶ ଖାନ୍ନା ହେଇ ରହିବି ନାହିଁ । ନାୟକ ହେବାର ଚେଷ୍ଟା ବହୁତ ହେଇଗଲା । ଆଜିଠୁ ମୁଁ ପ୍ରାଣ୍‌ ହେବି, ଯାହାଦ୍ୱାରା କି ଭିଲେନ୍‌ ହେଇ ତୁମକୁ ସିଧାବାଟକୁ ଆଣିପାରିବି ।” ଏଇଆ କହି ଭିଲେନ୍‌ ଭଳି ହଣ୍ଟର ଟାଏ ଉଠେଇ କହିଲି, “ଆଜିଠାରୁ ମୁଁ ତୁମକୁ ନିରୂପାରାୟ କରିବି ‘ଧାର୍ମିକ’ ଫିଲ୍ମିର ନାୟିକା, ଯିଏ ସବୁବେଳେ ନିଜ ପତିର ମାନ ରଖେ; ଯେ ନିଜ ପତିଠାରୁ ମାଡ଼ଖାଇ ମଧ୍ୟ ଆଜ୍ଞାବହ ହୋଇ ରହିଥାଏ । ରୋମାଣ୍ଟିକ୍‌ ଫିଲ୍ମିର ନାୟିକା ମୋର କଦକାର ନାହିଁ ।

 

ସେ ଆଉ କିଛି କହିବାକୁ ଚାହୁଁଥିଲେ କିନ୍ତୁ ମୋ ହାତରେ ହଣ୍ଟର ଦେଖି ଚୁପ୍‌ଚାପ୍‌ ରୋଷେଇଘରକୁ ଚାଲିଗଲେ । ସେଦିନ ଆଉ ଆଜି ! ମୁଁ ପୁଣି କେବେ ମୋ ସ୍ତ୍ରୀକୁ ଫିଲ୍ମି ଦେଖିବାକୁ ଅନୁମତି ଦେଇନାହିଁ କାରଣ, ମୁଁ ସତରେ ପ୍ରାଣ୍‌ ହେଇଯାଇଚି ଆଉ ମୋ ସ୍ତ୍ରୀ ନିରୂପାରାୟ ହେଇଯାଇଚି । ସତ କହିବାକୁ ଗଲେ, ଦିଲ୍ଲୀପକୁମାର ଆଉ ସାଧନା କେବଳ ଫିଲ୍ମିରେ ଚରିତ ହୋଇ ରହିଚନ୍ତି । କିନ୍ତୁ ପ୍ରାଣ୍‌ ଓ ନିରୂପାରାୟ ବାସ୍ତବ ଜୀବନ୍ତର ଅସଲି ଓ ସବୁଦିନିଆଁ ଚରିତ୍ର ।

Image

 

ଅତିଥି

(ମେହମାନ୍‌)

 

ଏହି ଶହ ଶହ ବର୍ଷର ପୁରୁଣା ଦୁନିଆରେ କିଛି ବର୍ଷ ବିତେଇବା ପରେ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ, ଏହି ଦୁନିଆଁରେ ଦୁଇଟି ମାତ୍ର ଏମିତିଆ ଜିନିଷ ଅଛନ୍ତି; ଯେଉଁମାନେ ବିନା ଡାକରାରେ ଆସି ପହଞ୍ଚି ଯାଆନ୍ତି । ଗୋଟିଏ ହେଉଛି ଅତିଥି, ଅନ୍ୟଟି ମୃତ୍ୟୁ । ମୃତ୍ୟୁ ତ ଯାହାହେଲେ ଅନେକ ସମୟରେ ମଣିଷକୁ ନିଜ ଆଗମନର ସୂଚନା ଦେଇ ଉଇଲ୍‌ ପତ୍ର ଲେଖେଇବାର ସୁବିଧା ଦିଏ କିନ୍ତୁ ଅତିଥି ଏସବୁ ଝିନ୍‌ଝଟ୍‌ରେ ପଡ଼ିବାକୁ ଚାହେଁନା । ସତେ ଦୁମ୍‌ ଦୁମ୍‌ ହୋଇ ଆପଣଙ୍କ ଘରେ ଆସି ପହଞ୍ଚିଯାଏ ଏବଂ ଆପଣ ମିର୍ଜାଗାଲିବଙ୍କ ଦାଇକାର ଆଶ୍ରା ନେଇ କହନ୍ତି—‘ଓ ଆୟେଁ ହମାରେ ଘର୍‌ ଖୁଦାକି କୁଦ୍‌ରତ୍‌ ହୈ । କଭି ହମ୍‌ ଉନ୍‌କେ କଭି ଅପ୍‌ନେ ଘରକୋ ଦେଖ୍‌ତେ ହୈଁ । (ସେ ମୋ ଘରକୁ ଆସନ୍ତି ଏଇଟା ଭଗବାନଙ୍କ କରୁଣା । କେତେବେଳେ ମୁଁ ତାଙ୍କୁ ଆଉ କେତେବେଳେ ନିଜ ଘରକୁ ଚାହୁଁଥାଏ ।)

 

ଯେ ପର୍ଯ୍ୟନ୍ତ ମୃତ୍ୟୁ ଓ ଅତିଥି ଆସିବାର ସମ୍ଭାବନା ଥାଏ, ମୁଁ ଅତିଥି ତୁଳନାରେ ମୃତ୍ୟୁର ଆଗମନକୁ ପସନ୍ଦ କରେ; ଏଇଥି ଲାଗି କି ମୃତ୍ୟୁ ଏକ ଝିଟ୍‌କାରେ ଆପଣଙ୍କର କାମ ଶେଷ କରିଦିଏ କିନ୍ତୁ ଅତିଥି ଆପଣଙ୍କ ଜୀବନକୁ କଲବଲ କରିବା ପାଇଁ ବହୁ କଷ୍ଟ ସ୍ୱୀକାର କରନ୍ତି ଏବଂ ଟିକି ଟିକି କରି ମାରିବାରେ ଲାଗନ୍ତି । କହିବାକୁ ଗଲେ, ଅତିଥି ଦୁଇ ପ୍ରକାରର ଅଛନ୍ତି । ଗୋଟିଏ ବିନା ଡାକରା ଅତିଥି ଆଉ ଦ୍ୱିତୀୟ ହେଉଛନ୍ତି ସେହି ଅତିଥି, ଯାହାଙ୍କୁ ଡକାଯାଏ କିନ୍ତୁ ସତ ସତ କହିବାକୁ ଗଲେ ପ୍ରତ୍ୟେକ ଅତିଥି ବିନା ଡାକରାବାଲା ଅଟନ୍ତି । ଆପଣ ହିଁ ଭାବନ୍ତୁ ତ, କାହାର ଏତେ ବୁଦ୍ଧି ଭ୍ରଂସ ହେବ ଯେ ସେ ଘରକୁ ଅତିଥି ନିମନ୍ତ୍ରଣ କରିବ ?

 

ନିଜଘରେ ପାଇପାରୁନଥିବା ସୁବିଧା ସୁଯୋଗ ଆପଣଙ୍କ ଘରେ ପାଇବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନେ ହିଁ ଅତିଥି ହୁଅନ୍ତି । ଅନ୍ୟ ପକ୍ଷରେ ଗୃହସ୍ଥ ନିଜେ ପଛକେ ଭୋକ ଶୋଷରେ ରହୁ, ଅତିଥିର ପେଟ ପୂରେଇବାକୁ ପଡ଼େ ।

 

ମୁଁ ଆଗରୁ କହିଛି ଅତିଥି ଆସିବାର କୌଣସି ନିର୍ଦ୍ଧାରିତ ସମୟ ନ ଥାଏ । ସେ ଦିନ ଓ ରାତିର ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଘର ଉପରେ ଚଢ଼ାଉ କରିପାରନ୍ତି । ସେହି ହେଉଛି ଚାଲାଖ ଅତିଥି, ଯେ କି ଯେକୌଣସି ସମୟରେ ଚଢ଼ଉ କରିପାରେ କାରଣ, ଆପଣଙ୍କୁ ଅତିଥି ଆଗମନର ଖବର ଆଗରୁ ମିଳିଗଲେ ଆଶଙ୍କା ଥାଏ କି ଆପଣ ନିଜ ଘରେ ତାଲା ପକେଇ ଦେଇ, ନିଜେ ଅତିଥି ବନି ଅନ୍ୟ କାହା ଘରକୁ ଚାଲି ଯାଇ ପାରନ୍ତି । ଏଇଥି ପାଇଁ ଅନେକ ସମ୍ମାନୀୟ ଅତିଥି ନିଜ ଆଗମନର କୌଣସି ସୂଚନା ଦିଅନ୍ତି ନାହିଁ । ଆପଣ ପୂରା ସନ୍ତୋଷରେ ନିଜ ଘରେ ବସିଥିବେ ତ ସେତିକିବେଳେ ଅଚାନନ ଆପଣଙ୍କ ଘର ସାମନାରେ ଟ୍ୟାକ୍‌ସି ହର୍ଣ୍ଣ ବାଜିଉଠେ । ଆପଣ ଝଟ୍‌କରି ପଦାକୁ ବାହାରି ଆସି ଦେଖନ୍ତି ଯେ ଜଣେ ଅତିଥି ଟ୍ୟାକ୍‌ସିର ଚାରି ପାଖରେ ଜିନିଷପତ୍ର ଗଦେଇ ଠିଆ ହୋଇଛି । ଆପଣ ଅତିଥିଙ୍କୁ ଚିହ୍ନି ଆଗକୁ ବଢ଼ନ୍ତି । ସେ ଆପଣଙ୍କୁ କୁଣ୍ଢେଇ ପକାଏ ଏବଂ ଆବଶ୍ୟକତା ନ ଥିଲେ ମଧ୍ୟ ଆପଣଙ୍କ ହାନିଲାଭ ପଚାରେ । ଆପଣ ଅତିଥିକୁ ପଚାରନ୍ତି କି ସେ ଆଗରୁ ଆସିବାର ଖବର ଦେଲେନି କାହିଁକି ? ଏଥିରେ ସେ ନକଲି ଲାଜକରି କହେ—“ଆଜ୍ଞା ମୁଁ ଜଣେଇ ଥାଆନ୍ତି ତ ଆପଣ ମୋ ପାଇଁ ଅଯଥା ଗୁଡ଼ିଏ ଯୋଗାଡ଼ଯନ୍ତ୍ର କରି ଥାଆନ୍ତେ । ମୁଁ ଆପଣଙ୍କୁ ଏହି ହଇରାଣରୁ ବଞ୍ଚେଇବାକୁ ଚାହୁଁଥିଲି ।” ଜବାବରେ ଆପଣ ମଧ୍ୟ ହଇରାଣ ହେଉ ନ ଥିବାର ଛଳନା କରି କହନ୍ତି କ—“ଆରେ ବାଃ, ଏଥିରେ ଯୋଗାଡ଼ଯନ୍ତ୍ର କରିବାର କଅଣ ଅଛି ? ଇଏତ ଆପଣଙ୍କ ଘର ।” ଆପଣ ପୁଣି ଅତିଥିଙ୍କୁ ଘରକୁ ଆସିବାକୁ କହନ୍ତି । ଏଥିରେ ସେ ବାଧାଦେଇ କହନ୍ତି—“ଆରେ ପହିଲେ ଭାଉଜଙ୍କ ସଙ୍ଗେ ଦେଖାକରି ନିଅନ୍ତୁ ।” ତେବେଯାଇ ଆପଣଙ୍କୁ ଜଣାଯାଏ ଯେ ଅତିଥି ଏକୁଟିଆ ନୁହଁନ୍ତି ବରଂ ତାଙ୍କ ସାଙ୍ଗରେ ଏକ ବିଜୟୀ ଫଉଜ ଅଛନ୍ତି । ତାପରେ ଜଣେ ମୋଟି କୋଥମୀ ସ୍ତ୍ରୀଲୋକ ଟ୍ୟାକ୍‌ସି ଭିତରୁ ଓହ୍ଲାନ୍ତି ଆଉ ତାପରେ ଗୋଟିଏ ଗୋଟିଏ ହୋଇ ଭଗବାନଙ୍କ ଅବଦାନ ଟ୍ୟାକ୍‌ସି ଭିତରୁ ପଦାକୁ ବାହାରନ୍ତି । ଆପଣ ଅତିଥିକୁ ଘର ଭିତରକୁ ଯିବାକୁ କହନ୍ତି ଆଉ ନିଜେ ସାମାନପତ୍ର ଓହ୍ଲେଇବାରେ ଲାଗିପଡ଼ନ୍ତି । ସାମାନପତ୍ର ଉତରା ହୋଇଗଲେ, ଟ୍ୟାକ୍‌ସିବାଲା ଆପଣଙ୍କ ଦୟନୀୟ ଅବସ୍ଥା ଅନୁଭବ କରିବା ସତ୍ତ୍ୱେ ଭଡ଼ା ମାଗେ । ଆପଣ ବଡ଼ କଷ୍ଟରେ ଟ୍ୟାକ୍‌ସିର ଭଡ଼ା ଦିଅନ୍ତି; ଆଉ ଯେତେବେଳେ ଟ୍ୟାକ୍‌ସି ସେଠାରୁ ଯାଇ ୧ ମାଇଲ ବାଟ ଅତିକ୍ରମ କରେ, ସେତିକିବେଳେ ଅତିଥିଙ୍କର ହଠାତ୍‌ ମନେ ପଡ଼େ କି ତାଙ୍କୁ ଟ୍ୟାକ୍‌ସି ଭଡ଼ା ଦେବାକୁ ଅଛି । ସେ କୁହନ୍ତି “ଭାଇ ଟ୍ୟାକ୍‌ସିବାଲାକୁ ପଚାର, ଭଡ଼ା କେତେ ହେଲା ?” ଆପଣ ସାଧାରଣତଃ କହନ୍ତି–“ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଭଡ଼ା ଦେଇଦେଇଛି । ଏଥିରେ ମନେକରିବାର କଅଣ ଅଛି-?”

 

ତାପରେ ଅତିଥି କୃତ୍ରିମ ରାଗ ପ୍ରକାଶ କରି କହନ୍ତି—“ଆପଣ ଏ କଅଣ କଲେ, ଭଡ଼ା ଦେବାରେ ଆପଣଙ୍କର କି ଦରକାର ଥିଲା ?”

 

ସେ ଯାହା ହେଉ ଏ ଘଟଣା ପରେ ଯାହାକିଛି ହୁଏ, ତାହା ବଡ଼ ମରଣାନ୍ତକ । ଅତିଥି ତ ପହିଲେ କହନ୍ତି—ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ବନ୍ଦବୋସ୍ତ କରାନଯାଉ କିନ୍ତୁ ତା ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟର ଅବସ୍ଥା କହି ଡାକ୍ତର ବତେଇ ଥିବା ପଥିଖାଦ୍ୟ ଫରମାସ କରିଦିଅନ୍ତି । ସେ ପଥିର ତାଲିକା ଶୁଣି ଆପଣଙ୍କର ଦିହ ଖରାପ ହେବାକୁ ଲାଗେ । ଆପଣ ଏହି ତାଲିକା ଶୁଣିବା ସମୟରେ ହଠାତ୍‌ ଏକ ଜିନିଷ ପଡ଼ିଯିବାର ଶବ୍ଦ ଆସେ । ଆପଣ ଲେଉଟି ପଡ଼ି ଚାହିଁବାମାତ୍ରେ ଜାଣିପାରନ୍ତି ଯେ ସମ୍ମାନୀୟ ଅତିଥିଙ୍କ ଅଷ୍ଟମ ପୁତ୍ର, ନବମ ପୁତ୍ର, ସଙ୍ଗେ ଲଢ଼େଇ କରିବା ଫଳରେ ଆପଣଙ୍କ ରେଡ଼ିଓକୁ ଖସେଇ ପକେଇଛି । ଅତିଥି ନିଜ ନବମ ପୁତ୍ରକୁ ମାରିବା ପାଇଁ ଆଗେଇ ଯିବାର ଚେଷ୍ଟା କରନ୍ତି; ସେତେବେଳେ ଆପଣ ଅତ୍ୟାଚାରିତ ଚେହେରାରେ ତାଙ୍କୁ ବାରଣ କରି କହନ୍ତି “ଆଜ୍ଞା ଛାଡ଼ନ୍ତୁ, ପିଲାଲୋକ ରେଡ଼ିଓ ପକେଇବନି ତ କଅଣ ଆଲମାରି ପକେଇବ ? ଏ ରେଡ଼ିଓକୁ ନିଜର ବୋଲି ମନେ କରନ୍ତୁ । ପିଲାମାନଙ୍କୁ ଏମିତି ମାରନ୍ତୁ ନାହିଁ ।” ଅଥଚ ସେତେବେଳେ ଆପଣଙ୍କ ମନ ଚାହୁଁଥିବ କି ସେ ପିଲାର ରକ୍ତ ପିଇଯିବେ । କିନ୍ତୁ ହାୟରେ ଅତିଥି ସତ୍କାରର ଭାବପ୍ରବଣତା ! ଆପଣଙ୍କ କପାଳରେ ଟିକିଏ କୁଞ୍ଚିତ ବି ହୁଏନାହିଁ ।

 

ଛାଡ଼ନ୍ତୁ ସେ କଥା । ତାପରେ ଯେତେବେଳେ ଅତିଥି ଆପଣଙ୍କ ଘରେ ପିଲାପିଲିଙ୍କ ସହ ଆସ୍ଥାନ ଜମେଇଦିଅନ୍ତି, ଆପଣଙ୍କ ଘର ବରବାଦ ହେବାକୁ ଲାଗେ; ଆପଣଙ୍କର ଆଉ ଆପଣଙ୍କ ସ୍ତ୍ରୀ ଓ ପିଲାପିଲିଙ୍କ ଅବସ୍ଥା କେବଳ ଚାକରଙ୍କ ପରି ହୋଇଯାଏ । ଦିନରାତି ଅତିଥିଙ୍କ ସେବା କରୁଥାଅ ଆଉ ରାତିକୁ ଯାହିତାହି ଖାଇ ପଡ଼ିରହୁ । କେହି ମୁହଁ ବୁଲେଇ ଆପଣଙ୍କୁ ପଚାରିବ ନାହିଁ କି ଆପଣ କଅଣ ଖିଆପିଆ କଲେ । ଅତିଥି ଆପଣଙ୍କ ପ୍ରତ୍ୟେକ ଜିନିଷକୁ ନିଜ ବ୍ୟବହାରରେ ଲଗେଇବାକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ମନେ କରନ୍ତି । ସେ ଆପଣଙ୍କ ଟୁଥ୍‌ପେଷ୍ଟ ବ୍ୟବହାର କରିବ । ଆପଣଙ୍କ ସେଭିଙ୍ଗ୍‌ ସେଟ୍‌ରେ ନିଜର ଦାଢ଼ି କମେଇବେ, ଆପଣଙ୍କ ଲୁଗାପଟା ପିନ୍ଧିବେ, ଆପଣଙ୍କ ବିଛଣା ମଧ୍ୟ ବ୍ୟବହାର କରିବେ; ଆଉ ଆପଣ କିଛି କହି ପାରିବେ ନାହିଁ । ଏହା ସତ୍ତ୍ୱେ ବି ସେ କେବେ ଫେରିବାକୁ ମନସ୍ଥ କରିଛନ୍ତି, ତାହା ପଚାରିବାକୁ ଆପଣ ସାହସ କରିପାରିବେନି । ଯଦି କେବେ ଅତିଥି ଭୁଲ୍‌ରେ ନିଜ ଫେରନ୍ତାର କଥା କହିବାକୁ ବସନ୍ତି, ଆପଣଙ୍କୁ ପ୍ରଥା ଅନୁଯାୟୀ ନିଶ୍ଚୟ କହିବାକୁ ହେବ କି, “ଭାଇ ଏତେ ତରତର କିଆଁ, ଆପଣ ଆସିବାର ତ ମାତ୍ର ଚାରିମାସ ହେଲା; ଦି’ ଚାରି ମାସ ଆହୁରି ରହିଯାଆନ୍ତୁ ।” ଅତିଥି ଆପଣଙ୍କ କଥା ମାନିଯିବେ ଆଉ କହିବେ, “ଭାଇ ଆପଣ ବାଧ୍ୟ କରୁଛନ୍ତି ତ ମୋତେ ରହିବାକୁ ପଡ଼ିବ । ଆପଣଙ୍କ କଥାକୁ ଭଲା ମୁଁ କେବେ ଭାଙ୍ଗି ପାରିବି ?” ଏବଂ ଏହିପରି ଆପଣ ନିଜେ ନିଜ ଜାଲରେ ଛନ୍ଦି ହୋଇଯିବେ ।

 

କିନ୍ତୁ ଅତିଥି ଆସିବାରେ ଗୋଟିଏ ଲାଭ ନିଶ୍ଚୟ ଅଛି, ମାନେ ଯେଉଁ ଘରକୁ ବେଶି ଅତିଥି ଆସନ୍ତି, ସେ ଘରକୁ କେବେହେଲେ ଚୋର ଆସେ ନାହିଁ । କାରଣ ଚୋର ଏତକ ଜାଣେ ଯେ ଯେଉଁ ଘରକୁ ଅତିଥି ଆସିଥାଆନ୍ତି, ସେଠି ଚୋରପାଇଁ ଆଉ କଅଣ ବାକି ରହେ । ଯେପରିକି ଗୋଟାଏ ଖୋଳରେ ଦୁଇଟି ଖଣ୍ଡା ରହି ପାରିବନି । ଯଦି କୌଣସି ଘରକୁ ଅତିଥି ଆସିଯାଏ, ତେବେ ତାଙ୍କୁ ବିଦା କରିବାପାଇଁ ହଜାର ହଜାର ଉପାୟ କାଢ଼ିବାକୁ ପଡ଼େ । ତା ଆଗରେ ବାରମ୍ୱାର ଦିନକୁଦିନ ବଢ଼ୁଥିବା ଦରଦାମ୍‌ର ଚର୍ଚ୍ଚା କରିବାକୁ ପଡ଼େ । ନିଜର ଦୁସ୍ଥ ଅର୍ଥନୀତିକ ଅବସ୍ଥା ବିଶଦ୍‌ ଭାବରେ ବର୍ଣ୍ଣନା କରିବାକୁ ପଡ଼େ । ଉଦାହରଣ ଦେଇ ନିଜ ଉତ୍କଣ୍ଠାଗୁଡ଼ିକ ବର୍ଣ୍ଣନା କରିବାକୁ ପଡ଼େ । ଅନେକ ସମୟରେ ଏହା ବି କହିବାକୁ ପଡ଼େ କି, ଯେଉଁ ଘରେ ଅତିଥି ରହନ୍ତି, ସେଠାରେ ଅଧରାତିପରେ ସଇତାନ ବାହାରେ ଏବଂ ଏହା କହିବା ସତ୍ତ୍ୱେ ବି ଯଦି ଅତିଥି ନ ହୁଙ୍କେ, ତେବେ ଆପଣଙ୍କୁ ଦିନେ ଏହା ମଧ୍ୟ କହିବାକୁ ପଡ଼େ କି ଆପଣ ନିଜ ସପରିବାର କୌଣସି ଜରୁରୀ କାମରେ ଆଉ ଏକ ସହରକୁ ଯାଉଛନ୍ତି । ଯିବା ନିତାନ୍ତ ଦରକାର । ତେଣୁ ଯିବାକୁ ବାଧ୍ୟ । କିନ୍ତୁ ଏପରି କରିବା ମଧ୍ୟ ଅନେକ ସମୟରେ ନିରାପଦ ନୁହେଁ । ନିଜେ ମୁଁ ଥରେ ଏହିଭଳି କଷ୍ଟଦାୟକ ଅବସ୍ଥାରେ ପଡ଼ିଯାଇଥିଲି । ଘଟଣାଟା ଏଇୟା ଯେ, ଯେତେବେଳେ ଜଣେ ଅତିଥି ମୋ ଘରେ ପୂରା ମାସେ ରହିଗଲେ, ଆଉ ତାଙ୍କର ଫେରିବାର କୌଣସି ସୁଦୂର ସମ୍ଭାବନା ଦେଖା ନଗଲା; ସେତେବେଳେ ମୁଁ ଅତିଥିଙ୍କୁ କହିଲି—“ଭାଇ ମୋତେ ଗୋଟିଏ ଜରୁରୀ କାମରେ ବମ୍ୱେ ଯିବାର ଅଛି । ଯଦି ଆପଣ ଅନୁମତି ଦିଅନ୍ତି, ତେବେ ମୁଁ ଯାଇ ଫେରି ଆସିବି; ସେ ପର୍ଯ୍ୟନ୍ତ ଆପଣ ଆରାମରେ ଘରେ ରୁହନ୍ତୁ ।” ଏହାର ଉତ୍ତରରେ ସେ କହିଲେ—“ଭାଇ ଆପଣଙ୍କ ଅନୁପସ୍ଥିତିରେ ମୁଁ ଏ ଘରେ ରହି କଅଣ କରିବି ? ଆପଣ ବମ୍ୱେ ଯାଉଛନ୍ତି ? ତେବେ ଚାଲନ୍ତୁ ମୁଁ ଆପଣଙ୍କ ସଙ୍ଗେ ବମ୍ୱେ ଚାଲିଯିବି । ଭ୍ରମଣ ହେବ, ତା ସଙ୍ଗେ ଯାତ୍ରାର ଆନନ୍ଦଟା ବି ମିଳିବ ।”

 

ଆଉ ଆପଣଙ୍କୁ ଲୁଚେଇବି କଅଣ ! ମୋତେ ତୁଚ୍ଛାଟାରେ ବମ୍ୱେ ଯାତ୍ରା କରିବାକୁ ପଡ଼ିଲା, ଆଉ ନିଜ ଖର୍ଚ୍ଚରେ ଅତିଥିଙ୍କୁ ବି ସାଙ୍ଗରେ ନେବାକୁ ପଡ଼ିଲା ।

 

ଅତିଥିକୁ ବିଦା କରିବା ବଡ଼ କଷ୍ଟକର ବ୍ୟାପାର । ଏବେ ଗୋଟିଏ ମଜା କଥା ମୋର ମନେ ପଡ଼ୁଛି । ଜଣେ ଭଦ୍ରଲୋକଙ୍କ ଘରକୁ ଜଣେ ଅତିଥି ଆସିବାର ଥିଲା । ସେ ଆସିବା ପୂର୍ବରୁ ସେ ଭଦ୍ରଲୋକ ନିଜ ସ୍ତ୍ରୀଙ୍କୁ ଅତିଥିଙ୍କ ପ୍ରିୟ ଖାଦ୍ୟର ଏକ ତାଲିକା ଦେଲେ । ସ୍ତ୍ରୀଙ୍କୁ ତାଲିକା ଦେବା ପରେ କହିଲେ ଏ ତାଲିକା ଦେବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ତୁମେ ଏହା ଅତିଥିଙ୍କ ପାଇଁ ରାନ୍ଧିବ ବରଂ ମୋର ଉଦ୍ଦେଶ୍ୟ ଥିଲା ଏହା ଯେ, ଯେ ପର୍ଯ୍ୟନ୍ତ ଅତିଥି ଆମ ଘରେ ରହିଥିବେ; ସେ ପର୍ଯ୍ୟନ୍ତ ଏହି ତାଲିକାରୁ କିଛି ହେଲେ ପରଶିବ ନାହିଁ ଏବଂ ଏ ଭଦ୍ରଲୋକଙ୍କ କହିବା ଅନୁଯାୟୀ ଏହି କୌଶଳ ଫଳରେ ଅତିଥି ଅତି ସହଜରେ ବିଦା ହୋଇଯାଉଥିଲେ ।

 

ସୁତରାଂ ଯଦି ଆପଣଙ୍କ ଘରେ କୌଣସି ଅତିଥି ଆସିଯାଆନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଖୋଜ୍‌ ନେବେ ତାଙ୍କର ପ୍ରିୟଖାଦ୍ୟ କଅଣ କଅଣ । ଥରେ ଆପଣଙ୍କୁ ଅତିଥିଙ୍କର ପ୍ରିୟଖାଦ୍ୟ ଜଣାପଡ଼ିଗଲେ, ତାଙ୍କୁ ଫେରନ୍ତା ଟିକଟ କଟେଇ ଦେବାଲାଗି ଆପଣଙ୍କୁ ଖୁବ୍‌ ସୁବିଧା ହୋଇଯିବ । ଅତିଥି ଫେରିଯିବା ବେଳେ କେବେହେଲେ ତାଙ୍କୁ ପଚାରିବ ନାହିଁ ଯେ ସେ ପୁଣି କେବେ ଆସିବେ । ବରଂ ତାଙ୍କୁ ସାଫ୍‌ ସାଫ୍‌ କହିଦେବେ ଯେ ସମ୍ଭବତଃ ଏହା ତାଙ୍କର ଶେଷ ସାକ୍ଷାତ । ଆପଣଙ୍କ କଥାରେ ଅଧିକ ଜୋର ଦେବା ଲାଗି କୌଣସି ଜ୍ୟୋତିଷୀର ଗଣନା କହିଦେବ ଯେ ଆପଣ ଏ ଦୁନିଆରେ ମାତ୍ର ଆଉ କେତୋଟି ଦିନର ଅତିଥି । ଏହା ସ୍ପଷ୍ଟ ଯେ ଏହାପରେ କୌଣସି ଅତିଥିଙ୍କୁ ନିଜ ଘରକୁ ଡକେଇବାର କୌଣସି ପ୍ରଶ୍ନ ଉଠିବ ନାହିଁ ।

Image

 

ଘର ଟେଲିଫୋନ୍‌

(ଘର୍‌କା ଟେଲିଫୋନ୍‌)

 

କି କୁ-କ୍ଷଣରେ ଯେ ମୁଁ ଘରେ ଟେଲିଫୋନ୍ ଲଗାଇବାକୁ ସ୍ଥିରକଲି, ତାହା କିଏ ଜାଣେ-। ଏ ସମୟଟା ଏଡ଼େ ଖରାପ ଥିଲା ଯେ ଏହାରି ଭିତ୍ତି ଉପରେ ମୁଁ ମୋ ଜୀବନକୁ ଦୁଇଭାଗରେ ବିଭକ୍ତ କରିଦେଇଛି । ଟେଲିଫୋନ୍‌ ମୋ ଘରେ ଖଞ୍ଜାହେବା ପୂର୍ବରୁ ଯେଉଁ ସମୟ ବିତି ଯାଇଛି, ତାହା ଗୋଟିଏ ଭାଗ ଆଉ ତାପରେ ଯେଉଁ ସମୟ ଆରମ୍ଭ ହେଲା, ସେ ହେଉଛି ଅନ୍ୟ ଭାଗ । ମୋ ଦିନଗୁଡ଼ିକ ବେଶ୍‌ ଆନନ୍ଦରେ କଟି ଯାଉଥିଲା ଦିନେ ମୋ ସ୍ତ୍ରୀ ମୋର କୌଣସି ଏକ ଦୁର୍ବଳତାର ସୁଯୋଗ ନେଇ ଫର୍‌ମାସ୍‌ କରିଦେଲା କି ଘରେ ଟେଲିଫୋନ୍‌ ଖଞ୍ଜାଯାଉ, “ସେଇଟା କେଉଁଥିପାଇଁ ?” ସେ କହି ଲାଗିଲେ, “ସାରା ଦିନ ମୁଁ ବୋର୍‌ ହୋଇଯାଉଛି । ଟେଲିଫୋନ୍‌ ଆସିଗଲେ, ମୁଁ ବେଳେ ବେଳେ ବାପଘର ସହ କଥାବାର୍ତ୍ତା ହୋଇ ପାରନ୍ତି ।”

 

ମୁଁ ମନେ ମନେ ଭାବିଲି ଯଦି ଶଶୁର ଘରର ଲୋକେ କେବଳ ଟେଲିଫୋନ୍‌ ଯୋଗେ କାମ ଚଳେଇ ନେବେ; ଏହାଠାରୁ ଭଲ କଥା ଆଉ କଅଣ ହୋଇପାରେ ! ଶଶୁର ଘର ଲୋକେ କଥା କଥାକେ ଝିଅ ହାଲ୍‌ ବୁଝିବାଲାଗି ଯେ ଚାଲି ଆସନ୍ତି ଓ ଖିଆପିଆ ନ କରି ଯାଆନ୍ତି ନାହିଁ; ସେମାନଙ୍କ ପାଖକୁ ଟେଲିଫୋନ୍‌ ଯୋଗେ ଝିଅର ଅବସ୍ଥା ଜଣେଇ ଦେଇ, ନିଜର ଅବସ୍ଥାକୁ ନିରାପଦ ରଖାଯାଇପାରେ । ଏଇଟା ପରିଷ୍କାର ଥିଲା ଯେ ମୁଁ ସୁଦୂର ପରିଣତି ବିଷୟ ଭାବି ଏହା କରିଥିଲି । କିନ୍ତୁ କିଏ ଜାଣିଥିଲା ଯେ ଏହି ଟେଲିଫୋନ୍‌ ମୋ ଶଶୁର ଘରକୁ ପ୍ରତି ମିନିଟିରେ ମୋ ବିରୁଦ୍ଧରେ ଅଭିଯୋଗମାନ ପହଞ୍ଚାଇବାରେ ଏକ ମାଧ୍ୟମ ରୂପେ ବ୍ୟବହୃତ ହେବ; ଆଉ ମୁଁ କେବଳ ତା’ର ଦର୍ଶକ ହୋଇ ରହିଥିବି । ସୁତରାଂ ଏବେ ଏହି ଟେଲିଫୋନ୍‌ ମୋର ଛୋଟ ବଡ଼ ପ୍ରତ୍ୟେକ କାମକୁ ଶଶୁର ଘରେ ପହଞ୍ଚାଇ ଦେଉଛି । ମୁଁ ଦିନେ ସ୍ତ୍ରୀଙ୍କୁ ଡରି ଡରି କହିଲି–“ଶ୍ରୀମତୀଜୀ ! ଆପଣଙ୍କ ବାପ ତୁଚ୍ଛାଟାରେ ମୋତେ ଠକି ଦେଲେ । ସେ ଏପରି ବାଜେ ଯୌତୁକଗୁଡ଼ିଏ ଦେଇଛନ୍ତି ଯେ, ସେଗୁଡ଼ିକ ବ୍ୟବହାର କରିବାକୁ ମୋତେ ଲାଜ ଲାଗୁଛି ।” ମୋ କଥାଟା ପୂରା ହୋଇଛି କି ନାହିଁ, ସ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ବାପଘର ସହ ଟେଲିଫୋନ୍‌ ସଂଯୋଗ କରିଦେଲେ । ମୋ ଶଶୁରଙ୍କୁ ଡାକି କହି ଲାଗିଲେ—“ଆପଣଙ୍କର ଜ୍ୱାଇଁଙ୍କର ଏହି ଅଭିଯୋଗ ଯେ ଆପଣ ଯୌତୁକରୂପେ ତାଙ୍କୁ ସବୁ ଖରାପ୍‌ ଜିନିଷ ଦେଇଛନ୍ତି । ନିଅନ୍ତୁ, ତାଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତୁ ।”

 

ମୁଁ ସ୍ତ୍ରୀଙ୍କୁ ବାରମ୍ୱାର ମନା କରିବା ସତ୍ତ୍ୱେ ସେ ରିସିଭର୍‌ଟି ଆଣି ମୋ ହାତରେ ଧରେଇ ଦେଲେ । ଏବେ ମୁଁ କରେ କଅଣ । କେବଳ ଏତିକି କହି ରହିଗଲି—“ହଲୋ ! ସରି, ରଙ୍ଗ୍‌ ନମ୍ୱର-।” ତାର ଜବାବ୍‌ରେ ଆରପଟୁ ଶଶୁରଙ୍କର ଖୁବ୍‌ କଡ଼ା ଶବ୍ଦ ଶୁଣାଗଲା । “ବାବୁ ! ନମ୍ୱର ତ ରଙ୍ଗ୍‌ ନୁହେଁ, ତମେ ନିଜେ ବହୁତ ରଙ୍ଗ୍‌ ଲୋକ ଅଟ । ମୁଁ ମୋ ଝିଅକୁ ଗୋଟିଏ ରଙ୍ଗ୍‌ ଲୋକକୁ ଦେଇଦେଇଛି—ବାସ୍‌ ଏହା ହିଁ ମୋର ଦୋଷ ।” ଆପଣ ବିଶ୍ୱାସ କରନ୍ତୁ ମୁଁ ଏ ଘଟଣା ପରେ ଆଉ କେବେ ଶଶୁର ଘର ବିରୁଦ୍ଧରେ କିଛି କହିବାକୁ ସାହାସ କରିନି । ବରଂ ମୁଁ ସତକୁ ସତ ନିଜକୁ ରଙ୍ଗ୍‌ ଲୋକ ବୋଲି ଭାବିବାକୁ ଲାଗିଲି । ଯଦି ରଙ୍ଗ୍‌ ଲୋକ ନ ହୋଇଥାନ୍ତି, ତେବେ ଘରେ ଟେଲିଫୋନ୍‌ ଲଗାଇ ଏ ବିପଦ ବରଣ କରିଥାନ୍ତି କାହିଁକି ? ମୁଁ ଭାବିଥିଲି ଯେ ଟେଲିଫୋନ୍‌ଟା ଘରକୁ ଆସିଗଲେ ଅନ୍ତତଃ ଶଶୁର ଘର ଲୋକବାକଙ୍କ ଯିବା ଆସିବାଟା କମିଯିବ । କିନ୍ତୁ ଠିକ୍‌ ତାର ଓଲଟା—ଏ ଯିବା ଆସିବାଟା ବେଶି ହୋଇଗଲା । ଟେଲିଫୋନ୍‌ କରାଯାଉଛି—“ଆଜି ଘରେ ବଢ଼ିଆ ମିଠା ତିଆରି ହୋଇଛି । ଆପଣମାନେ ଆସି ଟିକିଏ ଚାଖି ନେଲେ ଭଲ ହୁଅନ୍ତା ।” ଟେଲିଫୋନ୍‌ ରିସିଭର୍‌ଟା ଥୁଆ ହେଉ ନ ହେଉଣୁ ଘର ଆଗରେ ରିକ୍‌ସାର ଲାଇନ୍‌ ଲାଗିଯାଉଛି ଏବଂ ମୁଁ ଅତିଥ୍ୟ ଦେଖାଇବାରେ ଲାଗିଯାଉଛି । ହାୟ ସେସବୁ ଦିନଗୁଡ଼ିକ କେଡ଼େ ସୁନ୍ଦର ଥିଲା; ଯେତେବେଳେ କି ମୋ ଘରେ ଟେଲିଫୋନ୍‌ ନଥିଲା । କେତେ ବଢ଼ିଆ ବଢ଼ିଆ ମିଠେଇ ମୁଁ ସେତେବେଳେ ଖାଉଥିଲି ! କିନ୍ତୁ କେହି ଜାଣିପାରୁ ନଥିଲେ ଯେ ମୁଁ କଅଣ ଖାଉଛି ଓ କଅଣ ପିଉଛି ।”

 

ଏବେତ କିନ୍ତୁ ଘରର ଟିକି ଟିକି କଥା ବି ପଦାରେ ପଡ଼ି ଯାଉଛି । ପୁଣି ମୋ ଘରବାଲୀ ମୋ ଲାଗି ଟେଲିଫୋନ୍‌କୁ ଏକ ଚୌକିଦାର କରିଦେଇଛି । ଦପ୍ତରରେ ବସି କାମ କରୁଛି, ଅଚାନକ ଟେଲିଫୋନ୍‌ ଘଣ୍ଟି ବାଜେ । ସେ ଆଡ଼ୁ ଆବାଜ୍‌ ଆସେ—“ଆପଣ ଦପ୍ତରରେ ଉପସ୍ଥିତ ଅଛନ୍ତି ତ-?”

 

ମୁଁ କହେ—“ଉପସ୍ଥିତ ଅଛି । ସେଥିଲାଗି ତ କଥା କହୁଛି ।”

 

ସେ କହୁଛନ୍ତି—“ସନ୍ଧ୍ୟାରେ ଘରକୁ ଆସିଲାବେଳେ କେକ୍‌ପେଷ୍ଟ୍ରି ନେଇ ଆସିବେ ।”

 

ମୁଁ ପଚାରୁଛି—“କିନ୍ତୁ ଏଥିଲାଗି ଟେଲିଫୋନ୍‌ କରିବାର କି ଦରକାର ଥିଲା ? ସକାଳେ ଘରୁ ବାହାରିଲାବେଳେ କହିଦେଇ ଥା’ନ୍ତ ।”

 

ଆବାଜ୍‌ ଆସୁଛି—“ଟେଲିଫୋନ୍‌ ଆସିବା ଦିନଠାରୁ କୌଣସି କଥା ମନେରହୁ ନାହିଁ । ଆପଣଙ୍କୁ ଫୋନ୍‌ରେ ବି ତ ଜଣାଇ ଦିଆଯାଇ ପାରେ ।”

 

ଆଉ ଆପଣ ବିଶ୍ୱାସ କରନ୍ତୁ, ସନ୍ଧ୍ୟାରେ ଘରକୁ ଫେରିଲାବେଳେ ମୁଁ କେବେହେଲେ କେକ୍‍‌ପେଷ୍ଟ୍ରି ନେଇଯାଏ ନାହିଁ । କାରଣ ମୁଁ ଜାଣେ ଯେ କେକ୍‌ପେଷ୍ଟ୍ରିର ଫରମାସ୍‌; ଟେଲିଫୋନ୍‌ କରିବାର ଗୋଟିଏ ବାହାନା । ଫୋନ୍‌ କରିବାର ଅସଲ ମତଲବ ହେଉଛି, ମୋ କାମ ଧନ୍ଦା ଉପରେ ନଜର ରଖିବା । ଯଦି କୌଣସି ଦିନ ଅକସ୍ମାତ୍‌ ମୁଁ ଦପ୍ତରରେ ନଥାଏ; ତେବେ ବିଶ୍ୱାସ କରନ୍ତୁ ମୁଁ ଘରେ ପହଞ୍ଚିବା ମାତ୍ରେ ମୋତେ ଏକାଧିକ ପ୍ରଶ୍ନ ପଚରାଯିବ—“କେଉଁଠାକୁ ଯାଇଥିଲ-? କାହିଁକି ଯାଇଥିଲ ? କାହା ସାଙ୍ଗରେ ଯାଇଥିଲ ? କାହା ସାଙ୍ଗରେ ଯାଇଥିଲ; ତାର ଲିଙ୍ଗ କଅଣ-? ଇତ୍ୟାଦି ଇତ୍ୟାଦି ।

 

ଏହା ସତ୍ତ୍ୱେ ବି ମୁଁ ଏହି ଚୌକିଦାରୀକୁ ବରଦାସ୍ତ କରିନେଉଛି କିନ୍ତୁ ମୋର ଏହି ଅଭିଯୋଗ ଯେ, ଯେବେଠୁଁ ଟେଲିଫୋନ୍‌ ଆମ ଘରକୁ ଆସିଲାଣି; ସେହିଦିନଠାରୁ ଆମଘର ‘ଆମଘର’ ହୋଇ ରହିନାହିଁ ବରଂ ପରଘର ହୋଇ ରହିଲାଣି । ଆଉ ମଧ୍ୟ ଏହା ଯେ କେବଳ ଟେଲିଫୋନ୍‌ ଅପରେଟର୍‌ ବନି ରହିଯାଇଛି । ଯଦି ଅଧରାତିରେ ଘର କବାଟରେ ଠୁକ୍‌ ଠୁକ୍‌ ଆବାଜ୍‌ ହୁଏ, ମୁଁ ଜାଣିଯାଏ ଯେ ନିଶ୍ଚୟ କାହାର ମାମୁଁର—ଭଣଜାର—ଅଜାଙ୍କ ଦେହ ଅଚାନକ ଖରାପ ହୋଇଛି । ଆଉ ଏ ‘ଦେହ ଖରାପଟା ସେ ପର୍ଯ୍ୟନ୍ତ ଭଲ ହେବନି; ଯେ ପର୍ଯ୍ୟନ୍ତ ଡାକ୍ତର ସଙ୍ଗେ ଆମ ଟେଲିଫୋନ୍‌ର ସଂଯୋଗ ନହେବ । ମୁଁ ନିଦରୁ ଉଠି ବାହାରକୁ ଗଲେ, ବଡ଼ ବିନୟର ସହ ସେ କହନ୍ତି—“ମୋ ମାମୁଁର—ଭଣଜାର—ଅଜାଙ୍କ ଦିହ ଅଚାନକ ଖରାପ ହୋଇଯାଇଛି । ଯଦି ଆପଣ ଫୋନ୍‌ କରିବାକୁ ଅନୁମତି ଦେବେ, ତେବେ ମୁଁ ବଡ଼ କୃତଜ୍ଞ ହେବି । ମୁଁ ରାଗିଯାଇ କହେ ରାତିଅଧଟାରେ ଆପଣ କଅଣ ଫୋନ୍‌ ଜରିଆରେ ଯମ ସଙ୍ଗେ ସମ୍ପୃକ୍ତ ହେବାକୁ ଚାହୁଁଛନ୍ତି-?

 

ସେ କହନ୍ତି—“ଆଜ୍ଞା ନା, ଡାକ୍ତରଙ୍କୁ ଡାକିବାର ଅଛି ।”

 

ଆଉ ମୁଁ ଦାନ୍ତକଡ଼ମଡ଼ କରି କୁହେ, “ଯମର ଅର୍ଥ ହିଁ ଡାକ୍ତର ।”

 

ସେ ଭଦ୍ରବ୍ୟକ୍ତି ତେଣେ ଫୋନ୍‌ କରିବାରେ ବ୍ୟସ୍ତଥାନ୍ତି; ଆଉ ମୁଁ ନିଦରେ ଟଳି ଟଳି ଏହି ଅପେକ୍ଷାରେ ଥାଏ ଯେ, କେତେବେଳେ ତାଙ୍କ ଫୋନ୍‌ ସରିବ ଆଉ ମୁଁ ଶୋଇବି । ବହୁତ ଡେରିଯାଏ ଫୋନ୍‌ କରାଯାଏ । ଆଉ ଯେତେବେଳେ ଫୋନ୍‌ ସରିଯାଏ, ସେତେବେଳେ ସେ ଭଦ୍ରବ୍ୟକ୍ତି ନିଜ ମାମୁଁର—ଭଣଜାର—ଅଜାଙ୍କ ଦେହ ଅସୁଖ ବିଷୟରେ ଏତେ ବିବ୍ରତ ଥାଆନ୍ତି ଯେ, ସେ କଲ୍‌ର ପଇସା ନଦେଇ ଘରକୁ ଚାଲିଯାଆନ୍ତି । ମୁଁ ମଧ୍ୟ ଏଇଭଳି ଲୋକମାନଙ୍କ ସଙ୍ଗେ ଭଲ ବ୍ୟବହାର କରେ ନାହିଁ । ଏହିପରି ଜଣେ ଭଦ୍ରବ୍ୟକ୍ତି, ଏହିପରି ଅଧାରାତିରେ କାହାର ଦେହ ଖରାପ ବିଷୟ ଫୋନ୍‌କରି, କଲ୍‌ର ପଇସା ନଦେଇ ଚାଲିଗଲେ । ସେତେବେଳେ ତ ମୁଁ ଚୁପ୍‌ ରହିଲି କିନ୍ତୁ ପରଦିନ ଠିକ୍‌ ରାତି ଗୋଟାଏବେଳେ ତାଙ୍କ ଘରେ ପହଞ୍ଚି କବାଟ ଧଡ଼ ଧଡ଼ କରିବା ଆରମ୍ଭ କରିଦେଲି । ସେ ଭଦ୍ରବ୍ୟକ୍ତି ବିବ୍ରତ ହୋଇ ପଦାକୁ ଆସିଲେ । ମୋତେ ଦେଖି ପଚାରିଲେ, “କଥା କଅଣ ?” ମୁଁ କହିଲି, “କାଲି ରାତିରେ ଆପଣ ଫୋନ୍‌ କଲ୍‌ କରି ପଇସା ଦେଇନାହାନ୍ତି; ତାହା ଦେଇଦେଲେ ଭଲହୁଅନ୍ତା ।”

 

ଏଥିରେ ସେ ରାଗିଯାଇ କହିଲେ—“କଲ୍‌ର ପଇସା ମାଗିବାପାଇଁ ଏଇଟା କଅଣ ପ୍ରକୃଷ୍ଟ ସମୟ ?”

 

ଆଉ ମୁଁ ପଚାରିଲି, “ଆଉ କାଲି ଅଧରାତିରେ ଆମଘରୁ ଆପଣ ଯେଉଁ ଫୋନ୍‌ କଲେ; ସେଇଟା କଅଣ ଫୋନ୍‌ କରିବା ସମୟ ଥିଲା ?” ଏହା ଶୁଣି ସେ ମୋଆଡ଼କୁ ଗୋଟାଏ ଚାରିଅଣି ଏପରି ଭାବରେ ଫିଙ୍ଗିଦେଲେ ଯେ, ସେ ଯେମିତି ମୋତେ ଭିକ୍ଷା ଦେଉଛନ୍ତି । ଏ ଘଟଣା ପରେ ସେହି ଭଦ୍ରଲୋକଙ୍କ ଘରେ କାହାରି ଦେହ ଅଧରାତିରେ ଖରାପ ହୋଇନାହିଁ ।

 

ଭଗବାନ ମିଛ ନ କୁହାନ୍ତୁ, ମୋ ଘର ଗୋଟିଏ ବଢ଼ିଆ ପବ୍ଳିକ୍‌ ଟେଲିଫୋନ୍‌ ବୁଥ୍‌ରେ ପରିଣତ ହୋଇଗଲାଣି । ଏତିକି କେବଳ ତଫାତ୍‌ ଯେ ପବ୍ଳିକ୍‌ ବୁଥ୍‌ରେ ଆପଣଙ୍କୁ ପଇସା ଦେବାକୁ ପଡ଼େ କିନ୍ତୁ ମୋ ଘରେ ଆପଣଙ୍କୁ କଲ୍‌ର ପଇସା ଦେବାକୁ କଷ୍ଟ ସ୍ୱୀକାର କରିବାକୁ ପଡ଼େନାହିଁ । ଏମିତି ବି କେତେକ ପଡ଼ୋଶୀ ଅଛନ୍ତି; ଯେଉଁମାନେ କି ମୋ ଘରୁ ମାଗଣାରେ ଟେଲିଫୋନ୍‌ କରିବାକୁ ଏକ ପୁଣ୍ୟକାର୍ଯ୍ୟ ବୋଲି ମନେକରନ୍ତି । ଏହି ଭଦ୍ରବ୍ୟକ୍ତିମାନେ ପ୍ରଥମତଃ ଫୋନ୍‌ କରନ୍ତି, ତାପରେ କୁଶଳ ଜିଜ୍ଞାସା କରନ୍ତି ଏବଂ ଏତେ ସମୟ ଯାଏ କରନ୍ତି ଯେ, ମୋତେ ସେମାନଙ୍କୁ ଚାହା ଦେବାକୁପଡ଼େ; ତତ୍‌ସଙ୍ଗେ ପାନରେ ସତ୍କାର କରିବାକୁ ପଡ଼େ । ଏ ସବୁ କରିବା ହେତୁ ଏତେ ସମୟ ବିତିଯାଏ ଯେ, ସେମାନଙ୍କ ସ୍ମୃତିଶକ୍ତି କମିଯାଏ । ଏଇଟା ଜଣାଶୁଣା କଥା ଯେ କାଳ ବିତିଗଲେ, ମଣିଷର ବହୁତ କିଛି କଥା ମନେ ରହେନାହିଁ । ଏହିପରି ମୋ ଫୋନ୍‌ କଲ୍‌ର ପଇସା ବି କ୍ଷୀଣ ସ୍ମୃତିଶକ୍ତିର ବେଦି ଉପରେ ବଳିପଡ଼େ । ଏପରି ଅନେକ ଭଦ୍ରବ୍ୟକ୍ତି ବି ଅଛନ୍ତି, ଯେଉଁମାନେ ବି କଲ୍‌ର ପଇସା ସଙ୍ଗେ ସଙ୍ଗେ ଦେଇଦେବାକୁ ଚାହାନ୍ତି କିନ୍ତୁ ଏଥିପାଇଁ ସେ ପକେଟରୁ ଦଶଟଙ୍କିଆ ନୋଟ୍‌ଟିଏ କାଢ଼ନ୍ତି; ଆଉ ପଚାରନ୍ତି—“ଆପଣଙ୍କ ପାଖରେ ରେଜା ନିଶ୍ଚୟ ଥିବ ?” ଆପଣ କୁହନ୍ତୁ ତ, ମୁଁ କଅଣ ଜଣେ ପାନବାଲା ଯେ ଦଶଟଙ୍କାର ରେଜା ରଖିଥିବି । ଫଳ ଏଇଆ ହୁଏ ଯେ, ଦଶଟଙ୍କିଆ ନୋଟ୍‌ଟି ପୁଣି ତାଙ୍କ ପକେଟକୁ ଫେରିଯାଏ; ଆଉ ମୁଁ ତାଙ୍କ ମୁହଁକୁ ଚାହିଁ ରହିଯାଏ ।

 

ଏମିତିଆ ଏକ ସାହେବଙ୍କ କଥା ଶୁଣନ୍ତୁ । ସେ ନିତି ସକାଳୁ ମୋ ଘରେ ପହଞ୍ଚି ଫୋନ୍‌ କରନ୍ତି । ଏହି ବ୍ୟାପାର କେତେମାସ ଯାଏ ଚାଲିଲା । ଦିନେ ସେ ଫୋନ୍‌ କରିବା ପରେ ପୂର୍ବପରି ନିଜ ପକେଟରୁ ଦଶଟଙ୍କିଆ ନୋଟ୍‌ଟିଏ କାଢ଼ିବାରୁ; ସେ ନୋଟ୍‌ଟି ହାତରେ ଧରି କହିଲି–“ମହାଶୟ ଆପଣ ଯେତେଥର ଫୋନ୍‌ କଲେଣି, ତାର ଦାମ୍‌ ଦଶଟଙ୍କାରୁ ବେଶି ହୋଇଗଲାଣି; ଆଉ ରେଜା କଅଣ, ନୋଟ୍ କଅଣ । ଏହା କହି ସେ ନୋଟ୍‌ଟିକୁ ପକେଟରେ ରଖିଦେଲି । ଏ ଘଟଣା ପରେ ସେ ଆଉ କେବେ ମୋ ଘରକୁ ଫୋନ୍‌ କରିବାକୁ ଆସିଲେ ନାହିଁ କିନ୍ତୁ ମୁଁ ଶୁଣୁଛି, ସେ ଏବେ ଆଉ ଗୋଟିଏ ଜାଗାକୁ ନୂଆ ଦଶଟଙ୍କିଆ ନୋଟ୍‌ଟିଏ ନେଇ ଫୋନ୍‌ କରିବାକୁ ଯାଉଛନ୍ତି ।

 

ଅନ୍ୟମାନେ ମୋ ଘରେ ଫୋନ୍‌ କରିବାର ମୁଁ ବିରୋଧ କରେନାହିଁ । ମୁଁ କେବଳ ଏତିକି ଚାହେଁ ଯେ ଅନ୍ୟ କାହାଘରୁ ଫୋନ କଲାବେଳେ ଟିକିଏ ଭଦ୍ରତା ଅବଲମ୍ୱନ କରିବା ଉଚିତ୍‌-। ଦିନେ ଜଣେ ଭଦ୍ର ବ୍ୟକ୍ତି ମୋ ଘରକୁ ଫୋନ୍‌ କରିବାକୁ ଆସିଲେ । ଫୋନ୍‌ ମିଳିବା ମାତ୍ରେ ସେ ଏତେ ଜୋର୍‌ରେ ‘ହଲ୍ଲୋ’ ବୋଲି ଚିଲେଇ ଉଠିଲେ ଯେ ମୋ ଝିଅ ଚମକି ନିଦରୁ ଉଠିପଡ଼ିଲା; ତା’ପରେ ସେ ଏତେ-ଜୋର୍‌ରେ ଚିଲେଇ ଲାଗିଲେ ଯେ ମୋ କାନପରଦା ଫାଟିଗଲା-। ମୁଁ ତାଙ୍କ ହାତରୁ ରିସିଭର୍‌ଟା ନେଇଯାଇ କହିଲି—“ମହାଶୟ ଆପଣ ଫୋନ୍‌ ଜରିଆରେ କଥାବାର୍ତ୍ତା କରିବାର କଷ୍ଟ କାହିଁକି କରୁଛନ୍ତି ? ମୋ ସାଙ୍ଗରେ କୋଠାର ଛାତ ଉପରକୁ ଆସନ୍ତୁ । ସେଠାରେ ଆପଣ ଏଡ଼ିକି ପାଟିରେ କଥାବାର୍ତ୍ତା କଲେ, ତାହା ସେହି ବ୍ୟକ୍ତିଙ୍କ ପାଖରେ ଛାଏଁ ଛାଏଁ ଯାଇ ପହଁଞ୍ଚିଯିବ । ଆପଣଙ୍କ ପାଟି ଯଦି ଏଡ଼େ ବଡ଼ ଅଛି, ତେବେ ଫୋନ୍‌କରି ସାରା ବସ୍ତିଟାକୁ ଉଠାଉଛନ୍ତି କାହିଁକି ? ଏ ବାଟେ ତୁଚ୍ଛାଟାରେ ପଇସା ନଷ୍ଟ ହେବ ସିନା !”

 

ଏମିତି ନିତି ନୂଆ ନୂଆ ପ୍ରକାରର ଫୋନ୍ କଲାବାଲା ମୋ ହାବୁଡ଼େ ପଡ଼ନ୍ତି । ଦିନେ ଦୁଇଜଣ ନିଜ ନିଜ ଭିତରେ ଝଗଡ଼ା କରି ମୋ ବୈଠକଖାନାରେ ଆସି ପହଞ୍ଚିଲେ । ଜଣେ ଅନ୍ୟକୁ ଗାଳି ଦେଉଥାଏ । ତାଙ୍କ ଭିତରୁ ଜଣେ ମୋତେ ପଚାରିଲା—“ଆପଣଙ୍କ ଫୋନ୍‌ ମୁଁ ଟିକିଏ ବ୍ୟବହାର କରିପାରେ କି ?” ମୁଁ କହିଲି—“ଖୁବ୍‌ ଆନନ୍ଦରେ କରିପାରନ୍ତି ।”

 

ମୋର ଅନୁମତି ପାଇବା ସଙ୍ଗେ ସଙ୍ଗେ ସେ ରିସିଭର୍‌ଟି ଉଠେଇ ଅନ୍ୟ ଲୋକର ମୁଣ୍ଡରେ ପିଟିଦେଲା । ଏତକ କରି ସେ ରିସିଭର୍‌ଟା ଥୋଇଦେଲା ଓ କଲ୍‌ ପଇସାଟା ମୋ ହାତରେ ଦେଇଦେଲା । ଟେଲିଫୋନ୍‌ର ଏପରି ଅଦ୍ଭୁତ ବ୍ୟବହାର ମୁଁ ଆଜିଯାଏ ଦେଖିନଥିଲି । ଆଉ ଏଇଟା ବି ପ୍ରଥମ ଥିଲା, ଯେଉଁଥିରେ କି ମୁଁ ବିନା କଲ୍‌ରେ ପଇସାଟି ପାଇଯାଇଥିଲି । ମୋ ଫୋନ୍‌ରୁ ଅନ୍ୟ ଲୋକଙ୍କ କହିବାକଥା ଛାଡ଼ିଦିଅନ୍ତୁ । ଅନେକ ସମୟରେ ଏପରି ବହୁ ଗଣ୍ଡଗୋଳିଆ ଟୋକାଙ୍କୁ ମୁଁ ଭେଟେ, ଯେଉଁମାନେ କି ମୋତେ ଅଧରାତିରେ ଉଠେଇ ହଇରାଣ କରନ୍ତି ।

 

ଦିନେ ରାତି ୩ଟା ବେଳେ ମୋ ଫୋନ୍‌ର ଘଣ୍ଟି ବାଜିବାକୁ ଲାଗିଲା । ମୁଁ ରିସିଭର୍‌ ଉଠାଇବାରୁ ସେପଟୁ ଆବାଜ ଆସିଲା—“ହଲୋ ! ଆପଣ ଏତେବେଳଯାଏ ଚେଇଁ ରହିଛନ୍ତି ?”

 

ମୁଁ କହିଲି—“ଆଜ୍ଞା ନା, ମୁଁ ତ ଶୋଇଥିଲି; ଆପଣଙ୍କ ଫୋନ୍‌ ମୋତେ ଉଠେଇ ଦେଲା-। କିନ୍ତୁ ଆପଣ କିଏ କହୁଛନ୍ତି ?”

 

ସେ ପଟରୁ ଆବାଜ ଆସିଲା—“ଭାଇ ସାହାବ ! ମୁଁ ଜଣେ ଚୋର । ଆପଣଙ୍କ ଘରେ ଚୋରି କରିବାକୁ ଚାହୁଁଥିଲି କିନ୍ତୁ ଆପଣଙ୍କ ଘରକୁ ଯିବା ପୂର୍ବରୁ ଜାଣିବା ଉଚିତ୍‌ ମନେ କଲି ଯେ, ଆପଣ ଚେଇଁଛନ୍ତି କି ଶୋଇଛନ୍ତି । ମୁଁ ଆଉ କେତେବେଳେ ଆସିବି ।” ଏହାପରେ ବହୁତ ଡେରିଯାଏ ନିଦ ହେଲାନି ।

 

ଦିନେ ଗୋଟିଏ ଉତ୍‌ପାତିଆ ଟୋକା ମୋତେ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ହଇରାଣ କରିବା କାରବାର ଆରମ୍ଭ କରିଦେଲା । ସବୁଥର ସେ ମୋର ହାଲ ପଚାରୁଥିଲା ଏବଂ ଗୋଟିଏ ଗୀତ ମୋତେ ବୋଲିବାକୁ ଅନୁରୋଧ କରୁଥିଲା । ତିନି ଚାରୋଟି କଲ୍‌ ପର୍ଯ୍ୟନ୍ତ ମୁଁ ନିଜକୁ ସମ୍ଭାଳି ନେଲି । ୫ମ ଥରପାଇଁ ଯେତେବେଳେ ଘଣ୍ଟି ବାଜିଲା; ମୁଁ ତାକୁ ଖୁବ୍‌ କଡ଼ାରେ ଗାଳି ଦେଲି । ସେକଡ଼େ ସେ ଠୋ ଠୋ ହୋଇ ହସିବାକୁ ଲାଗିଲା । ଷଷ୍ଠଥର ମୁଁ ତାକୁ ଅତି କଦର୍ଯ୍ୟ ଗାଳିଦେଲି । ଯେତେବେଳେ ସପ୍ତମ ଥରପାଇଁ ଘଣ୍ଟି ବାଜିଲା; ମୁଁ ‘ହଲୋ’ କହିବା ସଙ୍ଗେ ସଙ୍ଗେ ଗାଳି ଆରମ୍ଭ କରିଦେଲି । ପ୍ରାୟ ଦୁଇ ମିନିଟ୍‌ ଯାଏ ତାକୁ ଗାଳି ଦେବାରେ ଲାଗିଲି । ପୁଣି ପଚାରିଲି, “ଏବେ କଅଣ କହୁଛୁ କହ ।”

 

ଏହାର ଜବାବ୍‌ରେ ଆର ପାଖରୁ ଆବାଜ୍‌ ଆସିଲା—“ଆରେ ବାବୁ, ତୁମର ଆଜି କଅଣ ହୋଇଗଲାକି । ନିଜର ପାହ୍ୟା ବିଷୟରେ ସଚେତନ ହେବାକୁ ଭୁଲିଗଲ । ତୁମେ ପାଗଳ ହୋଇଯାଇନ ତ ?” ଏହା ମୋ ଉପରିସ୍ଥ ଅଫିସର୍‌ଙ୍କ ଆବାଜ ଥିଲା । ମୋର ହାଲ୍‌ ଖରାପ୍‌ ହୋଇଗଲା । ମୁଁ ଡରି ଡରି ତାଙ୍କୁ ସବୁକଥା ଶୁଣେଇ ଦେଲି । ବହୁତ କରି ମୁଁ ତାଙ୍କୁ ବୁଝାଇ ଦେଲି ଯେ, ଗାଳି ତାଙ୍କପ୍ରତି ଉଦ୍ଦିଷ୍ଟ ନଥିଲା କିନ୍ତୁ ସେହି ଦିନଠାରୁ ମୋ ଅଫିସରଙ୍କ ବ୍ୟବହାର ଏକାବେଳେକେ ବଦଳି ଗଲା । ସେ ସବୁବେଳେ ମୋ ସାଙ୍ଗରେ ଖରାପ ବ୍ୟବହାର କରିଆସୁଛନ୍ତି-। ଏବେ ତ ଜାଣି ଶୁଣି ସେହି ଅଫିସରଙ୍କୁ ଗାଳି ଦେବାକୁ ଇଚ୍ଛା କରୁଛି । ଯେଉଁ ଗାଳିକି ମୁଁ ଅଜାଣତରେ ଦେଇଥିଲି । ସତେ କଅଣ ମୁଁ ଏମିତି କରିପାରିବି ।

 

ଟୋକାମାନଙ୍କ ତରଫରୁ ଏପରି ଥଟ୍ଟା ତ ହୋଇଥାଏ । ଏବେ କିନ୍ତୁ ଟୋକୀମାନେ ମଧ୍ୟ ଫୋନ୍‌ରେ ଥଟ୍ଟା କଲେଣି । ଜଣେ ଶ୍ରୀମତୀ ଅଛନ୍ତି, ଯେ କି ଅନେକ ସମୟରେ ମୋ ସ୍ତ୍ରୀଙ୍କୁ ସେ ଫୋନ୍‌ କରି ମୋ ହାଲ୍‌ ବୁଝନ୍ତି । ପଚରାଯାଏ—“ଦିନକୁ ଦିନ ମୋ ସ୍ୱାସ୍ଥ୍ୟର କାହିଁକି ଅବନତି ଘଟୁଛି-! ମୋ ସ୍ତ୍ରୀଙ୍କୁ କୁହାଯାଏ, ସେ କାହିଁକି ମୋର ଯତ୍ନ ନେଉ ନାହାଁନ୍ତି । ମୋର କାର୍ଯ୍ୟକଳାପର ତଫସିଲ ପଚରା ଯାଏ ଏବଂ ମୋ ସ୍ତ୍ରୀଙ୍କୁ, ମୋତେ ଏହି ଖବର ଦେବାକୁ କୁହାଯାଏ କି, ମୁଁ କାଲି ଠିକ୍‌ ଛଅଟା ବେଳେ ଅମୁକ ସିନେମା ଘର ପାଖରେ ଉପସ୍ଥିତ ରହିବି ।

 

ମୋର ମନ ଏ ସବୁ ବିଷୟରେ ତ ବେଶ୍‌ ପରିଷ୍କାର କିନ୍ତୁ ମୋ ସ୍ତ୍ରୀକୁ ମୁଁ କିପରି ବୁଝେଇବି ଯେ ମୁଁ ନିଷ୍ପାପ । ମୋର ସାରା ଜୀବନରେ କେବଳ ଦୁଇଟି ମାତ୍ର ପାପ କରିଛି । ଗୋଟିଏ ପାପ ହେଲା ବିବାହ କରିବା, ଆଉ ଗୋଟିଏ ପାପ ହେଲା ଘରେ ଟେଲିଫୋନ୍‌ ରଖିବା । ଏହା ଛଡ଼ା ମୋ ମୁଣିରେ ଅନ୍ୟ କିଛି ପାପ ନାହିଁ । ଏବେ ମୋ ସ୍ତ୍ରୀ ମୋତେ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ଏବଂ ବାରମ୍ୱାର ଅଫିସକୁ ଫୋନ୍‌ କରି, ମୋର କାର୍ଯ୍ୟକଳାପ ଉପରେ ନଜର ଦେଉଛନ୍ତି । କୁହନ୍ତୁ ଭଲା, ଏଥର ମୋର କି ଦୋଷ । ମୁଁ ଘରେ ଫୋନ୍‌ ଲଗାଇ ମୁସ୍କିଲ୍‌ରେ ପଡ଼ିଗଲି । ଯଦି ଫୋନ୍‌ ନଥାନ୍ତା, ତେବେ ମୁଁ ଭଦ୍ରଲୋକରେ ଗଣା ହେଉଥାଆନ୍ତି କିନ୍ତୁ କଅଣ କରିବି; ମୁଁ ବଡ଼ ଅସହାୟ ।

Image

 

ମୋ ଚାକର

(ହମରା ନୌକର)

 

ଜାଣେନା ଏ ଦୁନିଆରେ ପ୍ରଥମ ଲୋକ କିଏ ଥିଲା, ଯେ କି ନିଜ କାମରୁ ନିଜକୁ ବଞ୍ଚାଇବା ପାଇଁ ଗୋଟିଏ ଚାକର ଖଟେଇଲା । ସେ ଆଜି ଯଦି ଜୀବିତ ଥାଆନ୍ତା, ତେବେ ମୁଁ ତାକୁ ନିଶ୍ଚୟ କଠୋର ଦଣ୍ଡ ଦେଇଥାନ୍ତି କାରଣ, ସେ ନିଜ ଶରୀରକୁ ଟିକିଏ ଆରାମ ଦେବାଲାଗି ନିଜ ପଛରେ ଏପରି ଏକ ପରମ୍ପରା ଛାଡ଼ି ଦେଇଗଲା ଯେ, ଯାହାବିନା ମଣିଷର ଜୀବନ ଅପୂର୍ଣ୍ଣ ଜଣା ପଡ଼ିଛି ଏବଂ ମଣିଷ ଅଯଥାରେ ଅନୁଭବ କରୁଛି ଯେପରିକି କୌଣସି କାମ କରିବାକୁ ସକ୍ଷମ ନୁହେଁ ।

 

ଆଜିକାଲି ଏକ ସୁଖୀ ପରିବାରରେ ଏକ ଚାକର ଫୁଲ ସଙ୍ଗେ କଣ୍ଠା ପରି ଅପରିହାର୍ଯ୍ୟ ହୋଇପଡ଼ିଛି । ମୁଁ ଏପରି ଅନେକ ବନ୍ଧୁ ଦେଖିଛି, ଯେଉଁମାନେ କି ସମାଜରେ ନିଜର ସମ୍ମାନ ଉଞ୍ଚା ରଖିବା ଲାଗି ନିଜ ଘରେ ଚାକର ରଖନ୍ତି । ଆଉ ଚାକର ରଖିବା ସେମାନଙ୍କର ଏକ ସଉକ୍‌ । ଏହା, ଜଣେ ବଡ଼ ସଉକ୍‌ରେ ନିଜ ଘରେ ଏକ ବିରାଡ଼ି ପୋଷିବା ଆଉ ନିଜଠାରୁ ବିରାଡ଼ିର ଅଧିକ ହେପାଜତ ନେବାଭଳି କଥା । ଏହିପରି ମାଲିକଙ୍କ ଚାକର ଏକ ଦର୍ଶନୀୟ ଚାକର ଅଟନ୍ତି । ସେମାନଙ୍କ ଠାରୁ କାମ ଆଦାୟ କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ ବରଂ ପ୍ରଦର୍ଶନ କରେଇବା ଅସଲ ଉଦ୍ଦେଶ୍ୟ । ଏପରି ଚାକରମାନଙ୍କର କାମ କେବଳ ହେଲା, ସେ ଲୋକଙ୍କ ଉପରେ ନିଜ ମାଲିକର ସାମାଜିକ ସ୍ଥିତିର ଗୁରୁତ୍ୱ ଜାହାରି କରିବା ଆଉ ତା ଛଡ଼ା ଅନ୍ୟ କିଛି କାମ ନକରିବା । ଯଦି କୌଣସି ଘରେ ଏପରି ଚାକର ଥାଏ, ତେବେ ସେଠାରେ ମାଲିକ ଓ ଚାକର ଭିତରେ ତଫାତ୍‌ଟା ବାରିବା କଷ୍ଟକର କାରଣ, ଚାକରଟି କିପରି ପଳାଇ ନଯାଉ ଏହି ଭୟରେ ସେ ଚାକର ପାଇଁ ଏପରି ସବୁ ବ୍ୟବସ୍ଥା କରେ ଯେ, ସେ ନିଜେ (ମାଲିକ) ତାର (ଚାକରର) ଚାକର ବୋଲି ସନ୍ଦେହ ହୁଏ । ଏହିପରି ଚାକରଙ୍କ ଛଡ଼ା ଆହୁରି ଅନେକ ଚାକର ଅଛନ୍ତି ବିଚରା ଯେଉଁମାନଙ୍କୁ ସତରେ କାମ କରିବାକୁ ପଡ଼େ । କିନ୍ତୁ ଏମାନେ ଯେତେ କାମ କରନ୍ତି, ତହିଁରୁ ଅଧିକ ଅଭିଶାପ ଆପଣା ମାଲିକକୁ ଦିଅନ୍ତି ।

 

ଶୁଣାଯାଏ ଯେ ଏକ ସମୟରେ ଚାକରମାନେ ବଡ଼ ବିଶ୍ୱସ୍ତ ଥିଲେ । ଏତେ ବିଶ୍ୱସ୍ତ ଯେ ସେମାନେ ଆପଣା ମାଲିକ ଲାଗି ନିଜ ଜୀବନ ମଧ୍ୟ ଉତ୍ସର୍ଗ କରିଦେଉଥିଲେ । କିନ୍ତୁ ଏବେ ଚାକରମାନଙ୍କର ଏତିକି ବି ସଚ୍ଚୋଟ ପଣିଆ ନାହିଁ କି ସେମାନେ ନିଜ ମାଲିକପାଇଁ ନିଜ ଦରମାଟା ଉତ୍ସର୍ଗ କରିଦେବେ । ମାଲିକକୁ ଦରମା ମିଳୁ କି ନମିଳୁ, ଚାକରର ଦରମାଟା କିନ୍ତୁ ପହିଲାକୁ ପହିଲା ମିଳିଯିବା ଦରକାର । ଫଳ ଏପରି ହେଲାଣି ଯେ ଚାକରର ସଚ୍ଚୋଟ ପଣିଆ ଅପେକ୍ଷା ମାଲିକର ସଚ୍ଚୋଟ ପଣିଆ ଉପରେ ଅଧିକ ଗୁରୁତ୍ୱ ଦିଆଗଲାଣି ।

 

ମୋର ଥରେ ଗୋଟିଏ ଚାକରର ଦରକାର ପଡ଼ିଲା । ମୁଁ ଏହା ଠିକ୍‌କଲି ଯେ ତାକୁ ଚାକିରିରେ ରଖିବା ପୂର୍ବରୁ ତାକୁ କେତୋଟି ଦରକାରୀ ପ୍ରଶ୍ନ ପଚାରିନେବା ଦରକାର ଯେ, ସେ କେଉଁଠି ରହୁଛି, କି କି କାମ କରିପାରିବ; ପୂର୍ବରୁ କି କି ଅଭିଜ୍ଞତା ଅଛି ଇତ୍ୟାଦି । କିନ୍ତୁ ମୁଁ ତାକୁ ଏସବୁ ପଚାରିବା ପୂର୍ବରୁ ସେ ମୋର ଇଣ୍ଟରଭ୍ୟୁ ନେବା ଆରମ୍ଭ କରିଦେଲା । ସେ ପ୍ରଥମେ ମୋର ବଂଶାନୁ ପଚାରିଲା । ପୁଣି ପଚାରିଲା, ମୁଁ କେତେ ଦରମା ପାଏ, ଆୟର ଅନ୍ୟ କି କି ପନ୍ଥା ଅଛି, ପିଲାକବିଲା କେତେ, ପୂର୍ବ ଚାକରମାନଙ୍କ ସହିତ ମୋର କିପରି ବ୍ୟବହାର ଥିଲା, ଦରମା କେଉଁ ତାରିଖରେ ମିଳେ, ମୋ ସ୍ତ୍ରୀ ଚିଡ଼ିଚିଡ଼ା ମିଞ୍ଜାସ ଅଛି କି ନା । ଆଉ ଯେତେବେଳେ ମୁଁ ଏ ସବୁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ସାରିଲି; ସେତେବେଳେ ସେ ଘୋଷଣା କଲା—“ମୁଁ ଆଜିଠାରୁ ତୁମକୁ ମୋ ମାଲିକ ପଦରେ ନିଯୁକ୍ତି କଲି; ଆଉ ଏହାର ଫଳସ୍ୱରୂପ ଆପଣଙ୍କୁ ଖାଇବା ଛାଡ଼ି ପ୍ରତ୍ୟେକ ମାସ ତିରିଶିଟଙ୍କା ଦେବାକୁ ପଡ଼ିବ ।” ମୁଁ ମାଲିକ ହେବାର ନିଯୁକ୍ତିଟାକୁତ ଗ୍ରହଣ କରିନେଲି କିନ୍ତୁ ମୋତେ ତାଠାରୁ ଏତେ ଜୁଲମ ସହିବାକୁ ପଡ଼ିଲା ଯେ, ମୋତେ ନିଜ ଘର ଛାଡ଼ି ପଳେଇବାକୁ ପଡ଼ିଲା । ସେହି ଚାକରର ଏତେ ଗୁମାନ (ଲାଜ) ମୋତେ, ମୁଁ ନିଜେ ଓପାସରେ ରହେ ପଛକେ ଚାକରର ପେଟ ପୂରାଉଥିଲି । ଭଳିକି ଭଳି ଦୁଃଖ ମୁଁ ସହ୍ୟ କରୁଥିଲି କିନ୍ତୁ ଚାକର ନିକଟରେ ମୁଁ ପାଟି ଫିଟେଇ ପାରୁନଥିଲି । ସେ ଚାକରର ଅତିଥି ସତ୍କାର କରୁ କରୁ ମୁଁ କରଜରେ ବୁଡ଼ିଗଲି । ଶେଷରେ ବିନା ଚାକରରେ ଜୀବନ କଟେଇବା ପାଇଁ ବାଧ୍ୟ ହେବାକୁ ପଡ଼ିଲା ।

 

ଆଉ ଗୋଟିଏ ଚାକର କଥା ମୋର ମନେ ପଡ଼ୁଛି । ମୁଁ ତାକୁ ଚାକିରିରେ ରଖିଲାବେଳେ, ତାହାର କାମ ଗୁଡ଼ାକ ଦେଖାଇ ଦେଲି । ଆଗରୁ ହୁସିଆରି ହୋଇ ଏହା ମଧ୍ୟ ତାକୁ ଜଣାଇ ଦେଲି ଯେ, ମୋ ଘରକୁ ଅନେକ ସମୟରେ ଅତିଥିମାନେ ଆସନ୍ତି । ତେଣୁ ଅଚାନକ ଏଭଳି ବିପଦ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।

 

ଏଥିରେ ସେ କହିଲା, “ଆପଣ ଚିନ୍ତା କରନ୍ତୁ ନାହିଁ । ଏପରି ଘଟଣାରେ ମୁଁ ବିଛଣାପତର ବାନ୍ଧି ତିଆରି ହୋଇ ରହିଥିବି ।” ମୋର ଚାକର ନିହାତି ଦରକାର ଥିଲା, ତେଣୁ ମୁଁ ତାକୁ ଚାକିରିରେ ରଖିଲି । କିନ୍ତୁ ତା’ପରେ ମୋ ଘରେ ଏପରି ଏକ ବିପ୍ଳବ ଆସିଲା ଯେ ତାକୁ କାବୁ କରିବାର ଚେଷ୍ଟାରେ ମୁଁ ନିଜେ ବେକାବୁ ହୋଇଗଲି । ମୋ ସ୍ତ୍ରୀର କାମକୁ ଉଶ୍ୱାସ କରିବାପାଇଁ ମୁଁ ତାକୁ ଚାକିରିରେ ରଖିଥିଲି କିନ୍ତୁ ସେ ପ୍ରଥମ ଦିନରେ କାମ ବାଣ୍ଟି ଦେବାକୁ ଦାବି କଲା । କହିଲା—“ମୋତେ ସର୍ଦ୍ଦି ଧରେ ବୋଲି ମୁଁ ବାସନ ଧୁଏ ନାହିଁ, ଧଇଁ ପେଲା ହେତୁ ମୁଁ ଝାଡ଼ୁ ଦେବି ନାହିଁ । ଧୂଆଁ ମୋ ଫୁସ୍‍ଫୁସ୍‌କୁ ଖରାପ କରେ ବୋଲି ମୁଁ ରୋଷେଇ କରିବି ନାହିଁ । ଗୋଡ଼ରେ ପୋଲିଓ ହୋଇଥିବାରୁ ମୁଁ ସଉଦା ଆଣିପାରିବି ନାହିଁ । ସେ ବଡ଼ ହୁସିଆର ହୋଇ ନିଜପାଇଁ ଦୁଇଟି କାମ ରଖିଲା—ତାହା ହେଲା, “ଖାଇବା ଓ ଶୋଇବା ।” ଫଳ ଏଇଆ ହେଲା ଯେ ଏହି ଚାକର ସମସ୍ୟା ଉପରେ ମୋ ସ୍ତ୍ରୀ ଓ ମୋ ଭିତରେ ଲଢ଼େଇ ଭିଡ଼େଇ ଲାଗିଗଲା । ଆଡ଼େ ମୁଁ ଓ ମୋ ସ୍ତ୍ରୀ ଝଗଡ଼ା କରୁଥାଉ; ଆଉ ସେ ତା କୋଠରୀରେ ଆରାମରେ ଶୋଇଥାଏ । ସେ ନିକମା ଦ୍ୱାରା ଆମ ଝଗଡ଼ାଟା ମେଣ୍ଟି ହୋଇ ଯିବାର ବି ସମ୍ଭାବନା ନଥିଲା । ଦିନେ ଅଫିସରୁ କ୍ଳାନ୍ତ ହୋଇ ଫେରି ମୁଁ ଦେଖିଲି କି ମୋ ଚାକର ରାଗ ହୋଇ ବସିଛି । ମୁଁ ପହଞ୍ଚିବା ମାତ୍ରେ ସେ କହିଲା—“ବାବୁ ! ଆଜି ଏହି ବିଷୟରେ ଗୋଟାଏ ଫଇସଲା ହୋଇଯିବା ଦାରକାର । ଆଜିଠୁଁ ଏ ଘରେ ହୁଏତ ମୁଁ ରହିବି କିମ୍ୱା ଆପଣଙ୍କ ସ୍ତ୍ରୀ ରହିବେ । ମୁଁ ବାବୁଆଣୀଙ୍କ ଗାଳି ଓ ଆକଟରେ ବିବ୍ରତ ହୋଇ ପଡ଼ିଲିଣି । ତେଣୁ ଆପଣ ହୁଏତ ଆପଣଙ୍କ ସ୍ତ୍ରୀଙ୍କୁ ଛାଡ଼ନ୍ତୁ କିମ୍ୱା ମୋତେ ଛାଡ଼ନ୍ତୁ ।” ମୁଁ ବିବ୍ରତ ହୋଇ ତା ମୁହଁକୁ ଚାହିଁ ରହିଲି । ମୋର ଯଦି କ୍ଷମତା ଥା’ନ୍ତା, ତେବେ ମୁଁ ତା ପାଇଁ ମୋ ସ୍ତ୍ରୀକୁ ଛାଡ଼ି ଦେଇଥାନ୍ତି କିନ୍ତୁ ଅଡ଼ୁଆ ଥିଲା ଯେ, ସ୍ତ୍ରୀକୁ ଛାଡ଼ିବା ପାଇଁ ଯୌତୁକ ଫେରେଇବା ପାଇଁ ଯୋଗାଡ଼ କରିବା ଦରକାର; ଯାହାକି ମୁଁ କରିପାରୁ ନଥିଲି । ସୁତରାଂ ଛାତିକୁ ପଥର କରି ଚାକରକୁ ଚାଲିଯିବା ପାଇଁ ଅନୁମତି ଦେଇ ଦେଲି । ଏ ଅନୁମତି ଦେବାର ଫଳ ଏଇଆ ହେଲା ଯେ ସେ ମୋ ଘଣ୍ଟାଟି ସ୍ମୃତି ସ୍ୱରୂପ ନେଇଗଲା । ଏହିପରି ମୋ ଜୀବନରେ ଏପରି ଏକ ଖରାପ ସମୟ ଆସିଲା କି ଘଡ଼ିରେ ସମୟ ଦେଖିବାକୁ ଆଉ ଦରକାର ପଡ଼ିଲା ନାହିଁ ।

 

ଅନେକ ଚାକର ଅଛନ୍ତି ଯେଉଁମାନଙ୍କ ଭୃତ୍ୟପଣ ଅପେକ୍ଷା ଗୁପ୍ତଚରଗିରି ଅଧିକ । ଘରର ଛୋଟ ଛୋଟ କଥାକୁ ପଦାରେ ପ୍ରଘଟ କରିବାଟାକୁ ସେମାନେ ପ୍ରଥମ ବର୍ତ୍ତବ୍ୟ ବୋଲି ମନେ କରନ୍ତି । ଏହି କାରଣରୁ ସାହିଟାଯାକ ସମସ୍ତେ ମୋର ଦୁର୍ବଳତା ଗୁଡ଼ିକ ଜାଣନ୍ତି । ସେମାନେ ଜାଣନ୍ତି ଯେ ମୁଁ ଋଣଗ୍ରସ୍ତ । ସେମାନେ ଏହା ମଧ୍ୟ ଜାଣନ୍ତି ଯେ ମୁଁ ସ୍ତ୍ରୀଙ୍କୁ ଭାରି ଡରେ ଆଉ ତାଙ୍କ ପ୍ରତ୍ୟେକ ଗାଳିମନ୍ଦକୁ ଭିଜିଯାଇଥିବା ବିରାଡ଼ିପରି ସହିଯାଏ । ସାହିବାଲାଏ ଏହା ମଧ୍ୟ ଜାଣନ୍ତି ଯେ ମୋ କୋର୍ଟତଳେ କାମିଜ ନଥାଏ । ଜୋତା ଭିତରେ ଥିବା ମୋ ମୋଜା ଫାଟିଯାଇଛି । ଚାରିମାସ ହେଲା ଘରଭଡ଼ା ଦେଇନି । ପିଲାଙ୍କ ସ୍କୁଲ ଦରମା କେତେମାସ ହେଲା ଦେଇନି । ଏସବୁ କାରଣରୁ ମୁଁ ଯେତେବେଳେ ପଦାକୁ ବାହାରେ ସେତେବେଳେ ମୋତେ ଭାରି ଲାଜ ଲାଗେ । ଭାବେ ଯଦି ମୋ ଘରେ ଚାକର ନଥାନ୍ତେ, ତେବେ ମୁଁ ସାହିବାଲାଙ୍କ ପାଖରେ ଖୁବ୍‌ ସମ୍ମାନସ୍ପଦ ଭାବରେ ଗଣ୍ୟ ହୋଇଥାନ୍ତି; ଆଉ ଛାତି ଫୁଲେଇ ଚାଲୁଥାଆନ୍ତି । କିନ୍ତୁ ମୁଁ ନାଚାର କାରଣ, ମୁଁ ଗୋଟିଏ ଚାକରର ମାଲିକ ଅଟେ । ଆଜିକାଲି ମଡ଼ର୍ଣ୍ଣ ଚାକରମାନଙ୍କର ଗୋଟିଏ ଜାତି ସୃଷ୍ଟି ହୋଇଗଲାଣି; ଯିଏବି ଦାନାକନାପାଇଁ ଚାକିରୀ କରିବାକୁ ପ୍ରସ୍ତୁତ ନୁହଁନ୍ତି । ମୁଁ ଏହିପରି ଗୋଟିଏ ଚାକରକୁ କହିଥିଲି–“ମୁଁ ତୁମକୁ ଖୁଆଇ ପିଆଇ ତିରିଶ ଟଙ୍କା ଦେବି ।” ଏଥିରେ ସେ କହିଲା—“ଆଜ୍ଞା ନା, ମୁଁ ଏ ସର୍ତ୍ତରେ କାମ କରିପାରିବି ନାହିଁ । ମୋର ଖାଇବା ପିନ୍ଧିବା ଏତେ ଜରୁରି ନୁହେଁ । ଭଗବାନ ମୋତେ ବହୁତକିଛି ଦେଇଛନ୍ତି । ପ୍ରତିଦିନ ସିନେମା ଦେଖିବାଲାଗି ମୋର ପଇସା ଦରକାର କାରଣ, ଖାଇବାବିନା ମଣିଷ ବଞ୍ଚି ରହିପାରେ କିନ୍ତୁ ଛବି ନ ଦେଖିଲେ ମୁଁ ଅଣନିଶ୍ୱାସ ହୋଇଯାଏ-।”

 

ସୁତରାଂ ବର୍ତ୍ତମାନ ଆମଘରେ ଏହି ଫିଲ୍ମି ଚାକର କାମ କରୁଛି । ସେ ସନ୍ଧ୍ୟା ହେବାମାତ୍ରେ ଘରୁ ଗାଏବ ହୋଇଯାଉଛି ଏବଂ ସକାଳେ ଏତେ ଡେରିରେ ଉଠୁଛି ଯେ ସେତେବେଳକୁ ଘରର କାମ କିଛି ବାକି ନଥାଏ । ସେ ସେ ଫିଲ୍ମି ଅଭିନେତାଙ୍କପରି ଜୀବନ ଅତିବାହିତ କରୁଛି । ମୋତେ ଚାହା ପିଆଲା ବଢ଼େଇ ଦେଲାବେଳେ ସେ ଏପରି ଅଙ୍ଗଭଙ୍ଗୀ କରୁଛି, ଯେପରି କି ଏ ସବୁର ସୁଟିଂ ଚାଲିଛି । ସେ ଏପରି ଅଙ୍ଗଭଙ୍ଗୀ କରିବା ଫଳରେ କେତେଥର ମୋ ଲୁଗା ଉପରେ ଚାହା ପିଆଲା ପକେଇ ସାରିଲାଣି । ମୁଁ ତାକୁ ବୁଝେଇ ବୁଝେଇ ନାକେଦମ୍ ହୋଇଗଲିଣି । ମନ ହେଉଛି ବିନା ଚାକରରେ ଦିନ କଟେଇ ଦେବି କିନ୍ତୁ ମୁସ୍କିଲ କଥା ହେଉଛି, ଘରେ ଚାକର ନଥିଲେ ଲୋକେ ମୋ ଇଜ୍ଜତ ରଖୁନାହାନ୍ତି; ଆଉ ଚାକର ରଖିଲେ ସେ ମୋର ଇଜ୍ଜତ ରଖୁନି । ଏବେ ଆପଣ ବତାନ୍ତୁ ମୁଁ କଅଣ କରିବି ।

Image

 

ଚାକିରି ସନ୍ଧାନେ

(ନୌକରି କି ତଲାସ୍ ମେ)

 

ସୃଷ୍ଟିର ଆରମ୍ଭରୁ ମଣିଷ ଏ ଦୁନିଆଁରେ କିଛି ନା କିଛି ଖୋଜିବାରେ ଲାଗିଛି । କିଏ ଭଗବାନଙ୍କୁ ଖୋଜୁଛି, କିଏ ଘର ଖୋଜୁଛି, କିଏ ସ୍ତ୍ରୀ ଖୋଜୁଛି । ଯାହାର କିଛି ଖୋଜିବାର ନାହିଁ, ସେ କଅଣ ଖୋଜିବ; ତାହାରି ତଲାସରେ ଅଛି । ଦୁର୍ଭାଗ୍ୟକୁ ମୋ କପାଳରେ ଚାକିରି ଖୋଜା ଆସିଲା ଏବଂ ଚାକିରି ଖୋଜା ଦୁନିଆଁର ଏକମାତ୍ର ମୁସ୍କିଲ୍‌ କାମ ଯେ, ମନୁଷ୍ୟ କ୍ଷୀରନଈ ବୁହାଇ ଆଣିପାରେ କିନ୍ତୁ ଚାକିରି ଖୋଜିପାରିବ ନାହିଁ । ଯେତେବେଳ ପର୍ଯ୍ୟନ୍ତ ବାପା-ମାଆଙ୍କ ରୋଜଗାରରେ ମୁଁ ମଉଜ କରୁଥିଲି, ସେତେବେଳେ ସ୍ୱପ୍ନରେ ବି ଭାବି ନ ଥିଲି ଯେ ଚାକିରି ଖୋଜାରେ ଏତେ ପାମ୍ପଡ଼ ବେଲିବାକୁ ପଡ଼ିବ । ପାମ୍ପଡ଼ର ଗଦା ହୋଇଯିବ, ହେଲେ ଚାକିରି ମିଳିବ ନାହିଁ । ସାଧାରଣତଃ ଚାକିରି ଖୋଜାକାମ ମଣିଷ କୋଡ଼ିଏ ବର୍ଷ ବୟସରୁ ଆରମ୍ଭ କରେ; ଆଉ ଷାଠିଏ ବର୍ଷଯାଏ ଭଲ ଭାବରେ ଜାରିରଖେ । ତାପରେ ଚାକିରି ଖୋଜିବା ପ୍ରଶ୍ନ ଏଇଥିପାଇଁ ଉଠେନି କି ସେତେବେଳେ ମୃତ୍ୟୁ ତାକୁ ଭଲ ଭାବରେ ଖୋଜି ପକାଏ ।

 

ଯେତେବେଳେ ମୁଁ ବାପା-ମାଆଙ୍କର ପ୍ରଚୁର ଧନ ବରବାଦ କରି ଏବଂ ପରୀକ୍ଷାରେ ଲାଗ୍ ଲାଗ୍ କପି କରି ଶିକ୍ଷା ସମାପ୍ତ କଲି; ସେତେବେଳେ ଯାଇ ଜାଣିଲି, ଆସନ୍ତା କେତେବର୍ଷ ଯାଏ ମୋତେ ଚାକିରି ଖୋଜିବାକୁ ପଡ଼ିବ । ଚାକିରି କେମିତି ଖୋଜିବାକୁ ହୁଏ, ସେ ଧାରଣା ମୋର ନ ଥିଲା । ତେଣୁ ମୋତେ ଆଗରୁ ବର୍ଷ ବର୍ଷ ଧରି ଚାକିରି ଖୋଜୁଥିବା ସୁଦକ୍ଷ ଲୋକମାନଙ୍କଠାରୁ ପରାମର୍ଶ ନେବାକୁ ପଡ଼ିଲା । ମୋତେ ପରାମର୍ଶ ଦିଆଗଲା ଯେ ମୁଁ ପ୍ରତିଦିନ ଖବରକାଗଜମାନଙ୍କରୁ ଖବର ପଢ଼ିବା ପରିବର୍ତ୍ତେ ଚାକିରି ଇସ୍ତାହାର ଗୁଡ଼ିକ ପଢ଼ିବି । ଆଉ ଦରଖାସ୍ତ ଉପରେ ଦରଖାସ୍ତ ପଠାଉଥିବି ଯେପର୍ଯ୍ୟନ୍ତ କୌଣସି ନା କୌଣସି ଚାକିରି ସମ୍ପଦରେ ନିଯୁକ୍ତ ନ ହୋଇଛି । ମୁଁ ତହିଁଆର ଦିନଠାରୁ ଖବରକାଗଜରେ ସେ ସବୁ ପଢ଼ିବା ଆରମ୍ଭ କରିଦେଲି କିନ୍ତୁ ପ୍ରତି ଇସ୍ତାହାର ପଢ଼ିବା ପରେ ମୋର ହତାଶା ଆହୁରି ବଢ଼ି ଯାଉଥାଏ । କାରଣ କୌଣସି ଚାକିରି ପାଇଁ ଯେଉଁ ଦକ୍ଷତା ଦରକାର, ସେଥିପାଇଁ ମୁଁ ଯୋଗ୍ୟ ନଥାଏ । ଯଦି ମୁଁ ସେହି ଦକ୍ଷତା ହାସଲ କରିବାକୁ ଚେଷ୍ଟାକରେ ତେବେ ଭୟଥାଏ, ସେତେବେଳକୁ ଦରଖାସ୍ତ ଦେବାର ଶେଷ ତାରିଖ ଗଡ଼ିଯିବ । ଏକ ଅଜବ ଦ୍ୱନ୍ଦ୍ୱରେ ମୁଁ ପଡ଼ିଥାଏ । ଯଦି କୌଣସି ଇସ୍ତାହାରରେ ମୁଁ ଶିକ୍ଷା ଯୋଗ୍ୟତାକୁ ପୂର୍ଣ୍ଣକରି ନିଏ, ତେବେ ବୟସ ସୀମା ଉପରେ ନଜର ପଡ଼ିଲା ବେଳକୁ ଜଣାଯାଏ ଯେ ଏହି ଇସ୍ତାହାରକୁ ମୋର ଦୁଇବର୍ଷ ପୂର୍ବରୁ ପଢ଼ିବାର ଥିଲା । କେବେ ବୟସ ଆଗେ ବଢ଼ିଯାଏ, କେବେ ଶିକ୍ଷା ଯୋଗ୍ୟତା ପଛକୁ ରହିଯାଏ । କେତେବେଳେ ଶିକ୍ଷା ଯୋଗ୍ୟତା ଯଦି ଅନୁକୂଳ ହୁଏ, ବୟସ ସୀମା ଦାଗ ଦିଏ । ଏହିସବୁ ଅବସ୍ଥାରେ ମୋର ଭଗବାନଙ୍କ ଉପରେ ରାଗ ଆସେ । ସେ କାହିଁକି ମୋତେ ଆଗରୁ ଜନ୍ମଦେଲେ । ମୁଁ ଅନୁଭବ କରୁଥିଲି ଯେ ଏହି ବିଜ୍ଞାପନ ଦେଉଥିବା କୋମ୍ପାନୀ ଓ ଦପ୍ତରମାନଙ୍କୁ ମୋର ଏହି ସବୁ ଦୁର୍ବଳତା ଜଣାଅଛି ଏବଂ ସେମାନେ ଖୁବ୍‌ ହୁସିଆର ସହିତ ଏହି ବିଜ୍ଞାପନ ସବୁ ଦେଉଛନ୍ତି; ଯେପରି କି ମୋତେ ସେ ଚାକିରି ନ ମିଳିବ । ବଡ଼ ମୁସ୍କିଲରେ ଦିନେ ଖବରକାଗଜର ଏପରି ଏକ ବିଜ୍ଞାପନରେ ନଜର ପଡ଼ିଲା, ଯାହା ପାଇଁ ମୋର ସନ୍ଦେହ ହେଲା କି ମୋର ଅବସ୍ଥାକୁ ଆଖି ଆଗରେ ରଖି ଏହି ବିଜ୍ଞାପନ ଦିଆଯାଇଛି ଏବଂ ମୁଁ କେବଳ ଏଥିପାଇଁ ଏକମାତ୍ର ପ୍ରାର୍ଥୀ । ମୁଁ ଖୁସିରେ ଉଛୁଳି ପଡ଼ିଲି । ମୁଁ ବହୁ ବନ୍ଧୁଙ୍କଠାରୁ ଅଗ୍ରୀମ ବଧେଇ ସଂଗ୍ରହ କରିନେଲି । ସାରା ପରିବାରରେ ମୁଁ ଘୋଷଣା କରିଦେଲି ଯେ ଏବେ ଚାକିରି ନିଶ୍ଚୟ ମିଳିବ । ତେଣୁ ସମସ୍ତେ ହୁସିଆର ହୋଇଯାଅ; ମୋ ଜୀବନର ଗତି ବଦଳିବାକୁ ଯାଉଛି । ଆଡ଼କୁ ମୋତେ କେହି ଘୃଣା ଚକ୍ଷୁରେ ନ ଦେଖନ୍ତୁ, ଆଉ ମୋତେ ଦୂର୍‌ ଦୂର୍‌ ନ କରୁ । ବହୁତ ବେଳଯାଏ ମୁଁ ଚାକିରିର ସ୍ୱପ୍ନ ଦେଖିଆସିଲି । ବାପା ମା’ଙ୍କୁ କହିଦେଲି, “ଆପଣଙ୍କର ଆଉ ଅଧିକ କଷ୍ଟ ଉଠେଇବା ଦରକାର ନାହିଁ ।”

ବହୁ ଅପେକ୍ଷା ପରେ ଉକ୍ତ ଅଫିସ୍‍ରୁ ଏକ ଚିଠି ଆସିଲା, ଅମୁକ ତାରିଖ ଦିନ ଠିକ୍‌ ଦିନ ଦଶଟା ବେଳେ ଏହି ଅଫିସକୁ ସାକ୍ଷାତକାରପାଇଁ ଆସନ୍ତୁ । ସେହି ଚିଠି ପାଇ ମୁଁ ବହୁତ ଖୁସିହେଲି-। ମୋତେ ଏପରି ଜଣାଗଲାକି ଅମୁକ ତାରିଖ ଠିକ୍‌ ଦଶଟା ବେଳେ ମୁଁ ଚାକିରିରେ ନିଯୁକ୍ତି ହୋଇଯିବି । ଏତକ ବି ମୁଁ ଭାବିଲି ନାହିଁ ଯେ ଗୋଟିଏ ସାକ୍ଷାତକାରର କଷ୍ଟ ମଧ୍ୟ ମୋତେ ଉଠେଇବାକୁ ଅଛି । ଆରେ ବାବୁ ମୁଁ ନିର୍ଦ୍ଧାରିତ ସମୟରେ ସେହି ଅଫିସ୍‌ରେ ପହଞ୍ଚି ଦେଖେତ, ସେଠାରେ ଯୁବକମାନଙ୍କର ଏକ ଭିଡ଼ ଲାଗି ଯାଇଛି । ସେମାନଙ୍କର ଆଗମନର କାରଣ ପଚାରି ବୁଝିଲି ଯେ ମୁଁ ଯେଉଁ ଚାକିରି ତଲାସରେ ଆସିଛି, ସେମାନେ ସେହି ଚାକିରି ତଲାସରେ ଆସିଛନ୍ତି-। ପଚାରିଲି—“କେତୋଟି ଚାକିରି ଖାଲି ଅଛି ?” ଜବାବ ମିଳିଲା—‘ଏକ’ । ଏ ଉତ୍ତର ଶୁଣିଲା ମାତ୍ରେ ମୋ ହାତରୁ ବି:ଏ: ସାର୍ଟିଫିକେଟଟି ଖସି ପଡ଼ିଲା । ମୋର ହୋସ୍‌ ବୁଡ଼ିଗଲା । ମୁଁ ବଡ଼ କଷ୍ଟରେ ନିଜକୁ ସମ୍ଭାଳି ନେଲି, ଆଉ ସାକ୍ଷାତକାର ପାଇଁ ମୋର ସମୟକୁ ଅପେକ୍ଷା କରି ରହିଲି । ସାକ୍ଷାତ୍‌କାରରେ ମୋତେ କଅଣ ପଚରାଯିବ, ତାହା ମୋତେ ଜଣାନଥିଲା । ସେମିତିଆ ବି କଲେଜରୁ ବାହାରିବା ଦଶମାସ ହୋଇଯାଇଥିଲା । ଆଉ ଇତିହାସ କି ଭୂଗୋଳର କିଛି ପାଠ ମୋର ମନେ ନଥିଲା; ଆଉ ଚଳନ୍ତି ଘଟଣାବଳୀ ବି କିଛି ଜାଣି ନଥିଲି କାରଣ, ଗତ ଦଶମାସ ଧରି ଖବରପଢ଼ାକୁ ମୁଁ ଅଦରକାରୀ ଭାବୁଥିଲି । ଯେତେବେଳେ ଅପେକ୍ଷାର ସମୟ ଗଡ଼ିଗଲା, ଆଉ ମଧ୍ୟାହ୍ନରେ ସାକ୍ଷାତ୍‌କାର ପାଇଁ ମୋ ନାମ ଡକାହେଲା, ସେତେବେଳେ ମୁଁ ଭଗବାନଙ୍କ ନାମ ସ୍ମରଣ କରି ଏପରି ଏକ କୋଠରିରେ ପଶିଲି; ଯେଉଁଠାରେକି ତିନିଜଣ ଭଦ୍ରବ୍ୟକ୍ତି ମୋତେ ଅପେକ୍ଷା କରିଥିଲେ । କୋଠରିରେ ପଶିବା ମାତ୍ରେ ମୁଁ ଘାବେରେଇ ଗଲି । ମୁଁ ଚୁପ୍‌ ଚାପ୍‌ ଗୋଟିଏ କୋଣରେ ଠିଆ ହୋଇଗଲି । କିଛି ବେଳଯାଏ ତିନିଜଣଯାକ ମୋତେ ଏପରି ଭାବରେ ଗାରେଡ଼େଇ ଚାହିଁଲେ, ଯେପରିକି ମୁଁ ଗୋଟିଏ ମଣିଷ ନୁହେଁ ବରଂ ଏପରି ମନହେଲା, ଯେପରିକି କିଛିକ୍ଷଣ ପରେ ସେମାନେ ମୋ ଉପରେ ଆକ୍ରମଣ ସୁରୁ କରିଦେବେ । ମୋର ଝାଳ ବୋହିଗଲା । ଆଖି ଆଗରେ ଅନ୍ଧାର ଘୋଟିଗଲା । ଗୋଡ଼ ଏଣେ ତେଣେ ପଡ଼ିବାକୁ ଲାଗିଲା । ମୁଁ ବେହୋସ୍‌ ହୋଇ ଭୂଇଁରେ ପଡ଼ିବା ପୂର୍ବରୁ ଜଣେ ସାହାବ ନୀରବତା ଭାଙ୍ଗି ପଚାରିଲା—“ସିକନ୍ଦର କେବେ ଭାରତ ଉପରେ ଆକ୍ରମଣ କରିଥିଲେ ?”

ମୁଁ ଖନେଇ ଖନେଇ କହିଲି—“ମୋର ଜନ୍ମ ହେବା ପୂର୍ବରୁ ।”

ଏଥିରେ ଇଣ୍ଟର୍‌ଭ୍ୟୁ ବୋର୍ଡ଼ର ସଭ୍ୟମାନେ ଏପରି ହସିଲେ, ଯେପରିକି ସିକନ୍ଦରଙ୍କ ଭାରତ ଆକ୍ରମଣ ପଛରେ ମୋର ହିଁ ହାତ ଥିଲା । ମୁଁ ନିଜକୁ ପରିଷ୍କାର କରିଦେବା ଉଚିତ୍‌ ଭାବି କହିଲି—“ମୁଁ ଆପଣଙ୍କୁ ମିଛ କହୁନି । ମୁଁ ଜନ୍ମହେବା ପରଠାରୁ ସିକନ୍ଦର କେବେହେଲେ ଭାରତ ଆକ୍ରମଣ କରିନାହିଁନ୍ତି ।”

ଏହାପରେ ଆଉ ଜଣେ ସାହାବ ପଚାରିଲେ—“ଆମେରିକାକୁ କଲମ୍ୱସ୍‌ କେବେ ଆବିଷ୍କାର କଲେ ?”

ମୁଁ କହିଲି “ଆମେରିକା ଆବିଷ୍କାରର ତାରିଖ ସହିତ ମୋ ଚାକିରିର ସମ୍ୱନ୍ଧ କଅଣ ? ତେଣୁ ଏପରି ଖାପଛଡ଼ା ପ୍ରଶ୍ନ ପଚାରନ୍ତୁ ନାହିଁ । ମୁଁ ତ ଚାକିରି ଖୋଜି ଆସିଛି । ସିକନ୍ଦର ଆକ୍ରମଣ ଓ ଆମେରିକା ଆବିଷ୍କାର ସଙ୍ଗେ ମୋର ନେଣ ଦେଣେ କଅଣ ଅଛି ?” ଏଥିରେ ଇଣ୍ଟର୍‌ଭ୍ୟୁ ବୋର୍ଡ଼ର ଜଣେ ସଭ୍ୟ ପଚାରିଲେ—“ତୁମ ନାମ କଅଣ ?”

 

ମୁଁ ଖୁବ୍‌ ଖୁସି ହୋଇ ମୋର ନାମ କହି, ଇଣ୍ଟର୍‌ଭ୍ୟୁ ବୋର୍ଡ଼ର ସଭ୍ୟମାନଙ୍କଠାରୁ ଏହିପରି ସହଜ ପ୍ରଶ୍ନ ଆଶା କଲି । କିନ୍ତୁ ନିଜ ନାଆଁ ସେମାନଙ୍କୁ ବତେଇ ମନେ ମନେ ଖୁବ୍‌ ଖୁସି ହେଉଥିଲା ବେଳେ, ଜଣେ ସଭ୍ୟ ପଚାରିଲା—“ଦୁନିଆଁରେ କେତୋଟି ମହାଦେଶ ଅଛି ?” ଏଥିରେ ମୁଁ କହିଲି—“ଆପଣଙ୍କୁ ମହାଦେଶର ସଂଖ୍ୟା ନିଶ୍ଚିତ ଭାବରେ ଜଣାଅଛି, କିନ୍ତୁ ମୋତେ କେବଳ ହଇରାଣ କରିବା ଲାଗି ଏଭଳି ପ୍ରଶ୍ନ ପଚାରୁଛନ୍ତି । କୌଣସି ଦୁଃଖୀ ଲୋକଙ୍କୁ ଏପରି ହଇରାଣ କରିବା ଭଲ କଥା ନୁହେଁ । ସାଫ୍‌ ସାଫ୍‌ କହନ୍ତୁ ମୋତେ ଆପଣ ଚାକିରି ଦେବେ କି ନାହିଁ-। ଅଯଥା ଏପରି ପ୍ରଶ୍ନସବୁ ପଚାରି ମୋତେ ହଇରାଣ କରନ୍ତୁ ନାହିଁ ।”

 

ତା’ପରେ ଜଣେ ସଭ୍ୟ ମୋତେ କହିଲେ—‘‘ତୁମେ ଯାଇପାର ।’’

 

ମୁଁ ପଚାରିଲି—“ତେବେ ମୋତେ କୁହନ୍ତୁ ମୁଁ ଚାକିରିରେ କେବେଠୁ ନିଯୁକ୍ତି ହେବି ?” ସଭ୍ୟ କହିଲେ— “ଆପଣ ଅନ୍ୟ କୌଣସି ସ୍ଥାନରେ ଚାକିରି ଖୋଜନ୍ତୁ । ଆମର ଏପରି ପ୍ରାର୍ଥୀ ଲୋଡ଼ା ନାହିଁ, ଜାହାକୁ କି ମହାଦେଶ ଗୁଡ଼ିକର ସଂଖ୍ୟା ଜଣା ନାହିଁ ।”

 

ମୁଁ ଆହୁରି କିଛି ଯୁକ୍ତି କରିବାକୁ ଚାହୁଁଥିଲି କିନ୍ତୁ ଚପରାଶି ମୋତେ ଖୁବ୍‌ ହେପାଜତ୍‌ରେ ଆଣି ପଦାରେ ଛାଡ଼ିଦେଲା । ବାହାରକୁ ଆସି ଅନୁଭବ କଲି ଯେ ଚାକିରି ସମ୍ୱନ୍ଧରେ ମୁଁ ଯେଉଁ ସ୍ୱପ୍ନ ଦେଖିଥିଲି, ତାହା ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦାରୁଣ ଦୁଃଖପରେ ମୁଁ ବହୁତଦିନ ଯାଏ ଚାକିରି ଖୋଜିବାକୁ ଅସମର୍ଥ ହୋଇଥିଲି । ରାତିରେ ଶୋଇଲେ ସିକନ୍ଦର ଆଜାମ୍‌ଙ୍କର ଆକ୍ରମଣ ମୋ ଉପରେ ସୁରୁ ହୋଇ ଯାଉଥିଲା । ଇଣ୍ଟରଭ୍ୟୁ ବୋର୍ଡ଼ ସଭ୍ୟମାନଙ୍କ ଚେହେରା ମୋ ଆଖି ଆଗରେ ନାଚୁଥିଲା, ଆଉ ମୁଁ ଚିତ୍କାର କରି ବିଛଣାରେ ଉଠି ବସୁଥିଲି ।

 

ଏହି ଘଟଣାର କିଛିଦିନ ପରେ ମୋତେ ଖବର କାଗଜରେ ଆଉ ଗୋଟିଏ ବିଜ୍ଞାପନ ଦେଖାଗଲା । ଲେଖାଗଲା—“ଜଣେ ବାବୁଙ୍କର ଏକ ଶିକ୍ଷକ ଦରକାର, ଯିଏ କି ତାଙ୍କ ପିଲାମାନଙ୍କୁ ଘରେ ପଢ଼େଇବ ।” ଆଶାର ଏଇଟା ଶେଷ କିରଣ ଥିଲା । ତେଣୁ ମୁଁ ଖୁବ୍‌ ଆଶା ନେଇ ସେ ଭଦ୍ରଲୋକଙ୍କ ଦ୍ୱାରରେ ପହଞ୍ଚିଲି । ସେ ମୋତେ ଯାଞ୍ଚ କରି ପଚାରିଲେ—“ଆପଣ କେଉଁ ବିଷୟରେ ଆସିଛନ୍ତି । ମୁଁ କହିଲି—“ଆପଣଙ୍କ ତରଫରୁ ଖବର କାଗଜରେ ଶିକ୍ଷକ ଦରକାର ବୋଲି ବାହାରିଥିଲା । ସେହି ସମ୍ପର୍କରେ ମୁଁ ଆସିଛି ।”

 

ଏଥିରେ ସେ ବାବୁ କହିଲେ—“ବଜାରରୁ ସଉଦା ଆଣି ପାରିବ ?”

 

ମୁଁ କହିଲି—“ନିଶ୍ଚୟ ଆଣି ପାରିବି ।” ସେ ପୁଣି ପଚାରିଲେ, “ଘରର କାମଧନ୍ଦା କରି ପାରିବ ?” ମୁଁ କହିଲି, “ଦରକାର ପଡ଼ିଲେ ଏହା ମଧ୍ୟ କରି ପାରିବି ?” ସେ ପଚାରିଲେ, “ତୁମକୁ ରୋଷେଇ କରି ଆସେ ?”

 

ମୁଁ କହିଲି—“ଆଜ୍ଞା ନା” । ଏହା ଉତ୍ତରରେ ସେ କହଲେ, “ତେବେ ମୁଁ ତୁମକୁ ନିଯୁକ୍ତି କରିପାରିବି ନାହିଁ । ମୁଁ ଅନ୍ୟ ଗୋଟିଏ ଶିକ୍ଷକ ଖୋଜି ନେବି ।” ମୁଁ ପଚାରିଲି—“ହଜୁର୍‌ ମୁଁ ବୁଝିପାରୁନି ଶିକ୍ଷକ କର୍ତ୍ତବ୍ୟ ସହିତ ସଉଦା ଆଣିବା ଆଉ ରୋଷେଇ କରିବାର ସମ୍ୱନ୍ଧ କଅଣ ?” ସେ କହିଲେ—“ଶିକ୍ଷକ ତ ଗୋଟିଏ ବାହାନା । ମୋତେ ଏଭଳି ଲୋକ ଦରକାର, ଯେ କି ଘରର କାମଧନ୍ଦା କରିବ, ବଜାରରୁ ସଉଦା ଆଣିବ ଏବଂ ସମୟ ବଳିଲେ ପିଲାମାନଙ୍କୁ ପଢ଼େଇବ ।”

 

ମୁଁ ସବୁକିଛି କରିପାରିବି କିନ୍ତୁ ବି: ଏ: ଡିଗ୍ରୀର ଅପମାନ ମୁଁ ସହି ପାରିବିନି ।

 

ଏଣୁ ଆଜିଯାଏ ଚାକିରି ଖୋଜାରେ ସାରାଦିନ ସଡ଼କରେ ବୁଲିଛି କିନ୍ତୁ ପ୍ରତି ଜାଗାରେ ‘ଖାଲି ନାହିଁ’ର ବୋର୍ଡ଼ ହିଁ ଦେଖା ଯାଉଛି । ଘରେ ଓ ପରିବାର ଭିତରେ ସବୁଆଡ଼ୁ ମୁଁ ବେଜିତ୍‌ ହୋଇ ସାରିଲାଣି । ସମସ୍ତେ ମୋତେ ନିନ୍ଦା କରୁଛନ୍ତି । ସାରାଦିନ ଚାକିରି ଖୋଜା ପରେ, ଯେବେ ସନ୍ଧ୍ୟାରେ ହତାଶ ହୋଇ ଘରକୁ ଫେରେ, ସେତେବେଳେ ମୋ ଆଗରେ ଖାନା ଏଭଳି ଥୁଆହୁଏ, ଯେପରିକି ଏ ଘରର ମୁଁ ଜଣେ ଲୋକ ନୁହେଁ ବରଂ ଏକ ଅନିମନ୍ତ୍ରିତ ଅତିଥି । ଚୋରଙ୍କ ପରି ମୁଁ ନିଜ ଘର ଲୋକଙ୍କଠାରୁ ମୁହଁ ଲୁଚେଇ ବୁଲିଛି । ଘରୁ ବାହାରିବା ମାତ୍ରେ ସାହି ପିଲାମାନେ ମୋ ପଛରେ ନାନା ପ୍ରକାର ବୋଲି କରନ୍ତି ବରଂ ଅନେକ ଟେକା ପକାଇବାକୁ ଛାଡ଼ନ୍ତି ନାହିଁ । ତଥାପି ମୁଁ ଆଜିଯାଏ ସାହସ ହରେଇ ନାହିଁ । ମୁଁ ସେହି ଦିନର ଅପେକ୍ଷାରେ ଅଛି, ଯେଉଁଦିନ କି ମୋତେ ସତରେ ଚାକିରି ମିଳିଯିବ; ଆଉ ସେହି ଲୋକମାନଙ୍କଠାରୁ ପ୍ରତିଶୋଧ ନେବି, ଯେଉଁମାନେ କି ମୋର ବେରୋଜଗାରୀର ଫାଇଦା ଉଠେଇ ମୋର ନିନ୍ଦା କରିଛନ୍ତି । ଦେଖାଯାଉ ଓଟ କେଉଁ କଡ଼ ମାଡ଼ି ବସୁଛି ! ବସୁଛି କି ନାହିଁ କେଜାଣି କାରଣ, ମୋ ଭାଗ୍ୟରେ ଏ ଓଟ ଗତ ଦଶବର୍ଷ ହେଲା ଠିଆ ହୋଇ ରହିଛି ।

Image

 

ଡାଇରେକ୍‌ଟରଙ୍କ କୁକୁର

 

ସେ ଥିଲା ଡାଇରେକ୍‌ଟରଙ୍କ କୁକୁର । ଡାଇରେକ୍‌ଟରଙ୍କ ପରି ସେ ବି ଥିଲା ହିଂସ୍ର ଓ ବଦ୍‌ରାଗୀ । ଯେତେହେଲେ ତ ସେ ଡାଇରେକ୍‌ଟରଙ୍କ ସଙ୍ଗରେ ଚଳପ୍ରଚଳ ହେଉଥିଲା । ତାର ନାଆଁ କଅଣ ଥିଲା, ତାହା କେହି ଜାଣିନଥିଲେ । ‘ଡାଇରେକ୍‌ଟରଙ୍କ କୁକୁର’ ନାଆଁରେ ସେ ପରିଚିତ ଥିଲା । ଏକେତ କୁକୁର, ସେଥିରେ ପୁଣି ଡାଇରେକ୍‌ଟରଙ୍କ କୁକୁର ! ଏକେତ କଲରା ପିତା, ସେ ପୁଣି ମାଡ଼ିଛି ନିମ ଗଛରେ । ପତ୍ରସ୍‌ବୋଖାରିଙ୍କ (ଜଣେ ଉର୍ଦ୍ଦୁ ହାସ୍ୟ ଲେଖକ) କହିବା ଅନୁଯାୟୀ ସେ ଥିଲା ‘କୁକୁର ଭଳି କୁକୁର ଟାଏ । ଡାଇରେକ୍‌ଟର୍‌ କାର୍‌ରେ ଅଫିସ୍‍କୁ ଆସିଲାବେଳେ, ସେ ତାଙ୍କ ପଛ ସିଟରେ ବସି ଅଫିସ୍‍ର ମହିଳା କିରାଣିମାନଙ୍କୁ ଦେଖି ନାଳ ଗଡ଼ାଉଥାଏ । କାର୍‌ ଡାଇରେକ୍‌ଟର୍‌ଙ୍କୁ ଛାଡ଼ି କୁକୁରକୁ ଫେରାଇ ନେଉଥିଲା । ଡାଇରେକ୍‌ଟର କୁକୁରକୁ କାହିଁକି ଆଣୁଥିଲେ, ତାହା କେହି ବୁଝିପାରୁ ନଥିଲେ । କେତେଜଣ ଭାବୁଥିଲେ, ଡାଇରେକ୍‌ଟର୍‌ ନିଜର ବ୍ୟକ୍ତିତ୍ୱରେ କୁକୁରକୁ ମିଳାଇ ନିଜର ଗୁରୁତ୍ୱ ବଢ଼ାଇବା ଚାହୁଁଥିଲେ । ସେ କଥା ଭଗବାନଙ୍କୁ ଜଣା ।

 

କିନ୍ତୁ ମୋର ଏ ବିଷୟରେ ଭିନ୍ନ ମତ ଥିଲୋ । ମୋର କହିବା କଥା, କୁକୁରଠାରେ ପ୍ରକୃତରେ କିଛି ନାହିଁ । ଯଦି କୁକୁରର କୁକୁରତ୍ୱରୁ ଡାଇରେକ୍‌ଟରଙ୍କୁ ଅଲଗା କରିଦିଆଯାଏ, ତେବେ ସେ କୁକୁରର କେବଳ ଲାଞ୍ଜଟି ରହିଥିବ, ଯାହାକି ଆମମାନଙ୍କ ଭଳି ରାମଦାମଙ୍କ ଆଗରେ ହଲୁଥିବ । ଏହି କୁକୁରର ଲାଞ୍ଜ ଛଡ଼ା ଆଉ ଯାହାକିଛି ଅଛି; ତାହା ହେଉଛି ‘ଡାଇରେକ୍‌ଟରଗିରି’ । ଏହି କଥାକୁ ପ୍ରମାଣ କରିବାପାଇଁ ମୁଁ ଡାଇରେକ୍‌ଟରଙ୍କ ବ୍ୟକ୍ତିଗତ ସହକାରୀଙ୍କ ବିଷୟରେ କହେକି, କେବେ କେବେ ସେ (ବ୍ୟକ୍ତିଗତ ସହକାରୀ) ସେହି କୁକୁରଠାରୁ ଯେ ବେଶି ହିଂସ୍ର ଦେଖାଯାଆନ୍ତି, ତାହାନୁହେଁ ବରଂ ଭଲକରି ଦେଖିଲେ ତାଙ୍କର ମୁନିଆଁ ଦାନ୍ତ ଓ ଅନିଷ୍ଟକାରୀ ପଞ୍ଝାଛଡ଼ା ତାଙ୍କର ଲାଞ୍ଜ ମଧ୍ୟ ଦିଶିଯାଏ । ତାପରେ ମୋର ଯୁକ୍ତିକୁ ଅଧିକ ଦୃଢ଼ କରିବାପାଇଁ ମୁଁ ମୋ ନିଜ କୁକୁରର ପ୍ରମାଣ ଦେଉଥିଲି ଯେ, ସେ ଏପରି ଏକ ଆଲସିସିଆନ କୁକୁର, ଯାହାର କୁଳୀନତା ସମ୍ପର୍କରେ ଟିକିଏ ବି ସନ୍ଦେହ କରାଯାଇ ନ ପାରେ କିନ୍ତୁ ମୋପରି ଏକ ସାଧାରଣ କର୍ମଚାରୀର କୁକୁର ହୋଇଥିବାରୁ ବସ୍ତିର ଛୋଟ ଛୋଟ ପିଲାମାନେ ସାରାଦିନଧରି ତା ଳାଞ୍ଜରେ ଝୁଲୁଥାନ୍ତି । କୁକୁର ପୋଷିବାରେ କେବଳ କୁକୁରର ବଂଶମର୍ଯ୍ୟାଦା ନୁହେଁ ବରଂ ଯେ କୁକୁର ପାଳୁଛି ତା’ର କୁଳୀନତା ସମ୍ପର୍କରେ ମଧ୍ୟ ଗବେଷଣା ହେବା ଉଚିତ୍‌ । ଜଗତରେ କୌଣସି ଜିନିଷ ଅସଲି ନୁହେଁ । ମୋର ଏହି କୁକୁର ଯଦି ପିତୃମାତୃ ଉଭୟ କୁଳର ଗୌରବସମ୍ପନ୍ନ କୁକୁର ହୋଇଥା’ନ୍ତା; ତେବେ ତା’ର କେତେ ସମ୍ମାନ ଥା’ନ୍ତା ଦେଖନ୍ତେ । ମଣିଷର ବଡ଼ ସାନ ଗୁଣ, ପରେ କୁକୁରମାନଙ୍କର ବଡ଼ ସାନର କାରଣ ହୋଇଥାଏ ।

 

ଡାଇରେକ୍‌ଟରଙ୍କ କୁକୁର ବିଷୟରେ କଥା ପଡ଼ିଥିଲା; ମୁଁ ଅନ୍ୟ କୁକୁର ବିଷୟରେ ଭୁକିବା ଆରମ୍ଭ କରିଦେଲିଣି । ଦିନେ ଏପରି ହେଲା ଯେ ଡାଇରେକ୍‌ଟର ନିଜ କାର୍‌ରୁ ଓହ୍ଲାଇ ଅଫିସ୍ ଭିତରକୁ ଚାଲିଗଲା ବେଳେ, ଏ କୁକୁର କୌଣସି ପ୍ରକାରେ ବାହାରକୁ ଖସିଗଲା । ଡ୍ରାଇଭର ଯୋଶେଫ୍‌ ଫେରି ଦେଖିଲା, କୁକୁର ଉଭାନ୍‌ ! ଡ୍ରାଇଭରର ଝାଳ ବୋହିଗଲା । କୁକୁର ହଜିଗଲେ, ତା ଚାକିରି ବି ଚାଲିଯିବ । ଦୈବାତ୍‌ ବର୍ମାଜୀ ସେ ସମୟରେ ଅଫିସ୍ ଭିତରେ ପଶୁଥିଲେ । ସେ ପାଟିକରି କହିଲେ, “ଭାଇ, ଡାଇରେକ୍‌ଟର ସାହେବଙ୍କ କୁକୁର ଫିଟିଗଲା; ତାକୁ ଧରିବାକୁ ଚେଷ୍ଟାକର ।”

 

ବର୍ମାଜୀ ପ୍ରୌଢ଼ ବୟସର ଜଣେ ‘ମଣିଷ ଓ କିରାଣିମିଶା’ ଜୀବଟିଏ ଥିଲା । ଦଶବର୍ଷ ହେଲା ତାଙ୍କର ପଦୋନ୍ନତି ହୋଇନଥିଲା । ତାଙ୍କ ସି.ସି.ଆର୍‌ରେ ଦୋଷ ଥିଲା । ସବୁ ଅଫିସରମାନେ ଲେଖିଥିଲେ ଯେ କିଛି କାମ କରିବା ଜାଣନ୍ତି ନାହିଁ । ବହୁ ଚେଷ୍ଟା ଓ ସୁପାରିଶ୍ ବଳରେ ସେ ଏବେ ନିଜ ପଦୋନ୍ନତି ବିଷୟରେ ନିଜ ଫାଇଲ୍‌ଟିକୁ ଡାଇରେକ୍‌ଟରଙ୍କ ପାଖକୁ ପଠାଇଲେ । ସେ ଫାଇଲ୍‌ଟି ତାଙ୍କ ଟେବୁଲ ଉପରେ ବିଚାରାଧୀନ ଥିଲା; ଡାଇରେକ୍‌ଟରଙ୍କ କୁକୁର ହଜିଯିବା ଖବର ପାଇବାମାତ୍ରେ ତାଙ୍କ କାନ ଠିଆହୋଇଗଲା । ସେ ବିଚାରିଲେ ପଦୋନ୍ନତି ବିଷୟଟିକୁ ପକ୍‌କା କରିବାପାଇଁ ଏହାଠାରୁ ଅଧିକ ସୁନ୍ଦର ସୁଯୋଗ ଆଉ ନାହିଁ । ଅଫିସରମାନେ ସେ କୌଣସି କାମ କରିବା ଜାଣିନଥିବା ବିଷୟରେ ହଜାରେ ଲେଖିଲେବି, ଡାଇରେକ୍‌ଟରଙ୍କ କୁକୁରକୁ ଧରି ପ୍ରମାଣ କରିଦେବେ ଯେ ସେ ଗୋଟାଏ କାମ ତ କରିପାରିବେ । ସେ ଚିନ୍ତାକଲେ, “ଏ ସବୁ ଦୈବଯୋଗରୁ ହେଉଛି-କାର୍‌ ଭିତରୁ କୁକୁର ପଳେଇବା, ପଦୋନ୍ନତି ଫାଇଲ ଡାଇରେକ୍‌ଟରଙ୍କ ପାଖରେ ପହଞ୍ଚିବା, ଆଉ ଠିକ୍‌ ସମୟରେ ତାଙ୍କର ଅଫିସ୍‌ ଭିତରେ ପଶିବା; ଏ ସବୁରୁ ପ୍ରମାଣ ମିଳୁଛି ଯେ ଭଗବାନ ତାଙ୍କ ପଦୋନ୍ନତିର ବିଚାର କରୁଛନ୍ତି ।

 

ଡାଇରେକ୍‌ଟରଙ୍କ ଡ୍ରାଇଭର ପୁଣିଥରେ ପାଟିକରି କହିଲା—“ଭାଇମାନେ ଡାଇରେକ୍‌ଟର ସାହେବଙ୍କ କୁକୁର ପଳେଇଯାଇଛି । ତୁମେମାନେ ତାକୁ ଧରିବାକୁ ଚେଷ୍ଟାକର, ନହେଲେ ମୋ ଚାକିରି ଉପରକୁ ବିପଦ ଆସିଯିବ ।”

 

ବର୍ମାଜୀ ପାଟିକରି ଉତ୍ତର ଦେଲେ—“ଯୋଶେଫ୍‌ ! ତୁମେ ଏ ବିଷୟରେ ଏତେ ହାଲା କରନାହିଁ । ମୁଁ ଏକୁଟିଆ ଏ କୁକୁରକୁ ଧରିନେବି । କେବଳ ତୁମ ଚାକିରି ନୁହେଁ, ମୋ ପଦୋନ୍ନତିର ପ୍ରଶ୍ନ ମଧ୍ୟ ଏଥିରେ ଅଛି ।” କିନ୍ତୁ ସେତେବେଳକୁ ଯୋଶେଫ୍‌ର ଚିତ୍କାର ନଟରାଜନଙ୍କ କାନରେ ପଡ଼ିଯାଇଥିଲା । ନଟରାଜନ ହେଉଛି ଅଫିସର ଆକାଉଣ୍ଟାଣ୍ଟ ଏବଂ ହିସାବରେ କିଛି ଗଣ୍ଡଗୋଳପାଇଁ ତା ସମ୍ୱନ୍ଧରେ ଅନୁସନ୍ଧାନ ଚାଲିଥିଲା । ସେତେବେଳକୁ ତା ଫାଇଲ ଡିରେକ୍‌ଟରଙ୍କ ଟେବୁଲ ଉପରେ ବିଚାରଧୀନ ଥିଲା ।

 

ନଟରାଜନ ପାଟିକରି କହିଲା—“ଯୋଶେଫ୍‌ ! କିଛି ଚିନ୍ତାନାହିଁ । ମୁଁ ଏ କୁକୁରକୁ ଧରିବି-। ଡାଇରେକ୍‌ଟର୍‌ଙ୍କ କୁକୁରଲାଗି ମୁଁ ମୋ ଜୀବନ ଦେଇଦେବି । ସେଥିପାଇଁ ମୋର ଶେଷ ରକ୍ତବିନ୍ଦୁ ମଧ୍ୟ ଦେବି । ଯେଉଁଠି ଯେଉଁଠି ଏହାର ଝାଳ ବୋହି ତଳେ ପଡ଼ିଥିବ, ସେଇଠି ସଇଠି ମୁଁ ମୋର ରକ୍ତ ବୁହାଇଦେବି ।” ସେ ନିଜ ଥଳି ତଳେ ଥୋଇଦେଇ, କମ୍ପାଉଣ୍ଡ ଭିତରେ ଧାଇଁଲେ ।

 

ବର୍ମାଜୀ ପାଟିକରି କହିଲେ, “ନଟରାଜନ ! ହିସାବରେ ଗଣ୍ଡଗୋଳ କଲେ ପଛେ କର କିନ୍ତୁ କୁକୁର ଧରିବା ବିଷୟରେ ଗଣ୍ଡଗୋଳ କରନାହିଁ । ଯୋଶେଫ୍‌ ମୋତେ ପ୍ରଥମେ କୁକୁର ଧରିବାକୁ କହିଥିଲା । ମଝିରେ ତୁମେ ଆସୁଛ କାହିଁକି ?”

 

ନଟରାଜନ କହିଲେ—“ମୁଁ ଜାଣେ, ତୁମ ପଦନ୍ନୋତି ଫାଇଲ୍‌ ଡାଇରେକ୍‌ଟର୍‌ଙ୍କ ଟେବୁଲ ଉପରେ ଅଛି କିନ୍ତୁ ୟାବି ଜାଣିଥାଅ ଯେ ମୋ ବିଷୟରେ ଯେଉଁ ଅନୁସନ୍ଧାନ ଚାଲିଛି, ତାର ଫାଇଲ୍‌ ବି ଡାଇରେକ୍‌ଟରଙ୍କ ଟେବୁଲ ଉପରେ ଅଛି । କୁକୁରକୁ ଧରିବାର ଦାବି ତୁମର ଯେତିକି ଅଛି, ମୋର ମଧ୍ୟ ସେତିକି ଅଛି । ଆଉ ଏକା ତୁମେ କଅଣ କୁକୁର ଧରିବାର ଠିକା ନେଇଛ ?”

 

ଏହିପରି ତିନିଜଣଯାକ କମ୍ପାଉଣ୍ଡ ଭିତରେ ଧାଇଁବାକୁ ଲାଗିଲେ । କୁକୁରର ଚଞ୍ଚଳତା ଓ ଆସ୍ୱସ୍ତିବୋଧରୁ ଜଣାଯାଉଥିଲା ଯେ, ସେ ଗୋଟିଏ ଖୁମ୍ୱ ଖୋଜୁଛି ।

 

ବର୍ମାଜୀ ଯୋଶେଫ୍‌କୁ କହିଲେ—“ମନେ ହେଉଛି ବିଚରା କୁକୁରଟି ପରିସ୍ରା କରିବାକୁ ଚାହୁଁଛି କିନ୍ତୁ ତାକୁ ଖୁମ୍ୱଟାଏ ମିଳୁନି । ତୁମେ ଆଉ ନଟରାଜନ୍‌ ଏଇଠି ରୁହ । ମୁଁ ମୋ ଗୋଡ଼କୁ ଖୁମ୍ୱଭଳି ତା ସାମନାରେ ରଖିଦେବି ।”

 

ନଟରାଜନ୍‌ କହିଲା—“ନା ଏହା ହୋଇପାରିବନି, ମଁ ତାକୁ ପରିସ୍ରା କରିବାର ସୁବିଧା ନଦେଇ, ଧରିବି ।”

 

ବର୍ମାଜୀ କହିଲେ,“ତୁମେତ କଂସେଇଠାରୁ ଅଧିକ ନିଷ୍ଠୁର ଜଣାଯାଉଛ । କଂସେଇ କୌଣସି ଜୀବକୁ ମାରିବା ପୂର୍ବରୁ ତାକୁ ପାଣି ପିଆଇଦିଏ । ଯଦି ତୁମେ ତାକୁ ପରିସ୍ରା କରିବାକୁ ସୁବିଧା ନଦିଅ, ମୁଁ ଡାଇରେକ୍‌ଟର ସାହେବଙ୍କ ପାଖରେ ଅଭିଯୋଗ କରିବି ।” ଏହାକହି ବର୍ମାଜୀ କୁକୁର ଆଗରେ ଗୋଡ଼ ରଖିବାକୁ ଗଲେ । ନଟରାଜନ୍‌ ପଛଆଡ଼ୁ ତାଙ୍କ ଅଣ୍ଟାକୁ ଧରିପକେଇ, ନିଜଆଡ଼କୁ ଟାଣିବାକୁ ଲାଗିଲେ । କୁକୁର ଏମାନଙ୍କ କାର୍ଯ୍ୟ ଦେଖି ହୁସିଆର ହୋଇ ପଳେଇଗଲା-। ତିନିଜଣଯାକ କୁକୁର ପଛରେ ଧାଇଁଲେ । ଏ ଦଉଡ଼ରେ ଏପରି ଏକ ସ୍ଥାନ ଆସିଗଲା, ଯେଉଁଠାରେ କି ନଟରାଜନ ସହଜରେ କୁକୁରକୁ ଧରିପକେଇ ଥାଆନ୍ତେ । ତାଙ୍କ ହାତ କୁକୁର ବେକ ପଟିରେ ପଡ଼ିଛି କି ନାହିଁ, ଏହି ସମୟରେ ବର୍ମାଜୀ ତାଙ୍କ ଗୋଡ଼ ଦିଟାକୁ ନିଜ ଗୋଡ଼ରେ ଏପରିଭାବରେ ଛନ୍ଦିଦେଲେ ଯେ, ନଟରାଜନ ଦୁମ୍‌କରି ମୁହଁମାଡ଼ି ପଡ଼ିଗଲେ ।

 

ବର୍ମାଜୀ ଛାତ୍ରାବସ୍ଥାରେ ଏକ ଭଲ ଫୁଟ୍‌ବଲ୍‌ ଖେଳାଳି ଥିଲେ । ପିଲାଦିନର ଅଭିଜ୍ଞତା ସବୁ କେବେହେଲେ ବେକାର ହୋଇଯାଏ ନାହିଁ । ନଟରାଜନ୍‌ଙ୍କ ମୁହଁରୁ ଅଚାନକ ରକ୍ତ ବାହାରିବାକୁ ଲାଗିଲା । ସେ ପାଟିକରି କହିଲେ—“ବର୍ମାଜୀ ଆପଣ କୁକୁରକୁ ଧରୁଛନ୍ତି ନା ଫୁଟ୍‌ବଲ ଖେଳୁଛନ୍ତି ? ଫୁଟବଲ୍‌ ଖେଳିବାବେଳେ ପଛେ ଆପଣ ଫାଉଲ୍‌ କରିପାରନ୍ତି କିନ୍ତୁ କୁକୁର ଧରିବା କାମ ବେଳେ ଫାଉଲ୍‌ ବିଲ୍‌କୁଲ୍‌ ଚଳିବ ନାହିଁ ।”

 

ନଟରାଜନ୍‌ ମୁହଁରୁ ରକ୍ତ ବାହାରୁଥିବା ଦେଖି ବର୍ମାଜୀ କହିଲେ—“ନଟରାଜନ୍‌ ! ତୁମେ ତ କହିଥିଲ କୁକୁରକୁ ଧରିବାପାଇଁ ଶେଷରକ୍ତବିନ୍ଦୁ ବୁହାଇ ଦେବ କିନ୍ତୁ ଦେଖାଯାଉଛି ତୁମେ ପ୍ରଥମ ରକ୍ତବିନ୍ଦୁରୁ ଘାବରେଇ ଗଲଣି ।”

 

ନଟରାଜନ୍‌ କହିଲା, “ବର୍ମାଜୀ ! ମୁଁ ଏତେ ଶୀଘ୍ର ସାହାସ ହରେଇଲାବାଲା ନୁହେଁ । ମୋ ପୂର୍ବପୁରୁଷମାନେ ଶ୍ରୀରଙ୍ଗପଟନମ୍‌ ଲଢ଼େଇରେ ଇଂରେଜ ବିରୁଦ୍ଧରେ ନିଜ ଜୀବନପଣ କରି ଦେଇଥିଲେ । ମୋ ଧମନୀରେ ସେହି ଶୁଦ୍ଧରକ୍ତ ବୋହୁଛି । ମୁଁ ଏ କୁକୁରକୁ ଧରିବି । ତା’ପରେ ଯାଇ ଦମ୍‌ ନେବି ।”

 

ଏଇ ସମୟ ମଧ୍ୟରେ ସାରା ଅଫିସ୍‍ରେ ଏ ସମ୍ୱାଦ ନିଆଁ ଲାଗିଲା ଭଳି ଠ ବୁଲିଗଲା ଯେ, ଡାଇରେକ୍‌ଟରଙ୍କ କୁକୁର ଖସି ପଳେଇଚି । ସବୁ କର୍ମଚାରୀ ଓ କିରାଣି ନିଜ ନିଜ କୋଠରିରୁ ବାହାରି ଆସିଲେ ଏବଂ ନିଜ ନିଜର ଦୁର୍ବଳତା ଅନୁଯାୟୀ ଏହାକୁ ଧରିବାକୁ ଧାଇଁବାକୁ ଲାଗିଲେ । କିନ୍ତୁ ଏ ଅଭିଯାନରେ ବର୍ମାଜୀ ସବୁଠାରୁ ଆଗରେ ଥିଲେ । ଜଣାପଡ଼ୁଥିଲା ପଦୋନ୍ନତିର ଏ ସୁଯୋଗକୁ ସେ ଜମା ହାତଛଡ଼ା କରିବେନି । ସେ ଏକ ଲମ୍ୱା ଲମ୍ଫ ପ୍ରଦାନ କରି ଏହାକୁ ଧରିବାକୁ ଚେଷ୍ଟା କଲେ । କିନ୍ତୁ କୁକୁର ଖୁବ୍‌ ଚତୁର ଥିଲା । ସେ ହଠାତ୍‌ ତାଙ୍କ ପ୍ୟାଣ୍ଟ୍‌ର ଡାହାଣ ପଟ ମହୁରୀକୁ ନିଜ ଦାନ୍ତରେ ଧରି ପକେଇଲା । କୁକୁରଟା ଥିଲା ଖୁବ୍‌ ପ୍ରଚଣ୍ଡ । ସେ ଗୋଟାଏ ଝିଙ୍କାରେ ବର୍ମାଜୀଙ୍କ ପ୍ୟାଣ୍ଟର ମହୁରିର ସମ୍ପର୍କକୁ ପ୍ୟାଣ୍ଟର ଅନ୍ୟ ଅଂଶଠାରୁ ବିଚ୍ଛିନ୍ନ କରିନେଲା । କିନ୍ତୁ ବର୍ମାଜୀ ତେବେବି ନିରାଶ ବା ଲଜ୍ଜିତ ହେଲେନାହିଁ । ସେ କହିଲେ,“ଆଚ୍ଛା, ଏ କୁକୁର ହୁସିଆରୀ ଦେଖ, କେତେ ବୁଦ୍ଧିମାନ ଇଏ । ସେ ମୋର ପ୍ୟାଣ୍ଟର ସେହି ମହୁରି ଟାଣିଚି, ଯୋଉଥିରେ ଚାରିପାଞ୍ଚଟା ତାଳି ପଡ଼ିସାରିଚି । ଆହା କେତେ ଚତୁର ଏ କୁକୁର ! ମୁଁ ତା ଚତୁରତା ଆଗରେ ନିଜକୁ ସଅଁପି ଦେବି । ଆଉ ବାସ୍ତବରେ ବର୍ମାଜୀ ନିଜ ମୁଣ୍ଡ ଦୁଇପଟେ ହାତ ଆଙ୍ଗୁଠି ଫୁଟାଇ କୁକୁର ପ୍ରତି ନିଜ ସ୍ନେହ ପ୍ରକାଶ କଲେ ।

 

କୁକୁରର ମନରେ କଅଣ ଆସିଲା କେଜାଣି, ସେ ହଠାତ୍‌ କମ୍ପାଉଣ୍ଡରୁ ବାହାରିଯାଇ ରିସେପ୍‌ସନିଷ୍ଟ ରୁମ୍‌ରେ ପଶିଗଲା । ଦପ୍ତରର ରିସେପ୍‌ସନିଷ୍ଟ ଗୋଟିଏ ସୁନ୍ଦରୀ ତରୁଣୀ । ସେ ସାରାଦିନ ନିଜର ଚେହେରା ସଜାଡ଼ିବାରେ ଲାଗିଥାଏ । କେହି ଲୋକ ତା କାଉଣ୍ଟର୍‌ ପାଖକୁ ଆସିଗଲେ, ସେ ଗୋଟିଏ ଟୁଥ୍‌ପେଷ୍ଟ କମ୍ପାନୀର ଜିଅନ୍ତା ବିଜ୍ଞାପନ ବନିଯାଉଥିଲା, ସେ ଯଦି ହସି କାହାକୁ ସ୍ୱାଗତ କରୁଥିଲା, ତେବେ ଲୋକେ ସେମାନଙ୍କର ଆସିବାର କାରଣ ଭୁଲିଯାଉଥିଲେ । ଦପ୍ତର ଓ ଆଗନ୍ତୁକଙ୍କ ମଝିରେ ରିସେପ୍‌ସନିଷ୍ଟର ହସ କାନ୍ଥ ପରି ଠିଆ ହୋଇଥିଲା । ବହୁତ କେସ୍‌ ସେ କେବଳ ତ ସ୍ମିତହାସ୍ୟରେ ମିଟେଇ ଦେଉଥିଲା । ଦପ୍ତରର ପ୍ରବେଶ ଦ୍ୱାରରେ ତା’ର ହସ ଗୋଲକୁଣ୍ଡା କିଲ୍ଲା ଦ୍ୱାର ଦେଶରେ ଅବଦୁଲ ରଜାଙ୍କର ଲସିପରି ଥିଲା । ସେ ହସକୁ ଅତିକ୍ରମ କରିବା ଏକ ଦୁଃସାଧ୍ୟ କାର୍ଯ୍ୟ ଥିଲା । କୁକୁର ତା କାଉଣ୍ଟରରେ ପହଞ୍ଚିଲା ବେଳେ, ସେ ପୂର୍ବପରି ନିଜର ଭ୍ରୁଲତାକୁ ଆହୁରି କଲି କରିବା ପରେ, ଲିପ୍‌ଷ୍ଟିକ୍‌ ସାହାଯ୍ୟରେ ଓଠକୁ ଆହୁରି ଲାଲ୍ କରିବାରେ ବ୍ୟସ୍ତ ଥିଲା । କୁକୁରକୁ ଦେଖିବାମାତ୍ରେ ତାର ଐତିହାସିକ ହସ ହଠାତ୍‌ ଉଭାନ୍‌ ହୋଇଗଲା ଏବଂ ଆଖି ଧିରେ ଧିରେ ପଦାକୁ ବାହାରିବାକୁ ଲାଗିଲା । ସେ ଡରିଯାଇ କାଉଣ୍ଟର ଉପରକୁ ଚଢ଼ିଗଲା । କୁକୁର ପଛେ ପଛେ ଦପ୍ତରର ଅନ୍ୟାନ୍ୟ ଲୋକ କାଉଣ୍ଟରରେ ଆସି ପହଞ୍ଚିଗଲେ । ରିସେପ୍‌ସନିଷ୍ଟର ବ୍ୟସ୍ତତା ଦେଖି ସେକ୍‌ସନ୍‌ ଅଫିସର ଜମାଲୂଦ୍ଧିନ୍‌ କହିଲା, “ମାଡାମ୍‌, ବ୍ୟସ୍ତ ହେବାର କିଛିନାହିଁ । ଏଇ ହଉଚି ଡାଇରେକ୍‌ଟର ସାହେବଙ୍କ କୁକୁର । ତୁମେ ତୁମର ହସ ଏମିତି ଆରମ୍ଭ କର, ଯେମିତିକି କୁକୁରଟା ବି ମୁଗ୍‌ଧ ହୋଇଯିବ; ଆଉ ଆମେ ତାକୁ ସହଜରେ ଧରିନେଇ ପାରିବା ।

 

କିନ୍ତୁ ଆଶୁକବିଙ୍କ ଭଳି ଯୋଉ ହସ ସର୍ବଦା ତା ମୁହଁରେ ଫୁଟିଉଠୁଥିଲା, ତାହା କୁଆଡ଼େ ଉଭେଇଗଲା ।

 

କିନ୍ତୁ କୁକୁରର ନାରୀପ୍ରତି କିଛି ‘ଦୁର୍ବଳତା’ ଥିଲା ବୋଧହୁଏ କିମ୍ୱା ସେଇଟା ଆନ୍ତର୍ଜାତିକ ନାରୀବର୍ଷ ପାଳନ କରାଯାଉଥିବା କଥା ଭାବି, ସେ ସେଠୁ ପଳେଇଗଲା; ଆଉ ଝରକା ଉପରବାଟେ ଡେଇଁ; ପରିଚାଳନା ବିଭାଗ କୋଠରିରେ ପଶିଗଲା । ସେକ୍‌ସନ୍‌ ଅଫିସର କୁଳକର୍ଣ୍ଣିବାବୁଙ୍କୁ କୁକୁର ପଳେଇଯିବା ଖବର ଅବଶ୍ୟ ମିଳିଯାଇଥିଲା କିନ୍ତୁ ଏହାକୁ ଧରିବାରେ ସକ୍ରିୟ ଭାଗନେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା କାରଣ, ଠିକ୍‌ ବାରଟାବେଳେ ତାଙ୍କର ଏକ ଜରୁରି ଫାଇଲ ଡାଇରେକ୍‌ଟରଙ୍କ ପାଖରେ ଦାଖଲ କରିବାର ଥିଲା; ଆଉ ବାରଟା ବାଜିବାକୁ ମାତ୍ର ଅଧ ଘଣ୍ଟାଏ ବାକି । କୁକୁର କୁଳକର୍ଣ୍ଣିଙ୍କ କୋଠରିକୁ ଆସିବାମାତ୍ରେ, ସେ ସସମ୍ମାନେ ଠିଆ ହୋଇପଡ଼ିଲେ । ପ୍ରଥମେ ତ କୁକୁର ଟେବୁଲ ଉପରକୁ କୁଦିପଡ଼ିଲା, ଆଉ ଟେବୁଲ ଉପରେ ପଡ଼ିଥିବା ସେଇ ଫାଇଲଟିକୁ ନିଜ ଦାନ୍ତରେ ଉଠେଇଲା, ଯେଉଁଥିରେ “ବିଶେଷ ଜରୁରି” (Tup priority) ଲେଖାଥିବା ଦେଖାଯାଉଥିଲା । କୋଠରି ଭିତରେ ଓ ବାହାରେ ଜମାଥିବା ଲୋକେ, କୁକୁରର ଏ କାମ ଦେଖି ଆଶ୍ଚର୍ଯ୍ୟ ହେଇଗଲେ । ଲୋକେ କହିଲେ, “ଦେଖ କେମିତି ଚତୁର ଏ କୁକୁର । ଅଫିସ୍‌ର କାଇଦା କଟକଣା ତାକୁ କେତେ ଜଣା । ଏଇଥିପାଇଁ ଯେଉଁଥିରେ ‘ବିଶେଷ ଜରୁରୀ’ ଲେଖାହୋଇଛି; ସେଇ ଫାଇଲକୁ ସେ ଉଠେଇଲା । କୁଳକର୍ଣ୍ଣି ଚିତ୍କାର କରି କହିଲେ, “ଆରେ ଇଏ କଅଣ ? ମୋର ତ ସେ ଫାଇଲ୍‌କୁ ଠିକ୍‌ ୧୨ଟା ବେଳେ ଡାଇରେକ୍‌ଟରଙ୍କ ପାଖରେ ଦାଖଲ କରିବାର ଅଛି । କୁକୁରକୁ ଧର କି ନ ଧର, ଏ ଫାଇଲ୍‌କୁ କୌଣସି ପ୍ରକାରେ ତା ମୁହଁରୁ ଛଡ଼ାଅ ତ ।” କୁକୁର ଏଥରକ ପୁଣି ତା ବୁଦ୍ଧିମତ୍ତାର ପରିଚୟ ଦେଲା । ଡାଇରେକ୍‌ଟରଙ୍କ ନାଆଁ ଶୁଣିବାମାତ୍ରେ ସେ ସେହି ଫାଇଲ୍‌କୁ ଛାଡ଼ି ଦେଲା; ଆଉ ସିନିଅର କିରାଣି ସୁବାସ ବଗାଇଙ୍କ ଜଳଖିଆ ଡବା ନେଇ ପଳାଇଲା । ସୁବାସ ବଗାଇଙ୍କ ହିଂସା ଉଡ଼ିଗଲା । ସେ ଚିତ୍କାର କରି କହିଲେ—“ଭାଇମାନେ ସେ ଜଳଖିଆ ବାକ୍‌ସଟି ତା ମୁହଁରୁ ଛଡ଼ାଅ । ଇଏ ମୋର ମାନ ସମ୍ମାନର କଥା । କୁକୁର ଯଦି ଜଳଖିଆ ବାକ୍‌ସକୁ ଖୋଲି ଦିଏ, ତେବେ ମୁଁ କାହାରିକୁ ମୁହଁ ଦେଖାଇପାରିବିନି-। ଆଜି ପର୍ଯ୍ୟନ୍ତ ଅଫିସରେ କେହି ଜାଣିନାହାନ୍ତି ଯେ ମୁଁ ବିନା ତରକାରିରେ ମାତ୍ର ଖଣ୍ଡିଏ ରୁଟି ଜଳଖିଆ ବାକ୍‌ସରେ ଆଣୁଛି । ପୁଣି ସେ ରୁଟି ଖଣ୍ଡିକ ବି ଡାଇରେକ୍‌ଟର ସାହେବଙ୍କ ଖାଇବା ଅଯୋଗ୍ୟ ।

 

ଏହି ସମୟରେ କୁକୁର ପଳେଇଯାଇ ମହାଫିସ୍‌ ଖାନାରେ ପହଞ୍ଚିଗଲା । ମହାଫିସ୍‌ ଖାନାର ଇନ୍‌ଚାର୍ଜ ରହେମତ୍‌ ଅଲ୍ଲୀ ସାରାଦିନ ଶୋଇ ରହିବାରେ ବ୍ୟସ୍ତ । ସେତେବେଳେ ବି ସେ ଶୋଇବାରେ ବ୍ୟସ୍ତ ଥିଲେ । ଲୋକେ ପାଟିକରି କହିଲେ—“ଭାଇ ଡାଇରେକ୍‌ଟର ସାହେବଙ୍କ କୁକୁର ତୁମ ମହାଫିସ୍‌ ଖାନାରେ ପଶିଗଲା । ଅନ୍ତତଃ ଏବେ ହେଲେ ଉଠିପଡ଼ ।”

 

ରହେମତ୍‌ ଅଲ୍ଲୀ ଗୋଟିଏ ହାଇମାରି କହିଲା—“କୁକୁର ମହାଫିସ୍‌ ଖାନାକୁ ଆସିଲା ତ, ତୁମେ ସବୁ ଏତେ ବ୍ୟସ୍ତ କାହିଁକି ? ସେ ଏଠାରେ ନିରାପଦରେ ରହିବ । ଆଜି ପର୍ଯ୍ୟନ୍ତ ମହାଫିସ୍‌ ଖାନାରୁ କିଛି ଜିନିଷ ହଜିଲାଣି ନା ।”

 

ବର୍ମାଜୀ କହିଲେ—“ଭାଇ ! ସେ କୁକୁରକୁ ଧରିବାରେ ମୋତେ ଟିକିଏ ଭଲା ସାହାଯ୍ୟ କର ।”

 

ରହେମତ୍‌ ଅଲ୍ଲୀ କହିଲା, “ବହୁତ ଡେରି ହୋଇଗଲା । ମୁଁ ଡାଇରେକ୍‌ଟରଙ୍କ କୁକୁରକୁ ଜମା ଧରିବି ନାହିଁ କାରଣ, ମୁଁ ତ କାଲି ଅବସର ନଉଚି । ମୋ ଭାଗ୍ୟ ସେ କୁକୁରଠାରୁ ବହୁତ ଦୂରକୁ ଚାଲିଗଲାଣି ।”

 

ବର୍ମା ନିଜ ପ୍ରମୋଶନ ପାଇଁ ଶେଷ ଚେଷ୍ଟା କରିବାକୁ ଚାହିଁଲେ କିନ୍ତୁ ନଟରାଜନ୍‌ ପୁଣି ତାଙ୍କୁ ପଛକୁ ଟାଣିନେଲେ ।

 

ଅଫିସରେ ହୋହୋ ଶୁଣି, ଡାଇରେକ୍‌ଟର ବାହାରକୁ ଚାଲିଆସିଲେ । ସେ ଦେଖିଲେ, ପୁରା ଅଫିସଟା ତାଙ୍କ କୁକୁରକୁ ଧରିବା ଚେଷ୍ଟାରେ ଲାଗିଯାଇଚି । ସେ ନିଜେ କୁକୁରକୁ ସ୍ନେହରେ ଡାକିଲେ । କୁକୁର ଡାଇରେକ୍‌ଟରଙ୍କୁ ଦେଖିଲାମାତ୍ରେ, ଲାଞ୍ଜହଲାଇ ତାଙ୍କ ପାଦତଳେ ଲୋଟିଗଲା-। ଡାଇରେକ୍‌ଟର ଅବଲୀଳାକ୍ରମେ କୁକୁରଟିକୁ ଧରି ଗାଡ଼ିରେ ବସେଇ ଦେଲେ । ମୁଁ ଦେଖିଲି ସେତେବେଳେ ଅଫିସ୍‌ର ସବୁ କର୍ମଚାରୀଙ୍କ ଲାଞ୍ଜ ହଲୁଥିଲା । ଡାଇରେକ୍‌ଟର ଚୁପ୍‌ଚାପ୍‌ ନିଜ କୋଠରିକୁ ଫେରିଆସିଲେ ।

 

ବର୍ମା ନିଜ ଚିରିଯାଇଥିବା ପ୍ୟାଣ୍ଟକୁ ସମ୍ଭାଳି ଯେତେବେଳେ ନିଜ ସିଟ୍‌ରେ ପହଞ୍ଚିଲେ, ଜଣେ ସହକର୍ମୀ ତାଙ୍କୁ କହିଲେ ଯେ, “ତାଙ୍କ ପଦୋନ୍ନତି ସଂପର୍କରେ ଯେଉଁ ଫାଇଲ ଡାଇରେକ୍‌ଟରଙ୍କ ଟେବୁଲ ଉପରେ ବିଚାରଧୀନ ଥିଲା, ତାହା ଫେରିଆସିଚି ।

 

ସେ ପଚାରିଲେ, “କଅଣ ନିଷ୍ପତ୍ତି ହେଲା ?”

 

ସହକର୍ମୀ ଜଣକ କହିଲେ, “ବର୍ତ୍ତମାନ ତୁମକୁ ସେଇ ପୁରୁଣା ଦରମାରେ ନୂଆ ପ୍ୟାଣ୍ଟ ତିଆରି କରିବାକୁ ପଡ଼ିବ ।”

 

ସେଠି ନଟରାଜନ୍‌ ନିଜ ଟେବୁଲ ପାଖରେ ପହଞ୍ଚିବାରୁ, ତାଙ୍କୁ ଜଣାଇ ଦିଆଗଲା ଯେ, ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଥିଲା; ତାହା ପ୍ରମାଣିତ ହୋଇଯାଇଚି । ନଟରାଜନ୍‌ଙ୍କୁ ଲାଗିଲା, ଯେପରି ଶ୍ରୀରଙ୍ଗପଟମ୍‌ ଯୁଦ୍ଧରେ ତାଙ୍କର ରକ୍ତବିନ୍ଦୁଟି ବୋହିଯିବ ।

 

ଦି’ପହରବେଳ ଯେତେବେଳେ କ୍ୟାଣ୍ଟିନ୍‌ରେ ବର୍ମାଜୀ ଓ ନଟରାଜନ୍‌ଙ୍କ ଭେଟ ହେଲା; ସେତେବେଳେ ସେମାନେ ପରସ୍ପରକୁ କୁଣ୍ଢେଇ ପକାଇଲେ କାରଣ, ତାଙ୍କ ମଝିରେ ଆଉ ଡାଇରେକ୍‌ଟରଙ୍କ କୁକୁର ନଥିଲା ।

Image

 

ଭାରତର ଶ୍ରେଷ୍ଠ ହାସ୍ୟ ଗଳ୍ପ

ହୋଟେଲ୍‌ ଶବାନା

 

(ଏ ଲେଖାର ସମସ୍ତ ଚରିତ୍ର, ସ୍ଥାନ ଏବଂ ଘଟଣାବଳୀ ସତ ଅଟେ । କେବଳ ନାଆଁଟି କାଳ୍ପନିକ ।)

 

ମିର୍ଜା, ଯାହାଙ୍କ ସାଙ୍ଗରେ ପ୍ରତ୍ୟେକ ଦିନ ଦେଖା ହେଉଥିଲା । ତାଙ୍କୁ ହୋଟେଲ୍‌ ଶବାନା ବନ୍ଦ ହୋଇଯିବାରୁ ପୂରା ୩୯ ଦିନ ପରେ ପଅରିଦିନ ଆବିଦ୍‌ ରୋଡ଼୍‍ରେ ଭେଟିଲି । ମିର୍ଜାଙ୍କୁ ଦେଖି ମୁଁ ଅନୁଭବ କଲି, ଯେପରିକି ମୁଁ ମିର୍ଜାଙ୍କୁ ନୁହେଁ, ମିର୍ଜାଙ୍କ ଏକ୍‌ସରେ (X-Ray)କୁ ଦେଖୁଛି ।

 

ମୁଁ ପଚାରିଲି, “ମିର୍ଜା ! ଏ ତୁମର କଅଣ ହୋଇ ଯାଇଛି ? ତୁମେ ତ ବେଶ୍‌ ଏକ୍‌ସ୍‌ରେ ରିପୋର୍ଟ ବନି ଯାଇଛ !”

 

କୋହ ଭରା କଣ୍ଠରେ ସେ କହିଲେ—“ବନ୍ଧୁ ଯେଉଁଦିନଠାରୁ ହୋଟେଲ ଶବାନା ବନ୍ଦ ହୋଇଗଲାଣି, ସେହିଦିନ ଠାରୁ ମୋତେ ଯେମିତି ଲାଗୁଛି, ଦୁନିଆଁର ସବୁ ଦ୍ୱାର ମୋପାଇଁ ବନ୍ଦ ହୋଇଯାଇଛି । ବିଶ୍ୱାସ କର, ସେହି ହୋଟେଲ ବନ୍ଦ ହୋଇଯିବାପରେ ଘରେ ଆଉ ମନ ଲାଗୁନି-।”

 

ମୁଁ କହିଲି—“ମିର୍ଜା ! କଥାଟାକୁ ଜଟିଳ କରୁଛ କାହିଁକି ? ଯେବେଠୁଁ ସେ ହୋଟେଲ୍‌ ଖୋଲିଥିଲା; ସେତେବେଳେ ବି ତୁମ ମନ ଘରେ ଲାଗୁନଥିଲା । ସାରା ଦିନଟା ହୋଟେଲ୍‌ ଶବାନାରେ ବସୁଥିଲ । ଘରେ ମନ ନ ଲାଗିବାଟା ତ ତୁମର ଭାଗ୍ୟ; ଏଥିରେ ହୋଟେଲ୍‌ ଶବାନା ବନ୍ଦ ହବା ନ ହବାର ପ୍ରଶ୍ନ କାହିଁ ?”

 

ମିର୍ଜା କହିଲା—“ଏପରି କଥା କୁହ ନାହିଁ । ତୁମେ ମଧ୍ୟ କୋଡ଼ିଏ ବର୍ଷଯାଏ ହୋଟେଲ୍‌ ଶବାନାର ସ୍ଥାୟୀ ଗ୍ରାହକ ହୋଇ ରହିସାରିଛ । ଏ ହୋଟେଲ୍‌କୁ ବନ୍ଦ କରିବାରେ ତୁମର ବି ସମାନ ଅବଦାନ ରହିଛି । ଏବେ ଯେତେବେଳେ ହୋଟେଲ୍‌ ଶବାନା ଶହୀଦ୍‌ ହୋଇଗଲାଣି, ତାର ନାଆଁଟାକୁ ସମ୍ମାନର ସହ ଉଚ୍ଚାରଣ କର; ତାହାହେଲେ ତା ଆତ୍ମାକୁ କିଛି ହେଲେ ଆରାମ ମିଳିବ-।”

 

ମୁଁ କହିଲି—“ମିର୍ଜା । ହୋଟେଲ୍‌ ଶବାନାର ଆତ୍ମା କଥା ଆଜି ତୁମର ମନେପଡ଼ୁଛି । ଯେତେବେଳେ ଏ ହୋଟେଲ୍‌ଟି ଜୀବିତ ଥିଲା, ତୁମେ ସବୁ ପ୍ରକାରରେ ତା ଆତ୍ମାକୁ ଦୁଃଖ ଦେଉଥିଲ ବରଂ ତା ଆତ୍ମା ଉପରେ ଘୋଡ୍‍ସବାର ପରି ସବାର ହୋଇ ରହିଥିଲେ ।”

 

ମିର୍ଜା କହିଲେ—“ତୁମେ ଯାହା କିଛି ଭାବ, ମୁଁ ମାନୁଛି, ମୁଁ କୋଡ଼ିଏ ବର୍ଷଯାକ ସେ ହୋଟେଲ୍‌ ସାଙ୍ଗରେ କିଛି ସତ୍‌ ବ୍ୟବହାର କରିନି । କିନ୍ତୁ ତା’ର କାନ୍ଥ ଓ ଦୁଆର ଉପରେ ମୋର ମାୟା ଜମି ଯାଇଥିଲା ।”

 

ମୁଁ ତାଙ୍କ କଥା କାଟି କହିଲି—“ଏମିତି ବି କହିବାକୁ ଗଲେ, ଶେଷଆଡ଼କୁ ସେ ହୋଟେଲ୍‌ରେ କାନ୍ଥ କବାଟ ଛଡ଼ା ଆଉ କଅଣ ରହିଥିଲା ? ହଁ, ସେଗୁଡ଼ାକ ଛାଡ଼ିଦେଲେ କିଛି ଫର୍ନିଚର୍‌ ରହିଯାଇଥିଲା । ଆଉ ଅନେକ ଲୋକ ସେ ହୋଟେଲ୍‌କୁ ଫର୍ନିଚର୍‌ ଦୋକାନ ବୋଲି ବିଚାରୁଥିଲେ ।” ମୋ କଥା ଶୁଣୁ ଶୁଣୁ ମିର୍ଜା ହୋଟେଲ୍‌ ଶବାନାର ଚିନ୍ତାରେ ବୁଡ଼ିଗଲେ ।

 

ମୁଁ କହିଲି—“ମିର୍ଜା ! ଚାଲ କୌଣସି ହୋଟେଲ୍‌ରେ ବସି ହୋଟେଲ୍‌ ଶବାନା କଥା ଚିନ୍ତା କରିବା ।”

 

ସେ କହିଲେ—ଭଗବାନ୍‌ଙ୍କ ରାଣ, ଯେବେଠୁଁ ହେଟେଲ୍‌ ଶବାନା ବନ୍ଦ ହେଲା, ସେହି ଦିନଠୁଁ ମୁଁ କୌଣସି ହୋଟେଲ୍‌ରେ ପଶିନାହିଁ; ଆଉ ପଶିବାକୁ ମଧ୍ୟ ଇଚ୍ଛା ନାହିଁ । ଶେଷରେ କୃତଜ୍ଞତା ବୋଲି ତ ଗୋଟାଏ ଜିନିସ ଅଛି ।”

 

ମୁଁ କହିଲି—“ମିର୍ଜା ! ବିଶ୍ୱାସ କର, ତୁମେ ହୋଟେଲ୍‌ ଶବାନା ପ୍ରତି ଅକୃତଜ୍ଞ ହେବାକୁ ଚାହିଁଲେ ମଧ୍ୟ ଅନ୍ୟାନ୍ୟ ହୋଟେଲ୍‌ର ମାଲିକମାନେ ତୁମକୁ ଅକୃତଜ୍ଞ ହେବାକୁ ଦେବେ ନାହିଁ । ପଅରିଦିନ କଥା । ହୋଟେଲ୍‌ ଶବାନାରୁ ଭାଙ୍ଗି ଯାଉଥିବା ଦଳେ ଗ୍ରାହକ ଅନିଶ୍ଚିତତା ହେତୁ ବିରକ୍ତ ହୋଇ ଗୋଟିଏ ହୋଟେଲ୍‌ରେ ପ୍ରବେଶ କଲେ । ସେମାନଙ୍କୁ ଦେଖିବା ମାତ୍ରେ ହୋଟେଲ୍‌ ମାଲିକ ହାତଯୋଡ଼ି କହିଲା—“ଆପଣମାନେ ମୋ ବାପା-ମାଆ । ଆପଣମାନଙ୍କ ଗୋଡ଼ତଳେ ପଡ଼ୁଛି; ମୋ ହୋଟେଲ୍‌କୁ ଆପଣମାନଙ୍କ ପୃଷ୍ଠପୋଷକତାରୁ ଦୂରେଇ ରଖିଲେ ଭଲହେବ । ବରଂ ଆପଣମାନେ ଯଦି ମୋ କଥା ମାନି କଡ଼ ହୋଟେଲ୍‌ରେ ନିତି ବସାଉଠା କରିବାର ବନ୍ଦୋବସ୍ତ କରିନିଅନ୍ତି, ତେବେ ଆପଣମାନଙ୍କର ହୋଟେଲିଂ ଖର୍ଚ୍ଚ ମୁଁ ନିଜ ହୋଟେଲ୍‌ରୁ ଦେବାକୁ ତିଆର ଅଛି-।”

 

ମିର୍ଜା କହିଲ—“ଭାଇ ! ପ୍ରକୃତ କଥାଟା ହେଉଛି ଏଇଆ ଯେ, ହୋଟେଲ୍‌ ଶବାନାର ଗ୍ରାହକମାନଙ୍କର ହୋଟେଲିଂ ସହ ସମ୍ୱନ୍ଧ କଅଣ ? ଭଗବାନ୍‌ଙ୍କ ରାଣ, ମୁଁ କୋଡ଼ିଏ ବର୍ଷ ଯାଏ ହୋଟେଲ୍‌ ଶବାନାରେ ବସି ଆସିଥିଲି କିନ୍ତୁ ନିଜ ଉପରେ ହୋଟେଲିଂର ଆରୋପ ହେବାକୁ ଦେଇ ନଥିଲି । ହୋଟେଲ୍‌ ଶବାନାତ ହୋଟେଲ୍‌ ନଥିଲା; ସେ ଗୋଟିଏ ଦପ୍ତର ଥିଲା, ଗୋଟିଏ ସଂସ୍କୃତି ଥିଲା, ଗୋଟିଏ ଇତିହାସ ଥିଲା । ଏକ ଭୂଗୋଳ ଥିଲା, ଗୋଟିଏ କେମେଷ୍ଟ୍ରି ଥିଲା । ଏକ ତବିୟାତ୍‌ ଥିଲା, ଏକ—”

 

ମୁଁ ଅନୁଭବ କଲି, ମିର୍ଜା ହୋଟେଲ୍‌ ଶବାନାକୁ ସ୍ମରଣ କରି କରି ଭାବପ୍ରବଣ ହୋଇ ଉଠୁଛନ୍ତି । ତେଣୁ ମୁଁ ମଧ୍ୟ ହୋଟେଲ୍‌ ଶବାନାର ସ୍ମରଣରେ ହଜିଗଲି ।

 

ହୋଟେଲ୍‌ ଶବାନା ଆମ ସମସ୍ତଙ୍କର ଏକ ଦୁର୍ବଳତା ଥିଲା । କିନ୍ତୁ ସେ ବିଚରା ଶହୀଦ୍‌ ହୋଇ ଯାଇଥିଲା ଏବଂ ସେ ସହିଦ୍‌ ହେବା ଦିନଠାରୁ ତା’ର ଗ୍ରାହକମାନେ ଅନାଥ ହୋଇ ଯାଇଛନ୍ତି-। ଯଦି ମୁହଁ ସଞ୍ଜବେଳେ କୌଣସି ବିବ୍ରତ ଲୋକ ଦେଖାଯାଏ, ତେବେ ଜାଣିନିଅନ୍ତୁ ଯେ ସେ ହୁଏତ ହୋଟେଲ୍ ଶବାନାର ପୂର୍ବ ଗ୍ରାହକ କିମ୍ୱା ଜଣେ ପରଦେଶୀ । ସେମିତି ବି ହୋଟେଲ୍‌ ଶବାନା ବନ୍ଦ ହୋଇଯିବା ପରେ, ତାର ପୂର୍ବ ଗ୍ରାହକମାନେ ନିଜକୁ ପରଦେଶୀ ବୋଲି ଭାବିବାକୁ ଲାଗିଲେଣି ।

 

ମୁଁ ତ କହିବି, ସାରା ଦୁନିଆଁରେ ହୋଟେଲ୍‌ ଶବାନା ହିଁ ଏକମାତ୍ର ଜାଗା ଥିଲା, ଯେଉଁଠାରେ କି ବ୍ୟକ୍ତିଗତ ସ୍ୱାଧୀନତାକୁ ପୂରାପୁରି ସମ୍ମାନ ଦିଆ ଯାଉଥିଲା । ଏ ସେହି ଜାଗା ଥିଲା, ଯେଉଁଠାରେ କି କେହି କାହାକୁ ପଚାରୁ ନଥିଲେ । ସ୍ୱୟଂ ମିର୍ଜା କହୁଥିଲେ କି ଗତ ଦୁଇବର୍ଷ ଭିତରେ ହୋଟେଲ୍‌ ଶବାନାର କୌଣସି ବେହେରା ବି ଭୁଲ୍‌ରେ ତାଙ୍କୁ କେବେହେଲେ ପଚାରି ନାହିଁ ଯେ, ସେ ଏତେ ଡେରିଯାଏ ସେଠାରେ କାହିଁକି ବସିଛନ୍ତି ଆଉ କେଉଁଥିଲାଗି ବସିଛନ୍ତି ? ମୁଁ ତ କହିବି ପ୍ଳାଟୋଙ୍କର ୟୁଟୋପିଆର ବାସ୍ତବରୂପ ଥିଲା ଏହି ହୋଟେଲ୍‌ଟି । ଫୁରୁସତ୍‌ର ରାତି ଦିନ, ଏଇ ହୋଟେଲ୍‌ ଛଡ଼ା ଅନ୍ୟ କେଉଁଠାରେ ନ ଥିଲା । ସ୍ୱର୍ଗତ ଶବାନା ହୋଟେଲ୍‌ ସହ ମିର୍ଜାଙ୍କର ଘନିଷ୍ଟ ସମ୍ୱନ୍ଧର ଇତିହାସ କୋଡ଼ିଏ ବର୍ଷବ୍ୟାପୀ । ଏହି ଦୀର୍ଘକାଳ ଧରି ମିର୍ଜା ନିଜ ପକେଟରୁ ବିଲ୍‌ ଆଦାୟ ଦେବାର ଐତିହାସିକ ଘଟଣା କେବେହେଲେ ଦେଖାଯାଇନି । ହୋଟେଲ୍‌ ଶବାନାର ସ୍ଥାୟୀ ଗ୍ରାହକମାନଙ୍କର ଗୋଟିଏ କାମ ଥିଲା-“ସେଠି ଚାହା ପିଇବା ଲାଗି ଅସ୍ଥାୟୀ ଗ୍ରାହକ ଖୋଜିବା ।” ଗୋଟିଏ ଦୃଷ୍ଟିରୁ ଏମାନେ ଏହି ହୋଟେଲ୍‌ର ଏଜେଣ୍ଟ ଥିଲେ । ଏପରି କେତେକ ଗ୍ରାହକ ବି ଥିଲେ, ଯେଉଁମାନେ କି ଗତ ୨୦ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ବସି ରହିଥିଲେ ଆଉ ହୋଟେଲ୍‌ର ବେହେରାମାନେ ମଧ୍ୟ ନିରବିଚ୍ଛିନ୍ନ ପ୍ରସ୍ତୁତ ହୋଇ ରହିଥିଲେ କି, ଗ୍ରାହକମାନେ ଅର୍ଡ଼ର ଦେଲେ, ସେମାନେ ଖାଇବା ପିଇବା ଜିନିଷ ଯୋଗାଡ଼ କରିଦେବେ । କିନ୍ତୁ ଏତେ ଦୀର୍ଘକାଳ ଧରି ଭଗବାନ୍‌ ଟିକିଏ ହେଲେ ଫୁରୁସତ୍‌ ଦେଲେ କି, ଗ୍ରାହକମାନେ ଅର୍ଡ଼ର ଦିଅନ୍ତୁ । ଶେଷରେ ସ୍ୱର୍ଗତର ଶେଷ ସମୟ ଆସିଗଲା ଆଉ ବିଚରା ଏ ଗ୍ରାହକମାନଙ୍କୁ ଅର୍ଡ଼ର ନଦେଇ, ହୋଟେଲ୍‌ରୁ ବାହାରି ଯିବାକୁ ପଡ଼ିଲା । “ହସ୍‌ରତ୍‌ ଉନ୍‌ ଗୁଞ୍ଚୋପେ ହୈ ଯୋ ବିନ୍‌ ଖିଲେ ମୁର୍ଝା ଗୟେ ।” ଅର୍ଥାତ୍‌ ପ୍ରସ୍ଫୁଟିତ ନ ହୋଇ ଝାଉଁଳି ପଡ଼ିବା କଳିକାଗୁଡ଼ିକଙ୍କ ପାଇଁ ବଡ଼ ଅବଶୋଷ ହୁଏ ।

 

ମୁଁ ସେ ହୋଟେଲ୍‌ ଜୀବିତାବସ୍ଥାରେ ହିଁ ତାର ନାଆଁ ଶହୀଦ୍‌ ହୋଟେଲ୍‌ ରଖିଥିଲି କାରଣ, ଏ ହୋଟେଲରେ ଜୀବନ ଛଡ଼ା ଆଉ ସବୁ ମହଜୁଦ୍‌ ଥିଲା । ସେହି ଭାରି ଭାରି ବାୟୁମଣ୍ଡଳ, ସେହି କ୍ଳାନ୍ତ ପରିପାର୍ଶ୍ୱ, କଥା କଥାକେ ହାଇ ମାରୁଥିବା ବେହେରାମାନେ, ସେହି ଢୁଳାଉଥିବା ଗ୍ରାହକମାନେ, ସେହି ଉଜୁଡ଼ି ଓ ଲୁଟ୍‌ ହୋଇ ଯାଇଥିବା ସୋ କେଶ୍‌–ଯାହାର ନିସ୍ତେଜତା ହେତୁ ହତାଶ ହୋଇ ମାଛିମାନେ ମଧ୍ୟ ଅନ୍ୟ ହୋଟେଲ ଆଡ଼କୁ ଉଡ଼ି ଯାଇଥିଲେ । ଫର୍ନିଚରମାନଙ୍କର ସେହି ନିଷ୍ପ୍ରଭତା ଓ ବିକଳ ଅବସ୍ଥା, ହୋଟେଲ୍‌ର ଭିତର କରିଡ଼ରର ଜନଶୂନ୍ୟତା ଯାହାକି ଦିପହରରେ ଅଧିକ ତେଜି ଉଠୁଥିଲା ।

 

ଆପଣ ବିଶ୍ୱାସ କରନ୍ତୁ, ସେହି ହୋଟେଲକୁ ଆମ ସଙ୍ଗେ ଯଦି କେହି ନୂଆ ଲୋକ ପଶୁଥିଲା, ତେବେ ତା’ର ଅଫିମା ଢଙ୍ଗରଙ୍ଗ ଦେଖି ପଚାରୁଥିଲା—“ଏହି କୋଠାରେ ଆଗେ କୌଣସି ହୋଟେଲ୍‌ ଥିଲାକି ?”

 

ଆଉ ଆମେ ତାକୁ କହିଲୁ, “ଆଜ୍ଞା ଥିଲା କଅଣ କହୁଛନ୍ତି, ଏବେବି ଅଛି ।” ଏହା କହି ଆମେ ବେହେରାକୁ ଡାକୁଥିଲୁ, ଆଉ ବେହେରା ଭିତରର କୌଣସି କୋଠରିରୁ ଜବାବ ଦେଉଥିଲା–“ସାହେବ ଟିକିଏ ଅପେକ୍ଷା କରନ୍ତୁ, ମୁଁ ଅର୍ଡ଼ର ନେବାପାଇଁ ସାଙ୍ଗେ ସାଙ୍ଗେ ପୋଷାକ ବଦଳାଇ ଆସୁଛି ।”

 

ଏହିଭଳି ଅଫିମା ବାୟୁମଣ୍ଡଳ, ଏହିଭଳି ନିସ୍ତବ୍‌ଧତାର ଚିତ୍କାର, ଏହିପରି ତନ୍ଦ୍ରାଦାୟକ ରଙ୍ଗଢ଼ଙ୍ଗ ସେହି ଲୋକଙ୍କୁ ପୋଷାଏ, ଯେଉଁମାନେ କି ଭାବୁକ ସାହିତ୍ୟକ ଏବଂ କବିମାନଙ୍କ ଶ୍ରେଣୀଭୁକ୍ତ ।

 

ମିର୍ଜା ହୋଟେଲ ଶବାନାର ଖାସ୍ ଏହି ଅବସ୍ଥା ଓ ପରିପାର୍ଶ୍ୱରେ ପ୍ରଭାବିତ ହୋଇ କହୁଥିଲେ—“ବନ୍ଧୁ ! ଏ ହୋଟେଲ୍‌ ନୁହେଁ; ଏ ଗୋଟିଏ ନିଶା । ଏହାକହି ସେ କୌଣସି ଆନ୍ତର୍ଜାତିକ ବିଷୟରେ ଯୁକ୍ତି କରୁ କରୁ ଅନ୍ୟ ବିଷୟକୁ ଗଡ଼ିଯାଆନ୍ତି ।

 

ମିର୍ଜାକୁ ଏ ହୋଟେଲ୍‌ର ନିଶା ଏତେ କଦର୍ଯ୍ୟ ଭାବରେ ଘାରିଥିଲା ଯେ, ପ୍ରତ୍ୟେକ ଦଳବେହେରାମାନଙ୍କ ଆସିବା ଆଗରୁ ସେ ଏ ହୋଟେଲ ଫାଟକ ପାଖରେ ପହଞ୍ଚି ଯାଉଥିଲା । ସେ କହୁଥିଲେ ”ଯଦି ଏ ହୋଟେଲ୍‌ ରାତିରେ ବନ୍ଦ ନ ହୁଅନ୍ତା, ତେବେ ସେ କେବେହେଲେ ଘରକୁ ଫେରନ୍ତେ ନାହିଁ ।

 

କହିବାକୁ ଗଲେ ମିର୍ଜା ଏ ହୋଟେଲ୍‌ର ଗ୍ରାହକ ଥିଲେ କିନ୍ତୁ କୋଡ଼ିଏ ବର୍ଷଯାଏ ନିରବିଚ୍ଛିନ୍ନ ଭାବରେ ଏ ହୋଟେଲ୍‌ରେ ବସିରହିବା ଫଳରେ ଏପରି ଲାଗୁଥିଲା ଯେ, ଏହି ହୋଟେଲ୍‌ର ଦିଲିଲ୍‌ରେ ତାଙ୍କର ମାଲିକାନା ସ୍ୱତ୍ତ୍ୱ ଟାଣ ହୋଇଚାଲିଛି । ସେ କହୁଥିଲେ—“ଭାଇ ସତ କହିବାକୁଗଲେ ମୁଁ ଏହି ହୋଟେଲ୍‌ର ବିଜେତା; ସାରାଦିନ ଏଠି ମୁଁ ବସି ବସି ଅନ୍ୟଲୋକଙ୍କୁ ଏଠାରୁ ତଡ଼ିଛି । ଭାବିନିଅ ଯେ ମୁଁ ଏ ହୋଟେଲ୍‌କୁ ନିଜପାଇଁ ଜୟଲାଭ କରିଛି । ମୋତେ କେହି ଏଠାରୁ ତଡ଼ିପାରିବେନି । ଥରେ ହୋଟେଲ୍‌ ମାଲିକ, ମିର୍ଜାଙ୍କର ଏହିସବୁ ହାବଭାବରେ ବିରକ୍ତ ହୋଇ ଯେତେବେଳେ ତାଙ୍କୁ ହୋଟେଲକୁ ଆସିବାଲାଗି ମନାକଲା, ସେତେବେଳେ ମିର୍ଜା ତାଙ୍କୁ ଏହି ଧମକ ଦେଇ କହିଲେ,“ଯଦି ତାଙ୍କୁ ଏ ହୋଟେଲ୍‌ ଆସିବା ବନ୍ଦ କରାଯାଏ ତେବେ ସେ ଏହି ମାମଲାକୁ ରେଣ୍ଟ୍‌ କଣ୍ଟ୍ରୋଲର୍‌ ପାଖରେ ପକାଇବେ ।” ତାଙ୍କର ଏହି ଯୁକ୍ତି ଥିଲା ଯେ, ସେ କୋଡ଼ିଏ ବର୍ଷ ହେଲା ଏହି ହୋଟେଲରେ ବାସକରିଛନ୍ତି । ଦୁନିଆର କୌଣସି ଅଦାଲତ ତାଙ୍କୁ ଏ ହୋଟେଲରୁ ବେଦଖଲ କରିପାରିବେନି । ସମୟ ଗଡ଼ିଗଲେ ବେଆଇନ ଦଖଲ ମଧ୍ୟ ଆଇନସିଦ୍ଧ ହୋଇଯାଏ ।

 

ହୋଟେଲ୍‌ ଶବାନାର ଏହି ପ୍ରାଧାନ୍ୟ ଥିଲା ଯେ, ଶିକ୍ଷା, ସାହିତ୍ୟ, ରାଜନୀତି, ସଂସ୍କୃତିର ଏକ ଦୋଳକ ବା କ୍ରାଡ୍‌ଲ ଥିଲା । ବିଶ୍ୱବିଦ୍ୟାଳୟରୁ ବି:ଏ: ପାଶ୍‌ କରିସାରି ଅନେକ ଛାତ୍ର ଉଚ୍ଚ ଶିକ୍ଷା ପାଇବାପାଇଁ ହୋଟେଲ୍ ଶବାନାରେହିଁ ନାମ ଲେଖାଉଥିଲେ କାରଣ, ବିଶ୍ୱବିଦ୍ୟାଳୟରେ ଯେଉଁସବୁ ଶିକ୍ଷାର ପରିପକ୍ୱତା ହେଉନଥିଲା, ସେସବୁ ଏହିଠାରେ ହିଁ ହୋଇଯାଉଥିଲା । ପୁନଶ୍ଚ ଏଠାରେ ପଢ଼ିବାପାଇଁ ଫିସ୍‌ ଦେବାକୁ ପଡ଼ୁନଥିଲା । ସାରାଦିନ ଗୋଟିଏ ଚା ମଗାଇଲେ ମଗାଇ ପାରନ୍ତି ନ ହେଲେ ନାହିଁ । ସେଥିଲାଗି ମିର୍ଜା ହୋଟେଲ୍‌ ଶବାନାର ନାମ ରଖିଥିଲେ ‘ଦାରୁଲ୍‌ ଓଲମ୍‌’ ବା ବିଶ୍ୱବିଦ୍ୟାଳୟ । ସେ ଭାବୁଥିଲେ ଯେ ମାଗଣାରେ ଶିକ୍ଷାଦାନର ଏତେ ସୁନ୍ଦର ବ୍ୟବସ୍ଥା ଦୁନିଆର କୌଣସି ବିଶ୍ୱବିଦ୍ୟାଳୟରେ ନାହିଁ । ଦୁନିଆର ବଡ଼ରୁ ବଡ଼ ସମସ୍ୟାମାନ ଏ ହୋଟେଲ୍‌ରେ ପହଞ୍ଚି ଛୋଟ ହୋଇ ଯାଉଥିଲା । ଅନେକ ଜଟିଳ ଆନ୍ତର୍ଜାତିକ ସମସ୍ୟାର ଚଟାପଟ୍‌ ଫଇସଲା ଏହିଠାରେ ହିଁ ହେଇଯାଉଥିଲା । ଏ ଫଇସଲାକୁ କେହି ଅବଶ୍ୟ ଗ୍ରହଣ କରୁନଥିଲେ; ସେଇଟା ଦୁସରା କଥା । ମିର୍ଜା କହୁଥିଲେ, “ଦୁନିଆ ଯେତେବେଳେ ଜାତିସଂଘର ଫଇସଲାକୁ ଗ୍ରହଣ କରୁନି, ହୋଟେଲ ଶବାନାର ଫଇସଲାକୁ ଶୁଣିବ କିଏ ?”

 

ହୋଟେଲ ଶବାନାରେ କବିତା ଆବୃତି ହେଉଥିଲା, କ୍ଷୁଦ୍ର ଗଳ୍ପ ପଢ଼ା ହେଉଥିଲା, ଜଣେ, ଅନ୍ୟଜଣକୁ ଗାଳି ଦେଉଥିଲା; ଜଣକ ପଛରେ ତାର କୁତ୍ସା କରିବାପାଇଁ ଏହାଠାରୁ ଅଧିକ ଭଲ ଜାଗା ଆଉ କେଉଁଠି ନଥିଲା । ସାହିତ୍ୟରେ କବିମାନଙ୍କର ସ୍ଥାନ ନିରୂପିତ କରାଯାଉଥିଲା । ବଢ଼ିଆ ବଢ଼ିଆ କବିତାର ପ୍ରତିଧ୍ୱନି ଆଗ ହୋଟେଲ୍‌ ଶବାନାରେ ଶୁଣାଯାଉଥିଲା ତା’ ପରେ ଯାଇ କବି-ସମ୍ମିଳନୀରେ ପହଞ୍ଚୁଥିଲା ।

 

ଏ ହୋଟେଲ୍‌ରେ କବି, ସାହିତ୍ୟିକ ଓ ଭାବୁକମାନଙ୍କର ସାନ୍ନିଧ୍ୟ ଲାଭ କରି ବେହେରାମାନଙ୍କର ମିଜାଜ୍‌ ମଧ୍ୟ କବିତ୍ୱ ପୂର୍ଣ୍ଣ ହୋଇ ଯାଇଥିଲା । ଏତେ କବିତ୍ୱପୂର୍ଣ୍ଣ ଯେ ଆପଣ ଲାଞ୍ଚର ବରାଦ ଦେଲେ, ଡିନର୍‌ ସମୟରେ ତାହା ଆପଣଙ୍କୁ ମିଳୁଥିଲା । ସେହିପରି ବି ବେହେରାମାନେ ଭାବୁଥିଲେ କି, କବି ଓ ସାହିତ୍ୟିକମାନଙ୍କର ଖାଇବାର କି ଦରକାର । ଏଇଟା ଖାଲି ଚଳଣି ଅଛି ବୋଲି ଚାଲିଛି । ସେମାନେ କବି ଓ ସାହିତ୍ୟକମାନଙ୍କ ଟେବୁଲ ଉପରେ ପାଣି ଗ୍ଳାସ ଥୋଇଦେଇ ଗାଏବ ହୋଇଯାଉଥିଲେ ଏବଂ ଲେଉଟି ପଚାରୁ ନଥିଲେ । କୋଡ଼ିଏ ବର୍ଷ ଯାଏ କବି ଓ ସାହିତ୍ୟିକମାନଙ୍କର ସାନିଧ୍ୟରେ ରହି, ସେମାନଙ୍କର ବହୁତ କ୍ଷତି ହୋଇଥିଲା । ସାହିତ୍ୟିକମାନଙ୍କର ଟେବୁଲ୍‌ରୁ ତାଙ୍କୁ କିଛି ଟିପ୍‌ (ବକ୍‌ସିସ୍‌) ମିଳିପାରୁ ନଥିଲା । ବରଂ ଅନେକ ସମୟରେ ବେହେରାମାନଙ୍କୁ ସାହିତ୍ୟିକମାନଙ୍କୁ ଟିପ୍‌ସ ଦେବାକୁ ପଡ଼ୁଥିଲା । ଯାହାକୁ କି ସେମାନେ ବେଗର୍‌ ସଲାମ୍‌ରେ ଗ୍ରହଣ କରୁଥିଲେ । ଦିନେ ଗୋଟିଏ କବିର ବିବେକ ଉଦୟ ହେବାରୁ, ସେ ହୋଟେଲ୍‌ର ଏକ ବେହେରାକୁ ଡାକି କହିଲା—“ବାବୁ ! ମୁଁ ତ ତୋତେ କେବେ ହେଲେ ଟିପ୍‌ ଦେଇନି । ଆସ, ମୁଁ ଆଜି ତୁମକୁ ଟିପ୍‌ ପରିବର୍ତ୍ତେ ମୋ ନିଜର ଦି’ଧାଡ଼ି କବିତା ଶୁଣେଇ ଦେଉଛି ।”

 

“ଏହାପରେ ବେହେରା କହିଲା—ମୁଁ ତ ଏ ଟିପ୍‌କୁ ଗ୍ରହଣ କରିନେଉଛି । କିନ୍ତୁ ଭଗବାନ ନ କରନ୍ତୁ, ଯଦି ଏ ପଦ ମୋର ପସନ୍ଦ ହୋଇ ମୁଁ ବାହାବ୍‌ବା କରେ, ତେବେ ସଲାମ୍‌ ଦେବାର, ଭାର ତୁମେ ଉପରେ ରହିଲା ।”

 

ସେହି ହୋଟେଲ୍‌ର ବେହେରାମାନଙ୍କ ଉପରେ ଭାରି ଦାୟିତ୍ୱ ନ୍ୟସ୍ତ ଥିଲା । ବିଶେଷକରି ସେମାନଙ୍କୁ ସୃତି ଶକ୍ତି ପ୍ରଖର କରି ରଖିବାକୁ ପଡ଼ୁଥିଲା କାରଣ, ଅଧିକାଂଶ କ୍ଷେତ୍ରରେ ସକାଳୁ ପିଆଯାଇଥିବା ଚାହା ବିଲ୍‌ ସନ୍ଧ୍ୟାରେ ଆଦାୟ କରାଯାଉଥିଲା ଏବଂ ବେହେରାମାନଙ୍କୁ ସନ୍ଧ୍ୟାପର୍ଯ୍ୟନ୍ତ ନିଜ ସ୍ମୃତିଶକ୍ତିର ପରୀକ୍ଷା ନେବାକୁ ପଡ଼ୁଥିଲା । ଖରାପ ସମ୍ପର୍କରେ ରହି ରହି ସେ ହୋଟେଲ୍‌ ବେହେରାମାନଙ୍କ ସ୍ୱଭାବ ମଧ୍ୟ ଖରାପ ହୋଇଯାଇଥିଲା । ସୁତରାଂ ‘ହୋଟେଲ୍‌ ଶବାନା’ର ଜଣେ ବେହେରା ଗୋଟିଏ ଗଜଲ ସମ୍ପୂର୍ଣ୍ଣ କରିଦେଇଥିଲା । ସେ କହିଥିଲେ—“ବାବୁ ! ଦିନସାରା ତ ମୁଁ ବେକାର ଥାଏ । ପଦଗୁଡ଼ିକ କହିଲେ, ମୋର ହୃଦଭାର ବି ଉଶ୍ୱାସ ହୋଇଯିବ; ସାହିତ୍ୟର ସେବା ବି ହୋଇଯିବ ।”

 

ମିର୍ଜା ହୋଟେଲ୍‌ ଶବାନାର ଜବାନ୍‌ ସମୟ ମଧ୍ୟ ଦେଖିଥିଲେ । ତାଙ୍କ କହିବା ଅନୁଯାୟୀ ଏହି ସମୟ କୋଡ଼ିଏ, ପଚିଶ ଦିନରୁ ବେଶି ନଥିଲା । ସେହି ସମୟରେ ‘ହୋଟେଲ୍‌ ସବାନା’ରେ ଲୋକଙ୍କର ଖୁବ୍‌ ଗହଳଚହଳ ଲାଗୁଥାଏ ।

 

ହୋଟେଲ୍‌ର ମାଲିକ୍‌ ବୁଦ୍ଧିଜୀବୀମାନଙ୍କ ଅତ୍ୟଧିକ ପୃଷ୍ଠପୋଷକତାରେ ଥକିଯାଇ, ଯୁବକମାନଙ୍କୁ ଅଧିକ ଆକର୍ଷଣ କରିବାପାଇଁ ଥରେ ଏକ ଯୋଜନା କଲେ । ସୁତରାଂ ଥରେ ଅଯଥାରେ ହୋଟେଲ୍‌ ଶବାନାରେ ବଡ଼ପାଟିଆ ବାଜି ଉଠିଲା । ଯେଉଁଦିନ ଏ ବଡ଼ପାଟିଆ ଆସିଲା, ସେଦିନ ମିର୍ଜା ଖୁବ୍‌ ଖପା ହୋଇଗଲେ । କାରଣ, ମିର୍ଜା କଥାବାର୍ତ୍ତା ଜରିଆରେ ଯେଉଁ ପାଟି କରୁଥିଲେ ତା ସହିତ ବଡ଼ପାଟିଆର ପାଟି ଖାପୁ ନଥିଲା । ମିର୍ଜା ବଡ଼ପାଟିଆକୁ ସେଠାରୁ ନିକାଲି, ଦମ୍‌ ନେବ ବୋଲି ମନସ୍ଥ କରିଥିଲେ । ତା’ର ପ୍ରମାଣ ହେଉଛି, ଗୋଟିଏ ଖୋଳରେ ଦୁଇଟି ତରବାରି ରହିପାରେନା । ସେ ସମୟ ମିର୍ଜାଙ୍କ ପକ୍ଷରେ ନିଜର ବୌଦ୍ଧିକ ଆଲୋଚନା ଜାରି ରଖିବାପାଇଁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବଡ଼ପାଟିଆ ବାଜି ବାଜି ଯେତେବେଳେ ବନ୍ଦ ହୋଇଯାଉଥିଲା, ସେତେବେଳେ ମିର୍ଜା ଉଠୁଥିଲେ । ଆଉ ଯେତେବେଳେ ମିର୍ଜା ଚୁପ୍‌ ହୋଇ ଯାଉଥିଲେ, ସେତେବେଳେ ବଡ଼ପାଟିଆ ବାଜିବାକୁ ଆରମ୍ଭ କରୁଥିଲା । ବଡ଼ପାଟିଆ ଯୋଗୁଁ ମିର୍ଜାଙ୍କର ଚିଲେଇ ଚିଲେଇ କଥା କହିବା ଆଦତ୍ ହୋଇ ଯାଇଥିଲା । ସୁତରାଂ ହୋଟେଲ୍‌ ବାହାରେ ମଧ୍ୟ ତାଙ୍କର କଥାବାର୍ତ୍ତାର ଢଙ୍ଗ ଏମିତି ହୋଇ ଯାଇଥିଲା ଯେ, ସେ ଯାହା ସହିତ କଥାବାର୍ତ୍ତା କରୁଥିଲେ, ସେ ସତେକି ଜନ୍ମରୁ କାଲ । ବଡ଼ ପାଟିଆ ‘ହୋଟେଲ୍‌ ଶବାନା’କୁ ଆସିବା ସଙ୍ଗେ ସଙ୍ଗେ ନଳି-ପେଣ୍ଟିଆ ଆଉ ଝିଅବେଶଧାରୀ ପୁଅମାନଙ୍କର ଭିଡ଼ ଅଧିକ ହୋଇ ଯାଉଥିଲା । ମିର୍ଜା ଏମାନଙ୍କୁ ଦେଖି ଦାନ୍ତ କଡ଼ମଡ଼ଉ ଥିଲେ ।

 

ଖୋଦ୍‌ ମିର୍ଜା କହୁଥିଲେ, ବଡ଼ପାଟିଆକୁ ଏହି ଯୁବକମାନେ ନିଜର ବ୍ୟକ୍ତିଗତ ଭାବପ୍ରଣତାର ବିକାଶପାଇଁ ଏକ ମାଧ୍ୟମରୂପେ ବ୍ୟବହାର କରୁଥିଲେ । ସେହିଦିନର ଗୋଟିଏ ଘଟଣା, ଗୋଟିଏ ଝିଅ ନିଜ ମାଆ ସହିତ ହୋଟେଲ୍‌ ଶବାନାରେ ପ୍ରବେଶ କଲା । ସାମନା ଟେବୁଲରେ ଜଣେ ସୁନ୍ଦର ଯୁବକ ବସିଥିଲା । ସେ ଝିଅକୁ ଦେଖିବାମାତ୍ରେ ପଇସା ଦେଇ ବଡ଼ପାଟିଆରେ ଗୀତଟାଏ ବଜାଇ ଦେଲା ।

 

‘ଇସ୍‌ ସେ ପହିଲେ ଭି କହିଁ ମୈନେ ତୁହ୍ନେ ଦେଖା’

 

ଅର୍ଥାତ୍‌ ମୁଁ ତୁମକୁ ପୂର୍ବରୁ ବି କୌଣସିଠାରେ ଦେଖିଛି । ଏହି ଗୀତ ବାଜିବା ସମୟରେ ଝିଅଟି ଚୋରାଚାହାଣିରେ ଯୁବକଟିକୁ ଚାହୁଁଥାଏ । ତାପରେ ଝିଅ ଉତ୍ତରରେ ଏହି ଗୀତଟି ବୋଲେଇଦେଲା ।

 

“ୟେ ତୋ କହୋ କୌନ୍‌ ହୋ ତୁମ୍‌, କୌନ୍‌ ହୋ ତୁମ୍‌” ଅର୍ଥାତ୍‌ କୁହ ତୁମେ କିଏ, ତୁମେ କିଏ ।

 

ପୁଣି ଯୁବକଟି ଜବାବ ଦେଲା—“ଆବାରାହୁଁ, ୟା ଗର୍‌ଦିଶ୍‌ ମେ ହୁଁ, ୟା ଅସମାନ୍‌ କା ତାରା ହୁଁ ।” ଅର୍ଥାତ୍‌ ମୁଁ ଭାଗା, କିମ୍ୱା ଦୁର୍ଭାଗା କିମ୍ୱା ଆକାଶର ତାରା ଅଟେ ।

 

ଝିଅର ମା ଯେକି ବହୁତ ଡେରିଯାଏ ନିଜ ଝିଅ ଓ ସେ ପୁଅର ସମ୍ୱନ୍ଧ ଦୃଢ଼ୀଭୂତ ହେଉଥିବାର ଦେଖୁଥିଲା; ସେ ହଠାତ୍‌ ଉଠି ଠିଆ ହୋଇଗଲା ଆଉ ବଡ଼ପାଟିଆ ବାକ୍‌ସରେ ପଇସା ଦେଇ ଏ ଗୀତଟି ବୋଲେଇ ଦେଲା ।

 

“ଆଲ୍ଲା ବଚାଏ ନୱଜବାନୋଁସେ” ଅର୍ଥାତ୍‌ ଭଗବାନ୍‌ ଏ ଟୋକାଙ୍କ ଦାଉରୁ ରକ୍ଷାକରନ୍ତୁ-।”

 

ମିର୍ଜା ଏସବୁ ଘଟଣା ଦେଖି ରକ୍ତଚାଉଳ ଚୋବାଉଥିଲେ । ତାଙ୍କର ଯୌବନ ବହୁତ ଆଗରୁ ଚାଲିଯାଇଥିଲା । ଏଥିପାଇଁ ସେ କୌଣସି ଯୁବକର ଆନନ୍ଦ ସହିପାରୁ ନଥିଲେ । ଶେଷରେ ସେ ସେହି ବଡ଼ପାଟିଆ ଶତ୍ରୁକୁ ହୋଟେଲ୍‌ରୁ କଢ଼େଇ ଦେବାର ବନ୍ଦବସ୍ତ କଲେ । ସେ ସହମତାବଲମ୍ୱୀ ଓ ସହାବସ୍ଥାନୀ ଭାବୁକ ବନ୍ଧୁମାନଙ୍କଠାରୁ ଚାନ୍ଦା ଆଦାୟ କଲେ ଏବଂ ସେହି ପାଣ୍ଠିରୁ ବଡ଼ପାଟିଆ ବାକ୍‌ସରେ ପଇସା ପକେଇ ନିରବିଚ୍ଛିନ୍ନଭାବରେ ଗୋଟିଏ ରେକର୍ଡ଼ ବଜେଇଲେ, ଯେଉଁ ଗୀତଟି ଯୁବକମାନଙ୍କ ବିରକ୍ତିକର ହେଉଥିଲା । ମୋର ମନେଅଛି ଏହି ଗୀତଟି ହୋଟେଲ୍‌ ଶବାନାରେ ନିରବିଚ୍ଛିନ୍ନ ଭାବରେ ୮ଦିନ ଧରି ବାଜିଥିଲା ଏବଂ ଏହା ଫଳରେ ଯୁବକମାନଙ୍କର ସେଠାକୁ ଯିବାଆସିବା ଛାଏଁ ଛାଏଁ ବନ୍ଦହୋଇଗଲା । ଏହିପରି ଭାବରେ ସେହି ହୋଟେଲ୍‌ ଉପରେ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଅଧିକାର ପୁନଶ୍ଚ ପ୍ରତିଷ୍ଠିତ ହୋଇଗଲା । ମିର୍ଜା ଏହି ବିଜୟରେ ଖୁବ୍‌ ଆନନ୍ଦିତ ହୋଇଥିଲେ । କରଣ, ହୋଟେଲ ଶବାନାରେ ବଡ଼ପାଟିଆର ସ୍ୱର ପରିବର୍ତ୍ତେ ମିର୍ଜାଙ୍କ ସ୍ୱରର ଝଙ୍କାର ପୁଣି ଶୁଭିବାକୁ ଲାଗିଲା ।

 

ହୋଟେଲ୍‌ ଶବାନାକୁ ବହୁପ୍ରକାରର କାରବାରୀ ଲୋକ ମଧ୍ୟ ଆସୁଥିଲେ । ମୁଁ ତ କହିବି ଯେ ଏହାହିଁ ଏକମାତ୍ର ହୋଟେଲ ଥିଲା, ଯେଉଁଠିକି ହୋଟେଲ୍‌ ଛଡ଼ା ଅନ୍ୟସବୁ କାରବାର ଚଳୁଥିଲା-। ଏଠି ମଟର ବିକ୍ରିର କାରବାର ହେଉଥିଲା, ସମ୍ପତ୍ତିବାଡ଼ି ବିକ୍ରି କରାଯାଉଥିଲା, ଘୋଡ଼ାଦୌଡ଼ରେ ଟଙ୍କା ଲଗାଯାଉଥିଲା; ମୋଟ ଉପରେ ଏଠି କଅଣ ନ ହେଉଥିଲା !

 

ମିର୍ଜା ଏପରି ନିୟମିତଭାବରେ ହୋଟେଲ୍‌ ଶବାନାକୁ ଆସୁଥିଲା, ଯେପରିକି ସେ ହୋଟେଲ୍‌କୁ ନଯାଇ ନିଜ ଦପ୍ତରକୁ ଯାଉଥାନ୍ତି । ଯଦି କେହି ତାଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଉଥିଲା, ତେବେ ସେ ତାଙ୍କୁ ହୋଟେଲ ଶବାନାକୁ ଆସିବାପାଇଁ ଉପଦେଶ ଦେଉଥିଲେ । ସେ କହୁଥିଲେ—“ତାଙ୍କ ଘର ମୋଗଲପୁରାରେ ଅଛି ସତ କିନ୍ତୁ ସେ ଘରର ବୈଠକ ଖାନା ହୋଟେଲ୍‌ ଶବାନାରେ ଅଛି ।”

 

ଆପଣଙ୍କୁ ଲୁଚେଇବି କଅଣ । ମୋ ଘରର ବୈଠକଖାନା ମଧ୍ୟ ସେହି ହୋଟେଲରେ ଥିଲା ।

 

ହୋଟେଲ ଶବାନା ବିଷୟରେ ମିର୍ଜାଙ୍କର ସମୟାନୁବର୍ତ୍ତିତା ବିଷୟ ଏହି କଥାରୁ ଅନ୍ଦାଜ କରିବେ । ମିର୍ଜାଙ୍କ ସହ ମୋର ଏକ ଜରୁରି କାମ ପଡ଼ିଲା, ଯେଉଁଥିଲାଗି ତାଙ୍କର ମୋ ସାଙ୍ଗରେ ଯିବା ନିହାତି ଦରକାର ଥିଲା ।

 

ମିର୍ଜା କହିଲେ—“ତୁମେ କାଲି ସକାଳ ଆଠଟାରେ ମୋ ଘରକୁ ଆସ । ମୁଁ ତୁମ ସାଙ୍ଗରେ ଯିବି ।”

 

ମୁଁ କହିଲି—“ଏତେ ସକାଳୁ ମୋଦ୍ୱାରା ଆସିବା ହୋଇପାରିବ ନାହିଁ । ଯଦି ଦଶଟାବେଳେ ଆସେ ଚଳିବନି ?”

 

ମିର୍ଜା ଚମକିପଡ଼ି କହିଲେ—“ମୁଁ ଦଶଟାବେଳେ ତୁମ ସାଙ୍ଗରେ ମୋଟେ ଯାଇପାରିବି ନାହିଁ କାରଣ, ଦଶଟାବେଳେ ମୁଁ ତ ହୋଟେଲ୍‌ ଶବାନାକୁ ଯାଏ ।

 

ଏଇଟା ସତକଥା ଯେ ହୋଟେଲ ଶବାନାର ଗ୍ରାହକମାନଙ୍କର ଚରିତ୍ର ଏକପ୍ରକାର ହୋଇଯାଇଥିଲା । ତାର କେତେକ ଗ୍ରାହକ ହିନ୍ଦୁସ୍ଥାନ ଛାଡ଼ି ବିଦେଶ ଚାଲିଯାଇଥିଲେ । ତଥାପି ସେମାନେ ୟୁରୋପ, ଆମେରିକାରେ ମଧ୍ୟ ହୋଟେଲ୍‌ ଶବାନାକୁ ଝୁରୁଥିଲେ । ଜଣେ ଗ୍ରାହକ ନ୍ୟୁୟର୍କରୁ ମୋତେ ଚିଠି ଲେଖିଥିଲା—“ବନ୍ଧୁ ନ୍ୟୁୟର୍କରେ ସବୁକିଛି ଅଛି କିନ୍ତୁ ହୋଟେଲ୍‌ ଶବାନା ନାହିଁ । ଏଥିଲାଗି ଏ ସହରରେ ମନଲାଗୁନି । ମୋର ଯଦି କ୍ଷମତା ଥାଆନ୍ତା, ତେବେ ସାରା ଦୁନିଆକୁ ମୁଁ ହୋଟେଲ୍‌ ଶବାନା ବନେଇ ଦିଅନ୍ତି ।”

 

ହୋଟେଲ୍‌ ଶବାନା କେତେ ବିପ୍ଳବ ଦେଖିଛି କିନ୍ତୁ ତାର ଧୀରସ୍ଥିରତା ଉପରେ କିଛି ଆଞ୍ଚ ଆସିନି । ମିର୍ଜା ବରାବର କହୁଥିଲେ, ହୋଟେଲ୍‌ ଶବାନା ଏକ ସାମାଜିକ ରିଫ୍ରିଜିରେଟର ଅଟେ । ଏଠି ରହି ଲୋକ ନିଜର ପ୍ରକୃତ ଅବସ୍ଥାରେ ତିଷ୍ଠି ରହିପାରିବ । ଆମେ ବର୍ଷ ବର୍ଷ ଧରି ସେହି ରିଫ୍ରିଜିରେଟର୍‌ରେ ଆବଦ୍ଧ ରହିଥିଲୁ । ଶେଷ କେତେ ବର୍ଷ ଧରି ସେହି ହୋଟେଲ୍‌ ବନ୍ଦ ହୋଇଯିବାର ଜନରବ ଶୁଣି ଆସିଥିଲୁ କିନ୍ତୁ ଏଥିରେ କେବେହେଲେ ବିଶ୍ୱାସ ହେଉ ନଥିଲା; ଓଲଟା ଏହି ବିଶ୍ୱାସଟି ଦୃଢ଼ ହୋଇଯାଇଥିଲା ଯେ, ଯେଉଁ ହୋଟେଲ୍‌କୁ ତା’ର ଗ୍ରାହକମାନେ ବିଗାଡ଼ି ପାରୁନଥିଲେ, ଦୈବ ତା’ର କଅଣ ବିଗାଡ଼ି ପାରିବ । ସେହିପରି ବି ସେ ହୋଟେଲ୍‌ରେ ବିଗାଡ଼ିବା ପାଇଁ କଅଣ ଆଉ ବାକିଥିଲା । କିନ୍ତୁ ଦିନେ ହୋଟେଲ ଶବାନା ସତରେ ବନ୍ଦ ହୋଇଗଲା-

ମିର୍ଜା କନ୍ଦାକଟା କରି କହୁଥିଲେ—“ବନ୍ଧୁ ! ହାଇଦରାବାଦ୍‌ର ଆଉ ବଞ୍ଚିଲା କଅଣ । ମଖ୍‌ଦୁମ୍‌ (କବି) ଚାଲିଗଲେ, ଯାମି ଚାଲିଗଲେ, ଓରେବ୍‌ ଚାଲିଗଲେ, ବାକି ରହିଯାଇଥିଲା ହୋଟେଲ୍‌ ଶବାନା; ସେ ମଧ୍ୟ ଚାଲିଗଲା । କାହାର କାହାର ଦରଦ୍‌ ଆମେ ଛାତିରେ ଲୁଚେଇ ବୁଲିବା । ଏଥର ଆମେ ବି ପେଡ଼ିପୁଟୁଳା ବାନ୍ଧି ଚାଲିଯିବା ଦରକାର ।

ଏତେଦିନ ପରେ ପଅରଦିନ ଯେତେବେଳେ ମିର୍ଜା ମୋତେ ଭେଟିଲେ, ସେତେବେଳେ ସେ ଏକ୍‌ସ୍‌ରେ ରିପୋର୍ଟ ଭଳି ଚେହେରାରେ ଭେଟିଲେ । ଜାଣେନା କଅଣ ତାଙ୍କର ହୋଇଯାଇଥିଲା । ବିଦାୟ ନେଲାବେଳେ ମୋତେ କହିଲେ, “କାଲି ମୋରି ଘରେ ରାତ୍ରି ଭୋଜନ କରିବ ।”

ମୁଁ ପଚାରିଲି, “କିଛି ଉତ୍ସବ ଅଛି କି ?”

ସେ କହିଲେ ‘ହଁ ?’

ମୁଁ ପଚାରିଲି “କି ଉତ୍ସବ ?”

ଅଶ୍ରୁପୂର୍ଣ୍ଣ ନୟନରେ ସେ କହିଲେ—“କିଛି ନୁହେଁ, କାଲି ହୋଟେଲ୍‌ ଶବାନାର ଶୁଦ୍ଧି ଘର-।” ଏହା କହି ମିର୍ଜା ଏକ ଛାଇପରି ଲୋକଙ୍କ ଭିଡ଼ ଭିତରେ ଉଭେଇ ଗଲେ ।

Image

 

ନିର୍ବାଚନ ଧ୍ୱନି

 

ମିର୍ଜାଙ୍କର ବେଖାପିଆ କଥା ମୋତେ ପସନ୍ଦ ଲାଗିବାର କାରଣ ହେଉଛି, ସେଥିରୁ ବେଳେ ବେଳେ ବୁଦ୍ଧିମତ୍ତା ପ୍ରକାଶ ପାଇଥାଏ । ନିର୍ବାଚନ ହଙ୍ଗାମା କାଳରେ ଦିନେ ସେ କହି ଲାଗିଲେ—“ଆଧୁନିକ ଯୁଗରେ ଭାରତର ଗଣତନ୍ତ୍ରଟା ସେହି ପୁରୁଣାକାଳିଆ ହୋଇ ରହିଛି ।”

 

ମୁଁ ଏହାର ସ୍ପଷ୍ଟୀକରଣ କରିବାପାଇଁ ପଚାରିଲି—“ଏ ବେଖାପିଆ କଥାର ମତଲବ କଅଣ ?”

 

ସେ କହିଲେ—“ମତଲବ ଅତି ପରିଷ୍କାର ।” ଇତିହାସ ପଢ଼ିଲେ ତମକୁ ଜଣାଯାଏ ଯେ ପୂର୍ବ କାଳରେ ଯେତେବେଳେ କାଗଜ ଆବିଷ୍କୃତ ହୋଇନଥିଲା, ସେତେବେଳେ ମଣିଷ କାନ୍ଥ ଓ ପର୍ବତ ଗାତ୍ରରେ ଲେଖୁଥିଲା, ଆଉ ଭାରତର ଆଜିକାଲିକା ଗଣତନ୍ତ୍ରରେ ନିର୍ବାଚନ ପ୍ରାର୍ଥୀ ମଧ୍ୟ କାନ୍ଥରେ ନିର୍ବାଚନ ଧ୍ୱନି ସବୁ ଲେଖୁଛି । ଆମର ଗଣତନ୍ତ୍ର, ପ୍ରସ୍ତର ଯୁଗର ଟିକିଏ ଆଗରେ ରହିଛି ଏବଂ ଆମ ନିର୍ବାଚନ ପ୍ରାର୍ଥୀମାନଙ୍କୁ ଏପର୍ଯ୍ୟନ୍ତ ଖବର ମିଳିନି ଯେ, ମଣିଷ କାଗଜର ଉଦ୍ଭାବନ କରି ସାରିଲାଣି ।”

 

ଏହା କହିବାବେଳେ ମିର୍ଜାଙ୍କ ମୁହଁରୁ ସେହି ଫେଣ ବାହାରିପଡ଼ିଲା, ଯାହାକି ସାଧାରଣତଃ କ୍ରୋଧ ବେଳେ ତାଙ୍କ ମୁହଁରୁ ବାହାରେ ।

 

ମୁଁ ପଚାରିଲି—“ଆଚ୍ଛା, କଥା କ’ଣ ? ଗଣତନ୍ତ୍ର ଉପରେ ବହୁତ ଖପା ଜଣା ଯାଉଛ ?

 

ସେ କହିଲେ—‘‘ରାଗିବିନିତ କରିବି କଅଣ ! ଗତ ପନ୍ଦର ଦିନ ଧରି ରାତିସାରା ଅନିଦ୍ରା ରହି ନିଜ ଘରକୁ ଜଗି ରହିଥିଲି । ସାହିସାରା ନିର୍ବାଚନର ଧ୍ୱନିରେ ରଙ୍ଗୀନ ହୋଇଯାଇଥିଲା କିନ୍ତୁ ମୋ ଘରର କାନ୍ଥ ଏକ ସାଧୁ ସନ୍ଥଙ୍କ ଆଲ୍‍ଖାଲାର ସାମ୍ନା ଅଂଶ ପରି ଉଜ୍ଜ୍ୱଳ ଥିଲା । କିନ୍ତୁ କାଲି ରାତିରେ ଅଳ୍ପ ସମୟପାଇଁ ମୋତେ ଟିକିଏ ନିଦ ଲାଗିଗଲା । ସେତେବେଳେ କେହିଜଣେ ଅତି ନିର୍ଦ୍ଦୟ ଭାବରେ ମୋ କାନ୍ଥରେ ଗୋଟିଏ ପୂରା ମଣିଷ ଆକାରର ନିର୍ବାଚନ ଧ୍ୱନିଟାଏ ଲେଖି ଦେଇ ଯାଇଛି । ଆଉ ସେହି ପାର୍ଟିର ଧ୍ୱନି ଲେଖିଛି, ଯାହା ଉପରେ ମୁଁ ଚିଡ଼େ । ତୁମେ କୁହତ, ଏ କେଉଁ ଧରଣର ଗଣତନ୍ତ୍ର, ଯେଉଁଥିରେ ମଣିଷ ନିଜ ଘର କାନ୍ଥରେ ଆପଣା ପସନ୍ଦ ପାର୍ଟିର ଧ୍ୱନି ମଧ୍ୟ ଲେଖେଇ ପାରିବ ନାହିଁ । ଖାଲି ନିଜର କହିବା ସ୍ୱାଧୀନତାଟା ମିଳିଗଲେ କଅଣ ହେବ ? ମୁଁ ଭାବିଲି, ଏବେ କାହାକୁ ଏହି କାନ୍ଥ ଉପରେ ଲେଖିବାଲାଗି ଆଉ ଆଡ଼କୁ ଅନୁମତି ଦେବି ନାହିଁ । କିନ୍ତୁ କିଛି ସମୟ ପରେ ମୋର ପସନ୍ଦିଆ ପାର୍ଟିର କର୍ମୀମାନେ ଆସି ସେଠାରେ ପହଞ୍ଚିଗଲେ । କାନ୍ଥରେ ବିରୁଦ୍ଧ ପାର୍ଟିର ଧ୍ୱନି ଦେଖି କହିବାକୁ ଲାଗିଲେ—ଆଚ୍ଛା, ଆପଣ ଆମକୁ ଭୋଟ୍ ଦେବାଲାଗି ପ୍ରତିଜ୍ଞା କରିଛନ୍ତି ଅଥଚ ନିଜ କାନ୍ଥରେ ଧ୍ୱନି ଲେଖିବାର ଅଧିକାର ବିରୁଦ୍ଧ ଦଳକୁ ଦେଉଛନ୍ତି । ଏହାହିଁ କଅଣ ରାଜନୀତିର ସାଧୁତା ?

 

ମୁଁ କହିଲି, ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ଏହି ଧ୍ୱନିକୁ ଲିଭେଇ ଦେବି । ସୁତରାଂ ପରଦିନ ମୁଁ କାନ୍ଥକୁ ଘଷାଘଷି କରାଇ ଧୁଆଇ ଦେଲି ଏବଂ ତା ଉପରେ ନିଜ ତରଫରୁ ବଡ଼ ବଡ଼ ଅକ୍ଷରରେ ଏହି ଲେଖା ଲେଖେଇ ଦେଲି—ଏହି କାନ୍ଥ ଉପରେ ଯେ କେହି ନିର୍ବାଚନ ପ୍ରାର୍ଥୀ ଧ୍ୱନି ଲେଖିବ, ତାକୁ ଏ ଘରର ଭୋଟ୍ ମିଳିବ ନାହିଁ । ଏହାପରେ କୌଣସିବି ପ୍ରାର୍ଥୀ କାନ୍ଥରେ ଧ୍ୱନି ଲେଖିଲେ ନାହିଁ ।

 

ମୁଁ ହସିକରି କହିଲି—କିନ୍ତୁ ମିର୍ଜା ! ଏ କଥା ବି ଭାବ ଯେ ବେମାରିର ଠିକ୍ ଚିକିତ୍ସା କରିବା ଦ୍ୱାରା ତୁମେ ନିଜେ ନିଜ କାନ୍ଥର ସୌନ୍ଦର୍ଯ୍ୟକୁ ନଷ୍ଟ କରିଛ ।

 

ସେ କହିଲେ—ମୋ କାନ୍ଥର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାର ପୂର୍ଣ୍ଣ ଅଧିକାର ମୋର ରହିଛି କିନ୍ତୁ ମୋ କାନ୍ଥକୁ ନଷ୍ଟ କରିବାକୁ ନିର୍ବାଚନ ପ୍ରାର୍ଥୀ କିଏ ?

 

ମିର୍ଜାଙ୍କର ଜବାବ୍ କିଲ୍‍କୁଲ୍ ଠିକ୍ ଥିଲା । ଏଥିଲାଗି ଚୁପ୍ ରହିବାକୁ ପଡ଼ିଲା । କିନ୍ତୁ ଏ କେବଳ ମିର୍ଜାଙ୍କ ସମସ୍ୟା ନୁହେଁ, ଏହା ପ୍ରତ୍ୟେକ ଲୋକର ସମସ୍ୟା, ଯିଏ କି ଗୋଟିଏ ପାଚେରି ଭିତରେ ରହିଥାଏ ।

 

ନିର୍ବାଚନ କାଳରେ ଫୁଟପାଥ୍ ଉପରେ ଜୀବନ କଟାଉଥିବା ଲୋକମାନେହିଁ ଖୁବ୍ ଭାଗ୍ୟବାନ ଜଣା ଯାଆନ୍ତି । ସେମାନଙ୍କର ଘରନଥାଏ କି ଘର କାନ୍ଥ ନଥାଏ । ନଥିବ ବାଉଁଶ କି ନ ବାଜିବ ବଇଁଶୀ । ମିର୍ଜା ଗାଲିବଙ୍କ କାଳରେ ଦେଶରେ ଗଣତନ୍ତ୍ରର ଚଳନ ନଥିଲା । କିନ୍ତୁ ତଥାପି ଗାଲିବ୍‍ଙ୍କର ଦୂରଦୃଷ୍ଟିକୁ ପ୍ରଶଂସା କରିବାକୁପଡ଼ୁଛି; ଯିଏ କି ଶହେ ବର୍ଷ ପୂର୍ବେ ଏହି ଇଚ୍ଛାପ୍ରକାଶ କରିଥିଲେ—

 

ବେ-ଦରୋଦିବାର ସା ଏକ୍ ଘର୍ ବନାୟା ଚାହିୟେ

(କାନ୍ଥ ନଥିବା ଘରଟିଏ ତିଆରି କରିବା ଉଚିତ)

 

ସତ କହିବାକୁ ଗଲେ ଆମ ଗଣତନ୍ତ୍ରର ମୂଳଦୁଆ ଏହି ପୁରୁଣାକାଳିଆ କାନ୍ଥ ଉପରେ ଠିଆ ହୋଇଛି । ଇଆଡ଼େ ନିର୍ବାଚନ ପ୍ରାର୍ଥୀଙ୍କ ମନୋନୟନ ପତ୍ର ଗୃହୀତ ହେବା ସଙ୍ଗେ ସଙ୍ଗେ ତାଙ୍କର କର୍ମୀମାନେ ହାତରେ ରଙ୍ଗଡବା ଓ ବ୍ରସ୍ ନେଇ କାନ୍ଥ ଉପରକୁ କୁଦି ପଡ଼ନ୍ତି । ପୁଣି ମଜାକଥା ଏହିକି ଯେ ଧ୍ୱନି ଏପରି ଲୋକଙ୍କ ହାତରେ ଲେଖାଯାଏ, ଯାହାଙ୍କୁ କୌଣସି କାଗଜ ଉପରେ ଦସ୍ତଖତ କରିବାପାଇଁ ଯଦି କୁହାଯାଏ, ତେବେ ସେମାନେ କିଛି ଚିନ୍ତା ନକରି ଅଲାଜୁକ ଭାବରେ ଟିପଚିହ୍ନ ବସେଇ ଦିଅନ୍ତି । (ଏମିତିଆ ତ କେତେ ନିର୍ବାଚନ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ଭିତରେ ମଧ୍ୟ ଏହିସବୁ ମହତ୍ ଗୁଣ ରହିଛି) । ପରିଣାମ ଏଇଆ ହୁଏ ଯେ, ଡିକ୍‌ଟେସନର ଭୁଲ୍‍ଗୁଡ଼ିକ ସମାଜରେ ପ୍ରଚଳିତ ହୋଇଯାଏ । ଉଦାହରଣସ୍ୱରୂପ ମୋ ପିଲା Congressକୁ Kongrace, Socialist Partyକୁ Sochalist Party ଲେଖୁଛି । ଯେବେ ମୁଁ ତା ଲେଖାର ଭୁଲ୍ ଦେଖାଏ ତେବେ ସେ ରେଫରେନ୍‌ସପାଇଁ ନିଜ ସ୍କୁଲର କାନ୍ଥକୁ ଦେଖାଇ ଦିଏ । ମିର୍ଜା ବିଲ୍‌କୁଲ୍‌ ଠିକ୍‌ କହନ୍ତି କି ଆମ ଗଣତନ୍ତ୍ରର ଏ ପର୍ଯ୍ୟନ୍ତ ଶିକ୍ଷା ସଙ୍ଗେ କୌଣସି ସମ୍ପର୍କ ହୋଇନାହିଁ । ନିର୍ବାଚନର ଧ୍ୱନିକୁ ଦେଖି ଜଣାଯାଏ କି ଆମ ଦେଶରେ ନିରକ୍ଷରତା ଯେ କେବଳ ରହିଛି ତା ନୁହେଁ ବରଂ ତାକୁ ପ୍ରଚଳିତ କରିବାର ଫଳପ୍ରଦ ଯୋଗାଡ଼ଯନ୍ତ୍ର ରହିଛି ।

 

ସତ କହିବାକୁ ଗଲେ ଆମ ଦେଶରେ ରଚନା ଓ ସମ୍ପାଦନାର କାମ ବେଶିଭାଗ କାନ୍ଥ ବାଡ଼ ଉପରେ ହିଁ ହୁଏ । ନିର୍ବାଚନ ସରିଗଲେ ପ୍ରାର୍ଥୀଗୁଡ଼ା ଭୋଟରମାନଙ୍କ ନଜରରୁ ଖୁବ୍‌ କମରେ ୫ ବର୍ଷଯାଏ ଉଭାନ ହୋଇଯାନ୍ତି କିନ୍ତୁ ତାର ଧ୍ୱନି ପ୍ରତ୍ୟେକ ଦିନ ଆପଣଙ୍କୁ ତା’ର ସ୍ମୃତି ଆଣି ଦେଉଥାଏ ।

 

ଜଣେ ପ୍ରାର୍ଥୀଙ୍କୁ ମୁଁ ପଚାରିଲି—‘ଭାଇ ନିଜର ଧ୍ୱନି କାନ୍ଥ ଉପରେ ଲେଖନ୍ତି କିଆଁ ?

 

ସେ କହିଲା—“ଯଦି ମୁଁ ନିର୍ବାଚନରେ ଜିଣିଯାଏ ଓ ଆଉ ୫ବର୍ଷ ପରେ ଯଦି ମୋତେ ପୁଣି ନିର୍ବାଚନମଣ୍ଡଳୀକୁ ଯିବାର ଦରକାର ପଡ଼େ, ତେବେ ସେହି ଧ୍ୱନିତକ ଦେଖି ଜାଣିପାରିବି ଯେ ମୋ ନର୍ବାଚନମଣ୍ଡଳୀ କେଉଁଠି ? ଧ୍ୱନିର ସାହାଯ୍ୟବିନା ମୁଁ କିପରି ନିଜର ନିର୍ବାଚନ ମଣ୍ଡଳୀର ସୀମା ଜାଣିପାରିବି ।”

 

ଏ କଥାଟା ମୋ ମନକୁ ପାଇଲା । କାହିଁକି ନାଁ ମୁଁ ଏପରି ବହୁତ ରାଜନୈତିକ ନେତା ଦେଖିଛି, ଯେ କି ଆସେମ୍ଳିରେ ପହଞ୍ଚି ଯିବା ପରେ, ନିଜ ନିର୍ବାଚନ ମଣ୍ଡଳୀର ନାମବି ଭୁଲିଯାଆନ୍ତି ! ସୁତରାଂ ନିର୍ବାଚନ ଧ୍ୱନିର ଏକମାତ୍ର ଲାଭ ମୋତେ ଏଇଆ ଜଣାଯାଉଛି କି ସେଗୁଡ଼ିକର ସାହାଯ୍ୟରୁ ଘଟଣାସ୍ଥଳିର ପତ୍ତା ମିଳିଯାଇପାରେ । ସ୍ୱୟଂ ମିର୍ଜାଙ୍କୁ ମୁଁ ଦିନେ ତାଙ୍କ ଘରର ପତ୍ତା ପଚାରିବାରୁ, ସେ ଠିକଣାର ବିଶଦ୍‌ ବିବରଣୀ ଏହିପରି ଭାବରେ ଦେଲେ—“ଆପଣ ଆଗେ ଚାରମିନାର ଡାହାଣପଟ ମୋଡ଼ଦେଇ ଯିବେ । କିଛି ଦୂର ବାଦ୍‌ ଆପଣଙ୍କୁ ‘କଂଗ୍ରେସକୁ ଭୋଟ୍ ଦିଅନ୍ତୁ’ ଧ୍ୱନିର ଲେଖା ଦେଖାଯିବ । ସେହି ଧ୍ୱନି ପାଖ ଗଳିରେ କିଛିଦୂର ଚାଲିଯିବା ପରେ ଆପଣଙ୍କୁ “ଜନସଂଘହିଁ ଦାରିଦ୍ର୍ୟ ଦୂର କରିପାରେ”ର ଧ୍ୱନି ଦେଖିବାକୁ ମିଳିବ । ସେହି ଧ୍ୱନିକୁ ପାରହୋଇ ଆପଣ ବଜାରବାଲା ଗଳିରେ ଚାଲିଯିବେ । ସେଠି ଆପଣଙ୍କୁ ‘ସୋସିଆଲିଷ୍ଟିପାର୍ଟିକୁ ଭୋଟ ଦିଅନ୍ତୁ’, ଧ୍ୱନି ଦେଖିବାକୁ ମିଳିବ । ଏ ଧ୍ୱନିକୁ ନଦେଖିଲାପରି ଆପଣ ଆଗେ ବଢ଼ିବେ । ସେଠି ଆପଣଙ୍କୁ ଗୋଟିଏ ‘ମଶାଲ୍‌କୁ ଭୋଟ ଦିଅନ୍ତୁ ’ ଧ୍ୱନି ଦେଖିବାକୁ ମିଳିବ । ବାସ୍‌ ସେହି ହେଉଛି ମୋ ଘର ।

 

ଆପଣ ବିଶ୍ୱାସ କରନ୍ତୁ, ମୁଁ ମିର୍ଜା ବତେଇଥିବା ବାଟରେ ତାଙ୍କ ଘର ଖୋଜିବାକୁ ବାହାରିବା ସଙ୍ଗେ ସଙ୍ଗେ ତାଙ୍କ ଘର ମିଳିଗଲା । ଦରଜା ଖଡ଼୍ ଖଡ଼୍ କରିବା ମାତ୍ରେ ସେ ଘରୁ ବାହାରି ଆସିଲେ, କହିଲେ “ଭଲ ହେଲା ତୁମେ ଠିକ୍‌ ସମୟରେ ଆସିଗଲ କାରଣ, ସୋସାଲିଷ୍ଟି-ପାର୍ଟିର ଧ୍ୱନିଥିବା କାନ୍ଥର ଘରବାଲା ଆଜି କାନ୍ଥ ସଫାକରିବାକୁ ଚାହୁଁଥିଲେ । ମୁଁ ତୁମ ସୁବିଧାପାଇଁ ବହୁତ ମିନତିକରି ତାଙ୍କୁ ସଫାକରିବାକୁ ବନ୍ଦ କରେଇଛି । ଭଗବାନ କରନ୍ତୁ ଯଦି ସେ ସଫା କରିଦେଇ ଥାଆନ୍ତେ, ତେବେ ତୁମେ କେବେହେଲେ ମୋ ଘରେ ପହଞ୍ଚି ପାରିନଥାନ୍ତ ।” ଏହାକହି ସେ ସୋସାଲିଷ୍ଟି ପାର୍ଟିର ଧ୍ୱନିଥିବା କାନ୍ଥର ମାଲିକକୁ କହିପଠେଇଲେ ଯେ, ଏବେ ସେ ସଫେଇ କରିପାରନ୍ତି । ତାର ଜବାବ୍‌ରେ ସେହି ଭଦ୍ରଲୋକଟି ମିର୍ଜାଙ୍କୁ କହିପଠେଇଲେ ଯେ ଆସନ୍ତା ରବିବାର ପର୍ଯ୍ୟନ୍ତ ସେ ନିଜ ଘର ‘ମଶାଲ’ର ଜଗାରଖା କରନ୍ତୁ । କାରଣ, ସେହିଦିନ କେତେକ ଅତିଥି ସେହି ଧ୍ୱନି ସାହାଯ୍ୟରେ ତାଙ୍କ ଘରେ ପହଞ୍ଚିବାର ଅଛି । ନିର୍ବାଚନ ଧ୍ୱନିର ଏହି ଫାଇଦାଟି ମୋ ମନକୁ ଆସିଛି ।

 

ନିର୍ବାଚନକର୍ମୀମାନଙ୍କ ଅସୁବିଧା ଏହି ଯେ ସେମାନେ ଲୁଚି ଛପି କାନ୍ଥରେ ଧ୍ୱନି ଲେଖନ୍ତି । ଏଇଥିପାଇଁ ସେମାନଙ୍କ ନଜର ସେହି କାନ୍ଥରେ ଆଗରୁ ଲେଖା ହୋଇଥିବା ଲେଖାପ୍ରତି ପଡ଼େନାହିଁ । ଏଇଥିପାଇଁ କଣ ନିର୍ବାଚନ ଲେଖାଗୁଡ଼ିକ ସାଙ୍ଗରେ ମିଶି ସେଗୁଡ଼ିକ ବଡ଼ କଉତୁକିଆ ବନିଯାଏ । ଗୋଟିଏ କାନ୍ଥରେ ନିର୍ବାଚନ ଧ୍ୱନି ଲେଖାଥିଲା, ‘କଙ୍ଗ୍ରେସର ହାତକୁ ମଜ୍‌ବୁତ କର’ । ଆଉ ତା’ ତଳେ ଲେଖାଥିଲା, ‘ହାତଗୋଡ଼ ଭଙ୍ଗାର ସର୍ବୋତ୍କୃଷ୍ଟ ଚିକିତ୍ସା କରାଯାଏ’ । ଏହାଥିଲା କୌଣସି ଏକ ସର୍ଜନର ପ୍ରଚାର ପତ୍ର । ଆମକୁ ଜାଗା ଜାଗାରେ ଏହିପରି ଦେଖାଯାଏ । ଉଦାହରଣସ୍ୱରୂପ ନିମ୍ନରେ ଦିଆଯାଇଥିବା ବେଖାପିଆ ଲେଖାର ନମୁନା ଦେଖନ୍ତୁ ।

 

“କମ୍ୟୁନିଜମ୍‌ ହିଁ ଆପଣଙ୍କ ସମସ୍ୟାର ସମାଧାନ କରିପାରେ ।”

 

“ଅନୁକରଣକାରୀ ଓ ଧୋକାବାଜମାନଙ୍କ ଠାରୁ ଆତ୍ମରକ୍ଷା କରନ୍ତୁ ।”

 

“ଆପଣଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀକୁ ଜିତାନ୍ତୁ”

 

—ଆଉ ‘ମାଙ୍କଡ଼ ଛାପ ଥିବା ବିଡ଼ି ପିଅନ୍ତୁ’ ।

 

‘ଯଦି ଆପଣ କୌଣସି ଗୁପ୍ତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି—’

 

ତେବେ ସାଇକଲକୁ ଭୋଟ ଦିଅନ୍ତୁ ।’

 

ଚକମକିଆ ଧୁଲେଇ ପାଇଁ—“ନିଜ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଭୁଲନ୍ତୁ ନାହିଁ ।”

 

“ଜୀବନରେ ଯଦି ଆପଣ ହତାଶ ଓ ବୀତସ୍ପୃହ ହୋଇ ପଡ଼ିଥାନ୍ତି, ତେବେ—’’

 

‘କଂଗ୍ରେସର ହାତ ମଜବୁତ୍‌ କରନ୍ତୁ’ ।

 

“ଦେଶର ଭବିଷ୍ୟତକୁ ଉଜ୍ଜଳତର କରିବା ଲାଗି—”

 

‘କବାଡ଼ି ଟୁର୍ଣ୍ଣାମେଣ୍ଟେରେ ଭାଗ ନିଅନ୍ତୁ’

 

‘ଆପଣଙ୍କର ମୂଲ୍ୟବାନ୍‌ ଭୋଟ୍‌—’

 

‘ଶସ୍ତାଦାମରେ ଆମଠାରୁ ହାସଲ କରନ୍ତୁ’

 

‘ସୋସାଲିଷ୍ଟ ପାର୍ଟିକୁ ଭୋଟଦେଇ—ଜିନ୍ଦା ତିଲିସ୍‌ମାତ ବ୍ୟବହାର କରନ୍ତୁ ।’

 

‘ଦେଶରେ ସୋସାଲିଜିମ୍‌ ଆଣିବାପାଇଁ—‘ମଞ୍ଜାନ୍‌ ଫାରୁକି ବ୍ୟବହାର କରନ୍ତୁ ।’

 

‘ଜନସଂଘ ଧ୍ୱନି—‘ଦୁଇଟି ବା ନିତୋଟି ସନ୍ତାନ ବାସ୍‌’

 

ଆପଣ ବିଶ୍ୱାସ କରନ୍ତୁ, ଏହି ବେଖାପିଆ ଲେଖାଗୁଡ଼ା ପଢ଼ିଲେ ମୋତେ ଭାରି ଆନନ୍ଦ ଲାଗେ । ଆଉ ନିଜ କାନ୍ଥରେ ଲେଖାଥିବା ଧ୍ୱନି-ସବୁ ଦେଖି, ହୋଇଥିବା ଦୁଃଖ ଦୂର ହୋଇଯାଏ ।

 

ମିର୍ଜା ନିର୍ବାଚନ ଧ୍ୱନି ଲେଖିବାରେ ଘୋର ବିରୋଧୀ । ତାଙ୍କର ଏହି ଅଭିଯୋଗ ଯେ ଏବେ ଏବେ ଲୋକସଭା ନିର୍ବାଚନର ଲେଖାସବୁ କାନ୍ଥରୁ ସଫା ହେଉ ନ ହେଉଣୁ ବିଧାନସଭା ନିର୍ବାଚନ ଲେଖାପାଇଁ କାନ୍ଥପୋଛା ଆରମ୍ଭ ହୋଇଯାଉଛି । ବିଧାନସଭା ନିର୍ବାଚନ ସରୁ ନ ସରୁଣୁ ମୁନିସିପାଲ୍‌ ନର୍ବାଚନ କାନ୍ଥ ଉପରକୁ କୁଦି ପଢ଼ୁଛି । ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ମୂଳଦୁଆ ଯଦି ଏହି ଢଙ୍ଗରେ ଦୃଢ଼ ହୁଏ, ତେବେ ଘରର କାନ୍ଥ ଗୁଡ଼ିକ ଅତିଶୀଘ୍ର ଦୁର୍ବଳ ହୋଇପଡ଼ିବ । ନିର୍ବାଚନ ଧ୍ୱନିର ଗୁରୁଭାର ସମ୍ଭାଳିବାକୁ ତାହା ଅକ୍ଷମ ହୋଇପଡ଼ିବ ।

Image

 

ମିର୍ଜାଙ୍କ ସ୍ମରଣେ

(ମିର୍ଜାକି ୟାଦ୍‌ ମେ)

 

ମିର୍ଜା ୩୦ବର୍ଷ କାଳ ସରକାରୀ ଚାକିରିରେ ରହିବା ପରେ ପଅରଦିନ ଅବସର ଗ୍ରହଣ କଲେ । ମୁଁ ତାଙ୍କ ସଙ୍ଗେ ଦେଖାକରିବାକୁ ଗଲାରୁ, ସେ ମୋତେ କୁଣ୍ଢେଇ ପକେଇ କୋହରେ କାନ୍ଦିବାକୁ ଲାଗିଲେ । ମୁଁ କହିଲି, “ମିର୍ଜା ! ଏ କଅଣ କାନ୍ଦିବାର ଅବସର ?

 

ବରଂ ତୁମର ଖୁସି ହେବା ଉଚିତ୍‌ । ତିରିଶି ବର୍ଷଯାଏ ତୁମେ ଅନ୍ୟ କିଛି ନକରି, ସରକାରୀ କାମ ଖୁବ୍‌ ଭଲଭାବରେ ତୁଲାଇ ନେଲ; ତେବେ କାନ୍ଦଣା କାହିଁକି ?” ସେ କହିଲେ–“ବନ୍ଧୁ ! ତୁମେ ଜଣେ ସରକାରୀ କର୍ମଚାରୀର ମନ ଦରଦ ଜାଣିବ କୁଆଡ଼ୁ ? ତୁମକୁ ଏହା କଅଣ ଜଣାନାହିଁ କି ଦୁନିଆଁରେ ସମସ୍ତେ ମାତ୍ର ଥରେ ମରନ୍ତି କିନ୍ତୁ ସରକାରୀ କର୍ମଚାରୀ ୩ ଥର ମରେ ।”

 

ମୁଁ ପଚାରିଲି—‘କିପରି’?

 

ସେ କହିଲେ, “ଯେତେବେଳେ ସେ ସରକାରୀ ଚାକିରିରେ ପଶେ ତାର ପ୍ରଥମ ମୃତ୍ୟୁ ହୁଏ ଆଉ ଯେତେବେଳେ ସେ ପେନ୍‌ସନ୍‌ ପାଇଁ ଚାକିରିରୁ ବିଦାୟ ନିଏ ତାର ଦ୍ୱିତୀୟ ମୃତ୍ୟୁହୁଏ । ଆଉ ତୃତୀୟଟି ହେଲା ଦୈହିକ ମୃତ୍ୟୁ ।”

 

ମୁଁ ଦିନେ ତାଙ୍କୁ ପଚାରିଥିଲି—“ଭାଇ ! ଯଦି ତୁମେ କିଛି କାମ କରୁନ, ତେବେ ରେଜିଷ୍ଟର୍‌ରେ ହାଜିରା ଦସ୍ତଖତ କରିବାର କଷ୍ଟ କରୁଛ କାହିଁକି ?”

 

ସେ କହିଲେ—“ବନ୍ଧୁ ! କାମ କରିବାରେ ରେଜିଷ୍ଟର୍‌ରେ ଦସ୍ତଖତ କରିବାଟାକୁ ମୁଁ ସବୁଠୁଁ ବଡ଼ କାମ ବୋଲି ବିଚାରେ । ଦୁନିଆରେ ମୋର ସ୍ଥିତିକୁ ପ୍ରମାଣିତ କରିବାପାଇଁ ତ କେବଳ ରେଜିଷ୍ଟର୍‌ରେ ଦସ୍ତଖତ କରୁଛି । ନହେଲେ ଇତିହାସରେ ଏତେବଡ଼ ଧାରାରେ, ଏତେବଡ଼ ବିଶ୍ୱରେ କିଏ ଜାଣିବ ଯେ ମୋ ଭଳି ଏକ ନଗଣ୍ୟ କ୍ଳର୍କ ବଞ୍ଚିଛି କି ମରି ଯାଇଛି । ମୁଁ ତ କେବଳ ବଞ୍ଚିବାର ହାଜିରା ପକାଉଛି । ସରକାର ମଧ୍ୟ ଏମିତିଆ ଦରମା ଦେଉଛନ୍ତି ଯେ ଜଣେ ସେଥିରେ କେବଳ ଦସ୍ତଖତ କରିବ । ତାଠାରୁ ଅଧିକ କିଛି କରିବା ଲାଗି ସରକାର ମୋତେ ଦରମା ଦିଏ ନାହିଁ । ଏବେ ତୁମେ ବତାଅ ମୁଁ କଅଣ କରିବି ?”

 

ରେଜିଷ୍ଟର୍‌ରେ ହାଜିରା ଦସ୍ତଖତ କରିବା ମାତ୍ରେ ମିର୍ଜାଙ୍କୁ ଖୁବ୍‌ ଜୋରରେ ଚାହାର ତଲବ ଦେଖାଏ । ତେଣୁ ସେ ଏପରି ଏକ ଲୋକର ସନ୍ଧାନରେ ବାହାରନ୍ତି, ଯେକି ତାଙ୍କୁ ଚାହା ପିଆଇ ପାରିବ । ୧୨ଟାରେ ସେ ଯେମିତି ନିଜ ସିଟ୍‌ ପାଖରେ ପହଞ୍ଚନ୍ତି, ଲଞ୍ଚ୍‌ର ଭାବନା ତାଙ୍କ ମୁଣ୍ଡକୁ ଆସିଯାଏ । ଏହାରି ଭିତରେ ସେ ଆପଣା ଫାଇଲ୍‌ ଉପରେ ଜମିଥିବା ଧୂଳିକୁ ଝାଡ଼ିଦିଅନ୍ତି ଆଉ ସେଗୁଡ଼ିକୁ ଶୁଙ୍ଘି ଶୁଙ୍ଘି ପୁଣି ଯଥା ସ୍ଥାନରେ ଥୋଇଦିଅନ୍ତି । ମିର୍ଜାଙ୍କ ପାଖରେ ଫାଇଲ୍‌ଗୁଡ଼ିକ ଏତେ ଦୀର୍ଘଦିନ ଧରି ପଡ଼ିରହେ ଯେ ଫାଇଲ୍‌ର ଅସଲ ଗନ୍ଧ କୁଆଡ଼େ ଗାଏବ୍‌ ହୋଇଯାଏ ଆଉ ସେଠାରେ ମିର୍ଜାଙ୍କ ଗନ୍ଧ ବାହାରିବାକୁ ଲାଗେ ।

 

ତାଙ୍କ ସାଥି, ଫାଇଲ୍‍ଗୁଡ଼ାକ ଶୁଙ୍ଘି ଶୁଙ୍ଘି କହି ଦିଅନ୍ତି କେଉଁ ଫାଇଲ ମିର୍ଜାଙ୍କର ଆଉ କେଉଁ ଫାଇଲ୍‌ ନୁହେଁ ।

 

ଫାଇଲ୍‌ର ଧୂଳି ଝାଡ଼ିବା ଫୁରସତ୍‌ ଯେତେବେଳେ ତାଙ୍କୁ ମିଳେ, ସେ କିଛି ସମୟ ପାଇଁ କେବଳ ଏଇଆ ଭାବି ନିଜ ଚୌକି ଉପରେ ବସି ଯାଆନ୍ତି କି, ଏହି କାମରେ ତାଙ୍କ ଚୌକିଟା ସଫା ହୋଇଯିବ ।

 

ଚୌକିଟା ସଫା ହେବା ଭିତରେ ଲଞ୍ଚ ସମୟ ଆସି ଯାଉଥିଲା ଆଉ ମିର୍ଜା ନିଜ ଟୋପି ଟେବୁଲ ଉପରେ ଥୋଇ, ଲଞ୍ଚପାଇଁ ବାହାରି ଯାଉଥିଲେ । ମୁଁ ଯେତେବେଳେ ବି ମିର୍ଜାଙ୍କ ସହ ଦେଖା କରିବାକୁ ଯାଏ, ସେତେବେଳେ ତାଙ୍କର ଏ ଟୋପି ସାଙ୍ଗରେ ଦେଖା ହେଉଥିଲା । ମୁଁ ସମୟ ସମୟରେ ମିର୍ଜାଙ୍କ ଟୋପି ଟେକି ସେ କାଳେ ରହିଯାଇଥିବେ ବୋଲି ଦେଖୁଥିଲି କିନ୍ତୁ ମୋତେ ସର୍ବଦା ଖାଲି ଟୋପିଟାହିଁ ମିଳୁଥିଲା ।

 

ମିର୍ଜାଙ୍କ ଲଞ୍ଚ, ଦୁନିଆର ସବୁଠାରୁ ଦୀର୍ଘକାଳବ୍ୟାପୀ ହେଉଥିଲା । ମୋର ଭଲଭାବରେ ମନେଥିଲେହେଁ , ମିର୍ଜାଙ୍କ ଖାନା ପୁଟୁଳିରେ ଦୁଇଟିରୁ ବେଶି ଚପାତି ନଥାଏ ବରଂ ଅଧିକାଂଶ ସମୟରେ ସେ ନିଜର ବଡ଼ପଣ ବଜାୟ ରଖିବା ଲାଗି, ସେ ଖାଲି ପୁଟୁଳି ନେଇ ଆସୁଥିଲେ ।

 

ମୁଁ ତାଙ୍କୁ ପଚାରେ—“ମିର୍ଜା, ଦୁଇଟି ଚପାତି ଖାଇବା ପାଇଁ ତୁମକୁ ତିନିଘଣ୍ଟା କାହିଁକି ଲାଗେ ?”

 

ଏହା ଉପରେ ସେ କହନ୍ତି—‘‘ମିର୍ଜା, ଦୁଇଟି ଚପାତି ଖାଇବା ପାଇଁ ତୁମକୁ ତିନି ଘଣ୍ଟା କାହିଁକି ଲାଗେ ?

 

ମିର୍ଜା ଲଞ୍ଚରୁ ଫେରିଲା ବେଳକୁ ଚାରିଟା ବାଜି ଯାଇଥାଏ । ଆଉ ଏ ସମୟଟି ପରସ୍ପର ଭିତରେ ଭାବ ବିନିମୟ ପାଇଁ ଉତ୍କୃଷ୍ଟ ସମୟ ଏବଂ ମିର୍ଜାଙ୍କୁ ଘରକୁ ଫେରିବାପାଇଁ ମଧ୍ୟ ପ୍ରସ୍ତୁତ ହେବାକୁ ପଡ଼ୁଥିଲା । ତାଙ୍କର ନଜର ସବୁବେଳେ ଘଡ଼ି ଉପରେ ଲାଗି ରହିଥାଏ ।

 

ଦିନର କୌଣସି ସମୟରେ ଯଦି ତାଙ୍କୁ କେହି ସମୟ ପଚାରୁ ଥିଲା, ତେବେ ମିର୍ଜା ନିଜ ଘଡ଼ିକୁ ଚାହିଁ ଖୁବ୍‌ ଦୃଢ଼ତାର ସହ କହନ୍ତି—“ଭାଇ, ସମୟ କଣ ପଚାରୁଛ, ଅଫିସ୍‍ରୁ ଛୁଟି ମିଳିବାପାଇଁ ଏବେ ତ ପୂରା ୪ ଘଣ୍ଟା ୨୫ ମିନିଟ୍‌ ବାକି ଅଛି ।”

 

ମିର୍ଜା ସାମୟିକ ଛୁଟି (କାଜୁଆଲ) ନେବାରେ ବଡ଼ ଧୁରନ୍ଦର ଥିଲେ । ଏମିତି ବି ସେ ବରାବର ବେମାର ରହୁଥିଲେ ଆଉ ଏହି କାରଣରୁ ବେମାରିଟା ତାଙ୍କ ପାଇଁ ବଢ଼ି ବଢ଼ି ‘ସାମୟିକ’ ବଦଳରେ ‘ଚିରସ୍ଥାୟୀ’ ହୋଇ ଯାଇଥିଲା । ଏଥିପାଇଁ ସେ ଏହିସବୁ ବିଷୟରେ ସାମୟିକ ଛୁଟିରୁ ଫାଇଦା ଉଠାଉ ନଥିଲେ । ଦିନେ ସେ ଅଫିସ୍‍କୁ ଏଇଭଳିଆ ଛୁଟି ଦରଖାସ୍ତ ଲେଖି ପଠାଇଥିଲେ-। “ହଜୁର, ଅଧମର ଦେହ ଦୈବାତ୍‌ ଟିକିଏ ଭଲ ଅଛି । ସେହି ହେତୁ ଅଧମ ଜୀବନରେ କିଛି ମଜା ଉଠେଇବାକୁ ଚାହୁଁଛି । ଯଦି ଆଜି ଦିନର ସାମୟିକ ଛୁଟି ମଞ୍ଜୁର କରାଯାଏ, ତେବେ ଏ ଅଧମ ଆପଣମାନଙ୍କ ନିକଟରେ କୃତଜ୍ଞ ରହିବ ।” କିନ୍ତୁ ମିର୍ଜାର ସାମୟିକ ଛୁଟି ମଞ୍ଜୁର ହୁଏନା-। ଏହାପରେ ମିର୍ଜା ସାମୟିକ ଛୁଟି ହାସଲ କରିବାପାଇଁ ଜଣକ ପରେ ଜଣେ ନିଜର ବନ୍ଧୁବାନ୍ଧବଙ୍କୁ, ପରଲୋକକୁ ପଠେଇବା ଆରମ୍ଭ କରିଦେଲେ । ଏହି ଚେଷ୍ଟାରେ ସେ ନିଜ ବାପାଙ୍କୁ ଚାରି ଥର, ମା’ଙ୍କୁ ଦି’ଥର ଆଈଙ୍କୁ ୧୦ଥର ଆଉ ବୁଢ଼ୀ ମାଆଙ୍କୁ ୧୬ ଥର ଶହିଦ୍‌ କରାଇଥିଲେ । ଅଫିସ୍‌ର ଲୋକେ ବିବ୍ରତ ହେଉଥିଲେ କି ମିର୍ଜାଙ୍କ ଏତେ ଗୁଡ଼ାଏ ପତା ଓ ଏତେ ଗୁଡ଼ାଏ ମାତା କୁଆଡ଼ୁ ଆସିଲେ । ତା ଜବାବରେ ସେ କହୁଥିଲେ—“ଭାଇ, ମୁଁ ନିଜେ ବାପାମାନଙ୍କୁ ଜନ୍ମ କରୁଛି, ଆଉ ସାମୟିକ ଛୁଟି ନେଲାବେଳେ ସେମାନଙ୍କୁ ମାରିଦେଉଛି । ଅଫିସ୍‌ର ନିୟମ କାନୁନ୍‌ ଭିତରେ ଚଳିବାପାଇଁ କ’ଣ କରିବାକୁ ନପଡ଼େ ।

 

ନିଜର ଅସୁସ୍ଥତା ସମୟରେ ମିର୍ଜା ନିୟମିତ ଭାବରେ ଅଫିସ୍‍କୁ ଆସୁଥିଲେ କାରଣ, ତାଙ୍କର ଧାରଣାଥିଲା କି, ବେମାରିପାଇଁ ଛୁଟି ନେଇ ଯଦି ସେ ଘରେ ବସି ରହନ୍ତି, ତେବେ ତାଙ୍କ ଗୃହ ଜଞ୍ଜାଳ ବଢ଼ି ଯିବ । ଆଉ ତାଙ୍କ ସ୍ତ୍ରୀ ତାଙ୍କଠାରୁ ପେଣ୍ଡିଂ କାମ ଆଦାୟ କରି ନେବେ । ଥରେ ମିର୍ଜା ନିଜ ଘରୋଇ କାମ ପାଇଁ ୨ମାସ ଛୁଟି ନେଇଥିଲେ କିନ୍ତୁ ଛୁଟିର ୮ଦିନ ନ କଟୁଣୁ, ଡାକ୍ତର ସାର୍ଟିଫିକେଟ୍‌ ସହ ଏକ ଦରଖାସ୍ତ ଅଫିସ୍‌ରେ ଯାଇ ପହଞ୍ଚିଲା । ଯେଉଁଥିରେ କି ଲେଖାଥିଲା, “ହଜୁର, ଅଧମ ୨ମାସ ଛୁଟି, କିଛି ଘର କାମପାଇଁ ହାସଲ କରିଥିଲା କିନ୍ତୁ ଏହି ସମୟ ଭିତରେ ଅଧମର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଗଲା । ଡାକ୍ତର ଉପଦେଶ ଦେଇଛନ୍ତି କି, ଅଧମର ପୂର୍ଣ୍ଣ ବିଶ୍ରାମ ନେବା ଉଚିତ; ନଚେତ୍‌ ଜୀବନ ଚାଲିଯିବାର ଆଶଙ୍କା ରହିଛି । ଏଣୁ ମୁଁ ପ୍ରାର୍ଥନା କରୁଛି, ଅଧମର ଛୁଟି କ୍ୟାନ୍‌ସଲ କରି, କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଉ । ଆପଣଙ୍କର ଅବଗତି ନିମନ୍ତେ ଏଥିସହ ଡାକ୍ତର ସାର୍ଟିଫିକେଟ୍‌ ପେଶ୍‌ କଲି ।”

 

ପହିଲା ହେବାମାତ୍ରେ ମିର୍ଜାଙ୍କ ଆଗରୁ ତାଙ୍କ ମହାଜନମାନେ ଅଫିସ୍‌ରେ ଯାଇ ପହଞ୍ଚି ଯାଉଥିଲେ । ସେ ତାଙ୍କ ମହାଜନମାନଙ୍କର ଖୁବ୍‌ ଖାତିର୍‌ କରୁଥିଲେ ଏବଂ ତାଙ୍କ ସହ ଏପରି ହୁସିଆରୀରେ ବ୍ୟବହାର କରୁଥିଲେ ଯେ ବିଚରା ସେମାନଙ୍କ ମୁହଁକୁ କରଜା ମାଗିବା କଥା ଆସୁ ନଥିଲା । ସେ ଚିକଣ ଚାକଣ କଥାରେ ସେମାନଙ୍କୁ ଏପରି ଭୋଳ କରି ଦଉଥିଲେ ଯେ, ପିଛଲା କରଜାକୁ କେବଳ ଟାଳଟୁଳ କରି ଦେଉ ନଥିଲେ ବରଂ ତାଙ୍କଠାରୁ ନୂଆ କରଜା ହାସଲ କରି ନେଉଥିଲେ । ଏଥିଲାଗି ତାଙ୍କର ଅଧିକାଂଶ ମହାଜନ ତାଙ୍କୁ ଥରେ କରଜା ଦେବାପରେ, ତାଙ୍କଠାରୁ ଲୁଚି ରହିବା ଅଧିକ ଲାଭଦାୟକ ବୋଲି ମନେ କରୁଥିଲେ । ମୁଁ ଏ ଦୃଶ୍ୟ ଦେଖିଛି ଯେ ମିର୍ଜା ରାସ୍ତାକୁ ବାହାରିବାମାତ୍ରେ ତାଙ୍କର ଋଣଦାତାମାନେ ଧଡ଼ାଧଡ଼ ଗଳିକନ୍ଦିରେ ପଳେଇ ଯାଉଥିଲେ ଆଉ ଦେଖୁ ଦେଖୁ ରାସ୍ତାଟି ଶୂନଶାନ ହୋଇଯାଉଥିଲା । ଏଥିରୁ ଆପଣ ଅନ୍ଦାଜ୍‌ କରିପାରନ୍ତି କି ମିର୍ଜାଙ୍କର କରଜଦାତାମାନଙ୍କର ସଂଖ୍ୟା କେତେ ଥିଲା । ମୁଁ ତାଙ୍କୁ କହେ—“ମିର୍ଜା, ଯେବେ ତୁମେ ନିଜର କରଜଦାତାମାନଙ୍କର ଗୋଟିଏ ଛୋଟକାଟିଆ ନିର୍ବାଚନ ମଣ୍ଡଳି ସୃଷ୍ଟି କରିଦେଇପାରିବ; ତେବେ ତୁମର ଏମ୍‌.ଏଲ୍‌.ଏ. ହେବା ସୁନିଶ୍ଚିତ ।” କିନ୍ତୁ ମିର୍ଜାଙ୍କର କିରାନି କାମରେ ଆଦର ହୋଇ ଯାଇଥିଲା । ସେ ମୋତେ ଖୁବ୍‌ ଆଦର କରୁଥିଲେ । ଯେବେ ମୋ ସହ ଦେଖାହୁଏ, ସେ ବେଖାତିର ଭାବରେ ମୋପାଇଁ ଖର୍ଚ୍ଚ କରିଯାଉଥିଲେ । ମୁଁ ତାଙ୍କୁ ବୁଝାଏ, “ମିର୍ଜା, ତୁମେ ଗୋଟିଏ କିରାନି; ଏ ବେଗାଫୁଲିଆ ଖର୍ଚ୍ଚ କାହିଁକି କରୁଛ ?”

 

ସେ କହନ୍ତି, “ହେ ବନ୍ଧୁ ! ରାଣ ପକାଇ କହୁଛି, ମୁଁ ନିଜ ରୋଜଗାରରୁ ଏପରି ବେଗାଫୁଲିଆ ଖର୍ଚ୍ଚ କରେ ନାହିଁ । ତୁମେ ଚିନ୍ତା କରନାହିଁ; ମୋ ପକେଟ୍‌ ଉପରେ କିଛି ଚାପା ପଡ଼ୁନାହିଁ । ମୁଁ ତ ଲୋକମାନଙ୍କଠାରୁ କରଜା ଆଣେ ଆଉ ତୁମଲାଗି ଖର୍ଚ୍ଚକରେ; ଏଥିରେ ମୋର କ’ଣ ଯାଉଛି ? ବିଧାତାଙ୍କର ମୁଁ କେବଳ ନିମିତ୍ତ ମାତ୍ର । ଯାହାର ମଧ୍ୟସ୍ଥତାରେ ଯାହା ଯାହାର ପ୍ରାପ୍ୟ, ସେ ତାହାପାଇଁ ଯାଉଛନ୍ତି । ମୋ କାମ ହେଲା ମଧ୍ୟସ୍ଥିର କର୍ତ୍ତବ୍ୟ କରିବା ।”

 

ମିର୍ଜାଙ୍କର ୨ତାରିଖଠାରୁ ନିଜ ସାଥିମାନଙ୍କୁ କରଜା ମାଗିବା ଆରମ୍ଭ ହୋଇଯାଏ । ତାଙ୍କର ବକ୍ତବ୍ୟ ଥିଲା ଯେ, ମାସର ପୂର୍ବାର୍ଦ୍ଧର ତାରିଖଗୁଡ଼ାକ ପହିଲା ତାରିଖରୁ ହିଁ ଶେଷ ହୋଇଯାଏ ଏବଂ ବାକି ସାରା ମାସ ଭିତରେ ମାତ୍ର ଗୋଟିଏ ତାରିଖ ଶୀଘ୍ର ଚାଲିଯାଏ, ସେ ହେଲା ୩୧ ବା ୩୦ ତାରିଖ ।

Image

 

ସାହିତ୍ୟିକମାନଙ୍କର ଘରୋଇ ଅବସ୍ଥା

(ବିନା ଛବିରେ)

(ଅତୀବୋଁ କେ ଘରେଲୁ ହାଲତ୍‌ବେତସୱୀର)

 

କିଛିଦିନ ତଳେ ମୋର ମନେହେଲା ଯେ ସାହିତ୍ୟିକମାନଙ୍କର ଘରୋଇ ଅବସ୍ଥା ସଚିତ୍ର ପ୍ରକାଶ ପାଇବା ଉଚିତ । ତଦନୁଯାୟୀ ସାହିତ୍ୟିକମାନଙ୍କର ଘରୋଇ ଅବସ୍ଥା ପ୍ରକାଶ କରାଯାଉଛି କିନ୍ତୁ ବିନା ଛବିରେ । ଆପଣ ପଚାରିବେ, “ବିନା ଛବିରେ କାହିଁକି ?” ତା’ର ଉତ୍ତର ହେଲା-ତୋ ଛବିରେ ମନ ମୋର ନ ଉଠେ ଉଲୁସି । (ତସବୀର ତେରି ଦିଲ୍‌ ମେରା ବହେଲା ନ ଶକେଗି)

 

ଇଏ ଭଲା କି କଥା ! ଯେଉଁ ସାହିତ୍ୟିକ ମହୋଦୟ ଅତି ସାଧାରଣ ସ୍ତରଠାରୁ ଆହୁରି ତଳେ ଜୀବନଯାପନ କରୁଛନ୍ତି, ସିଏ ବି ଛବିରେ ସିନେମାରେ ଏକ ହିରୋପରି ଦେଖାଯାଆନ୍ତି; ଯେମିତିକି ତାଙ୍କର ଦଶ ପନ୍ଦରଟା କୋଠି ଅଛି ଆଉ ପନ୍ଦର କୋଡ଼ିଏଟା ମଟର୍‌ କାର୍‌ ଦୁଆରେ ଠିଆ ହେଇଛି

 

ଉଦାହରଣସ୍ୱରୂପ ଜଣେ ସାହିତ୍ୟିକ ମହୋଦୟ ଯେଉଁ ଫଟୋଟି ପଠାଇଛନ୍ତି, ତାଙ୍କୁ ଫଟୋ କହିବା ପରିବର୍ତ୍ତେ, ନିଜ ଘରର ବିଜ୍ଞାପନ କହିଲେ ଚଳିବ । ସେ ନିଜ ଚାରିପାଖରେ ଘରର ସବୁ ମୂଲ୍ୟବାନ୍‌ ଜିନିଷ ଗଦେଇ ଦେଇଛନ୍ତି (ସ୍ତ୍ରୀଙ୍କ ଛଡ଼ା) । ଗୋଟିଏ ପାଖରେ ରେଡ଼ିଓ ଥୁଆ ହୋଇଚି । ଆର ପାଖରେ ରିଫ୍ରିଜରେଟର ଠିଆ ହେଇଚି, ତୃତୀୟ ପାଖରେ ଲୁଗା ଆଲମାରି ହାତ ବାନ୍ଧି ଠିଆ ହେଇଚି, (ସବୁଠୁଁ ବଡ଼କଥା ହେଲା କି ସେ ଆଲମାରିଟାକୁ ମେଲେଇ ଦେଇଛନ୍ତି । ଯେପରିକି ସମସ୍ତେ ଜାଣିପାରିବେ ସେ କେତେ ବଢ଼ିଆ ପୋଷାକ ପିନ୍ଧିଲାବାଲା !) ଚତୁର୍ଥ ପାଖରେ ବହି ଆଲମାରିଗୁଡ଼ିକ ଥୁଆ ହେଇଚି । ଆପଣ ବିଶ୍ୱାସ କରନ୍ତୁ ବା ନକରନ୍ତୁ ମୁଁ ଏ ଫଟୋଟିକୁ ଏନ୍‌ଲାର୍ଜ (ବଢ଼େଇ) କରି ଦେଖିଲି କି ସେହି ଆଲମାରି ଭିତରେ ସେ ସାହିତ୍ୟିକଙ୍କର ବିକ୍ରି ହୋଇପାରିନଥିବା ପାଣ୍ଡୁଲିପିଗୁଡ଼ିକ ଥୁଆ ହେଇଚି । ପୁନଶ୍ଚ ପଞ୍ଚମ ସ୍ଥାନରେ ଗୋଟିଏ ଚୌକି ଉପରେ ସୁଟ୍‌ ପିନ୍ଧିଥିବା ନିଜେ ସାହିତ୍ୟିକ ଥୁଆ ହେଇଚନ୍ତି ଏବଂ ଟେବୁଲ ଉପରେ ନଇଁପଡ଼ି ସେ ଲେଖାଲେଖି କାମରେ ବ୍ୟାପୃତ । ଲେଖାଲେଖି କାମରେ ଲାଗିଥିଲା ବେଳେ ଯେତେବେଳେ ଫଟୋ ନିଆଗଲା, ସେତେବେଳେ ତାଙ୍କ କଲମରେ ସ୍ୟାହି ଥିଲା କି ନାହିଁ ବା କାଗଜରେ ତୁଚ୍ଛାଟାରେ ଗାରଉଥିଲେ, ତାହା ଜାଣି ହେଉନାହିଁ । ଏବେ ସେ ସାହିତ୍ୟିକଙ୍କୁ କିଏ ବୁଝେଇବ ଯେ ଘରେ ସୁଟ୍‌ ପିନ୍ଧାଯାଏ ନାହିଁ ବରଂ ପାଇଜାମା କାମିଜ୍‌ ପିନ୍ଧାଯାଏ । ଆଉ ମଧ୍ୟ ଏ ସବୁ ପିନ୍ଧା ନହେଲେବି କିଛି ଯାଏ ଆସେ ନାହିଁ; (କାରଣ, ଘରହିଁ ଏ ସବୁପାଇଁ ଉପଯୁକ୍ତ ସ୍ଥାନ) । ଆଉ ମଧ୍ୟ ପଢ଼ା ଟେବୁଲ୍ ପାଖରେ ରେଫ୍ରିଜିରେଟର ଥୋଇବା ଆଉ ତା କଡ଼ରେ ଆଲମାରି ସବୁ ଥୋଇବାର ମାନେ କଅଣ ? ବରଂ ଭଲ ହେବ, ଆପଣ ନିଜ ବହି ସବୁ ରେଫ୍ରିଜିରେଟର୍‌ରେ ରଖିଲେ । ଏହା ଫଳରେ ବହିଗୁଡ଼ିକ ତାଜା ରହିବ ଆଉ ମଧ୍ୟ ସେଗୁଡ଼ିକ ଉଇ ଧରିବ ନାହିଁ ।

 

ମୋର ଏହିସବୁ ଫଟୋ ଛାପିବାରେ କିଛି ବାଧାନଥିଲା କିନ୍ତୁ ସେସବୁ ପ୍ରକାଶିତ ହୋଇଥିଲେ, ସାହିତ୍ୟିକ ଓ କବିମାନଙ୍କର କ୍ଷତି ହୋଇଥାଆନ୍ତା । ଉଦାହରଣ ସ୍ୱରୂପ ଯଦି କୌଣସି ସ୍ଥାନୀୟ ଚୋର ଏ ଫଟୋଗୁଡ଼ିକ ଦେଖିନିଏ, ତେବେ ସେ ତାଙ୍କ ଘରେ ଚୋରି କରିବାର ନିଷ୍ଫଳ ଚେଷ୍ଟା କରନ୍ତା ଏବଂ ସେଠାରୁ କିଛି ନପାଇବା ଫଳରେ ସେ ଖବରକାଗଜରେ ପ୍ରତିବାଦ କାଢ଼ିବ ଯେ ଅମୁକ ସାହିତ୍ୟିକଙ୍କର ଦୁଇଟା ରେଫ୍ରିଜିରେଟର, ଦୁଇଟି ରେଡ଼ିଓ ସେଟ୍‌, ଦଶ ପନ୍ଦରଟା ଘଡ଼ି, ଦୁଇଟା ଆଲମାରି ଓ ଅନେକ ମୂଲ୍ୟବାନ ଜିନିଷ ସହ ଯେଉଁ ଫଟୋଟି ଅମୁକ ପତ୍ରିକାରେ ଛପାଯାଇଛି , ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ଅମୂଳକ କାରଣ, ସେଇ ଫଟକୁ ଅବଲମ୍ବନକରି ତାଙ୍କ ଘରକୁ ଚୋରି କରିବାକୁ ଯାଇ ଦେଖିଲି ଯେ ଉକ୍ତ ମହାଶୟଙ୍କ ଘର ଓ ମୋ ଘରର ଅବସ୍ଥା ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । କାରଣ, ତାଙ୍କ ଘରେ ମୁଁ ଯାହା ସବୁ ଦେଖିଲି, ସେହି ସବୁ ଜିନିଷ ମୋ ଘରେ ମଧ୍ୟ ଅଛି । ତେବେ ସେ ସବୁ ଚୋରିକରି କି ଲାଭ ? ବରଂ ସେ ସାହିତ୍ୟିକଙ୍କ ଘରେ ଏପରି ଏକ ଛିଣ୍ଡା ଚପଲ ଦେଖିଲି ଯେ ମୋର ହଠାତ୍‌ ଦୟା ଆସିଲା ଏବଂ ମୁଁ ନିଜେ ଚପଲଟି ତାଙ୍କ ଘରେ ଛାଡ଼ିଦେଇ ଆସିଚି । ସୁତରାଂ ଚୋର ଭାଇମାନଙ୍କୁ ସତର୍କ କରାଇ ଦେଉଛି କି, ସେମାନେ ଏପରି ଭ୍ରମାତ୍ମକ ଫଟୋଗୁଡ଼ିକ ଦ୍ୱାରା ପ୍ରଭାବିତ ନ ହୁଅନ୍ତୁ । ବରଂ ଏହା ଭାବନ୍ତୁ–“ଯାହାକିଛି ଦେଖିଲି, ସେସବୁ ସପନ; ଯାହା ସବୁ ଶୁଣିଲି କାହଣୀ (ଖ୍ୱାବ୍‌ଥା ଯୋ କୁଛ୍‌ କୋ ଦେଖା, ଯୋ ଶୁନା ଆଫଶାନା ଥା) ।

 

ଏବେ ଆପଣଙ୍କୁ ମୁଁ କଅଣ କହିବି, କିଛିଦିନ ପୂର୍ବେ ଏକ ଔପନ୍ୟାସିକ ନିଜ ଘରର ଅବସ୍ଥିତିର ସୂଚନା ଦେଇ ସେଇ ଘରର ଏକ ଫଟୋ ପଠାଇଥିଲେ । କଅଣ କହିବି; କି ଚମତ୍କାର ଫଟୋ (ଅର୍ଥାତ୍‌ ଘରର) । ମୁଁ ଏ ପର୍ଯ୍ୟନ୍ତ ତାକୁ ଛାପି ନଥିଲି । ଏହା ମଧ୍ୟରେ ଜଣେ ସମ୍ମାନନୀୟ ବ୍ୟକ୍ତିଙ୍କ ଚିଠି ମୋତେ ମିଳିଲା । ଯେଉଁଥିରେ ମୋତେ ସତର୍କ କରାଇ ଦେବାଭଳି ସେ ଲେଖିଥିଲେ–“ଯେଉଁ ଔପନ୍ୟାସିକ ମହାଶୟ ନିଜ ଘର ଫଟୋ ଆପଣଙ୍କ ନିକଟକୁ ଛପାଇବା ଲାଗି ପଠାଇଛନ୍ତି, ଦୟାକରି ତାକୁ ଛପାନ୍ତୁ ନାହିଁ । କାରଣ, ଯେଉଁ ଘରର ଫଟୋ ପଠାଇଛନ୍ତି, ତାହା ପ୍ରକୃତରେ ମୋର ଘର ଏବଂ ମୁଁ ତାଙ୍କର ଶଶୁର । ଆଜ୍ଞା, ଏତେ ବଡ଼ ଜୋର ଜୁଲମ୍‌ କଥା ! ଔପନ୍ୟାସିକ ମହାଶୟ ପ୍ରଥମେ ତ ମୋ ଘରେ ଘରଜ୍ୱାଇଁ ହୋଇ ରହିଛନ୍ତି ଏବଂ ତା ଉପରେ ମୋ ଘରକୁ ନିଜଘର କହି, ତା ଫଟୋକୁ ପତ୍ରିକା ମାନଙ୍କରେ ଛପାଉଛନ୍ତି । ଅବଶ୍ୟ ମୁଁ ମୋ ଘରର ମାଲିକାନା ସତ୍ୱ ଔପନ୍ୟାସିକ ମହାଶୟଙ୍କ ନାମରେ ହସ୍ତାନ୍ତର କରିବାକୁ ବସିଥିଲି କିନ୍ତୁ ତାଙ୍କର ଏ ସବୁ କାରବାର ଦେଖି ମୋ ମତ ବଦଳାଇ ଦେଇଚି । ଆଜ୍ଞା, ସୀମା ଟପିବା କଥା ହେଇଗଲା । ସେ ଏବେ ଯେଉଁ ଗ୍ରନ୍ଥାବଳୀଟି ପ୍ରକାଶ କଲେ, ତାକୁ ତ ମୋ ନାମରେ ଉତ୍ସର୍ଗ କରିବାର କଷ୍ଟ ସ୍ୱୀକାର କଲେ ନାହିଁ । ତେବେ ମୁଁ କେଉଁ ଆଶାରେ ମୋ ଘରକୁ ତାଙ୍କୁ ଉତ୍ସର୍ଗ କରିବି । ସୁତରାଂ ଆପଣଙ୍କୁ ଅନୁରୋଧ, ଆପଣ ମୋ ଘରର ଫଟୋ ପତ୍ରିକାରେ ପ୍ରକାଶ କରନ୍ତୁ ନାହିଁ । ଅନ୍ୟଥା ଆପଣଙ୍କ ନାମରେ ଆଇନ୍‌ ସଙ୍ଗତ୍‌ କାର୍ଯ୍ୟାନୁଷ୍ଠାନ କରାଯିବ । ଖର୍ଚ୍ଚ ଓ କ୍ଷତିପୂରଣ ପାଇଁ ଆପଣ ଦାୟୀ ରହିବେ ।

 

ଆଜ୍ଞା, ଏଇ ସବୁ କାରଣରୁ ମୁଁ ‘ସାହିତ୍ୟିକମାନଙ୍କର ଘରୋଇ ଅବସ୍ଥା ବିନା ଚିତ୍ରରେ’ ପ୍ରକାଶ କରିବାକୁ ସ୍ଥିର କରିଛି । ସୁତରାଂ ଏଠାରେ ମୁଁ କେବଳ ସେହି ସାହିତ୍ୟିକମାନଙ୍କ ଘରୋଇ ଅବସ୍ଥା ପ୍ରକାଶ କରୁଛି, ଯେଉଁମାନେ କି ନିଜର ଘରୋଇ ଅବସ୍ଥା ଲେଖିବାବେଳେ ‘ଜୀବନପାଇଁ ସାହିତ୍ୟ’ ଆଦର୍ଶ ନିଜ ଆଗରେ ରଖିଚନ୍ତି ।
 

ଶାହିନ୍‌ ତମନ୍ନା (ଏହି ଭଦ୍ରବ୍ୟକ୍ତି ଜଣେ ଔପନ୍ୟାସିକ)–

 

ମହାଶୟ, ମୋର ଘରୋଇ ଅବସ୍ଥା ଏପରି ଯେ ମୋର କୌଣସି ଘର ନାହିଁ । ଯଦି ଆପଣ ନିଜ ଖର୍ଚ୍ଚରେ ଗୋଟିଏ ଘର କରେଇ ଦିଅନ୍ତେ, ତେବେ ଭଗବାନ କଲେ ପାଞ୍ଚ ଛ ମାସ ଭିତରେ ମୁଁ ଏପରି ଏକ ପରିସ୍ଥିତି ସୃଷ୍ଟି କରିପାରିବି, ଯାହାକୁ କି ‘ଘରୋଇ ଅବସ୍ଥା’ ବୋଲି କୁହାଯାଇ ପାରିବ । ସେତେବେଳେ ଯାଇଁ ମୁଁ ମୋ ଘରୋଇ ଅବସ୍ଥା ନିଶ୍ଚୟ ପଠାଇବି । ଯଦି ଆପଣ ଏହି ସର୍ତ୍ତରେ ରାଜି, ତେବେ ଦୟାକରି ସେ କଥା ଡାକ ଯୋଗେ ଜଣାଇବେ ନାହିଁ କାରଣ, ମୋର ସଠିକ୍‌ ଠିକଣା କିଛି ନାହିଁ । ଯେଉଁମାନେ ଘରେ ରହନ୍ତି, ତାଙ୍କର ସିନା ଠିକଣା ଅଛି । ଆଉ ଆମ ଦେଶରେ ଡାକ ବ୍ୟବସ୍ଥାର ଏତେ ଉନ୍ନତି ହୋଇନାହିଁ ଯେ ଭ୍ରାମ୍ୟମାଣ, ଗୃହଶୂନ୍ୟ ସାହିତ୍ୟିକମାନଙ୍କର ହାଲ୍‌ ଠିକଣାର ସନ୍ଧାନ ନେଇ ପାରିବ । ସୁତରାଂ ଆପଣ ଯଦି ଏହି ବିଷୟଟି ନିଜ ପତ୍ରିକାରେ ପ୍ରକାଶ କରିବେ, ତେବେ ମୁଁ ନିଜେ ଆପଣଙ୍କ ସେବାରେ ହାଜର ହେବି ।”

 

ସୀନ ଫର୍ସୁରି କାନପୁରୀ

 

ମହାଶୟ, ଆପଣ ମୋର ଘରୋଇ ଅବସ୍ଥା ଉପରେ ଏକ ଲେଖା ମାଗିଛନ୍ତି । ଯଦି ଆପଣ ମୋର ଘରୋଇ ଅବସ୍ଥା ନିଜର କରିନେବେ ଓ ନିଜର ଘରୋଇ ଅବସ୍ଥାକୁ ମୋତେ ଦେଇଦେବାକୁ ଚାହାନ୍ତି, ତେବେ ମୁଁ ଆନନ୍ଦର ସହ ନିଜର ଘରୋଇ ଅବସ୍ଥାକୁ ଆପଣଙ୍କ ସେବାରେ ପଠାଇବାକୁ ପ୍ରସ୍ତୁତ ଅଛି । କିନ୍ତୁ ପ୍ରଥମେ କିଛି ତ ଜଣାଯିବା ଦରକାର । ଏହା ବିନା ନିଜ ଘରୋଇ ଅବସ୍ଥା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରିବାକୁ ମୁଁ ପ୍ରସ୍ତୁତ ନୁହେଁ କାରଣ, ଏହା ଏକ ଗୋପନୀୟ ବିଷୟ । ବାକି ଘରୋଇ ଅବସ୍ତାପାଇଁ ଭଗବାନଙ୍କୁ ଧନ୍ୟବାଦ ।

 

ଶାହାଦେ୍‌ କାଦ୍ରି ରଜ୍ଜାକି ଫାରୁକି, ଆସାମ

 

ମହାଶୟ, ଆପଣଙ୍କ ଚିଠିରୁ ଜଣାଗଲା କି ଆପଣ ମୋ ଘରୋଇ ଅବସ୍ଥା ପ୍ରକାଶ କରିବାକୁ ଚାହୁଁଛନ୍ତି । ଭାଇ ! ଆପଣ ତ ଗୋଟିଏ ବଡ଼ ସମସ୍ୟା ଠିଆ କଲେଣି କାରଣ, ମୁଁ ଛ’ମାସ ହେଲା ମୋ ଘରକୁ ଯାଇ ପାରିନି । ଛ’ମାସ ପୂର୍ବେ ଦକ୍ଷିଣ ଭାରତରୁ କବି ସମ୍ମିଳନୀ ମାନଙ୍କରେ ଯୋଗ ଦେବାକୁ ବାହାରି, ଏବେ ଆସି ଆସାମରେ ପହଞ୍ଚିଛି । ଏହି ହେତୁ ଘରୋଇ ଅବସ୍ଥା ବିଷୟରେ ଏବେ ମୋତେ କିଛି ମାଲୁମ ନାହିଁ, ବରଂ ମୁଁ ନିଜେ ମୋ ସ୍ତ୍ରୀଙ୍କୁ ମୋ ଘରର ଅବସ୍ଥା ବିଷୟରେ ପଚାରି ପକାଇଛି । ସେ କିନ୍ତୁ ମୋ ଉପରେ ଏତେ ଖପା ଯେ, ମୋତେ କୌଣସି ଉତ୍ତର ଦେବାକୁ ପସନ୍ଦ କରୁ ନାହାନ୍ତି । ମୋ ସ୍ତ୍ରୀଙ୍କ ପାଖକୁ ଚିଠି ଲେଖନ୍ତୁ ଏବଂ ତାଙ୍କଠାରୁ ମୋ ‘ଘରୋଇ ଅବସ୍ଥା’ ମଗେଇ ନିଅନ୍ତୁ । କିନ୍ତୁ ତାକୁ ଛାପିବା ପୂର୍ବରୁ ମୋତେ ଟିକିଏ ଦେଖାଇ ଦେବ । ଯଦି ମୋ ସ୍ତ୍ରୀ ଏଣୁ ତେଣୁ ଲେଖିଦେବେ, ତେବେ ମୋର ସାରା ସାହିତ୍ୟିକ ଜୀବନ ମାଟି ହେଇ ଯିବ ।

 

ଅବଦୁର୍‌ ରହିମ ୱାଫା-ହାଇଦରାବାଦ–

 

ମହାଶୟ, ଆପଣ ମୋର ‘ଘରୋଇ ଅବସ୍ଥା’ ମଗେଇଛନ୍ତି । ମୋର ଘରୋଇ ଅବସ୍ଥା ଉପରେ ହସ୍ତକ୍ଷେପ କରିବାକୁ ଆପଣ କିଏ ? କିନ୍ତୁ ଆପଣ ଯେତେବେଳେ ଚାହିଁଛନ୍ତି, ମୁଁ ବର୍ଣ୍ଣନା କରି ଦେଉଚି । ମୋର ଘରୋଇ ଅବସ୍ଥା ହେଲା—ମୁଁ ରାତି ଦୁଇଟାରେ ଘରେ ପହଞ୍ଚେ ଏବଂ ଠିକ୍‌ ୨ଟା ୧୫ ମିନିଟ୍‌ରେ ଶୋଇପଡ଼େ । ମୋ ସ୍ତ୍ରୀ ବଡ଼ ଅବାଧ୍ୟ; କାରଣ, ମୋର ଘରକୁ ଫେରିବାଟାକୁ ସେ ଅପେକ୍ଷା କରିବାର କେବେ ଦେଖିନି । ସକାଳ ୯ଟାରେ ମୁଁ ଉଠେ । ସେତେବେଳକୁ ପିଲାମାନେ ସମସ୍ତେ ସ୍କୁଲକୁ ଚାଲିଯାଇ ଥାଆନ୍ତି । ଆପଣଙ୍କୁ କଅଣ ବା କହିବି । ଗତ ୩ବର୍ଷ ହେଲା ମୁଁ ନିଜ ପିଲାଙ୍କ ଚେହେରା ଦେଖିନି । ବରଂ ମୋତେ ଏହା ବି ଜଣାନାହିଁ, ମୋର କେତୋଟି ପିଲା । ଶୁଣିଚି ୧୧ଟି ପିଲା; ଭଗବାନଙ୍କୁ ଜଣା ।

 

ହିସାବ କିତାବରେ ମୁଁ ବଡ଼ ଦୁର୍ବଳ । (ସବୁ କବିମାନଙ୍କ ପରି) ଯେହେତୁ ପ୍ରତିବର୍ଷ ଘରେ ପିଲାଙ୍କ ସଂଖ୍ୟା ଗୋଟିଏ ଲେଖାଏଁ ବଢ଼ୁଥାଏ । ସେଥିପାଇଁ ଗୋଟିଏ ଅନ୍ଦାଜିଆ ହିସାବ କରି ରଖିଚି କି ବିବାହ ଦିନ ପରଠାରୁ ହିସାବ କଲେ ଯେତିକି ବର୍ଷ ବାହାରିବ, ପିଲାଙ୍କ ସଂଖ୍ୟା ସେତିକି ବୋଲି ଧରାଯିବ । (ଜାଣିଥାନ୍ତୁ ୧୧ବର୍ଷ ପୂର୍ବେ ମୋର ବାହାଘର ହୋଇଥିଲା) । ଯଦି କେବେ ଫୁରସତ୍‌ ମିଳେ, ତେବେ କୌଣସି ଚାଟାର୍ଡ଼ ଆକାଉଣ୍ଟାଣ୍ଟର ସାହାଯ୍ୟ ନେଇ ପିଲାମାନଙ୍କର ବାଲାନ୍‌ସ ସିଟ୍‌ ପ୍ରସ୍ତୁତ କରିବି । ମୋ ସ୍ତ୍ରୀ ଆଜିପର୍ଯ୍ୟନ୍ତ ମୋ ସହ ସିଧାସଳଖ କେବେ କଥାବାର୍ତ୍ତା କରିନାହାନ୍ତି । (ତାଙ୍କ ମୁହଁରେ ନିଶ୍ଚୟ କିଛି ଦୋଷ ଅଛି ।) ଅବଶ୍ୟ ଥରେ ମୁଁ ତାଙ୍କୁ କହିଥିଲି—ପ୍ରିୟେ, ତୁମେ ସବୁବେଳେ ମୋ ଉପରେ ଖପା ହୋଇ ରହୁଚ କାହିଁକି ? ଯଦି ତୁମ ଜୀବନକାଳ ମଧ୍ୟରେ ମୁଁ ଗୋଟିଏ ବଢ଼ିଆ କୋଠା ତିଆରି କରି ନପାରେ, ତେବେ ତୁମେ ମରିବା ପରେ ଏମିତି ବଢ଼ିଆ ଏକ ସମାଧି ତିଆରି କରିଦେବି ଯେ ତାକୁ ଦେଖି ତାଜମହଲ ବି ଲାଜେଇ ଯିବ । ଏହା ଶୁଣି ସେ ବଜାତ୍‌ କହିଲା, “ମୋର ପ୍ରିୟ କବି, ତୁମେ ଏପରି ସମାଧିଟିଏ କରିଦିଅ କିନ୍ତୁ ସେହି ସମାଧିରେ ଯେଉଁ ଫଳକ ଲାଗାଯିବ, ସେଥିରେ ଏଇଆ ଲେଖିଦେବ—“ଏ ସମାଧି ସ୍ୱର୍ଗତ ୱାଫାଙ୍କ ବିଧବାର ଅଟେ ।” ସେହି ଦିନଠାରୁ ମୁଁ ତାଙ୍କ ସହିତ ଆଜିଯାଏ କଥାବାର୍ତ୍ତା କରି ନାହିଁ । ଦେଖାଯାଉ କିଏ କାହାର ସମାଧି ତିଆରି କରୁଚି । ଯେହେତୁ ମୁଁ ରାତି ୨ ଟାଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଶୋଇଥାଏ, ଆଉ ପରଦିନ ରାତି ୨ଟାରେ ଫେରିବା ଲାଗି ଦିନ ସାଢ଼େ ୯ ଟାରେ ଘରୁ ବାହାରିଯାଏ, ସେଥିଲାଗି ମୋତେ ଘରୋଇ ଅବସ୍ଥା କଥା କିଛି ଜଣାନାହିଁ ।

 

ଜବାନ୍‌ ଦିମାକ୍‌ ପାଶି : (ମୁଣ୍ଡ ଖାଇଲା ବାଲା)

 

(ସେ କବି ଥିବାରୁ ଏପରି ଏକ ଯଥାର୍ଥ ନାମ ବାଛି ନେଇଛନ୍ତି)

 

ପ୍ରିୟ ବନ୍ଧୁ; ମୋର ଘରୋଇ ଅବସ୍ଥା ଏଇଆ ଯେ ବର୍ଷାରେ ମୋ ଘର ଛାତରୁ ଟପ୍‌ ଟପ୍‌ ହୋଇ ପାଣି ପଡ଼େ ଆଉ ଗ୍ରୀଷ୍ମ ଦିନେ ଛାତ ଭିତର ଦେଇ ଖରା ଘର ଭିତରକୁ ପଶି ଆସେ । ଶୀତଦିନ ହେଲେ, ଘର କାନ୍ଥ ଗୁଡ଼ିକଦ୍ୱାରା ଘୋଡ଼େଇ ହୋଇପଡ଼େ ଏବଂ ଏହିପରି ଥଣ୍ଡାରୁ ରକ୍ଷାପାଏ । ସତ କହିଲେ, ମୋ ଘର ହିଁ ଚାଦର ଓ ବିଛଣାର କାମ କରେ ଅର୍ଥାତ୍‌ ତା’ର ଚଟାଣ ମୋର ବିଛଣା ଓ ତା’ର ଛାତ ମୋର ଚାଦର । ଏଇ ଘରେ ବସି ମୁଁ କବିତା ଚିନ୍ତା କରେ । (ହାୟ, ଦିନେହେଲେ ରୋଜଗାର ଚିନ୍ତା କରିଥାଆନ୍ତି କି ! ) ମୋର କାର୍ଯ୍ୟ ନିର୍ଘଣ୍ଟ ହେଲା—ମୁଁ ଦିନବେଳା ମୋର ଅସଲି ସନ୍ତାନ ଦ୍ୱାରା ମନକୁ ଆନନ୍ଦ କରିନିଏ । ଆଉ ରାତି ଆସିଲେ ନକଲି ସନ୍ତାନ ଅର୍ଥାତ୍‌ କବିତା ମୋ ମନକୁ ଆନନ୍ଦ ଦିଏ । ଆପଣତ ଜାଣନ୍ତି, ଗୋଟିଏ ଅଫିସରେ ମୁଁ ଜଣେ ଆକାଉଣ୍ଟାଣ୍ଟ ମାତ୍ର । ତେଣୁ ମୋ କବିତା ଉପରେ ବି ହିସାବ କିତାବ ଚଢ଼ାଉ କରେ । ମୁଁ ଏପର୍ଯ୍ୟନ୍ତ ହଜାରେ ଗଜଲ ରଚନା କରିଚି । ଏହିପରି ପ୍ରତି ଗଜଲ ୫ପଦ କରି ହେଲେ ପାଞ୍ଚ ହଜାର ପଦ ରଚନା କରିଛି, ଯାହାର ଧାଡ଼ି ସଂଖ୍ୟା ହେଲା ଦଶ ହଜାର । ଛୋଟ ଛନ୍ଦରେ ପାଞ୍ଚ ଶହ ଗଜଲ ଲେଖିଛି, ବଡ଼ ଛନ୍ଦରେ ତିନି ଶହ; ଆଉ ବାକି ଗୁଡ଼ିକର ଛନ୍ଦ ଖୋଜିବାରେ ବହୁତ ଚେଷ୍ଟା କଲି କିନ୍ତୁ ପ୍ରତ୍ୟେକ ଥର ମୋତେ ଏପରି ଲାଗିଲା, ଯେପରିକି ସେହି ସେହି ଛନ୍ଦରେ ମୁଁ ଛନ୍ଦି ହୋଇ ପଡ଼ୁଛି । ପଦ ରଚନାରେ ମୋର ଦକ୍ଷତା ହେଲା ଅଧଘଣ୍ଟାରେ ଗୋଟିଏ କରି (ଲୋକେ ମୋ ପଦ ରଚନା ବେଳେ ଘଡ଼ି ମିଳାଇ ନିଅନ୍ତି) । ଯଦି ମୁଁ ଆହୁରି କୋଡ଼ିଏ ବର୍ଷ ବଞ୍ଚେ, ତେବେ ମୁଁ ତିନି ହଜାର ଚାରି ଶହ ପଦ ରଚନା କରିପକାଇବି; ଦେଖିବି ଦୁନିଆଁ ମୋର କ’ଣ ଆଲୁଅ କରି ପକାଇବ ।

 

ଶଫା ଦବାଖାନୱିଗୋରଖପୁର–

 

ମହାଶୟ, ମୋର ଘରୋଇ ଅବସ୍ଥା ଏଇଆ ହେଲା ଯେ, ମୁଁ ଛମାସ ହେଲା ଘରଭଡ଼ା ଦେଇନି, ବର୍ଷେ ହେଲା ବିଜୁଳି ଲାଇନ୍‌ କଟିଗଲାଣି, ପାଣିପାଇପ୍‌ ତ ମୂଳରୁ ନଥିଲା । କିନ୍ତୁ ସୌଭାଗ୍ୟର କଥା, ମୋ ଘରମାଲିକର ପୁଅର କବିତା ଝୁଙ୍କ୍‌ ଅଛି । ସେ ମୋଠାରୁ କବିତା ଲେଖେଇ ନେଇ, କବି ସମ୍ମିଳନୀରେ ନିଜ ନାରେ ପଢ଼ି ଶୁଣାଏ ଆଉ ଖୁବ୍‌ ବାହାବା ପାଏ । ସେଥିଲାଗି ଘରଭଡ଼ା ମାଗିପାରେ ନାହିଁ । ମୁଁ ମଧ୍ୟ ସେହି କବିତାର ମନଖୋଲା ପ୍ରଶଂସା କରେ । ଯଦି କେବେ ପ୍ରଶଂସା ନ କରେ ତ ସଙ୍ଗେ ସଙ୍ଗେ ସେ ମୋତେ ଘରୁ ବାହାରି ଯିବାପାଇଁ କହେ । ଦେଖାଯାଉ କେତେଦିନ ଯାଏ ମୋ କବିତା ମୋତେ ସେ ଘରେ ରଖାଉଚି । ଏ ସବୁ ଅବସ୍ଥାରେ ମୋର ଘରୋଇ ଅବସ୍ଥା ଆଉ କ’ଣ ହୋଇପାରେ ? ଜୀବନ ଯଦି ମୋ ସହ ଧୋକା ନ ଦିଏ, ତେବେ କେବେନା କେବେ ଆପଣଙ୍କ ସହ ଦେଖାହେବ, ନଚେତ୍‌ ନର୍କରେ ଦେଖାହେବା ସୁନିଶ୍ଚିତ-। ବାକି ସବୁ ସାକ୍ଷାତ୍‌ ହେଲେ,(ନର୍କରେ) ।

 

ଆଲିମ ବେ ଅମଲତ୍ନୀ ଲୁଧିଆନା–

 

ମହାଶୟ, ଜଣେ କବି ଭାବରେ ମୋର ଘରୋଇ ହାଲ ଜାଣିବାକୁ ଚାହିଁଛନ୍ତି । ତେଣୁ ମୁଁ ଆପଣଙ୍କୁ ଜଣାଇ ଦେଉଛି କି ମୋ କବିତ୍ୱ ସ୍ତର ହେଲା, ମୁଁ ସାରା ଜୀବନରେ ମାତ୍ର ଗୋଟିଏ ପଦ କବିତା ଲେଖିଛି । ମୁଁ ଶୁଣିଛି ଯେ ଥରେ ଗାଲିବ, ମୋମିନ୍‌ଙ୍କର ଗୋଟିଏ ପଦ ଶୁଣି ନିଜର ଗ୍ରନ୍ଥାବଳୀକୁ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ମୁଁ ମଧ୍ୟ ଏପରି ଏକ କବିଙ୍କର ସନ୍ଧାନରେ ଅଛି, ଯେ କି ମୋର ଏହି କବିତା ପଦକର ବଦଳରେ ତା’ର ସମସ୍ତ ଗ୍ରନ୍ଥ ହସ୍ତାନ୍ତର କରିବାକୁ ପ୍ରସ୍ତୁତ ହୋଇଯିବ ।

 

ଏ ସଉଦାଟା ହୋଇଗଲେ ଭାରି ବଢ଼ିଆ ହୁଅନ୍ତା । ଆଉ ମୁଁ ବି ଏହି କବିତ୍ୱ ବୋଝରୁ ବଞ୍ଚି ଯାଆନ୍ତି । ଯଦି ଆପଣଙ୍କ ନଜରରେ ଏପରି କୌଣସି କବି ଥାଆନ୍ତି, ତେବେ ଜଣାଇବେ ।

 

ଶାୟିସ୍ତା ଦାନିସ୍ତାଲ—କ୍ଷ୍ମୌ (ଏ ହେଉଛି ଜଣେ ଛୋଟ ଧରଣର ଔପନ୍ୟାସିକା) ।

 

ମହାଶୟ, ଆପଣ ଯେ ମୋତେ ମନେରଖିଚନ୍ତି, ସେଥିଲାଗି ଆପଣଙ୍କୁ ଧନ୍ୟବାଦ ଦେଉଛି । କାରଣ ଏ ଦୁନିଆରେ ମୋତେ ମନେ ରଖିଲାବାଲା ଖୁବ୍‌ କମ୍‌ ଅଛନ୍ତି । ଆଉ ଜଣେ ଯିଏକି ମୋତେ ମନେରଖି ପାରି ଥାଆନ୍ତା, ସେ ମୋତେ ବିବାହ କରି ସାରିଚନ୍ତି । ଆଉ ସେ କଅଣ ମତେ ମନେରଖି ପାରିବେ ? ଆପଣ ମୋ ଘରର ଅବସ୍ଥା ବିଷୟ ପଚାରିଚନ୍ତି । ମୁଁ ମୋ ଘର ଧନ୍ଦାରେ ବହୁତ ବ୍ୟସ୍ତ ଥାଏ । ଅର୍ଥାତ୍‌ ମୁଁ ସକାଳେ ଚାକରାଣୀ ଦ୍ୱାରା ଘର ଝଡ଼ାଏ, ରାନ୍ଧୁଣୀ ଦ୍ୱାରା ଭାତ ରନ୍ଧାଏ ଆଉ ଗୋଟିଏ ଚାକର ଦ୍ୱାରା ବଜାରରୁ ସଉଦା ଅଣାଏ । ଏବେ ଜଳଖିଆ କରୁ ନ କରୁଣୁ ପିଲାଙ୍କୁ ସ୍କୁଲ ପଠାଇବା ଚିନ୍ତା ଆସି ଘାରେ । ତେଣୁ ସେ କାମକୁ ମୁଁ ହାମିଦ୍‌ (ଅର୍ଥାତ୍‌ ମୋ ସ୍ୱାମୀ)ଙ୍କ ଉପରେ ଛାଡ଼ିଦିଏ । ସେ ବଡ଼ କାମଚୋର ଲୋକ । ସେଥିଲାଗି ସେ ଯେତେବେଳେ ପିଲାଙ୍କୁ ପୋଷାକ ପିନ୍ଧାନ୍ତି । ମୋତେ ତାଙ୍କ ସାମନାରେ ବସି ନିର୍ଦ୍ଦେଶ ଦେବାପାଇଁ ପଡ଼େ, ଅମୁକ ବୋତାମ ଠିକ୍‌ କରି ଲଗାଅ, ପପ୍‌ପୁର ଜୋତା ଡବ୍‌ବୁକୁ ପିନ୍ଧାଇ ଦିଅନା । ଡବ୍‌କର କାମିଜି ପପ୍‌ପୁକୁ ପିନ୍ଧାଅ ନାହିଁ । ପ୍ରତି ପିଲାଙ୍କ ପଢ଼ାବହି ସଙ୍ଗେ ମୋର ନୂଆ ଉପନ୍ୟାସ ବହିକୁ ଖଣ୍ଡେ ଖଣ୍ଡେ ରଖିଦିଅ । ପିଲାଏ ନ ପଢ଼ିଲେ ବି ଅନ୍ତତଃ ସେମାନଙ୍କର ଶିକ୍ଷକମାନେ ତ ପଢ଼ିବେ । ହମିଦ୍‌ଙ୍କୁ ନିର୍ଦ୍ଦେଶ ଦେଇ ମୁଁ ଏତେ କ୍ଳାନ୍ତ ହୋଇପଡ଼େ ଯେ ଦମ୍‌ ନେବାକୁ ବିଛଣାରେ ଗଡ଼ିପଡ଼େ । ଅଚାନକ ନିଦ ଆସିଯାଏ । ସନ୍ଧ୍ୟା ପାଞ୍ଚଟାକୁ ନିଦ ହଠାତ୍‌ ଭାଙ୍ଗିଯାଏ । ହମିଦ୍‌ ଛଟାରେ ଅଫିସରୁ ଫେରନ୍ତି । ସେତିକିବେଳେ ମୁଁ ଦ୍ୱାର ଦେଶରେ ତାଙ୍କୁ ଅପେକ୍ଷା କରି ଠିଆ ହୋଇଥାଏ । ଏବେ ସେହି ଅପେକ୍ଷା ଲାଗି ମୁଁ ବିରକ୍ତ ହୋଇଗଲିଣି । କାମ ଗୋଟିଏ ହେଲେ ସିନା ମଣିଷ କରିବ । ଭାବୁଚି ଆଡ଼କୁ ହମିଦ୍‌ଙ୍କୁ ଅପେକ୍ଷା କରିବା ଲାଗି ଚାକରାଣୀକୁ ଠିଆ କରାଇଦେବି । ଏବାଟେ ମୋତେ କିଛି ଫୁରସତ୍‌ ମିଳିଯିବ । ରାତିହେଲେ ନିଜେ ଡ୍ରଇଂରୁମ୍‌ରେ ବସି ହମିଦଙ୍କୁ ଡକାଏ, ଆଉ ମୋର ଗୋଟିଏ ନୂଆ ଉପନ୍ୟାସ ଲେଖିବା ପାଇଁ ତାଙ୍କୁ ଡାକେ । ହାମିଦ୍‌ ଅଫିସ୍‌ କାମରେ ଦିନସାରା ହାଲିଆ ହୋଇଥିବାରୁ, ମୁଁ ଦି’ଚାରି ଧାଡ଼ିରୁ ବେଶି ଡାକେ ନାହିଁ । ଯେତେବେଳେ ହମିଦ୍‌ ଘୁମେଇ ପଡ଼ନ୍ତି, ମୁଁ ତାଙ୍କ ହାତରୁ ଅଧାଲେଖା ପାଣ୍ଡୁଲିପିଟା ନେଇ ଆସେ । ଦି’ଚାରିଧାଡ଼ି ପଢ଼ିଥିବି କି ନାହିଁ ନିଦ ଆସିଯାଏ । ତା’ପରେ ଶୋଇଯାଏ । ପରଦିନ ମୁଁ ଯେତେବେଳେ ଉଠେ, ଏକ ନୂଆ କର୍ମବ୍ୟସ୍ତ ଦିନ ମୋ ଆଗରେ ଠିଆ ହୋଇଥାଏ ଏବଂ ସେହି କର୍ମଜଞ୍ଜାଳ ପୁଣି ଚାଲେ ।

Image

 

କାହାଣୀ-କଳଦାନ୍ତ-ବ୍ୟଥାର

 

ଆଉ, ଥରେ ମୋ କଳଦାନ୍ତରେ ଏମିତି ହଠାତ୍‌ ଦରଜ ଆରମ୍ଭ ହେଲା, ଯେପରିକି ଆକାଶରେ ଇନ୍ଦ୍ରଧନୁ ପଡ଼ିଯାଉଛି । ଆଉ ସେ ଇନ୍ଦ୍ରଧନୁ ପଡ଼ିବା ମାତ୍ରରେ ମୋତେ ତିନିଭୁବନ ଦେଖେଇ ଦେଲା । ଏମିତି ମୁଁ ଅନେକ ପ୍ରକାର ବ୍ୟଥା ଭୋଗି ଆସିଚି—ପେଟବ୍ୟଥା, ମୁଣ୍ଡବ୍ୟଥା, ଅଣ୍ଟାବ୍ୟଥା, ହୃଦବ୍ୟଥା, ଜାତିର ବ୍ୟଥା, ସନ୍ତାନସନ୍ତତିଙ୍କ ବ୍ୟଥାଠାରୁ ଆରମ୍ଭ କରି ଖାଜାମୀର ଦର୍ଦ୍ଦ (ଖାଜାମୀର ଦର୍ଦ୍ଦ୍‌ ନାମକ ଜଣେ ପୂର୍ବତନ ଊର୍ଦ୍ଧୁ କବିଙ୍କ ନାମର ଅବଲମ୍ୱନରେ ଏ ବ୍ୟଙ୍ଗ । ଦର୍ଦ୍ଦ—ବ୍ୟଥା) ପର୍ଯ୍ୟନ୍ତ ମୁଁ ସବୁ ବ୍ୟଥାସହ ପରିଚିତ ଥିଲି କିନ୍ତୁ କଳଦାନ୍ତର ବ୍ୟଥା ମୋ ପକ୍ଷରେ ଥିଲା ସବୁଠାରୁ ନୂତନ । ଊର୍ଦ୍ଧୁ କବିତାରେ ସ୍ଥାନେ ସ୍ଥନେ ଏପରି ପଦ ମୁଁ ପଢ଼ିଆସିଚି—(ଆଜ୍‌ କୁଛ ନର୍ଦ୍ଦ ମେରେ ଦିଲ୍‌ରେ ସେବା ହୋତା ହୈ) ଆଜି ମୋ ମନର ବ୍ୟଥା ହେଉଛି ଅଧିକ ।

 

କିମ୍ୱା

 

(ଦର୍ଦ୍ଦକା ହଦ୍‌ରେ ଗୁଜରନା ହୈ ଦଓ୍ୱା ହୋଜାନା) ସୀମା ଟପିଗଲେ, ବେଦନା ବ୍ୟାଧିର ଔଷଧ ହୋଇଯାଏ ।

 

କିନ୍ତୁ ମୋର ଏ ପାଦ ଗୁଡ଼ିକର ସତ୍ୟତା ଉପରେ ବିଶ୍ୱାସ ନଥିଲା କାରଣ, ମୁଁ ଆଜି ପର୍ଯ୍ୟନ୍ତ ବ୍ୟଥା ସୀମା ଟପିଯିବାର ଦେଖିନଥିଲି । କିନ୍ତୁ ମାହାଶୟ, ମୋର ମନହେଲା କଳଦାନ୍ତ ବ୍ୟଥା ହେଉଛି ଏକମାତ୍ର ବ୍ୟଥା, ଯାହାର କି ଜବରଦସ୍ତି ସୀମା ଟପେଇଦେବାର ଶକ୍ତି ଅଛି । ମୋର କହିବାର କଥା ହେଉଛି, ଡାହାଣପଟ କଳରେ ଯଦି ବ୍ୟଥା ହେଉଛି ତେବେ ସେ କେବଳ ସେଇ କଳାରେ ସୀମିତ ନ ରହି ସୀମା ଡେଇଁ ଆପଣଙ୍କ ଗାଲକୁ, କଳ ମାଢ଼ିଠାରୁ ଅନ୍ତତଃ ପାଞ୍ଚ ଛ ଇଞ୍ଚ ଦୂରେଇ ଦବ । ଆଉ, ଗାଲ ଆଉ କଳମାଢ଼ି ମଝିରେ ଏକ ‘ନିରପେକ୍ଷ ସ୍ଥାନ’ ସୃଷ୍ଟି କରିଦେବ-। ଆପଣଙ୍କୁ ଏମିତି ଜଣାଯିବ, ଯେପରିକି ଆପଣଙ୍କ ଗାଲ ଆପଣଙ୍କ ଶରୀରଠାରୁ ବହୁ ଦୂରରେ ଅବସ୍ଥିତ । ଆପଣ ରାସ୍ତାରେ ଯାଉଥିବାବେଳେ ଜଣାଯିବ ଯେ ଆପଣଙ୍କ ଗାଲ, ଆପଣଙ୍କ ଆଗେ ଆଗେ ଯାଉଛି ଏବଂ ଆପଣ କେବଳ ତାକୁ ଧରିବାକୁ ଧାଉଁଛନ୍ତି । କେବେକେବେ ଏପରି ବି ଜଣାଯାଏ, ଯୋଉ ଗାଲ ଆପଣଙ୍କ ସାଙ୍ଗେ ସାଙ୍ଗେ ଅଛି, ସେ ଆପଣଙ୍କର ନୁହେଁ; ଆଉ କାହାର-। କଳମାଢ଼ି ଓ ଗାଲ ମଧ୍ୟରେ ଏ ‘ବିରହ ଯନ୍ତ୍ରଣା’ ବଡ଼ କଷ୍ଟଦାୟକ । କଳମାଢ଼ି ଦରଜର ଲକ୍ଷ୍ୟ ହିଁ ଏଇଆ । ଏପରି ନ ହେଲେ କଳମାଢ଼ି ଦରଜରେ ଆଉ ମଜା କଅଣ ରହିଲା ?

 

କଳମାଢ଼ିର ଦରଜ ଯେତେବେଳେ ସୀମା ଟପି ବିଶ୍ୱରେ ପରିବ୍ୟାପ୍ତ ହେବାକୁ ଚେଷ୍ଟାକରେ, ମଣିଷ ସେଇ ବ୍ୟଥାର ବିଶାଳତା ଆଗରେ ସାମାନ୍ୟ ରେଣୁକଣା ପରି ମନେହୁଏ ।

 

ପ୍ରଥମେ ପ୍ରଥମେ ଯେତେବେଳେ ମୋ ଡାହାଣ ମାଢ଼ି ବ୍ୟଥାର ସୀମା ଟପିଗଲା ଓ ମୁଁ ଡହାଣଆଡ଼କୁ ଢଳିବାପରି ମନେକଲି, ସେତେବେଳେ ଭାରସାମ୍ୟ ହରେଇବାର ଅନୁଭୂତି ମୋତେ ବିକଳ କରିଦେଲା । ଦର୍ପଣରେ ମୋ ରୂପ ଦେଖିଲେ ଜଣାପଡ଼ିଲା, ଯେପରି ଦର୍ପଣ ଆଗରେ ମୋ ସ୍ଥାନରେ ଭୂତଟିଏ ଠିଆ ହୋଇଚି । ମୁଁ ଡରିଯାଇ ଜଣେ ଦାନ୍ତ ଡକ୍ତରଙ୍କ ପାଖକୁ ଦଉଡ଼ିଲି । ସେ ମୋତେ ଆଗରୁ ଚିହ୍ନିଥିଲେ କିନ୍ତୁ କଳମାଢ଼ି ବ୍ୟଥା ସହ ଯାଇଥିବାରୁ ଚିହ୍ନିପାରିଲେ ନାହିଁ । ମୁଁ ଅଭିଯୋଗ କଲାରୁ ସେ କହିଲେ, “ଭାଇ ! କଳମାଢ଼ି ଦରଜ ହେବାପରେ ମଣିଷକୁ ଚିହ୍ନିବା ବଡ଼ କଷ୍ଟ ହୋଇପଡ଼େ । ମୋତେ ତ ମୋର ସବୁ ରୋଗୀଙ୍କ ରୂପ ସମାନ ଥିବାପରି ଜଣାପଡ଼େ । କାହାକୁ କେତେ ମୁଁ ଚିହ୍ନିବି ? ଏମିତି ଆପଣଙ୍କ ଆଗରେ ଅନେକଗୁଡ଼ିଏ ପାଉଁରୋଟି ଏକାସାଙ୍ଗରେ ରଖିଦେଲେ, ଆପଣ କେମିତି ଚିହ୍ନିବେ ଏ ରୋଟି ରାମ ଆଉ ଏ ରୋଟି ଶାମ । କଳମାଢ଼ିର ବ୍ୟଥାର ଗୁଣ ଏପରି ଯେ ମଣିଷକୁ ଦେଖିଲେ ଜଣାପଡ଼େ ଯେ ତାହାର ରୂପ ପାଉଁରୋଟି ମେସିନ ଛାଞ୍ଚରେ ଢଳାହୋଇ ବାହାରିଚି ।”

 

ଡାକ୍ତର ବାବୁଙ୍କ ଏଇ ଦୀର୍ଘ ମନୋରମ ବକ୍ତୃତା ପରେ ଯେତେବେଳେ ମୁଁ ମୋର ଆସିବାର ଲକ୍ଷ ଜଣାଇବାକୁ ଚାହିଁଲି, ସେ କହିଲେ, “କାରଣ ଜଣାଇବା ଦରକାର ନାହିଁ; କାହିଁକିନା ଆପଣଙ୍କ ଗାଲ ଆପେ ଆପେ କାରଣ ଜଣାଇ ଦଉଚି । ଏହା କହି ସେ ମୋ ମୁହଁ ଖୋଲିବାକୁ ଚାହିଁଲେ । ସେତେବେଳେ ମନେହେଲା, ଯେପରି ମୁହଁରେ ତାଲା ପଡ଼ିଯାଇଚି । ବଡ଼ କଷ୍ଟରେ ସେ ଏପରି ଭାବରେ ମୋ ମୁହଁକୁ କଣେଇ ରଖିଲେ, ଯେପରିକି ମୋ କଳମାଢ଼ି ତାଙ୍କୁ ଦେଖାଯିବ; ଯେଉଁଠି ମୋର ସମସ୍ତ ଅସ୍ତିତ୍ୱ କେନ୍ଦ୍ରିଭୂତ ହୋଇଥିଲା । ଡାକ୍ତର ବାବୁ ମୋ ମୁହଁ ଘପ୍‌କରି ବନ୍ଦ କରିଦେଇ କହିଲେ, “ବର୍ତ୍ତମାନ ତ ମୁଁ ଏ ଦାନ୍ତ କାଢ଼ିପାରିବିନି । ଆଉ କିଛିଦିନ ଏ ଦାନ୍ତ ସାଙ୍ଗରେ ଚଳିବାକୁ ପଡ଼ିବ ।” ମୁଁ କହିଲି, “ଡାକ୍ତରବାବୁ ! ମୋର, ଏ ଦାନ୍ତ ସାଙ୍ଗରେ ଚଳିବାକୁ କିଛି ଆପତ୍ତି ନାହିଁ କିନ୍ତୁ ମୋ ବେକ ଉପରେ ଯେଉଁ ଦେଢ଼ଟା ମୁହଁ ବାହାରିଚି, ଅନ୍ତତଃ ତାକୁ ସୁଧାରି ନିଅନ୍ତୁ । ଏ ବୈଷମ୍ୟ ମୋତେ ବିଶେଷକରି ମୋ ସ୍ତ୍ରୀଙ୍କ ପାଇଁ ଅସହ୍ୟ ।”

 

ସେ କହିଲେ, “ଭାଇ, ଦେଢ଼ା ମୁହଁରେ ଭାରସାମ୍ୟ ଓ ସୁସମତା ଆଣିବାକୁ ହେଲେ ତା’ର ଏକମାତ୍ର ଉପାୟ ଅଛି ।”

 

ମୁଁ କହିଲି,“କଅଣ ସିଏ ?”

 

ସେ କହିଲେ, “କୌଣସି ପ୍ରକାରେ ଆପଣଙ୍କ ବାଁ କଳଦାନ୍ତରେ ମଧ୍ୟ ବ୍ୟଥା ଭର୍ତ୍ତିକରିବା-। ତା ପରେ ଏ ବ୍ୟଥା ବି ମାତିଯାଇ ଆପଣଙ୍କ ବାଁପଟ ମାଢ଼ିର ସୀମାକୁ ଟପି, ବିଶ୍ୱ ବ୍ରହ୍ମାଣ୍ଡରେ ବ୍ୟାପିଯିବ । ଏହାପରେ ଆପଣଙ୍କ ଦୁଇକଳ ଜ୍ୟାମିତିକ ପ୍ରକାରେ ସମାନ ହୋଇଯିବ । କହିବେତ ଆପଣଙ୍କ ବାଁ କଳ ମାଢ଼ିରେ ବି ବ୍ୟଥାର ଉଦ୍‌ଘାଟନ କରିଦେବି ।”

 

ମୁଁ କହିଲି, “ଡାକ୍ତର ବାବୁ ! ଯେତେ କଷ୍ଟ ପଡ଼ୁ ପଛେ, ମୁଁ ଚାହେଁ ଏ ଦାନ୍ତଟା କାଢ଼ି ଫିଙ୍ଗି ଦିଅନ୍ତୁ । ମୁଁ ଏପରି ଘୁଷୁରି ଘୁଷୁରି ମରିବା ଚାହେଁନି । ଟିପୁ ସୁଲତାନ ଭଲ କଥାଟିଏ କହିଥିଲେ, “ସିଂହର ଦିନକର ଜୀବନ, ବିଲୁଆର ଶହେଦିନ ବଞ୍ଚିବାଠୁ ଭଲ ।”

 

ଡାକ୍ତରବାବୁ କହିଲେ, “ଆଜ୍ଞା ଖବରଦାର, ଆପଣଙ୍କ କଳଦାନ୍ତର ବ୍ୟଥା ଏବେ ଦର୍ଶନ ଶାସ୍ତ୍ର ବୟାନ କଲାଣି । ଏ ଅବସ୍ଥା ଖୁବ୍‌ ଗୁରୁତର । ଆପଣ ନିଜକୁ ସଂଯତ କରନ୍ତୁ, ନଚେତ୍‌ ଟିପୁ ସୁଲତାନଙ୍କ ଇତିହାସରେ ତ କିଛି ବଦଳିବ ନାହିଁ କିନ୍ତୁ ଆପଣଙ୍କ ଯାହାକିଛି ଭୂଗୋଳ ଅଛି, ତାହା ନଷ୍ଟ ହୋଇଯିବ । ଆଉ ଏହାବି ଭାବନ୍ତୁ ଯେ, ମୁଁ ଯଦି ସବୁ ରୋଗୀଙ୍କ ଦାନ୍ତ ହଠାତ୍‌ ବାହାର କରିଦିଏ, ତେବେ ମୋର କାରବାର ଚଳିବ କିପରି ? ଗୋଟିଏ ଦାନ୍ତକୁ ମୋତେ ଅନ୍ତତଃ ଶହେଟଙ୍କା ତ ମିଳିବା ଦରକାର । ଆପଣ ଆପଣଙ୍କପାଇଁ ଶହେଟଙ୍କା ପର୍ଯ୍ୟନ୍ତ ଚିକିତ୍ସା କରାନ୍ତୁ, ତା’ପରେ ଉଁ ଚୁଁ ନକରି ମୁଁ ଦାନ୍ତଟା ଓପାଡ଼ିଦେବି” । ଏପରି କହୁ କହୁ ହଠାତ୍‌ ଡାକ୍ତର ସାହେବଙ୍କ କୃତ୍ରିମ ଦାନ୍ତ ସେଟ୍‌ଟି ବାହାରକୁ ଚାଲିଆସିଲା । ଆଉ ସେ ତାଙ୍କ ପାକୁଆ ପାଟିରେ କହିଲେ, “ମୋ ପରାମର୍ଶ ଫିସ୍‌’ଟା ଦେଇ ଯାଆନ୍ତୁ ।”

 

ମୁଁ କହିଲି, “ଆଜ୍ଞା, ଆପଣ କି ପରାମର୍ଶ ଦେଇଚନ୍ତି ଯେ ମୁଁ ଫିସ୍‌ ଦେବି !” ସେ କହିଲେ—“ମୁଁ ଆପଣଙ୍କୁ ଅତି ଉପାଦେୟ ପାରମର୍ଶ ଦେଇଛି ଯେ କଳଦାନ୍ତର ବିନ୍ଧାକୁ ଦର୍ଶନରୁ ଦୂରରେ ରଖନ୍ତୁ, ନଚେତ୍‌ ଦାର୍ଶନିକ ପାଲଟିଯିବେ ।

 

ମୁଁ ରାଗରେ ଡାକ୍ତରବାବୁଙ୍କ କ୍ଳି୍‌ନିକ୍‌ରୁ ବାହାରିଆସିଲି । କେତେ ପାହୁଣ୍ଡ ମାତ୍ର ଯାଇଚି, କଳମାଢ଼ିରେ ବିଜୁଳି ମାରିଲାପରି ଲାଗିଲା । ବିଜୁଳିର ତରଙ୍ଗ କଳଦାନ୍ତରୁ ବାହାରି ସାରା ଶରୀର ବ୍ୟାପିଗଲା । ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ଏମିତି ମନେହେଲା, “ମୋ କଳଦାନ୍ତରେ ଗୋଟିଏ ହରିଣ ଡିଆଁ ଡେଇଁ ଆରମ୍ଭ କରିଦେଇଚି । ଯେମିତି ମୋ ଦାନ୍ତରେ କେହି ଗୋଟାଏ ତୋପ ଦାଗିଦେଇଛି ବା ଗୋଟାଏ ଟ୍ରେନ୍‌ ଯାଉ ଯାଉ ମୋ ଦାନ୍ତ ଉପରେ ଧାରଣାରୁ ଖସିପଡ଼ିଲା କିମ୍ୱା ମୋ ଦାନ୍ତ ଉପରେ ସାମରିକ ବିପ୍ଳବ ଆରମ୍ଭ ହୋଇଗଲା ।” ଘଟଣାରୁ ସବୁ ଏତେ ଭିଢ଼ ଥିଲା ଯେ ମୋ କଳଦାନ୍ତରେ କଣ ହେଉଛି ବା ନ ହେଉଛି, ତାହା ଜାଣିବା ମୋ ପକ୍ଷରେ କଷ୍ଟ ହୋଇପଡ଼ିଲା । ଏପରି ମନେ ହେଉଥିଲା, ଯେପରି ମୁଁ ନିଜେ ତାଳୁରୁ ତଳିପା ପର୍ଯ୍ୟନ୍ତ କଳଦାନ୍ତ ହୋଇଯାଇଚି ।

 

ମୁଁ ବ୍ୟଥାର ଏହି ହଠାତ୍‌ ଆକ୍ରମଣକୁ ସମ୍ଭାଳିନେବା ପାଇଁ ଗୋଟିଏ ବିଜୁଳି ଖୁଣ୍ଟକୁ ଭରାଦେଇ ଠିଆ ହୋଇଗଲି ଆଉ ମୋ ଆଖିକୁ ସବୁ ଅନ୍ଧାର ହେଇଗଲା । ମୋତେ ଲାଗିଲା, ଯେପରି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଗୋଟିଏ କଳଦାନ୍ତ ହେଇଯାଇଚି । କଳଦାନ୍ତ ଛଡ଼ା ଜଗତରେ ଆଉ କିଛି ନାହିଁ । ସବୁ ଜିନିଷ କଳଦାନ୍ତରୁ ଆରମ୍ଭ ହୁଏ ଏବଂ କଳଦାନ୍ତରେ ହିଁ ଶେଷ ହୋଇଯାଏ । ସୃଷ୍ଟି ପୂର୍ବରୁ କଳଦାନ୍ତ ଥିଲା, ସୃଷ୍ଟି ପରେ ମଧ୍ୟ ଅଛି । ପ୍ରଥମେ କଳଦାନ୍ତ, ଶେଷରେ ବି କଳଦାନ୍ତ । ହଠାତ୍‌ ମୋତେ ଜଣାଗଲା, ମୋ ମୁହଁରେ ସୂର୍ଯ୍ୟ ଭର୍ତ୍ତି ହୋଇଯାଇଛି ଆଉ ମୁଁ ତାକୁ ଚୋବେଇ ଚୋବେଇ ଖାଉଚି । ମନ ହେଲା, ସୂର୍ଯ୍ୟଙ୍କୁ ଚୋବେଇ ଟିକିଟିକି କରି, ସୂର୍ଯ୍ୟଙ୍କର ଏ ଖଣ୍ଡକୁ ଲୋକଙ୍କୁ ବାଣ୍ଟି ଦେଇ କହିବି, “ଭାଇମାନେ ଏଥିରେ ନିଜ ନିଜ ଘରକୁ ଆଲୁଅ କର । ପ୍ରତ୍ୟେକ ଲୋକର ଗୋଟାଏ ଗୋଟାଏ ସୂର୍ଯ୍ୟ ହେବା ଦରକାର । ପ୍ରତ୍ୟେକର ଅଲଗା ଅଲଗା ସକାଳ ହେବା ଉଚିତ । ଏତେ ବଡ଼ ବିଶ୍ୱକୁ ଗୋଟାଏ ସୂର୍ଯ୍ୟର ଅଧୀନ କରିଦେବା ଉଚିତ ନୁହେଁ । ଆସ, ଆମେ ସମସ୍ତେ ମିଶି ସୂର୍ଯ୍ୟକୁ ବାଣ୍ଟିନେବା ଆଉ ଏହାର ଖଣ୍ଡକୁ ପକେଟରେ ରଖିନେବା, ଯେପରିକି ତାହା ସନନ୍ଦ ହୋଇ ରହିବ ଓ ଦରକାର ବେଳେ କର୍ମରେ ଆସିବ ।

 

କଳଦାନ୍ତ ବ୍ୟଥାର ଏପରି ଏକ ଗୁଣ ଯେ, ଏ ବଥା କିସ୍ତିୱାରି ଆସେ ଅର୍ଥାତ୍‌ ବ୍ୟଥାର ଗୋଟାଏ ଢେଉ ଯାଏ ତ ଆଉ ଢେଉ ଆସେ । ବ୍ୟଥାର ପ୍ରଥମ ଢେଉ ଚାଲିଗଲା ପରେ, ମୁଁ ଏକ ଅପୂର୍ବ ଆବିଷ୍କାର କଲି ଯେ ବିନ୍ଧାର ପ୍ରତ୍ୟେକ ଢେଉ ସାଙ୍ଗରେ ମୋ ଭିତରେ ଆଧୁନିକ କବି ହୋଇଯିବାର ଏକ ଶକ୍ତିଶାଳୀ ପ୍ରତିଭା ସୃଷ୍ଟି ହେଉଛି । ଦେବଦୂତ ସୁଲଭ ଏ ଆବିଷ୍କାର କେବଳ କଳଦାନ୍ତ ବ୍ୟଥାରେ ସମ୍ଭବ ହୁଏ । ହଠାତ୍‌ ମୋତେ ଏଇ ରହସ୍ୟ ଜଣାପଡ଼ିଲା ଯେ ଆଧୁନିକ କବିତା ପ୍ରକୃତରେ କଳଦାନ୍ତ ବ୍ୟଥାର ହିଁ କବିତା; ଯେଉଁଥିରେ ମଣିଷର ସବୁ ଦୁଃଖ କେନ୍ଦ୍ରିଭୂତ ହୁଏ ଏବଂ ଏହା ସୂର୍ଯ୍ୟଙ୍କୁ ଚୋବେଇ ଖାଇଯିବାର ଅବସ୍ଥାରେ ପହଞ୍ଚିଯାଏ । ମୋତେ ଏପର୍ଯ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ଆମର ଅନେକ ଆଧୁନିକ କବି ଏପରି କଷ୍ଟଦାୟକ ଓ ଦୁଃଖପୂର୍ଣ୍ଣ କଳ୍ପନାକୁ କିପରି ଏତେ ସହଜ ଓ ସାବଲୀଳ ଭାବରେ ନିଜ କବିତାରେ ପ୍ରକାଶ କରନ୍ତି । ବର୍ତ୍ତମାନ କଳଦାନ୍ତ ବିନ୍ଧା ଭୋଗିବା ପରେ ଜଣାଗଲା ଯେ ଏଇତ ବଡ଼ ସହଜ କଥା । ଆଧୁନିକ କବି ହେବାକୁ ହେଲେ, ପ୍ରଥମେ ନିଜ କଳଦାନ୍ତ ବିନ୍ଧା ସୃଷ୍ଟି କରାଅ ଆଉ ଦେଖ—“ଶୂନ୍ୟରୁ କିପରି ଆସେ କଳ୍ପନା ଢେଉ ।”

 

ବିଶ୍ୱାସ କରନ୍ତୁ; ବ୍ୟଥାର ପ୍ରଥମ ଢେଉରେହିଁ ମୁଁ କବି ହୋଇଯିବାପାଇଁ ସ୍ଥିର କରିଥିଲି ଓ ଭାବିଥିଲି, ଦ୍ୱିତୀୟ ଢେଉରେ ବୁଡ଼ି ଏକ ଚମତ୍କାର କବିତାଟିଏ ତୋଳି ଆଣିବି । କିନ୍ତୁ ବିନ୍ଧାର ପ୍ରଥମ ଓ ଦ୍ୱିତୀୟ ଢେଉ ମଧ୍ୟରେ ଯେଉଁ ବିରାମ ଥାଏ, ତାହା ମଣିଷକୁ ତାର ଉଡ଼ନ୍ତା-କଳ୍ପନାରୁ ପୁଣି ତଳକୁ ଭିଡ଼ି ଆଣେ । ମୁଁ ଭାବିଲି, ମୋ ପାଖରେ ତ କୌଣସି କବିପଦବୀ ନାହିଁ । ତେବେ କବିତା ଯୋଡ଼ି ଲାଭ କଅଣ ?

 

ଛାଡ଼ନ୍ତୁ ଆଜ୍ଞା, ମୁଁ ଏହିପରି ବିନ୍ଧାର ଢେଉ କାଟି କାଟି ଘରେ ପହଞ୍ଚିଲି । କଣ ହେଲା କେଜାଣି, ଘରର ଅବସ୍ଥା ମଧ୍ୟ ବଦଳି ଯାଇଥିଲା । ଯୋଉପିଲା ମୋତେ ଦେଖିବା ମାତ୍ରେ କୁଣ୍ଢେଇ ପକଉଥିଲା, ସେ ମୋତେ ଦେଖିବା ମାତ୍ରେ ବୁଲିପଡ଼ି ପଳେଇଲା । ଯୋଉ ସ୍ତ୍ରୀ ମୁଁ ଘରେ ପାଦଦେବା ମାତ୍ରେ କିଛି ନା କିଛି ସମସ୍ୟା ଆଣି ଥୋଉଥିଲା, ସେ ମୋତେ ଦେଖି ଚୁପ୍‌ଚାପ୍‌ ରୋଷେଇ ଘରକୁ ପଳେଇଲା । ମୁଁ ଘରର ଏ ପରିବର୍ତ୍ତିତ ଅବସ୍ଥା ବୁଝିପାରିଲି ନାହିଁ; ବହୁ ସମୟ ପର୍ଯ୍ୟନ୍ତ କେହି ମୋର ଅବସ୍ତା ବିଷୟ ନ ପଚାରିବାରୁ, ମୁଁ ରାଗିକରି କହିଲି, “ଏ ଘରେ କଅଣ ସମସ୍ତଙ୍କୁ ସାପ ଦଂଶିଲା, କଥା କଅଣ ?”

 

ମୋର ଏ ପ୍ରଶ୍ନ ଶୁଣି ସ୍ତ୍ରୀ କହିଲା. “ମୋର ତୁମପ୍ରତି ସବୁବେଳେ ଏଇ ଅଭିଯୋଗ ଯେ ଅଫିସରେ ତୁମେ ଅଫିସରଙ୍କ ଗାଳି ଶୁଣୁଚ ଆଉ ଆମ ଉପରେ ରାଗ ଶୁଝଉଚ । ତୁମେ ତ ଘରେ ପହଞ୍ଚୁ ପହଞ୍ଚୁ ଜାଣି ଯାଇଥିଲି ଯେ ଆଜି ତୁମ ମିଜାଜ୍‌ ଭଲ ନାହିଁ । ସେଇଥିପାଇଁ ତ ତୁମେ ଗାଲ ଫୁଲେଇ ଓ କାନ୍ଦକାନ୍ଦ ହୋଇ ପହଞ୍ଚିଚ । ଏବେ ତୁମ ଖବର ପଚାରିବି ବା କେମିତି ? ତୁମେ ତ ଏ ଅବସ୍ଥାରେ କାମୁଡ଼ି ଗୋଡ଼ାଅ । ମୁଁ ଭାବୁଚି, ଆଜି ତୁମ ଅିଫିସର ତୁମକୁ ବହୁତ ଗାଳି ଦେଇଚନ୍ତି । ଦେଖ ତ, ତୁମ ଗାଲ କେତେ ଫୁଲି ଯାଇଚି । ଏତେ ଗାଳି ତ ଆଗରୁ କେବେ ଖାଇ ନଥିଲ ?”

 

ମୁଁ ବ୍ୟଥାତୁର ହୋଇ କହିଲି, “ଆରେ ହୁଣ୍ଡି, ତୋର ତ ସବୁବେଳେ ଓଲଟା ଯୁକ୍ତି କରିବାର ଅଭ୍ୟାସ । ମୁଁ କଳଦାନ୍ତ ବିନ୍ଧାରେ ମରୁଚି ଆଉ ତତେ ଏଥିରେ ଅଫିସରର ଗାଳି ଦେଖାଯାଉଚି ?”

 

ମୋର ଏସବୁ କଥା ଶୁଣିବା ମାତ୍ରେ ମୋ ପରିବାରର ଲୋକେ ଖୁବ୍‌ ଖୁସି ହୋଇଗଲେ-। ପିଲାମାନେ ଦୌଡ଼ିଆସି ମୋତେ କୁଣ୍ଢେଇ ପକେଇଲେ ଆଉ କହିଲେ, “ଯଦି ସତରେ ଆପଣଙ୍କର କଳଦାନ୍ତ ଦରଜ, ତେବେ ତ ଇଏ ଖୁବ୍‌ ଖୁସି କଥା । ନହେଲେ ଆମେ ତ ଭାବିଥିଲୁ, ଆଜି ବି ଆପଣ ଅଫିସ୍‌ରୁ ଗାଳି ଶୁଣି ଆସିଚନ୍ତି ଆଉ କିଛି ସମୟ ପରେ ଆମ ଉପରେ ମାଡ଼ ଚାଲିବ ।”

 

କଳଦାନ୍ତ ବିନ୍ଧାରେ ମଣିଷ ଅଯଥା ଗର୍ବିତ ଜଣାପଡ଼େ । ଡାହାଣ କଳଦାନ୍ତ ବିନ୍ଧା ସମୟରେ ମୋର ଅର୍ଦ୍ଧେକ ବନ୍ଧୁ ମୋଠାରୁ ଅଲଗା ହେଇଗଲେ କାରଣ, ସେତେବେଳର ଚେହେରାରୁ ସେମାନଙ୍କୁ ମୁଁ ମୋର ଖୁବ୍‌ ଗଉଁ ହୋଇଯାଇଥିବା ପରି ଦେଖାଗଲି । ଠାଏ ଠାଏ ମୋର ଗର୍ବ ବିଷୟରେ ଚର୍ଚ୍ଚା ହେଲା ଯେ, “ଆରେ ଭାଇ, ଯେବେଠୁ ଅଫିସରେ ତା’ର ପଦୋନ୍ନତି ହେଲାଣି, ସେବେଠୁ ସେ ମୁହଁ ଫୁଲେଇ କରି ରଖିଚି । କାହାକୁ ଖୋଲା ମନରେ କଥାବାର୍ତ୍ତା କରୁନି ବରଂ କୁହ ଟେଲିଗ୍ରାମ ଭାଷାରେ କଥା କହୁଚି । ଡାହାଣ ଗାଲରେ ଏତେ ଗର୍ବ ଆସିଚି ଯେ ଇଏ ସର୍ବଦା ଦୁଇ ତିନି ଇଞ୍ଚି ଫୁଲି ରହୁଚି ।

 

ଦୈବ ଯୋଗକୁ ମୋର ପଦୋନ୍ନତି ଓ କଳଦାନ୍ତ ବିନ୍ଧା, ଦି’ଟାଯାକ ଏକା ସାଙ୍ଗରେ ହେଇଥିଲା । ନହେଲେ ଏ ଗର୍ବ କିଏ, ମୁଁ କିଏ ? ପଛରେ ଯେତେବେଳେ ବାଁ କଳ ଦାନ୍ତମୂଳରେ ବିନ୍ଧା ଆରମ୍ଭ ହେଲା, ମୋର ବାକି ଅଧକ ବନ୍ଧୁ ବି ମୋତେ ପରିତ୍ୟାଗ କଲେ । ନା ଦାନ୍ତ ରହିଲା, ନା ବନ୍ଧୁ ରହିଲେ । ଏବେ କାହାକୁ ବା ବୁଝେଇବି ଯେ ଭାଇ, ସବୁ ଦୋଷ କଳଦାନ୍ତ ବିନ୍ଧାର । ମୁଁ ତ ପ୍ରଥମରୁ ନିରୀହ । ଜୀବନରେ ଥରେମାତ୍ର ମୁଁ ଗର୍ବ ପ୍ରକାଶ କରିଥିଲି, ଯେତେବେଳେ ମୁଁ ବାହାଘରବେଳେ ଘୋଡ଼ି ଉପରେ ବସି କନ୍ୟା ଘରକୁ ଅର୍ଥାତ୍‌ ବର୍ତ୍ତମାନର ସ୍ତ୍ରୀର ଘରକୁ ଯାଇଥିଲି; ଆଉ ସେ ଗର୍ବର ଯେଉଁ ଫଳ ହେଲା, ତାହା ମୋ ଛ’ଟି ସନ୍ତାନ ରୂପରେ ଜଗତରେ ଜଣା । ସେ ଗର୍ବ ଏମିତି ଭାବରେ ଭାଙ୍ଗିଗଲା ଯେ ଏବେ ମୋତେ ‘ଗର୍ବ’ ର ଅର୍ଥ ଅଭିଧାନରୁ ଖୋଜିବାକୁ ପଡ଼ୁଛି-। କିନ୍ତୁ କଅଣ କରିବି, ଏଇ କଳଦାନ୍ତ ବିନ୍ଧାରୁ ମୁଁ ସବୁଲୋକଙ୍କ ଆଗରେ ଗୋଟିଏ ଗର୍ବୀଲୋକ ଭାବରେ ପରିଚିତ ହୋଇଯାଇଚି ।

 

ମୋ ଉପରେ ଆଉ ଏକ ଜୁଲମ ହେଇଥିଲା । କେବଳ ମୁଁ ହିଁ କଳଦାନ୍ତ ବିନ୍ଧା ଭୋଗୁ ନଥିଲି କିନ୍ତୁ ଭଗବାନ ମୋ ଅଫିସରଙ୍କୁ ମଧ୍ୟ ଏଇ ଅପୂର୍ବ ଅଭିଜ୍ଞତା ଦେଇଥିଲେ । ଆଉ ଆପଣ ତ ଜାଣନ୍ତି, କଳଦାନ୍ତ ବିନ୍ଧୁଥିବା ଦୁଇଜଣ ଲୋକ କୌଣସି କଥାରେ ଏକମତ ହୁଅନ୍ତି ନାହିଁ କାରଣ, କଳଦାନ୍ତ ବିନ୍ଧାରେ ମଣିଷ ସବୁ ଜିନିଷକୁ ତଳେଇ ଦେଖିବା ମନୋବୃତ୍ତି ଶିକାର ହୋଇପଡ଼େ । ଆଉ ନିଜେ ନିଜର ଐକାନ୍ତିକତା ଭାବରେ ବନ୍ଦୀ ହୋଇ, ନିଜ ସାମର୍ଥ୍ୟ ମୁତାବକ କଳଦାନ୍ତର ବିନ୍ଧାକୁ ସମ୍ଭାଳେ । ଫଳରେ ‘ଚିଠି ପଠାଇବାରେ ଦୁର୍ବିପାକ’ ସୃଷ୍ଟି ହୁଏ । ଅନେକ ସମୟରେ ଏପରି ହୁଏ ଯେ ମୁଁ ତାଙ୍କ ପାଖକୁ କୌଣସି ପ୍ରସ୍ତାବ ଲେଖି ପଠାଇଲେ, ସେ ତାକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି । ସେ କିଛି ଆଦେଶ ମୋ ପାଖରୁ ଲେଖିଦେଲେ, ମୁଁ ସେଥିରେ ଜଟିଳତା ପୂରେଇ ଦିଏ-। ‘ଚିଠି ପଠାଇବାର ଏଇ ବିପଦ’ ଏପରି ଅବସ୍ଥାରେ ପହଞ୍ଚିଗଲା ଯେ ଆମ ଦୁଇଜଣଙ୍କ ମଧ୍ୟରେ ସରକାରୀ ଆଦବକାଇଦା ବଦଳରେ ଝଗଡ଼ା ଆରମ୍ଭ ହେଇଗଲା । ଏ ଭୁଲ୍ ବୁଝାମଣା ଆହୁରି ବି ବଢ଼ିଥାଆନ୍ତା କିନ୍ତୁ ମୁଁ ଦିନେ ଅଫିସରଙ୍କ କୋଠରିକୁ ହଠାତ୍‌ ପଶିଯାଇ ଦେଖିଲି, ସେ ଆପଣା ଗାଲ ଧରି ବସିଚନ୍ତି । ମୁଁ ପଚାରିଲି, ”ଆପଣଙ୍କ କଳଦାନ୍ତରେ କିଛି ହୋଇଚି କି ?”

 

ସେ କହିଲେ, “ହଁ ବହୁତ ବିନ୍ଧୁଚି ।”

 

ଏଥିରେ ମୁଁ ନିଜ ଗାଲ ଧରି କହିଲି, “ଏଠି ବି ସେଇ ଅବସ୍ଥା ।”

 

ଏହାପରେ ମୁଁ ବୁଝେଇଲି, “ପ୍ରକୃତରେ ଆମ ଦୁହିଁଙ୍କ ମଧ୍ୟରେ ଥିବା ବିରୋଧର କାରଣ, ଆମ କଳଦାନ୍ତ । ଆମ ଦୁହିଁଙ୍କର କଳଦାନ୍ତରେ ଏକ ସମୟରେ ବିନ୍ଧା ହେଲେ, ତାର ଫଳ ଆମ ବିରୋଧ ମତାମତରୂପେ ପ୍ରକାଶ ପାଏ । ଏଇ ସହଜ କଥା ମୋ ଅଫିସର ବୁଝିଗଲେ । ସେତେବେଳ ପର୍ଯ୍ୟନ୍ତ ତାଙ୍କର ଜ୍ଞାନଦାନ୍ତ ପଡ଼ିଯିବା ଅବସ୍ଥାରେ ଥିଲା ।

 

ପରେ ଆମେ ଦୁଇଜଣ ଏକମତ ହୋଇ ଏକ ଚୁକ୍ତି କଲୁ, ଯେବେ ମୁଁ କୌଣସି ଫାଇଲ୍‌ର କୌଣସି ପ୍ରସ୍ତାବ ଦିଏ ତେବେ ଏଇ ପ୍ରସ୍ତାବ ତଳେ ଦସ୍ତଖତ କଲାପରେ ଛୋଟ ଅକ୍ଷରରେ ‘କଳଦାନ୍ତ ବିନ୍ଧା’ ଲେଖି ଦେଉଥିଲି । ସେ ଫାଇଲ୍‌ ଦେଖି ବୁଝିଯାଉଥିଲେ ଯେ, ଏ ପ୍ରସ୍ତାବ ଦାନ୍ତବିନ୍ଧା ବେଳେ ଲେଖାଯାଇଛି । ଯଦି ସେ ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ସେ ମଧ୍ୟ ଦସ୍ତଖତ କଲାପରେ ତଳେ ଛୋଟ ଅକ୍ଷରରେ ‘କଳଦାନ୍ତ ବିନ୍ଧା’ ବୋଲି ଲେଖି ଦେଉଥିଲେ-। କିଛିଦିନ ପରେ ସେ ଏପରି ଅଭ୍ୟସ୍ତ ହେଇଗଲେ ଯେ ଯେବେବି କୌଣସି ଫାଇଲ୍‌ ତାଙ୍କ ଆଗକୁ ଆସେ, ତା ଉପରେ ସେ ଲେଖିଦିଅନ୍ତି, “କଳଦାନ୍ତ ଦରଜ, ପରେ ପେଶ୍‌ କର ।” ଏହିପରି ଅଫିସ୍‌ରେ ଦୁଇପ୍ରକାର ଫାଇଲ୍‌ ହେଇଗଲା । ଅର୍ଥାତ୍‌ କଳଦାନ୍ତ ବିନ୍ଧାର ପୂର୍ବର ଫାଇଲ୍‌ ଓ ବିନ୍ଧାପର ଫାଇଲ୍‌ ।

 

ଫାଇଲ୍‌ କଥା ଛାଡ଼ନ୍ତୁ । ମୁଁ ମୋ ଜୀବନକୁ ଦୁଇ ଭାଗରେ ବିଭକ୍ତ କରି ରଖିଛି । ଗୋଟିଏ ଜୀବନ, ଯାହା କଳଦାନ୍ତ ବିନ୍ଧା ପୂର୍ବରୁ ଥିଲା ଓ ଦ୍ୱିତୀୟ ଜୀବନ, ଯାହା କଳଦାନ୍ତ ବିନ୍ଧା ପରେ ଆସିଲା । ଏବେତ ମୋର ସବୁ କଳଦାନ୍ତ ଉପୁଡ଼ି ଗଲାଣି । ଯେମିତିକି ମୁଁ ବି ଦାନ୍ତ ଡାକ୍ତର ବନିଗଲିଣି । ବରଂ ଏହା କୁହନ୍ତୁ ଯେ ମୋର କୃତ୍ରିମ ବତିଶ ଦାନ୍ତ ଉପୁଡ଼ିବାର ସମୟ ଆସିଲାଣି । କୃତ୍ରିମ ବତିଶ ଦାନ୍ତ ଉପୁଡ଼ିବନି ତ ଆଉ କଅଣ ହେବ । କାରଣ ମୁଁ ଏ ଦାନ୍ତ ସେଟ୍‌ କାଢ଼ି ଶୋଇପଡ଼ିବା ପରେ, ମୋର ପିଲାମାନେ ତାକୁ ଖେଳଣାପରି ବ୍ୟବହାର କରନ୍ତି । ଘଣ୍ଟା ଘଣ୍ଟା ଧରି ସେ ବାପାଙ୍କ ଦାନ୍ତ ସହିତ ଖେଳନ୍ତି । ମୁଁ ପାକୁଆ ଅଭିଯୋଗ କଲେ ସ୍ତ୍ରୀ କହେ, “ଏତେ ତରତର କାହିଁକି ? ଦଶଟାବେଳେ ତ ଖାଉଚ । ଘଣ୍ଟେ ଦେଢ଼ଘଣ୍ଟା ତୁମ କୃତ୍ରିମ ଦାନ୍ତସେଟ୍‌ରେ ପିଲେ ଖେଳିଲେ ତ, କଅଣ ବିଗିଡ଼ିଗଲା ? ପିଲାମାନଙ୍କ ପାଇଁ ଖେଳନା ଆଣିବାକୁ ତ ତୁମର ଶକ୍ତି ନାହିଁ; ଆଉ ପିଲାମାନେ ତୁମ କୃତ୍ରିମ ଦାନ୍ତ ସେଟ୍‌କୁ ଖେଳନା କଲେ ତ ରାଗିବାର କଅଣ ଅଛି ? ଏମିତିକି ତୁମେ ଘରେ ମୁହଁ ଫୁଲେଇ ରହୁଚ । ତୁମେ ହସିଦେଲେ, ତୁମ ଓଠରେ ଟିକିଏ ଦାନ୍ତ ଦେଖନ୍ତେ, ସେ ଆଶାତ ପିଲାଙ୍କର ଆଶାରେ ରହିଲା । ଏବେ ତୁମ ହସବିନା ପିଲାଏ ତୁମ ଦାନ୍ତସେଟ୍‌ ଦେଖି ଖୁସିହେଉଛନ୍ତି ତ ହେବାକୁ ଦିଅ । ସେ ଖୁସିଟାବି କାହାକୁ ମିଳେ ।”

 

ଏବେ ମୋ ପିଲାଦିନର ସାଙ୍ଗ ମାଙ୍ଗେରାମଜୀ ମୋ ପଡ଼ୋଶି ହୋଇ ଆସିବା ପରେ, ମୋ କୃତ୍ରିମ ଦାନ୍ତ ଆଉ ଘରେ ରହିପାରୁନି । ମେଙ୍ଗେରାମଜୀଙ୍କୁ ଯେତେବେଳେ କିଛି ଖାଇବାର ଦରକାର ହୁଏ, ତେବେ ଡାକିକରି କହନ୍ତି, “ଭାଇ ତୁମ ଦାନ୍ତସେଟ୍‌ ଖାଲିଅଛି ତ ଅଳ୍ପ ସମୟପାଇଁ ପଠେଇ ଦିଅ । ମୁଁ ଚିନାବାଦାମ ଖାଇ, ସମାଜ ବିରୋଧରେ ଦାନ୍ତ କଡ଼ମଡ଼କରି ତୁମକୁ ଫେରେଇ ଦେବି” । ମାଙ୍ଗେରାଜୀ ମୋ ସହ ‘ଏକା ଥାଳି ଏକା ଭୋଜନ’ ଥିଲେ, ଏବେ ‘ଏକା ଦାନ୍ତ’ ବି ହେଇଗଲା ।

 

କିନ୍ତୁ ଆଜ୍ଞା, ମୋର କେବେ କେବେ ସେ ଜୀବନ ବି ମନେ ପଡ଼ୁଛି, ଯାହା କି କଳଦାନ୍ତ ବିନ୍ଧା ପୂର୍ବରୁ ଥିଲା; କେତେ ହସଖୁସି ଆଉ ସଦ୍ୟ ଜୀବନ ଥିଲା ସେ । ମୋ ଗାଲ କେତେ ଗୋଲଗାଲ ଥିଲା । ମୋ ଚେହେରା କେମିତି ଡଉଲ ଥିଲା । ଜାଣେନା, ମୋର ସେ ଚେହେରା କୁଆଡ଼େ ହଜିଗଲା । ଏବେ ତ ତଥାକଥିତ ଚେହେରାର ଆଭାସ ମାତ୍ର ରହିଚି ।

 

“ଯେ ରୂପ ଯାଇଚି ମାଟିରେ ମିଶି, ତାକୁ ଆଉ ରୂପ କହିବି କିଆଁ” ।

Image

 

ଶୋକସଭା

(ତାଜିଅତି ଜଲ୍‌ସେ)

 

କୌଣସି ବ୍ୟକ୍ତି ମୃତ୍ୟୁର ଆନନ୍ଦରେ ଯେଉଁସବୁ ସଭା ଅନୁଷ୍ଠିତ ହୁଏ, ତାକୁ ଶୋକସଭା କହନ୍ତି । ସେହିସବୁ ସଭା ଅନୁଷ୍ଠିତ ହେବାର କୌଣସି ନିର୍ଦ୍ଧିଷ୍ଟ ସମୟ ନଥାଏ କାରଣ, ମୃତ୍ୟୁ ସମୟ ପାଗ ଦେଖି ଆସେ ନାହିଁ । ଏଇଥିଲାଗି ଆକାଶରେ ଇନ୍ଦ୍ରଧନୁ ହଠାତ୍‌ ଦେଖାଦେଲା ଭଳି, ଶୋକସଭାମାନ ଅନୁଷ୍ଠିତ ହୁଏ । ଏହିସବୁ ଶୋକସଭାର ଅନୁଷ୍ଠାନ ପାଇଁ ଜଣେ ପ୍ରସିଦ୍ଧ ବ୍ୟକ୍ତିର ମୃତ୍ୟୁ, ଦୁଇ-ଚାରିଜଣ ଜୀବିତ ବକ୍ତା, ଗୋଟିଏ ମଞ୍ଚ, ଗୋଟିଏ ମାଇକ୍ରୋଫୋନ୍‌ ଆଉ କେତେଜଣ ଶ୍ରୋତା ଥିବା ନିହାତି ଦରକାର ।

 

ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଶେଷୋକ୍ତ ଜିନିଷଗୁଡ଼ିକ ବହୁ ପୂର୍ବରୁ ସଂଗୃହିତ ହୋଇ ସାରିଥାଏ; ମାତ୍ର ପ୍ରଥମଟି ଅର୍ଥାତ୍‌ ଜଣେ ପ୍ରସିଦ୍ଧ ଲୋକର ମୃତ୍ୟୁକୁ ଅପେକ୍ଷା କରାଯାଏ । ଏହି ଅପେକ୍ଷାଟି ପ୍ରାଣାନ୍ତକ ହୋଇଥାଏ । କାରଣ, ଆପଣ ଜାଣିଥିବେ, ଅନେକ ପ୍ରସିଦ୍ଧ ବ୍ୟକ୍ତି ବଡ଼ ମୁସ୍କିଲରେ ମରନ୍ତି । ବରଂ ତାଙ୍କୁ ମାରିଦେବାର ଯୋଗାଡ଼ଯନ୍ତ୍ର ହୋଇଯାଏ । ପହିଲେ ଏ ଖବର ମିଳେ ଯେ ଅମୁକ ପ୍ରସିଦ୍ଧ ବ୍ୟକ୍ତି ହୃଦରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ଖବର ମିଳିବା ସଙ୍ଗେ ସଙ୍ଗେ ଶୋକସଭା କାରବାରର ଉଦ୍ୟୋକ୍ତାମାନଙ୍କ ଭିତରେ ଜୀବନର ଏକ ଲହଡ଼ି ଖେଳିଯାଏ । ଶୋକସଭାର ସମସ୍ତ ଆୟୋଜନ ସମ୍ପୂର୍ଣ୍ଣ କରି ଦିଆଯାଏ ଏବଂ ଏହାପରେ ସେହି ପ୍ରସିଦ୍ଧ ଲୋକର ମୃତ୍ୟୁପାଇଁ ଲୁଚାଛପାରେ ପ୍ରାର୍ଥନା ସଭାର ଆୟୋଜନ କରାଯାଏ । ତେବେ ଯଦି ସେହି ପ୍ରସିଦ୍ଧ ବ୍ୟକ୍ତି ମରିବାର ନାଁ ନ ଧରନ୍ତି, ତେବେ ହତାଶାରେ ଉଦ୍ୟୋକ୍ତାମାନେ ଅନ୍ୟ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କଆଡ଼େ ସତୃଷ୍ଣ ନୟନରେ ଚାହାନ୍ତି । କାରଣ, ମୃତ୍ୟୁ ସୁନିଶ୍ଚିତ ହେଉ ବା ନ ହେଉ, ଆୟୋଜନ ସଂପୂର୍ଣ୍ଣ ହୋଇଯିବା ପରେ, ଶୋକସଭାର ଅନୁଷ୍ଠାନ ସୁନିଶ୍ଚିତ ହୋଇଯାଏ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ବିଷୟରେ ମୁଁ ଶୁଣିଛି କି ସେମାନଙ୍କର ସ୍ମରଣରେ କୌଣସି ଶୋକସଭା ଅନୁଷ୍ଠିତ ନ ହେବା ଯାଏଁ ସେମାନଙ୍କର ମୃତ୍ୟୁ ସମ୍ପୂର୍ଣ୍ଣ ହୁଏ ନାହିଁ । କୌଣସି ପ୍ରସିଦ୍ଧ ଲୋକର ମୃତ୍ୟୁ ଉପରେ ଯଦି ଶୋକସଭା ଅନୁଷ୍ଠିତ ନ ହୁଏ, ତେବେ ଏହି ବ୍ୟକ୍ତିଙ୍କର ଅକାଳ ମୃତ୍ୟୁ ହୋଇଛି ବୋଲି ଅନୁଭବ କରାଯାଏ । ସତେଯେମିତି ଏ ଶୋକସଭାଟା ମୃତ ବ୍ୟକ୍ତିର ଶବାଧାରରେ ମରାହେଉଥିବା ଶେଷକଣ୍ଟା । ବିଖ୍ୟାତ ଲୋକଙ୍କୁ ଭଲ ଭାବରେ ମାରିବାପାଇଁ ଶୋକସଭାରୂପି ହତିଆର ଏକାନ୍ତ ଦରକାର । ନଚେତ୍‌ ଭୟଲାଗି ରହିଯାଏ—କାଳେ ଏ ବ୍ୟକ୍ତି ପୁଣି ବଞ୍ଚିଉଠିବ କି ? ଏଇଥିଲାଗି ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଓ ଶୋକସଭାର ଅନୁଷ୍ଠାନରେ ବେଶି ପାର୍ଥକ୍ୟ ରଖାଯାଏ ନାହିଁ । ବରଂ ଅନେକ ସମୟରେ ଏପରି ବି ହୁଏ କି ମୃତ ବ୍ୟକ୍ତିର ଜୀବନର ଶେଷ ଓ ଶୋକସଭାର ଆରମ୍ଭ, ଏକ ସମୟରେ ହୋଇଯାଏ । ଗୋଟିଏ ଶୋକସଭାରେ ମୁଁ ଏପରି ଦେଖିଛି କି ବକ୍ତା ଓ ଶ୍ରୋତା ଉପସ୍ଥିତ ଥିଲେ କିନ୍ତୁ ସଭା ଆରମ୍ଭର ଚିହ୍ନ ଦେଖଯାଉ ନଥିଲା-। ମୁଁ ଜଣେ ଭଦ୍ରଲୋକଙ୍କୁ ଫୁସ୍‌ ଫୁସ୍‌ କରି ପଚାରିଲି, “ମହାଶୟ ! ସଭା ଆରମ୍ଭ ହେବାରେ ଡେରି ହେଉଛି କାହିଁକି ?” ସେ କହିଲେ, “କିଛି ନାହିଁ ଆଜ୍ଞା ! ଲୋକର ମୃତ୍ୟୁକୁ ଅପେକ୍ଷା କରାଯାଉଛି । ଶୁଣିଛି ଆହୁରି ୨/୪ଟା ନିଶ୍ୱାସ ତାଙ୍କର ବାକି ରହି ଯାଇଛି ।” ମୁଁ କହିଲି, “ଭଗବାନଙ୍କ ଉପରେ ଆସ୍ଥା ରଖି ସଭାଟା ଆରମ୍ଭ କରି ଦିଅନ୍ତୁ । ସଭା ଶେଷ ହେବା ଭିତରେ ଦି’ ଚାରିଟା ନିଶ୍ୱାସ ବାହାରି ଯିବ-।”

 

ଏତିକିବେଳେ ଖବର ଆସିଲା ଯେ ‘ସେ ଚାଲିଗଲେ’ ଆଉ ସଭାରେ ଜୀବନର ଲହଡ଼ି ଖେଳିଗଲା ।

 

ସବୁ ସହରରେ ଏପରି କେତେକ ସମିତି ଥାଏ, ଯେଉଁମାନେ କି ଶୋକସଭା ଅନୁଷ୍ଠାନ କରିବାର କାରବାର କରନ୍ତି ।

 

ସେମାନଙ୍କର ନାମ ସେତିକିବେଳେ ଆଗକୁ ଆସେ, ଯେତେବେଳେ କୌଣସି ପ୍ରସିଦ୍ଧ ବ୍ୟକ୍ତି ମରିଯାଆନ୍ତି । ଯଦି ପ୍ରସିଦ୍ଧ ବ୍ୟକ୍ତିମାନେ ମରିବା ଛାଡ଼ି ଦିଅନ୍ତି, ତେବେ ଏହି ସମିତିଗୁଡ଼ିକ ନିଜ ମୃତ୍ୟୁକୁ ନିଜେ ବରଣ କରିଯିବେ । ଯେଉଁଠି କୌଣସି ପ୍ରସିଦ୍ଧ ବ୍ୟକ୍ତି ନିଜ ଜୀବନର ଶେଷ ମୁହୂର୍ତ୍ତ ଗଣିବାକୁ ଲାଗେ, ସେଠି ଏ ସମିତିମାନେ ଚିଲ ଓ ଶାଗୁଣାପଲ, ଆପଣା ଶିକାରର ଚାରିପାଖରେ ଘୂରିବାକୁ ଲାଗନ୍ତି ।

 

ଶୋକସଭାର ବିଶେଷତ୍ୱ ହେଉଛି କି ସ୍ୱର୍ଗତ ବ୍ୟକ୍ତିଙ୍କ ଛଡ଼ା ଏଠାରେ ଅନ୍ୟ ସମସ୍ତେ ଉପସ୍ଥିତ ଥାଆନ୍ତି । ଏହା ବଡ଼ ଅଦ୍ଭୁତ ଚଳଣି । ଯେଉଁ ବ୍ୟକ୍ତି ପାଇଁ ଏ ସବୁ ଯୋଗାଡ଼ ହୁଏ, ସେ ଘଟଣାସ୍ଥଳରୁ ଗାଏବ୍‌ ହୋଇ ରହନ୍ତି । ଏକ ଶୋକ ସଭାରେ ଜଣେ ଶ୍ରୋତା ମୋତେ ପଚାରିଥିଲେ–“ଭାଇ, ଯେଉଁ ମହାଶୟଙ୍କ ସମ୍ମାନରେ ଏ ସଭାଟା ଅନୁଷ୍ଠିତ ହେଉଅଛି, ସେ କେଉଁଠି ବସିଅଛନ୍ତି, ମୋତେ କହନ୍ତୁ ତ ।”

 

ଆପଣ ଏହାକୁ ଅତିଶୟୋକ୍ତି ବୋଲି ଭାବନ୍ତୁ ନାହିଁ । ମୋତେ ଥରେ ଜୀବିତ ଥାଇ, ମୋ ଶୋକ ସଭାରେ ଯୋଗ ଦେବାର ସୁଯୋଗ ମିଳିଥିଲା । ଏପରି ସୁବର୍ଣ୍ଣ ସୁଯୋଗ ଇତିହାସରେ ସମ୍ଭବତଃ କାହାକୁ ମିଳିଛି କି ନା ସନ୍ଦେହ । କଥାଟା ଏଇଆ ହେଲା ଯେ ମୋର ଜଣେ କେହି ଶତ୍ରୁ ଖବରକାଗଜରେ ପ୍ରକାଶ କରିଦେଲା ଯେ ମୁଁ ମରିଯାଇଛି ।

 

ତା ସଙ୍ଗେ ସଙ୍ଗେ ଏକ ସମିତି ତରଫରୁ ମୋର ସମ୍ମାନାର୍ଥେ ଏକ ଶୋକସଭା ଅନୁଷ୍ଠିତ ହେବାର ଘୋଷଣା କରାଯାଇଥିଲା । ମୁଁ ସ୍ଥିରକଲି, ଏ ସଭାରେ ପ୍ରଥମେ ମୋର ଯୋଗଦେବା ଉଚିତ୍‌; କାରଣ, ଏପରି ସୁଯୋଗ ସବୁ ଲୋକଙ୍କୁ ମିଳେନାହିଁ । ତାପରେ କେବଳ ମୋର ମୃତ୍ୟୁରେ ନୁହେଁ ବରଂ ସଭାରେ ହେଉଥିବା ବକ୍ତୃତା ଗୁଡ଼ିକର ମଧ୍ୟ ପ୍ରତିବାଦ କରିପାରିବି । ସୁତରାଂ ମୁଁ ବେଶ ବଦଳାଇ ସଭାକୁ ଗଲି । ସଭାରେ ସେହିମାନେ ଜମା ହୋଇଥିଲେ, ଯେଉଁମାନଙ୍କ ସହ ମୋର ଚିରଶତ୍ରୁତା ରହିଆସିଛି । ଜଣେ ବକ୍ତା ମହୋଦୟ ମୋ କଡ଼ରେ ବସିଥିଲେ । ସେ ଗମ୍ଭୀରତାର ସହ ମୋଠାରୁ ରୁମାଲ ମାଗିଲେ ।

 

ମୁଁ ପଚାରିଲି “କେଉଁଥି ଲାଗି ?”

 

ସେ ମୋତେ ଆଖିମାରି ଆଉ ତାଙ୍କ ଓଠରେ ଉକୁଟି ଉଠୁଥିବା ହସକୁ ଚପେଇ ରଖି କହିଲେ—“ଷ୍ଟେଜ୍‌ରେ ବକ୍ତୃତା ଭିତରେ ମୋତେ ତ କାନ୍ଦିବାକୁ ପଡ଼ିବ, ସେଇଥିଲାଗି ।”

 

ମୁଁ ମୋର ରୁମାଲ କାଢ଼ି ତାଙ୍କୁ ଦେଇଦେଲି ।

 

ଏହି ସଭାରେ ଯୋଗଦେବା ପରେ ମୋତେ ପ୍ରଥମ ଥରପାଇଁ ଜଣାଗଲା କି ମୋର ଚିର ଶତ୍ରୁମାନେ ମୋ ବିଷୟରେ ଖୁବ୍‌ ଭଲ ଧାରଣା ରଖିଚନ୍ତି । ଯେଉଁମାନେ ସାରା ଜୀବନ ମୋତେ ଧୋକାବାଜ ଓ ଦଗାବାଜ ବୋଲି ଭାବି ଆସିଥିଲେ, ସେମାନେ ହଠାତ୍‌ ମୋର ଭଦ୍ରତା, ସଚ୍ଚୋଟ ପଣିଆ ଓ ମହତ୍ୱ ଗୁଣ ଗାଇବାକୁ ଲାଗିଲେ । କେତେକ ବକ୍ତା ତ ଏପରି ଘଟଣାବଳି ମୋ ଉପରେ ଆରୋପ କଲେ, ଯାହାର କି କୌଣସି ସମ୍ୱନ୍ଧ ମୋ ବ୍ୟକ୍ତିତ୍ୱ ସହ ନଥିଲା । ଉଦାହରଣ ସ୍ୱରୂପ—ଜଣେ ବକ୍ତା ମୋ ବିଷୟରେ କୋହଉଠାଇ କହିଲେ—“ସ୍ୱର୍ଗତ (ଅର୍ଥାତ୍‌ ମୁଁ) ଆତ୍ମସମ୍ମାନ ସମ୍ପନ୍ନ ଲୋକଥିଲେ । ସାରା ଜୀବନ କାହା ପାଖରେ ହାତ ପତାଇ ନଥିଲେ । ଦି’ ଦିନଯାଏ ତାଙ୍କ ଘରେ ଚୁଲି ଜଳି ନଥିଲା କିନ୍ତୁ ବାହାରେ ଆଣ୍ଟ । କାହାରି କାନରେ ଏକଥା ପକାଇବାକୁ ଦେଲେନାହିଁ । ଲାଗ ଲାଗ ଦୁଇ ଦିନଯାଏ ଯେତେବେଳେ ତାଙ୍କ ପୁଅ ଚୁଲି ଜଳେଇବା ପାଇଁ ନିଆଁ ମାଗିବାକୁ ମୋ ଘରକୁ ନ ଆସିଲା, ତେବେ ଯାଇ ତାଙ୍କର ଏ ଅବସ୍ଥା ମୋତେ ଜଣାଗଲା । ଚୁପ୍‍ଚାପ୍‌ ପାଞ୍ଚଶହ ଟଙ୍କା ଧରି ତାଙ୍କ ଘରେ ଯାଇ ପହଞ୍ଚିଲି । ଯେତେବେଳେ ଟଙ୍କାଟା ତାଙ୍କ ହାତରେ ଦେଲି, ସେ କଇଁ କଇଁ ହୋଇ କାନ୍ଦି ଉଠିଲେ । କହିଲେ—“ତୁମେ ବନ୍ଧୁତ୍ୱର ଦାବି ଆଦାୟ କରିନେଲ । ଏବେ ଦୁନିଆରେ ଏପରି ଅଳ୍ପ ଲୋକ ଅଛନ୍ତି, ଯାହାଙ୍କ ସଙ୍ଗେ ଏମିତିଆ ବନ୍ଧୁତ୍ୱ ରଖାଯାଇ ପାରିବ ।

 

ବକ୍ତା ମହୋଦୟ ମୋ ବିଷୟରେ ଏହି ମତ ଦେଇ ଏପରି କାନ୍ଦିବାକୁ ଲାଗିଲେ, ସତେଯେପରି ମୋ ମୃତ୍ୟୁ ପାଇଁ ନୁହେଁ, ବରଂ ତାଙ୍କର ଟଙ୍କା ବୁଡ଼ିଯିବାର ଦୁଃଖ ତାଙ୍କୁ ଖାଇ ଯାଉଥିଲା । ବିଷୟାନ୍ତର ପାଇଁ କ୍ଷମା ମାଗୁଛି । ମୁଁ ଏ କଥା କହିଦିଏ କି, ଥରେ ମୁଁ ନିଜର ଆତ୍ମସମ୍ମାନ କାନ୍ଥକୁରାରେ ରଖି, ଉକ୍ତ ବକ୍ତା ମହୋଦୟଙ୍କୁ ପାଞ୍ଚଟଙ୍କା ଉଧାର ମାଗିଥିଲି । ତା ଜବାବରେ ସେ ପାଞ୍ଚଶହ ପ୍ରକାର ଅଡ଼ୁଆ କଥା ବଖାଣି ବସିଲେ ।

 

ମୁଁ ବହୁତ ସମୟଯାଏ ଧୀରସ୍ଥିର ଭାବରେ ମୋ ଉପରେ କୁହାଯାଉଥିବା ସୁଗୁଣ ସବୁ ଶୁଣିଗଲି । କିନ୍ତୁ ଜଣେ ବକ୍ତା, ଯାହାକୁ କି ମୁଁ ଆଜିଯାଏ ଦେଖି ନଥିଲି, ମନରୁ କଳ୍ପନା କରି କହିଲେ ଯେ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଯିବା ପରେ, ମୁଁ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସମୁଦ୍ରକୁ ଡେଇଁପଡ଼ିଲି ଆଉ ବକ୍ତା ନିଜ ଜୀବନକୁ ପାଣିଛଡ଼େଇ ଦେଇ, ମୋ ଜୀବନ ବଞ୍ଚେଇଥିଲେ । ଯେତେବେଳେ ସେ ଏହା କହିଲେ, ସେତେବେଳେ ମୋର ଧୈର୍ଯ୍ୟର ସୀମା ଟପିଗଲା । ମୋର ଏ ଶୋକସଭାକୁ ବରଦାସ୍ତ କରିବାର ଜୋର୍ ନଥିଲା କାରଣ, ମୁଁ ଅନୁଭବ କରୁଥିଲି, ଯେପରିକି ମୁଁ ନିଜର ନୁହେଁ, ଅନ୍ୟର ଶୋକସଭାରେ ଯୋଗଦେଇଛି । ଏଥିଲାଗି ଶୀଘ୍ର ସେଠାରୁ ପଳେଇଆସିଲି ଏବଂ ପରଦିନ କେବଳ ଯେ ମୋର ମୃତ୍ୟୁର ଖଣ୍ଡନ କଲି ତା ନୁହେଁ ବରଂ ଏ କଥା ବି ଖଣ୍ଡନ କଲି କି ମୁଁ କେବେହେଲେ ଏତେ ଆତ୍ମସମ୍ମାନ ସମ୍ପନ୍ନ ନଥିଲି ଯେ ମୋ ଘରେ ଦି’ଦିନଧରି ଚୁଲି ଜଳିବନି ଆଉ ମୁଁ କାହାକୁ ପାଞ୍ଚଟଙ୍କା ମାଗିବିନି । ମୋ ଉଦ୍ଦେଶ୍ୟରେ କୁହାଯାଇଥିବା ଭଦ୍ରତା ଓ ସାଧୁତାର ପ୍ରତିବାଦକରି ଏହା ମଧ୍ୟ ଘୋଷଣା କଲି ଯେ ଏସବୁ କିଛି ଅଭିଯୋଗ ମୋ ଶତ୍ରୁଙ୍କଦ୍ୱାରା କରାଯାଇଛି; ଯେଉଁଥିରେ କି ମୋର କିଛିହେଲେ ସମ୍ପର୍କ ନାହିଁ ।

 

ଏ ଘଟଣା ପରେ ଅନ୍ୟମାନଙ୍କ ପାଇଁ ହେଉଥିବା ଶୋକସଭାରେ ଯୋଗଦେବାକୁ ମୋତେ ଭାରି ଖୁସି ଲାଗିଲା । ବିଶେଷକରି ମୁଁ ସେହିସବୁ ଆଲୋଚନା ପ୍ରତି ବେଶି ଆଗ୍ରହାନ୍ୱିତ ହୁଏ, ଯେଉଁଟାକି ଶୋକସଭାମାନଙ୍କ ଆଗରୁ ହୁଏ ।

 

ଜଣେ ଭଦ୍ରବ୍ୟକ୍ତି କହିଲେ—“ମୃତ ବ୍ୟକ୍ତି ପ୍ରକୃତରେ ଯେ ମରିଛନ୍ତି, ତାହା ମୋର ବିଶ୍ୱାସ ହୁଏନାହିଁ । ପଅରିଦିନ ମୁଁ ତାଙ୍କୁ ଆବିଦ୍‌ ରୋଡ଼ରେ ଗୋଟିଏ ରିକ୍‌ସାବାଲା ସାଙ୍ଗରେ ଧିକ୍‌ଚିକ୍‌ ଲଗେଇବାର ଦେଖିଛି ।”

 

ଅନ୍ୟ ଜଣେ କହିଲେ—“ଆପଣ ପଅରିଦିନ କଥା କହୁଛନ୍ତି ? ମୁଁ କାଲି ତାଙ୍କୁ ଲୁଚିଛପି ନିଜ ପଡ଼ୋଶୀର କୁକୁଡ଼ାକୁ ଧରିବାର ଦେଖିଛି ।”

 

ଜଣେ ଭଦ୍ରବ୍ୟକ୍ତି ପଚାରିଲେ—“ମୃତ ବ୍ୟକ୍ତି କିଛି ଜମିବାଡ଼ି ଛାଡ଼ିଯାଇଛନ୍ତି ?” ଅନ୍ୟଜଣେ ଜବାବ ଦେଲେ—“ଜମିବାଡ଼ି ଛାଡ଼ିବେ କଅଣ ସାରାଜୀବନ ନିଜ ଶ୍ୱଶୁର ସମ୍ପତ୍ତି ବିକି ଖାଉଥିଲେ । ମୁଁ ତ କହିବି, ସେ ନିଜର ଉତମର୍ଣ୍ଣମାନଙ୍କ ଛଡ଼ା ଅନ୍ୟ କିଛି ଦୁନିଆଁରେ ଛାଡ଼ିଦେଇ ଯାଇନାହାନ୍ତି ।”

 

କେହି ଜଣେ ଭଦ୍ରବ୍ୟକ୍ତି ନକଲି ଦୀର୍ଘଶ୍ୱାସ ପକେଇ କହିଲେ“କିନ୍ତୁ ପରଲୋକଗତ ବ୍ୟକ୍ତିଙ୍କର ଏତେ ଶୀଘ୍ର ମରିବାର ନଥିଲା ।”

 

ଅନ୍ୟଜଣେ କହିଲେ—“ଆପଣ ଠିକ୍‌ କହିଛନ୍ତି । ସ୍ୱର୍ଗତ ବ୍ୟକ୍ତି ସେତେବେଳେ ଦୁନିଆଁର କଷ୍ଟ ସହିଛନ୍ତି କୁଆଡ଼ୁ ? ତାଙ୍କ ଘରକୁ ସେପର୍ଯ୍ୟନ୍ତ କୋରଖ ଆସି ନଥିଲା । ଏହିମାତ୍ର ସ୍ୱର୍ଗତଙ୍କ ଜୀବନରେ ଦୁଃଖର ଆଭାସ ମାତ୍ର ଆସିଥିଲା । କିଛିଦିନ ଯଦି ସେ ଆଉ ବଞ୍ଚିଥାଆନ୍ତେ, ତେବେ ଆମେ ମଜାଟା ଦେଖିଥାଆନ୍ତୁ ।”

 

ଗୋଟିଏ କଣରୁ ଫୁସ୍‌ଫୁସ୍‌ ହୋଇ ଏହାବି ଶୁଣାଗଲା—“ଭାଇ ! ମୋ ମତ ହେଉଛି କି ସ୍ୱର୍ଗତଙ୍କ ସ୍ମରଣରେ ଏକ ମେମୋରିଆଲ୍‌ କମିଟି ଗଢ଼ିଦିଆଯାଉ, ତୁମେ ଏହାର ସେକ୍ରେଟେରୀ ହୋଇଯାଅ; ମୁଁ କୋଷାଧ୍ୟକ୍ଷ ବନିଯାଉଛି । ଯାହା ଆମଦାନି ହେବ, ତାକୁ ଆମେ ଦି’ଜଣ ଫିପ୍‌ଟି ଫିପ୍‌ଟି ବାଣ୍ଟିନେବା । ସ୍ୱର୍ଗତଙ୍କ ଜୀବନରୁ ଆମକୁ କିଛି ଫାଇଦା ମିଳିଲା ନାହିଁ । କମ୍‌ସେକମ୍‌ ତାଙ୍କ ମୃତ୍ୟୁରୁ ଆମର ଫାଇଦା ଉଠେଇବା ଉଚିତ୍‌ ।”

 

ଶୋକସଭାରେ ସାଧାରଣତଃ ବୁଢ଼ାମାନେ ଯୋଗଦିଅନ୍ତି । ଯୁବକମାନେ ଯଦି ଯୋଗଦିଅନ୍ତି, ତେବେ ସଭା ହେଉଥିବା ସମୟରେ ସେମାନେ ବଡ଼ ଅଧର୍ଯ୍ୟ ହୋଇପଡ଼ନ୍ତି । ସେହିପରି ଏକ ଶୋକସଭାରେ ଏକ ଯୁବକ ଅନ୍ୟ ଯୁବକକୁ ଅଭିଯୋଗ କଲାଭଳି କହିଲା–“ଦୋସ୍ତ ! ଏ ଶୋକସଭା ତ ବଡ଼ ବିରକ୍ତ ଲାଗିଲାଣି । ମୁଁ ତୋତେ ପ୍ରଥମରୁ ମନା କରୁଥିଲିନା ? ଏହା ବଦଳରେ ଯଦି ଆମେ କୌଣସି ଛବି ଦେଖିବାକୁ ଯାଇଥାଆନ୍ତେ, ତେବେ କେତେ ମଜା ହୋଇ ଥାଆନ୍ତା ! ହାତ୍‌ ଆଜିର ସନ୍ଧ୍ୟାଟା ଏହିଭଳି ବରବାଦ୍‌ ହୋଇଗଲା ।”

 

ସବୁ ଶୋକସଭାପରେ ଦୁଇ ମିନିଟ୍‌ ନିରବତା ପାଳନ କରାଯାଏ, ଯେଉଁଥିରେ କି ପିଲାଙ୍କର କାନ୍ଦଣାର ଆବାଜ୍‌ ଖୁବ୍‌ ପରିଷ୍କାର ଭାବରେ ଶୁଣାଯାଏ । ଯଦି ସଭାରେ ସ୍ତ୍ରୀମାନେ ଥାଆନ୍ତି, ତାହା ହେଲେ ସେମାନେ ଏହି ଘୋଷଣାର ଦୁଇ ମିନିଟ୍‌ ପୂର୍ବରୁ ହିଁ ହଲ୍‌ରୁ ବାହାରି ଚାଲିଯାଆନ୍ତି; କାରଣ, ସ୍ତ୍ରୀମନଙ୍କ ପକ୍ଷରେ ଦୁଇ ମିନିଟ୍‌ ନିରବତା ଅବଲମ୍ୱନ କରିବା, ଦୁଇବର୍ଷର କଠିନ ସଜା ସଙ୍ଗେ ସମାନ । ଏଥିଲାଗି ଥରେ ମୋତେ ଗୋଟିଏ ଶୋକସଭାର ଆବାହକ କହି ଯାଇଥିଲା ଏବଂ ମୁଁ ଦୁଇମିନିଟ୍‌ ନିରବତା ପୂର୍ବରୁ ଏହି ଘୋଷଣା ମଧ୍ୟ କରିଥିଲି—“ବନ୍ଧୁଗଣ ! ଦୁଇମିନିଟ୍‌ ପରେ ଦୁଇମିନିଟ୍‌ର ନିରବତା ପାଳନ କରାଯିବ; ତେଣୁ ଭଦ୍ର ମହିଳାମାନଙ୍କୁ ଅନୁରୋଧ କି ସେମାନେ ଏହି ସମୟ ଭିତରେ ହଲ୍‌ରୁ ବାହାରି ଚାଲିଯାଆନ୍ତୁ ।”

 

ପୁରୁଷମାନେ ପ୍ରକୃତରେ ଦୁଇମିନିଟ୍‌ ନିରବତାରେ ଖୁବ୍‌ ଲାଗିପଡ଼ି ଭାଗ ନିଅନ୍ତି । ଆଉ ଏହି ଦୁଇମିନିଟ୍‌ ନିରବତା ଭିତରେ ସେମାନେ ସାଧାରଣତଃ ନିଜର ଗୃହ ସମସ୍ୟା ବିଷୟରେ ଭାଗନିଅନ୍ତି; କାରଣ, ବର୍ତ୍ତମାନ କାଳରେ ଏତେ କର୍ମ ଜଞ୍ଜାଳ ଲାଗି ରହିଛି ଯେ ମଣିଷକୁ ଭାବିବାପାଇଁ ଦୁଇ ମିନିଟ୍‌ ବି ବଡ଼ ମୁସ୍କିଲରେ ମିଳେ । ଏଥିଲାଗି ମୋତେ କୌଣସି ସମସ୍ୟା ଉପରେ ଗଭୀର ଚିନ୍ତା କରିବାକୁ ପଡ଼ିଲେ, ମୁଁ କୌଣସି ଏକ ଶୋକସଭାକୁ ଚାଲିଯାଏ ଆଉ ଦୁଇ ମିନିଟ୍‌ ନିରବତାର ଫାଇଦା ଉଠେଇ, ନିଜ ସମସ୍ୟାକୁ ସମାଧାନ କରିନିଏ । ଏବେ ଆପଣଙ୍କୁ ଲୁଚେଇବି କଅଣ, ମୁଁ ମୋର ବିବାହର ଫଇସଲା ଗୋଟିଏ ଶୋକସଭାର ଦୁଇମିନିଟ୍‌ ନିରବତା ମଧ୍ୟରେ ହିଁ କରିଥିଲି । ସେ ଅନ୍ୟ ଏକ କଥା ଯେ ଏଇ ଦୁଇ ମିନିଟ୍‌ର ନିରବତା ଏବେ ବ୍ୟାପିଯାଇ, ମୋ ଜୀବନରେ ଚିରସ୍ଥାୟୀ ହଇହଲ୍ଲା ଆଉ ଲଢ଼େଇ ଭିଡ଼େଇରେ ପରିଣତ ହୋଇସାରିଛି ।

Image

 

ସଭାପତି ମହୋଦୟ

 

ପିଲାଦିନେ ଯେତେବେଳେ ପ୍ରଥମଥରପାଇଁ ମୋତେ ଏକ ସଭାରେ ଯୋଗ ଦେବାର ସୁଯୋଗ ମିଳିଲା, ଦେଖିଲି ସଭାର ପ୍ରତ୍ୟେକ ବକ୍ତା ‘ସଭାପତି ମହୋଦୟ’, ‘ସଭାପତି ମହୋଦୟ’ ବୋଲି ବାରମ୍ୱାର କହି ଲାଗିଛନ୍ତି, ଆଉ ବେଳେବେଳେ ‘ସଭାପତି ମହୋଦୟ’ଙ୍କ ଅନୁମତି ନେଇ ଏପରି କଥା କହୁଛନ୍ତି, ଯାହାକୁ କି କହିବାଲାଗି କାହାର ବି ଅନୁମତି ନେବା ଦରକାର ପଡ଼େନାହିଁ । ମୁଁ ନିଜେ ଏହା ଜାଣିବାକୁ ଚେଷ୍ଟାକଲି ଯେ, ‘ସଭାପତି ମହୋଦୟ’ କିଏ ଏବଂ ସେ କେଉଁଠାରେ ଅବସ୍ଥାନ କରନ୍ତି । ଗୋଟିଏ ଲୋକକୁ ଦେଖିଲି, ଯିଏ କି ବଡ଼ ଫୂର୍ତ୍ତି ଦେଖାଇଁ ସଭାସ୍ଥଳର ଶେଷ ଅଂଶର ଶତରଞ୍ଜି ବିଛାଉ ଥିଲେ, ଆଉ ପେଟ୍ରୋମାକ୍‌ସ ଆଲୁଅଟିକୁ ଏପାଖ ସେପାଖ କରୁଥିଲେ । ଯେହେତୁ ସେତେବେଳେ ସେହି ଲୋକଟି କାମିକା ଆଉ ଗୁରୁତ୍ୱପୂର୍ଣ୍ଣ ଦେଖାଯାଉଥିଲେ, ସେଥିଲାଗି ମୁଁ ଭାବିଲି, ନିଶ୍ଚୟ ସେ ସଭାପତି ମହୋଦୟ ହୋଇଥିବେ । ମୁଁ ତାଙ୍କ ପାଖକୁ ଗଲି ଆଉ ପଚାରିଲି—“ଭାଇ ତୁମେ କଅଣ ସଭାପତି ମହୋଦୟ ?”

 

ସେ ଲୋକ ଅଚାନକ ବିଗିଡ଼ିଗଲା ଆଉ କହିଲା—“ଟିକିଏ ମୁହଁ ସମ୍ଭାଳି କଥା କୁହ । କାହାକୁ ‘ସଭାପତି ମହୋଦୟ’ କହୁଛ ? କଅଣ ମୁଁ ତୁମକୁ ନିକମା, ପକ୍ଷାଘାତ ରୋଗୀ ଓ ବେକାର ଲୋକପରି ଦେଖାଯାଉଛି ଯେ ତୁମେ ମୋତେ ‘ସଭାପତି ମହୋଦୟ’ କହୁଛ ? ଏବେତ ମୋ ହାତ ଗୋଡ଼ ସବୁ ଭଲ ଅଛି । ମୋ ନିଜ ଦାନା ମୁଁ ନିଜେ କମଉଛି । ମୁଁ ଏତେ ପଙ୍ଗୁ ହୋଇନି ଯେ ତୁମେ ମୋତେ ‘ସଭାପତି ମହୋଦୟ’ ବୋଲି କହିବ । ସଭାପତି ମହୋଦୟ ତ ସେ ହେଉଛି ଯିଏକି ମଞ୍ଚ ଉପରେ ନିଜ ସାମନାରେ ଫୁଲହାର ରଖି ଏପରି ଭାବରେ ବସିଛି, ଯେପରିକି ଗୋଟିଏ ସିଂହ ମାରିଥିବା ତାର ଶିକାରକୁ ଆଗରେ ରଖିଥାଏ ।”

 

ଏହା କହି ସେ ସେହି ଲୋକଆଡ଼କୁ ଆଙ୍ଗୁଠି ଦେଖାଇ ଦେଲା, ଯିଏକି ‘ସଭାପତି’ ଆସନରେ ବସି ପ୍ରାୟ ଢୁଳାଉ ଥିଲା

 

ସେହି ଦିନଠାରୁ ଆଜିଯାଏ ମୁଁ ଅସଂଖ୍ୟ ସଭାରେ ଯୋଗ ଦେଇ ସାରିଛି; ବରଂ ଗୋଟିଏ ଦୁଇଟା ସଭାରେ ସଭାପତିତ୍ୱ କରିବାପାଇଁ ନିମନ୍ତ୍ରଣ ମଧ୍ୟ ମୋ ପାଖକୁ ଆସିଛି, କିନ୍ତୁ ଯେତେବେଳେ ମୁଁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଚିନ୍ତାକଲି, ମୋର ସେହି ଲୋକର କଥା ମନେ ପଡ଼ିଲା ଏବଂ ମୋତେ ଜଣାଗଲା ଯେ ମୁଁ ତ ଏବେ ମୋ ନିଜ ଦାନାକନା ରୋଜଗାର କରି ପାରୁଛି ଆଉ ମୁଁ ଏଡ଼େ ପଙ୍ଗୁ ହୋଇ ଯାଇନି ଯେ ‘ସଭାପତି ମହୋଦୟଙ୍କ ପଦବି ହାସଲ କରିବି ।

 

ଆପଣ ଅନେକ ସଭାପତି ଦେଖିଥିବେ । ଆପଣଙ୍କର ଏ କଥା ମଧ୍ୟ ବିଶ୍ୱାସ ହୋଇ ଯାଇଥିବ କି ପ୍ରତ୍ୟେକ ସଭାପତି ଅନ୍ୟ ଏକ ସଭାପତି ସହ ଦେଖିବାକୁ ଏକ । ଭଗବାନ ମଣିଷର ଗୋଟିଏ ହାତରେ ପାଞ୍ଚ ଆଙ୍ଗୁଠି ସମାନ କରି ନାହାନ୍ତି କିନ୍ତୁ ଆଶ୍ଚର୍ଯ୍ୟର କଥା, ସେସବୁ ସଭାପତିଙ୍କୁ କିପରି ଏକପ୍ରକାରର କଲେ ! ସେମାନଙ୍କର ସର୍‌ଗରମୀ ଏକ, ଚାଲି-ଚଳନ ଏକ ଆଉ କାମଦାମ ମଧ୍ୟ ଏକ ।

 

ସଭାପତି ମହୋଦୟଙ୍କ କାମ ଏଇଆ ହେଲା ଯେ, କୁର୍ସିରେ ଅଠା ଲଗାଇ ବସିଯିବା; ଆଉ କୁର୍ସିରୁ କେବେହେଲେ ଉଠିବାକୁ ଚେଷ୍ଟା ନ କରିବା । ତାର ଏତିକି ମାତ୍ର ସୁବିଧା ଅଛି ଯେ ଯଦି କ୍ରମାଗତ ଏକମୁହାଁ ହୋଇ ବସିବା ଫଳରେ ତା ଅଙ୍ଗରେ ପୀଡ଼ା ଲାଗିବାକୁ ଆରମ୍ଭ କରେ କିମ୍ୱା ସଭାପତିଙ୍କ କୁର୍ସିରୁ ଛାରପୋକ ବାହାରି, ସଭାପତି ମହୋଦୟଙ୍କୁ ଅସ୍ତବ୍ୟସ୍ତ କରି ଲାଗେ ତେବେ ସେ କେବଳ କଡ଼ ବଦଳେଇ ପାରିବେ କିନ୍ତୁ କୁର୍ସି ତ୍ୟାଗକରି ପାରିବେନି । କେତେକ ସଭାପତିଙ୍କୁ କୁର୍ସିରେ ଏତେ ସମୟ ଧରି ବସିବାକୁ ପଡ଼େ ଓ ଏପରି ଏକ ଅବସ୍ଥା ଆସିଯାଏ ଯେ ‘କୁର୍ସି’ ଓ ‘ସଭାପତି’ ଭିତରେ କିଛି ପାର୍ଥକ୍ୟ ଦେଖାଯାଏ ନାହିଁ । ଶ୍ରୋତାମାନଙ୍କୁ ଏହା ଠଉରେଇବାକୁ କଷ୍ଟ ହୁଏ ଯେ, କୁର୍ସି କେଉଁଠି ଶେଷହେଲା ଆଉ ସଭାପତି ମହୋଦୟ କେଉଁଠାରୁ ଆରମ୍ଭ ହେଲେ । ‘କୁର୍ସି’ ଓ ‘ସଭାପତି’ ଏକ ଆତ୍ମା ଓ ଦୁଇଟି ହୃଦୟ ବିଶିଷ୍ଟ ହୋଇଯାଆନ୍ତି । ମୋର ଏବେ ଏହି ପିଲାର କଥା ମନେ ପଡ଼ୁଛି, ଯିଏକି କୁର୍ସି ଉପରେ ବସିଥିବା ଏକ ସଭାପତିଙ୍କୁ କ୍ରମାଗତ ଦୁଇଘଣ୍ଟା ଯାଏ ଦେଖିବା ପରେ ନିଜ ବାପାକୁ ପଚାରିଥିଲା—“ଡାଡ଼ି ! ମହୋଦୟଙ୍କର କଅଣ ଛଅଟା ଗୋଡ଼ ?”

 

ଏଥିରେ ବାପା ବଡ଼ ସ୍ନେହରେ ପୁଅକୁ ବୁଝେଇଲେ—“ନା ପୁଅ, ଏହି ଛଅ ଗୋଡ଼ ଭିତରେ ଦୁଇଟି ଗୋଡ଼ ସଭାପତି ମହୋଦୟଙ୍କର ଅଛି ଆଉ ବାକି ଚାରିଟା ସଭାପତିଙ୍କ କୁର୍ସିର । ଯଦିଓ ଏ ପ୍ରବାଦଟି ପ୍ରସିଦ୍ଧ ଯେ ସଭାପତି ଯେଉଁ ସ୍ଥାନରେ ବସିଥିଲେ ବି ସଭାପତି ହୁଏ । ତଥାପି ‘ସଭାପତିତ୍ୱ’ ପାଇଁ ‘ସଭାପତି-କୁର୍ସି’ ନିହାତି ଦରକାର; ବରଂ ଜଣେ ଭଦ୍ରଲୋକଙ୍କର ଏଭଳି ଖିଆଲ ଅଛି ଯେ ସଭାପତିତ୍ୱରେ କୁର୍ସି ଛଡ଼ା ଆଉ କିଛି ନଥାଏ । କୁର୍ସିକୁ କାଢ଼ି ଦିଅ, ତେବେ ସଭାପତିତ୍ୱ ଆପେ ଆପେ ଗାଏବ୍‌ ହୋଇଯିବ । ସଭାପତି-କୁର୍ସିରେ ବସିବାଲାଗି ବହୁତ ଅଭିଜ୍ଞତା ଓ ସାଧନାର ଦରକାର ପଡ଼େ; ବରଂ ମୁଁ ତ ଭାବୁଛି ଯେ ପେଶାଦାର ସଭାପତି, ଏ କଳାର (ଫନ୍‌) ପ୍ରଶିକ୍ଷଣ ହାସଲ କରିଥାନ୍ତି । କାହିଁକି ନା, ଗୋଟିଏ କୁର୍ସି ଉପରେ ଅଯଥା ଘଣ୍ଟା ଘଣ୍ଟା ଧରି ବସି ରହିବା ମଧ୍ୟ ଗୋଟିଏ ଦକ୍ଷତା । କେତେକ ସୁଦକ୍ଷ ସଭାପତି ମହୋଦୟ ଏପରି ମଧ୍ୟ ହୁଅନ୍ତି କି—ସଭାପତି ଚୌକିରେ ଏପରି ଜମି ବସି ଯାଆନ୍ତି ଯେ, ସଭାପତି-କୁର୍ସି ‘ଆୟତଲ୍‌ କୁର୍ସି’ ଆୟତଲ୍‌ କୁର୍ସି*୧ ପଢ଼ିବା ଆରମ୍ଭ କରିଦିଏ ଓ ଶେଷରେ ଭାଙ୍ଗିଯାଏ, କିନ୍ତୁ ସଭାପତି ମହୋଦୟ ଭାଙ୍ଗି ଯାଆନ୍ତି ନାହିଁ । ଏପରି ‘କୁର୍ସିତୋଡ଼’ ସଭାପତିପାଇଁ ‘ତାବଡ଼୍ ତୋଡ଼୍’(ଲାଗ୍‌ ଲାଗ୍‌) ନୂଆ ସଭାପତି-କୁର୍ସି ମଗେଇବାକୁ ପଡ଼େ । ସଭାର ସୁଦକ୍ଷ ଉଦ୍ୟୋକ୍ତାମାନେ ସବୁବେଳେ ଗୋଟିଏ ଅଧିକ ସଭାପତି-କୁର୍ସି ସବୁବେଳେ ରିଜର୍ଭ ରଖନ୍ତି; କାରଣ, ବିପଦ ସମୟ ସଭାପତିର ଅନୁମତି ନେଇ ଆସନ୍ତି ନାହିଁ-

 

ସଭାପତି ମହୋଦୟ ଦୁଇ ପ୍ରକାରର ହୁଅନ୍ତି । ଗୋଟିଏ ଜନ୍ମିତ ସଭାପତି, ଆରଟି ‘ଦେଖା ସୁନ୍ଦର କଖାରୁ ବଡ଼ି’ ସଭାପତି । ସେହିପରି ଜଣେ ଭଦ୍ରଲୋକ କହନ୍ତି ଯେ ଏ ବିଭାଗୀକରଣ ଠିକ୍‌ ନୁହେଁ । ସଭାପତି ଜନ୍ମରୁ ହୁଅନ୍ତୁ ବା ଦେଖା ସୁନ୍ଦର କଖାରୁ ବଡ଼ି ହୁଅନ୍ତୁ, ସେ ସବୁ ଅବସ୍ଥାରେ ଦେଖା ସୁନ୍ଦର ହୁଅନ୍ତି । ଏହା ଉପରେ ଦୁଇ କିସମର ସଭାପତି ଗୋଟିଏ କିସମର ଚରିତ୍ର ବିଶିଷ୍ଟ ଅଟନ୍ତି ।

 

ସେମାନଙ୍କର ଚରିତ୍ରର ତଫସିଲ ଏହି ପ୍ରକାରର ଅଟେ । ଜଣେ ବକ୍ତା ଯେତେବେଳେ ବକ୍ତୃତା ଦିଏ, ସେତେବେଳେ ସେ ତା’ ମୁହଁକୁ ନିଠେଇ କରି ଚାହାଁନ୍ତି ଏବଂ ବେଳେ ବେଳେ ନିଜ ଗର୍ଦ୍ଦନ ବି ହଲଉ ଥାଆନ୍ତି । ଏ ଗର୍ଦ୍ଦନ ବି ଏଇଥିପାଇଁ ହଲା ହୁଏ, କାଳେ ଶ୍ରୋତାମାନେ ଭାବିନେବେ ଯେ ‘ସଭାପତି-କୁର୍ସି’ରେ ‘ସଭାର ସଭାପତି’ଙ୍କ ବଦଳରେ ତାଙ୍କର ମୂର୍ତ୍ତି ବସିଅଛି । ଏହି ଭ୍ରମକୁ ଦୂର କରିବାପାଇଁ ସଭାର ସଭାପତିଙ୍କୁ ଆହୁରି ଅଧିକ କେତେଗୁଡ଼ିଏ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼େ । ଅର୍ଥାତ୍‌ କେବେ କେବେ ସଭାର ସେକ୍ରେଟେରୀଙ୍କୁ କଡ଼କୁ ଡକାଯାଏ; ଆଉ ତାଙ୍କ କାନରେ ପଚରାଯାଏ, “କଅଣ ଆପଣ କୌଣସି ଫଟୋଗ୍ରାଫର୍‌ ଯୋଗାଡ଼ କରିନାହାନ୍ତି ? ସଭାର କାର୍ଯ୍ୟକ୍ରମ ବଡ଼ ପ୍ରାଣହୀନ ଭାବରେ ଚାଲିଛି । ଶୀଘ୍ର କୌଣସି ଫଟୋଗ୍ରାଫର୍‌କୁ ଧରି ଆଣନ୍ତୁ ।” ଟେବୁଲ ଉପରେ ଥୁଆ ହୋଇଥିବା ପ୍ୟାଡ଼୍‍କୁ ନିଜ ପାଖକୁ ଟାଣିନିଏ ଆଉ ବକ୍ତାଆଡ଼କୁ ଚାହିଁ ଚାହିଁ କିଛି ଲେଖିଲାଗେ । ଶ୍ରୋତାମାନେ ଭାବନ୍ତି, ସେ ନିଶ୍ଚୟ କିଛି ମୁଖ୍ୟ ବିଷୟ ଲେଖିପକଉଛି; କିନ୍ତୁ ଆପଣ ଭୁଲ୍ ବୁଝନ୍ତୁ ନାହିଁ, କାରଣ ସେ ସେତେବେଳେ ପ୍ରକୃତରେ ସେହି ଫୁଲମାଳ ଗୁଡ଼ିକର ହିସାବ ରଖିବାରେ ମଜ୍‌ଗୁଲ୍‌ ଥାଏ, ଯେଉଁ ଗୁଡ଼ିକ ତା ବେକରେ ପିନ୍ଧେଇ ଦିଆଯାଇଥିଲା । ତା’ପରେ ସେ ପ୍ୟାଡ଼୍‍କୁ ପେଲିଦିଏ ଓ ଶ୍ରୋତାମାନଙ୍କଆଡ଼େ ଟିକିଏ ଅର୍ଦ୍ଧଦୃଷ୍ଟି ପକେଇନିଏ । ଆଗକୁ ସେମାନଙ୍କର ସଂଖ୍ୟା ଠଉରେଇ ନିଏ ଓ ମନେମନେ ଆନନ୍ଦ ମଧ୍ୟ ହୁଏ । ଅନେକ ସଭାପତି ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ସାଙ୍ଗରେ ନେଇଆସନ୍ତି । ଯେପରିକି ସ୍ତ୍ରୀ’ମାନଙ୍କ ଉପରେ ସେମାନଙ୍କ ଭାଉ ଉଞ୍ଚା ହୋଇ ରହିବ । ସମୟ ସମୟରେ ସେମାନେ ଆପଣା ଆପଣାର ସ୍ତ୍ରୀଙ୍କଆଡ଼େ ଏପରି ଭାବରେ ଚାହାଁନ୍ତି, ଯେପରିକି ସେ ଆପଣା ସ୍ତ୍ରୀକୁ ପ୍ରଥମ ଥରପାଇଁ ଦେଖୁଛି, ଯେପରିକି ସେ ତାକୁ ଚିହ୍ନିନି । ସଭାପତି ମହୋଦୟଙ୍କ ସ୍ତ୍ରୀ ସଭାସ୍ଥଳରେ ବସି ରକ୍ତଚାଉଳ ଚୋବାଉ ଥାଏ କିନ୍ତୁ କିଛି କରି ପାରୁନଥାଏ । କାରଣ, ସଭାପତି-କୁର୍ସି ପର୍ଯ୍ୟନ୍ତ ପହଞ୍ଚିବା ତା’ର ସାଧ୍ୟ ନଥାଏ ଆଉ ସଭାପତି ମହୋଦୟ ମଧ୍ୟ ଜାଣେ କି, ଯେପର୍ଯ୍ୟନ୍ତ ସେ ସଭାପତି ଆସନରେ ବିରାଜମାନ କରୁଛନ୍ତି, ସେ ପର୍ଯ୍ୟନ୍ତ ସବୁପ୍ରକାର ଆପଦ ତଥା ଆପଣା ସ୍ତ୍ରୀ’ଠାରୁ ମଧ୍ୟ ନିରାପଦ ଅଛି ।

 

ସାଧାରଣତଃ ସଭାମାନଙ୍କରେ ସେ ଦୃଶ୍ୟଟି ବଡ଼ ଚିତ୍ତାକର୍ଷକ ହଏ, ଯେତେବେଳେ ସଭାପତି ମହୋଦୟଙ୍କୁ ହାର ପିନ୍ଧେଇ ଦିଆଯାଏ; ଏବଂ ସଭାରେ ପରମ୍ପରା ଅନୁଯାୟୀ ଆଗେ ସଭାପତିଙ୍କୁ ହାର ପିନ୍ଧେଇ ଦିଆଯଏ; ତେବେ ଯାଇ ସଭାର କାର୍ଯ୍ୟକ୍ରମ ଆରମ୍ଭ ହୁଏ । ମୋର ବିଶ୍ୱାସ କି ଏ ପରମ୍ପରା ମଧ୍ୟ ‘ସଭାର ସଭାପତି’ଙ୍କ ତରଫରୁ ସୃଷ୍ଟ । କାରଣ, ସଭାର ଆରମ୍ଭ ପୂର୍ବରୁ ହାର ପିନ୍ଧେଇ ଦେଲେ, ମନରେ ଟିକିଏ ଶାନ୍ତି ଆସିଯାଏ; ନଚେତ୍‌ ଏ ଭୟ ମଧ୍ୟ ଥାଏ ଯେ ସଭାରେ ଉଦ୍ୟୋକ୍ତାମାନେ ହାର ବିଷୟରେ ନିରବ ଓ କିଛି ନ ଜାଣିଲାଭଳି ହୋଇଯିବେ । ଗରଜ ମେଣ୍ଟିବା ପରେ କାହାର କଅଣ ଦରକାର, କିଏ ବଝୁଛି । ସେଇଥି ପାଇଁ ସଭାପତିମାନେ ଆଗେ ହାର ପିନ୍ଧନ୍ତି ଆଉ ପରେ ସଭାକାର୍ଯ୍ୟ ଆରମ୍ଭ କରନ୍ତି । କହିବାକୁ ଗଲେ ହାର ପିନ୍ଧିବା ପରେ, ସଭାପତି ପାଇଁ ସଭା ଏକପ୍ରକାର ବରଖାସ୍ତ ହୋଇଯାଏ । ବାସ୍‌, ସେ ସେଠାରେ ଅଦରକାରୀ ଭାବରେ ବସିରହେ । ଯେତେବେଳେ ତାକୁ ହାର ପିନ୍ଧେଇ ଦିଆଯାଏ, ସେତେବେଳେ ଫଟୋଗ୍ରାଫର୍‌ର ଉପସ୍ଥିତି ନିହାତି ଦରକାର । ଯେପର୍ଯ୍ୟନ୍ତ ଫଟୋଗ୍ରାଫର୍‌ ଆସିନଥାଏ, ସେ ପର୍ଯ୍ୟନ୍ତ ସଭାପତି ହାର ଭିତରେ ନିଜ ଗଳା ପୁରାଏ ନାହିଁ । ମୁଁ ଗୋଟିଏ ସଭାର ପ୍ରତ୍ୟକ୍ଷ ଦ୍ରଷ୍ଟା, ଯେଉଁଥିରେ ସଭାପତିର ବେକ ହାରଆଡ଼କୁ ଆଗଉଥିଲା ଆଉ ହାର ବେକଆଡ଼କୁ ଆଗଉଥିଲା । ଅଚାନକ ଫଟୋଗ୍ରାଫର୍‌ର କ୍ୟାମେରାରେ କିଛି ବିଗିଡ଼ିଗଲା । ଯେମିତି ସଭାପତିକୁ ଏ ବିଗିଡ଼ା କଥା ଜଣାପଡ଼ିଗଲା, ସେ ଗୋଟାଏ ଝିଟିକା ମାରି, ଆପଣା ବେକକୁ ହାର ଭିତରୁ କାଢ଼ିନେଲା; କିନ୍ତୁ ସଭାର ସେକ୍ରେଟେରୀ ବରାବର ତା ବେକକୁ ଅନୁସରଣ କରୁଥାନ୍ତି, ବିଶ୍ୱାସ କରନ୍ତୁ, ‘ଉକ୍ତ ସଭାପତି’ ହାରପିନ୍ଧା ମାମଲାରେ ସେଦିନ ଏପରି ହରକତ କଲେ, ଯେପରିକି ଗୋଟାଏ ଅମାନିଆ ଘୋଡ଼ା ମୁହଁରେ ଲଗାମ ଦେଲାବେଳକୁ କରେ ଶେଷରେ ଯେତେବେଳେ କ୍ୟାମେରା ଠିକ୍‌ ହୋଇଗଲା, ସେତେବେଳେ ସଭାର ସଭାପତିକୁ ଚୁଚୁକାର କରି, ମନେଇ ହାରଆଡ଼କୁ ଅଣାଗଲା ଏବଂ ଯେତେବେଳେ କ୍ୟାମେରାର ଫ୍ଳାସ୍‌ ବଲ୍‌ବ ଜଳିଉଠିଲା, ସେତେବେଳେ ଲୋକେ ଦେଖିଲେ ଯେ ସଭାପତିର ବେକ ହାର ଭିତରେ ପଶିଯାଇଛି । ସଭାପତି ଯେତେବେଳେ ହାରପିନ୍ଧି ପକାଏ, ସେତେବେଳେ ତା ଓଠରେ ହସ ଖେଳିଯାଏ ଏବଂ ଏହା ଦେଖି ତାକୁ ପିନ୍ଧେଇ ଦିଆଯାଇଥିବା ହାରର ଫୁଲଗୁଡ଼ିକ ଛାଏଁ ଛାଏଁ ଝାଉଁଳି ପଡ଼ନ୍ତି

 

ସଭାର ସଭାପତି ସେତିକିବେଳେ ବହୁତ ଖୁସି ହୋଇଯାଆନ୍ତି, ଯେତେବେଳେ ଅଭ୍ୟର୍ଥନା କମିଟିର ସଭାପତି ନିଜ ସ୍ୱାଗତ ସମ୍ଭାଷଣରେ ‘ସଭାର ସଭାପତି’ଙ୍କ ଉଚ୍ଚ ଗୁଣବଳୀର ବର୍ଣ୍ଣନା କରନ୍ତି । ଯେତେବେଳେ ତାର ପ୍ରଶଂସା ହେବାକୁ ଲାଗେ, ‘ସଭାର ସଭାପତି’ ଜାଣିଶୁଣି କରି ଛାତଆଡ଼କୁ ଚାହିଁବାକୁ ଲାଗେ, ଆଉ ଯଦି ସଭା ଆକାଶ ତଳେ ହେଉଥାଏ, ତେବେ ତାରା ଗଣିବାରେ ମଜ୍‌ଗୁଲ୍‌ ହୋଇଯାଏ । ତାର ଦୃଷ୍ଟି ତ ଉପରକୁ ଥାଏ କିନ୍ତୁ କାନଟା ଅଭ୍ୟର୍ଥନା ସମିତି ସଭାପତିଙ୍କ ଆଡ଼କୁ ମୋଡ଼ିହୋଇ ରହେ । ଏଇଟା ସମସ୍ତଙ୍କର ଜାଣିବା ଉଚିତ୍‌ କି ପ୍ରତ୍ୟେକ ସଭାପତି ବଡ଼ କାର୍ଯ୍ୟବ୍ୟସ୍ତ ଥାଆନ୍ତି । ବିଭିନ୍ନ ପ୍ରକାରର କାର୍ଯ୍ୟ ମଧ୍ୟରୁ ଅଳ୍ପ ସମୟ ବଡ଼ କଷ୍ଟରେ ସେ କାଢ଼ନ୍ତି । ଯଦିଓ ତାଙ୍କର ଆଖପାଖ ଲୋକ ଭଲଭାବେ ଜାଣନ୍ତି କି ସଭାପତି ମହୋଦୟଙ୍କ ସାମନାରେ ଏକ ବିରାଟ ସମୟ-ସମୁଦ୍ରର ସର୍ବଦା ଢେଉ ଖେଳୁଛି ଆଉ ସେହି ସମୁଦ୍ରରେ ‘ସଭାପତିତ୍ୱର’ ସ୍ଥାନ କ୍ଷୁଦ୍ର, କ୍ଷୁଦ୍ର ଦ୍ୱୀପପରି ହୋଇଥାଏ, ଯେଉଁଠି ‘ସଭାପତି ମହୋଦୟ’ କିଛି ସମୟପାଇଁ; ବିଶ୍ରାମ ନିଏ ।

 

ସବାଶେଷରେ ଯେତେବେଳେ ‘ସଭାପତି ମହୋଦୟ’ ନିଜର ଅଭିଭାଷଣ ପାଇଁ ଠିଆ ହୁଏ, ସେ ପ୍ରଥମେ ନିଜ ଘଣ୍ଟାକୁ ଦେଖେ; ଶ୍ରୋତାମାନଙ୍କୁ ଏ ସୁଯୋଗ ଦାନକରେ କି ସେ କୁର୍ସିରୁ ଉଠି ମାଇକ୍ରୋଫୋନ୍‌ ପର୍ଯ୍ୟନ୍ତ ଯିବାଯାଏ ତାଳି ବଜେଇ ପାରିବେ । ପୁଣି ସେ ଅତି ସାଧାସିଧା ଭାବରେ ଅଭ୍ୟର୍ଥନା ସମିତି ସଭାପତିଙ୍କ ଭାଷଣକୁ ନାପସନ୍ଦ କଲାଭଳି ବକ୍ତୃତା ଜାରିକରି କହନ୍ତି–“ଆପଣ ମୋ ବିଷୟରେ ଯାହାକିଛି କହିଲେ, ତାହା ନଗଣ୍ୟର ଅଧିକ ମୂଲ୍ୟାୟନପରି ହୋଇଅଛି । କାରଣ, ଅଧମ ଏତେ ବି ଯୋଗ୍ୟ ନୁହେଁ କି ଯାହାକୁ କୌଣସି ସଭାରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ । ସେ ନିଜ ଭାଷଣରେ ଉଦ୍ୟୋକ୍ତାମାନଙ୍କୁ ସଭାର ଉଦ୍‍ଯୋଗ କରିବା ଲାଗି ଶୁଭେଚ୍ଛା ଜଣାନ୍ତି ଆଉ ଭବିଷ୍ୟତରେ ମଧ୍ୟ ଏହିପରି ଭୁଲ୍‌ ବାଟରେ ଯିବାଲାଗି ସସ୍ନେହ ପରାମର୍ଶ ଦିଅନ୍ତି; ଆଉ ସଙ୍ଗେ ସଙ୍ଗେ ଏହା ମଧ୍ୟ କୁହନ୍ତି କି, ସେ ସର୍ବଦା ଉଦ୍ୟୋକ୍ତାମାନଙ୍କୁ ସାହାଯ୍ୟ କରିବାଲାଗି ତିଆର ଅଛନ୍ତି । ଏ ସାହାଯ୍ୟର ଅର୍ଥ ହେଉଛି କି ଆସନ୍ତା ଥର ପାଇଁ ସଭାପତିତ୍ୱ କରିବାଲାଗି ସେ ତିଆର ଅଛି ।

 

ସଭାର ସଭାପତିଙ୍କ ଏପରି ଭଲ ଗୁଣ ଅଛି ଯେ, ସେ ପ୍ରତ୍ୟେକ ବିଷୟ ଉପରେ ନିଜର ମତାମତ ଦେଇପାରନ୍ତି । ଗୋଟିଏ ସଭାରେ ସେ ପୋଲ୍‌ଟ୍ରିଫାର୍ମିଂ ଉପରେ ସ୍ୱମତ ପ୍ରକାଶ କରେ ତ ଦୁସରା ସଭାରେ ମାଛ ଚାଷର ଗୁରୁତ୍ୱ ଉପରେ ଆଲୋକପାତ କରେ । କେଉଁଠି ଦିଆସିଲି ଶିଳ୍ପର ଉପାଦେୟତା ବର୍ଣ୍ଣନା କରେ, କେଉଁଠି ସାବୁନ ତିଆରି ବିଷୟରେ ମତାମତ ଦିଏ-। ଆପଣ ବିଶ୍ୱାସ କରନ୍ତୁ, ମଣିଷ ଯଦି ଥରେ ‘ସଭାର ସଭାପତି’ ହୋଇଯାଏ, ତେବେ ସାରା ଜୀବନ ସେ ସଭାର ସଭାପତି ହୋଇ ରହେ । ସଭାପତି ଆସନ ତା’ଠାରେ ଲାଗି ରହିଯାଏ ଏବଂ ମାମଲାଟା ଏହିପରି ହୁଏ ଯେ, “ମୁଁ କମ୍ୱଳକୁ ଛାଡ଼ିବାକୁ ଚାହୁଛି କିନ୍ତୁ କମ୍ୱଳ ମୋତେ ଛାଡ଼ୁନି ।’

 

ମନେରଖନ୍ତୁ, ସଭାପତି ସର୍ବଦା ସଭାକୁ ବିଳମ୍ୱକରି ଆସେ । ତାର ଡେରିକରି ଆସିବା ପଛରେ କେତେକ କାରଣ ଅଛି । ସେ ଲୋକମାନଙ୍କୁ ତା ଅପେକ୍ଷାରେ ରଖେଇ, ନିଜର ପ୍ରାଧାନ୍ୟ ତାଙ୍କ ଉପରେ ଜାହିର କରିବାକୁ ଚାହେଁ । ଯଦିଓ ସେ ସନ୍ଧ୍ୟାରେ ହେଉଥିବା ସଭାରେ ସଭାପତିତ୍ୱ କରିବାପାଇଁ ସକାଳଠାରୁହିଁ ପ୍ରସ୍ତୁତି ଚଳେଇ ଥାଏ । କପଡ଼ାକୁ ଇସ୍ତ୍ରୀ କରାଏ । ଯୋତା ସାଙ୍ଗରେ ସେ ନିଜର ସଭାପତି ଭାଷଣକୁ ମଧ୍ୟ ପାଲିସ୍‌ କରାଏ । ଦର୍ପଣ ଆଗରେ ଠିଆହୋଇ, ସଭାପତି ଆସନରେ ବସିବାର ଅନେକ ଠାଣିର ପରୀକ୍ଷା କରେ । ଏହା ସତ୍ତ୍ୱେ ସେ ସଭାରେ ଡେରିରେ ପହଞ୍ଚେ । ବର୍ତ୍ତମାନ ମୋର ସେ ସଭାର ସଭାପତି ବିଷୟରେ ଏକ ମଜା କଥା ମନେପଡ଼ୁଛି; ଯାହାକୁ କି ଜୀବନରେ ପ୍ରଥମ ଥର ପାଇଁ ସଭାର ସଭାପତି ହେବାପାଇଁ ସୁଯୋଗ ମିଳିଥିଲା । ସେ ନିଜର ସଭାପତିତ୍ୱପାଇଁ ଖୁବ୍‌ ଯୋଗାଡ଼ କଲା କିନ୍ତୁ ସଭାରେ ବହୁତ ଡେରିରେ ପହଞ୍ଚିଲା । ଉଦ୍ୟୋକ୍ତାମାନେ ବହୁ ସମୟ ଧରି ଅପେକ୍ଷା କରିବା ପରେ, ଏକ ‘ରେଡ଼ିମେଡ଼୍’ ସଭାପତିର ସଭା ଗ୍ରହଣ କଲେ ଆଉ ସଭାପତିତ୍ୱର ଦାୟିତ୍ୱ ତାକୁ ସମର୍ପି ଦେଲେ । ପ୍ରଥମେ ସଭାପତି ଏଥିରେ ବଡ଼ ନାରାଜ ହେଲା । ଉଦ୍ୟୋକ୍ତାମାନେ ଯେତେବେଳେ ତାକୁ ଡେରିରେ ଆସିବାର କାରଣ ପଚାରିଲେ, ସେ କହିଲା- “ଭାଇ ! ମୁଁ ପ୍ରକୃତରେ ସଭାକାର୍ଯ୍ୟରେ ହିଁ ବ୍ୟସ୍ତ ଥିଲି । ଯେହେତୁ ଏ ସଭା ମୋର ସଭାପତିତ୍ୱରେ ହେବାର ଥିଲା, ଏଥିଲାଗି ସାରାଦିନ ସଭାର ପୋଷ୍ଟର ସବୁ କାନ୍ଥ ବାଡ଼ରେ ଲଗାଉଥିଲି । ପୋଷ୍ଟର ଲଗାରୁ ଫୁରୁସତ୍‌ ମିଳିବା ମାତ୍ରେ ମୁଁ ସଭାକୁ ଆସିଲି ।”

 

ସବୁ ସ୍ଥାନରେ ଆପଣଙ୍କୁ ଏଭଳି କେତେକ ବ୍ୟକ୍ତି ନିଶ୍ଚୟ ମିଳିବେ, ଯେଉଁମାନେ କି ‘ସଭାପତିତ୍ୱ’ର ବେଉସା କରୁଅଛନ୍ତି; ଆଉ ଯେଉଁଠି ‘ସଭାର ସଭାପତି’ଙ୍କ ସଂଖ୍ୟା ବହୁତ ହୁଏ, ସେଠାରେ ସଭାପତିତ୍ୱର ସମସ୍ୟା ନେଇ ଝଗଡ଼ା ମଧ୍ୟ ଠିଆ ହୋଇଥାଏ । ‘ସଭା-ସଭାପତି’ଙ୍କ ସଂଖ୍ୟାଧିକ୍ୟର ଏହାହିଁ ପ୍ରମାଣ କି, ଦେଶର ଲୋକସଂଖ୍ୟା ବଢ଼ୁଛି ଆଉ ‘ସଭା-ସଭାପତି’ଙ୍କ ବେରୋଜଗାରକୁ ଦୂର କରିବା ନିହାତି ଦରକାର ଯେ ଆମେ ଗୋଟିଏ ସହର ପାଇଁ “ଦୁଇଟା ବା ତିନିଟା ସଭାପଦ ବାସ୍‌”ର ଆଇନ୍ ଅନୁଯାୟୀ କାର୍ଯ୍ୟ କରିବା ।

Image

 

ରେଳବାଇ ମନ୍ତ୍ରୀ ଯାତ୍ରୀ ବନିଗଲେ

 

ହଠାତ୍‌ ଦିନେ ରେଳବାଇ ମନ୍ତ୍ରୀ ସେକ୍ରେଟେରୀଙ୍କୁ ଡାକି କହିଲେ—“ଶୁଣ, କାଲି ମୁଁ ଛଦ୍ମବେଶରେ ଏକ ସାଧାରଣ ଯାତ୍ରୀ ଭାବରେ ଥାର୍ଡ଼କ୍ଳାସ କମ୍ପାଟ୍‌ମାଣ୍ଟ୍‌ରେ ଯାତ୍ରା କରିବାକୁ ଚାହୁଁଛି-। ତୁମକୁ ବି ବେଶ ବଦଳେଇ ମୋ ସହିତ ଯିବାକୁ ହେବ ।” ସେକ୍ରେଟେରୀ ଆଖି ମିଟିମିଟି କରି ମନ୍ତ୍ରୀଙ୍କ ଆଡ଼େ ଚାହିଁଥା’ନ୍ତି । ସେ ଭାବିପାରିଲେ ନାହିଁ ଯେ, ତାଙ୍କର ବେଶ ବଦଳାଇବା କି ଦରକାର-। ବେଶ ବଦଳାଇବା ତ କେବଳ ମନ୍ତ୍ରୀଙ୍କ କାମ ।

 

ତଥାପି ସେ ଡରି ଡରି କହିଲେ—“ହଜୁର, ଖରାପ ନ ଭାବିବେ ତ ଗୋଟିଏ ଅନୁରୋଧ କରନ୍ତି । ଆପଣ ତ ରେଲବାଇ ମନ୍ତ୍ରୀ ଅଟନ୍ତି । ଆପଣଙ୍କ ଶତ୍ରୁ ରେଳରେ ଭ୍ରମଣ କରୁ-। ରେଳମନ୍ତ୍ରୀ ତ ସବୁବେଳେ ଉଡ଼ାଜାହାଜରେ ଭ୍ରମଣ କରନ୍ତି । ଆପଣ ତ ବର୍ତ୍ତମାନ ମନ୍ତ୍ରୀଗାଦିରେ ବିରାଜମାନ ହୋଇଛନ୍ତି । ପୁନଶ୍ଚ ସାଧାରଣ ନିର୍ବାଚନର ମଧ୍ୟ ବହୁଦୂରରେ ଚିହ୍ନବର୍ଣ୍ଣ ନାହିଁ । ଏଥିରେ ଆପଣଙ୍କ ଉପରେ କି ବିପଦଟା ପଡ଼ିଯାଇଛି ଯେ ଆପଣ ରେଳଯାତ୍ରା କରିବେ ।”

 

ମନ୍ତ୍ରୀ କହିଲେ—“ତୁମେ ବେଶି ବକ୍‌ବାଜି କରନାହିଁ । ଅନ୍ତତଃ ମୋତେ ମୋ ବିଭାଗର ଖବର ଅନ୍ତର ଜାଣିବା ନିହାତି ଦରକାର ।” ସେକ୍ରେଟେରୀ ଥରା କଣ୍ଠରେ କହିଲେ—“ହଜୁର, ଆପଣଙ୍କ ଆଜ୍ଞା ମୋର ଶିରୋଧାର୍ଯ୍ୟ । କିନ୍ତୁ ମୋ ମତରେ ମନ୍ତ୍ରୀ ନିଜ ବିଭାଗ ସମ୍ପର୍କରେ ଯେତେ ଇଚ୍ଛା କଲେ ବି ଜାଣିପାରୁ ନାହାନ୍ତି । ଏହି କିଛିଦିନ ତଳେ ଆମ ଖାଦ୍ୟମନ୍ତ୍ରୀ ଦୁର୍ଭିକ୍ଷ ପଡ଼ିଥିବା ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ସେ ମଧ୍ୟ ସଠିକ୍ ଅବସ୍ଥା ଜାଣିବାକୁ ଇଚ୍ଛା କରୁଥିଲେ । ସେଠାରୁ ଫେରି ସେ କହିଲେ—“ଦୁର୍ଭିକ୍ଷ ଅଞ୍ଚଳରେ କେଉଁଠାରେ ହେଲେ ଦୁର୍ଭିକ୍ଷର ଗନ୍ଧ ମିଳିଲା ନାହିଁ; କାରଣ, ମୋତେ ତିନି ବଖତ ଖାନା ନିୟମିତ ଭାବରେ ମିଳୁଥିଲା । ବରଂ ଅନ୍ୟ ପ୍ରଦେଶ ତୁଳନାରେ ମୋତେ ଏଠିକାର ଖାଦ୍ୟ ଅଧିକ ସୁସ୍ୱାଦୁ ମନେହେଲା । ତେବେ ଦୁର୍ଭିକ୍ଷ ରହିଲା କେଉଁଠି ? ଏଥିରୁ ଜଣାଯାଉଛି ଯେ, ଏହି ଦୁର୍ଭିକ୍ଷ-ଜନରବ, ବିରୋଧୀ ଦଳର ଏକ ଚାଲ୍‌ ।”

 

ରେଳମନ୍ତ୍ରୀ ସେକ୍ରେଟେରୀଙ୍କ କଥା ନ ଶୁଣିଲା ଭଳି କହିଲେ—“ଦେଖ, ତୁମେ ମୋର ସେକ୍ରେଟେରୀ, ମୁଁ ତୁମର ନୁହେଁ । ମୁଁ ଯାହା କହୁଛି, ତୁମକୁ ତାହା ପାଳନ କରିବାକୁ ହେବ ।”

 

ସେକ୍ରେଟେରୀ ନିରୁତ୍ତର ହେଲେ । ସେ ଜାଣିଗଲେ ଯେ ବର୍ତ୍ତମାନ ଆଉ କିଛି କହିବା ଅର୍ଥ ଚାକିରିକୁ ବିପଦରେ ପକାଇବା । ତେଣୁ ସେ ଚୁପ୍‌ଚାପ୍‌ ମନ୍ତ୍ରୀଙ୍କ କୋଠରିରୁ ବାହାରିବାକୁ ଲାଗିଲେ ।

 

ମନ୍ତ୍ରୀ ଶେଷଥର ପାଇଁ ମନେପକାଇ ଦେଇ ତାଙ୍କୁ କହିଲେ—“ଆଜି ରାତି ଠିକ୍‌ ଆଠଟା ବେଳେ ଷ୍ଟେସନରେ ପହଞ୍ଚିବ ।” ସେକ୍ରେଟେରୀ ପଚାରିଲେ—“ହଜୁର ଏତିକି କହନ୍ତୁ, ଆମେ ଟିକେଟ୍‌ କି ବିନା ଟିକେଟ୍‌ରେ ଭ୍ରମଣ କରିବା ?”

 

ମନ୍ତ୍ରୀ କହିଲେ—“ତା’ର ଫଇସଲା ସେହି ସମୟରେ ହେବ ।”

 

ମନ୍ତ୍ରୀ ସାରାଦିନ ବେଶ ବଦଳାଇବାରେ ଲାଗିଥା’ନ୍ତି । ସେ ନିଜ ବେଶ ବଦଳେଇ ବଦଳେଇ ସନ୍ଧ୍ୟାବେଳକୁ ନିଜର ପ୍ରକୃତ ଅବସ୍ଥାକୁ ଆସିଲେ । ଦର୍ପଣରେ ନିଜର ଚେହେରା ଯେତେବେଳେ ଦେଖିଲେ, ତାଙ୍କୁ ଜଣାଗଲା ସତେ ଯେମିତି ସେ ନିଜର ଅସଲ ରୂପ ଦେଖୁଛନ୍ତି । ଦୀର୍ଘଦିନ ପରେ ଆଜି ସେ ନିଜର ପ୍ରକୃତ ରୂପ ଦେଖି କିଛି ସମୟ ପାଇଁ ଆନନ୍ଦ ଅନୁଭବ କଲେ । ସନ୍ଧ୍ୟାରେ ସେ ଯେତେବେଳେ ଆଟାଚିଟିଏ ଧରି ଷ୍ଟେସନ୍‌ରେ ପହଞ୍ଚିଲେ ଏବଂ ଆଟାଚିକେସ୍‌କୁ ସେକ୍ରେଟେରୀଙ୍କ ହାତକୁ ବଢ଼େଇଲେ, ସେ ତାଙ୍କୁ ଆଖି ଦେଖେଇ କହିଲେ— “କେମିତିଆ ଅଭଦ୍ର ଲୋକ ହୋ, ତୁମେ କଅଣ ମୋତେ ତୁମର କୁଲିବୋଲି ଭାବିଲକି ! ନ ଜାଣେ କେତେ ଅଜବ୍‌ ଅଜବ୍‌ ଲୋକ ଆସି ଯୁଟୁଛନ୍ତି ।” ମନ୍ତ୍ରୀ ମହାଶୟ ହଠାତ୍‌ ମନ୍ତ୍ରୀ ହୋଇଯାଇ କହିଲେ—“ଦେଖ ବାବୁ, ଏମିତିଆ ଅଭଦ୍ରାମି କରନାହିଁ । ମୁଁ ତୁମର ମନ୍ତ୍ରୀ ।”

 

ସେକ୍ରେଟେରୀ ମନ୍ତ୍ରୀଙ୍କ ଆଡ଼କୁ ଗାରଡ଼େଇଁ ଚାହିଁଲେ; ପୁଣି ପ୍ରଶଂସା ସୂଚକ ଅନୁଚ୍ଚ ଗଳାରେ କହିଲେ—“ହଜୁର ଆପଣ ! ଭଗବାନଙ୍କ ରାଣ, ଜୀବନରେ ପ୍ରଥମ ଥର ପାଇଁ ଆଜି ଆପଣ ଆମ ଭିତରୁ ଜଣେ ପରି ଦେଖାଯାଉଛନ୍ତି । ଯଦି ଏହାପରେ ଆଉ ଆପଣ ବେଶ ନ ବଦଳାନ୍ତେ; ତେବେ କେତେ ବଢ଼ିଆ ହୁଅନ୍ତା ।”

 

ମନ୍ତ୍ରୀ କହିଲେ—“ଚାଲ, ଆଉ କଥା କୁହ ନାହିଁ । ଆମକୁ ପ୍ରଥମେ ଟିକେଟ୍‌ କରିବାକୁ ହେବ ।”

 

ସେକ୍ରେଟେରୀ କହିଲେ—“ଦିଅନ୍ତୁ ଟିକେଟ୍‌ ପାଇଁ ପଇସା ଦିଅନ୍ତୁ ।” ସେ କହିଲେ–“ନା, ଟିକେଟ୍‌ ମୁଁ ନିଜେ କିଣିବି ।”

 

ସେକ୍ରେଟେରୀ କହିଲେ—“ହଜୁର, ଏ ଇଲେକ୍‌ସନ୍‌ ଟିକେଟ୍‌ ନୁହେଁ, ଏଇଟା ରେଳ ଟିକେଟ୍‌ । ଏହା ଏତେ ସହଜରେ ମିଳେନାହିଁ । ଏଥିପାଇଁ ରୀତିମତ ଫ୍ରିଷ୍ଟାଇଲ୍‌ କୁସ୍ତି କରିବାକୁ ପଡ଼େ ।”

 

ସେ କହିଲେ—“ତୁମେ ଫ୍ରିଷ୍ଟାଇଲ୍‌ କୁସ୍ତି ବିଷୟରେ ଚିନ୍ତା କରନି । ପାର୍ଟିର ଗଣ୍ଡଗୋଳିଆ ସଭାମାନଙ୍କରେ ଭାଗ ନେଇ କୁସ୍ତି ଲଢ଼େଇ କୌତୁକ ଅନେକଟା ଜାଣିଗଲିଣି ।” ଏହା କହି ମନ୍ତ୍ରୀ ମହାଶୟ ଯାତ୍ରୀମାନଙ୍କ ଧାଡ଼ି ଭାଙ୍ଗି ଟିକେଟ୍‌ଘର ଝରକାଆଡ଼କୁ ଆଗେଇଲେ ।

 

ଲୋକେ ଚିଲେଇଲେ—“ମହାଶୟ, ଧାଡ଼ିରେ ଆସନ୍ତୁ । ଆମେ ଏଠି ଘଣ୍ଟାଏ ହେଲା ଠିଆ ହୋଇଛୁ । ଆପଣ କୁଆଡ଼େ ମାଡ଼ି ଯାଉଛନ୍ତି ।”

 

ମନ୍ତ୍ରୀ କହିଲେ—“ଯେତେବେଳେ ସାରା ଦେଶ ଆଗେଇ ଚାଲିଛି, ସେତେବେଳେ ମୋର ମଧ୍ୟ ଆଗେଇଯିବାର ଅଧିକାର ଅଛି; ଆଉ ଜୀବନର ଅର୍ଥ ହେଉଛି, ସବୁବେଳେ ଆଗେଇଯିବା ।” ସେ ଆଗେଇବାକୁ ଯାଉଥିଲେ, ଚାରି ପାଞ୍ଚଜଣ ଯାତ୍ରୀ ତାଙ୍କୁ ପଛଆଡ଼କୁ ଘୋଷାଡ଼ି ଆଣି କହିଲେ“ମହାଶୟ, ଜୀବନରେ ଆଗେଇ ଯାଆନ୍ତୁ କିନ୍ତୁ ଏଇଟା ଯେ ଧାଡ଼ି । ଏଠି ମଣିଷ ଘଣ୍ଟାକେ ଇଞ୍ଚେ ଆଗାଏ । ଆପଣ ଏତିକି ଜାଣନ୍ତି ନାହିଁ ।”

 

ତାଙ୍କ ସେକ୍ରେଟେରୀ ଖୁବ୍‌ ହୁସିଆର ଥିଲେ । ମନ୍ତ୍ରୀଙ୍କ ସେକ୍ରେଟେରୀ ହେବା ପୂର୍ବରୁ ତାଙ୍କର ରେଳଯାତ୍ରାରେ ଅଭିଜ୍ଞତା ଥିଲା । ସେ ଧାଡ଼ିର ଆଗକୁ ଯାଇ ଜଣକ ସହ କଥାବାର୍ତ୍ତା ହେଲେ ଏବଂ ମନ୍ତ୍ରୀଙ୍କୁ ଅଲଗା ଡାକିନେଇ କହିଲେ—“ମୁଁ ଧାଡ଼ି ଆଗରେ ରହିବାର ବନ୍ଦବୋସ୍ତ କରିଦେଇଛି । ଆପଣ ଜଣ ପିଛା ଟଙ୍କାଏ ଲେଖାଏଁ ଦେଲେ, ଆଗର ଦୁଇଜଣ ନିଜ ଜାଗା ଛାଡ଼ି ଦେବାକୁ ପ୍ରସ୍ତୁତ ଅଛନ୍ତି ।”

 

ମନ୍ତ୍ରୀ ଖୁବ୍‌ ଖୁସିହୋଇ କହିଲେ—“ବାଃ ! ଏ ତ ବଡ଼ ବଢ଼ିଆ ବ୍ୟବସ୍ଥା । ମୋତେ ଜଣାନଥିଲା ଯେ ରେଳବାଇର ପ୍ରାଶାସନ ଜନସାଧାରଣଙ୍କ ସୁବିଧାପାଇଁ ଏପରି ବ୍ୟବସ୍ଥା ମଧ୍ୟ କରି ଦେଇଛନ୍ତି । ମନ୍ତ୍ରୀ ଦୁଇଟଙ୍କା ଦେଲେ ଏବଂ ସେକ୍ରେଟେରୀଙ୍କ ସହ ଧାଡ଼ି ଆଗରେ ଠିଆ ହୋଇଗଲେ । କିନ୍ତୁ ସେଠାରେ ଟିକେଟ୍‌ ଦେବାଲୋକ କେହି ନଥିଲେ ।

 

ମନ୍ତ୍ରୀ ପଚାରିଲେ—“ଟିକେଟ୍‌ ଦେଲାବାଲା କୁଆଡ଼େ ଗଲେ ?”

 

କିଏ ଜଣେ କହିଲା—“ଯେଉଁ ଲୋକ ଏ ଯାଏ ଟିକେଟ୍‌ ଦେଉଥିଲା, ତା ଡିଉଟି ଶେଷ ହୋଇଯାଇଛି । ସେ ଆଉ ଟିକେଟ୍‌ ଦବନି । ତା’ ଥାନରେ ନୂଆ ଲୋକ ଆସିବେ ଏବଂ ଯାହାର ଏଠାକୁ ଆସିବାର କଥା, ସେ ଏହିକ୍ଷଣି ଫୋନକରି ଜଣାଇଛି, ଯେ ସେ ତା ସାହି ବସ୍‌ଷ୍ଟାଣ୍ଡର ଧାଡ଼ିରେ ଠିଆହୋଇ ବସ୍‌କୁ ଅପେକ୍ଷାକରି ରହିଛି । ବସ୍‌ ଧାଡ଼ିରେ ତାଙ୍କୁ ଯେତେବେଳେ ଟିକେଟ୍‌ ମିଳିବ, ସେ ଷ୍ଟେସନକୁ ଆସିବେ ଏବଂ ଆମକୁ ଏ ଧାଡ଼ିରୁ ଉଦ୍ଧାର କରିବେ ।”

 

ମନ୍ତ୍ରୀ କହିଲେ—“ତା ମାନେ ଏ ରେଳବାଇ ଟିକେଟ୍‌ କ୍ଳକିଙ୍କୁ ବସ୍‌ ଟିକେଟ୍‌ ନ ମିଳିବାଯାଏ ଆମକୁ ରେଳ ଟିକେଟ୍‌ ମିଳିବ ନାହିଁ ?”

 

ସେକ୍ରେଟେରୀ କହିଲେ—“ହଜୁର୍‌, ଆମ ଦେଶରେ ସବୁକାମ ଧାଡ଼ିରେ ହିଁ ହୁଏ । ଆଉ ଲୋକେ ଦିନଯାକ ଗୋଟିଏ ଧାଡ଼ିରୁ ବାହାରି ଆଉ ଗୋଟିଏ ଧାଡ଼ିରେ ଠିଆ ହୁଅନ୍ତି । ଏଇଥିପାଇଁ ତ ଆମ ଦେଶକୁ ସମାଜବାଦ ଆସିବାରେ ବିଳମ୍ୱ ହେଉଛି ।”

 

ଏହି ଅବସରରେ ଟିକେଟ୍‌ କ୍ଳକି ଆସି ପହଞ୍ଚିଗଲେ । ମନ୍ତ୍ରୀ ମହାଶୟ ଚଟାପଟ୍‌ ଝରକା ଭିତରେ ହାତ ପୂରେଇଦେଲେ ।

 

କ୍ଳକି ପଚାରିଲେ—“ଆପଣଙ୍କର କେଉଁଠାକୁ ଟିକେଟ୍‌ ଦରକାର ।”

 

ମନ୍ତ୍ରୀ ପଚାରିଲେ—“ଏ ଗାଡ଼ି କେଉଁଯାଏ ଯିବ ?”

 

କ୍ଳକି କହିଲେ—“ରାସ୍ତାରେ କୌଣସି ଦୁର୍ଘଟଣା ନଘଟିଲେ, ଏହା ବମ୍ୱେଯାଏ ଯିବ ।”

 

ମନ୍ତ୍ରୀ କହିଲେ—“ତେବେ ବମ୍ୱେଯାଏ ମୋତେ ଦୁଇଟି ଟିକେଟ୍‌ ଦିଅ ।

 

ମନ୍ତ୍ରୀ ଏବଂ ତାଙ୍କ ସେକ୍ରେଟେରୀ ଟିକେଟ୍‌ ନେଇ କ୍ଷିପ୍ରଗତିରେ ପ୍ଳାଟ୍‌ଫର୍ମରେ ଯାଇ ପହଞ୍ଚିଲେ । ଗାଡ଼ି ଠିଆ ହୋଇଥିଲା । ମନ୍ତ୍ରୀ ମହାଶୟ ଗୋଟିଏ ଡବା ପାଖରେ ଠିଆ ହୋଇଗଲେ ଏବଂ ଦ୍ୱାରଦେଇ ଭିତରକୁ ପଶିବାକୁ ଚେଷ୍ଟା କଲେ ।

 

ସେକ୍ରେଟେରୀ ପାଟିକରି କହିଲେ—“ଆଜ୍ଞା, ଆପଣ ଭୁଲ୍‌ବାଟରେ ଡବାରେ ପଶୁଛନ୍ତି-।”

 

ମନ୍ତ୍ରୀ କହିଲେ—“କିନ୍ତୁ ଡବାରେ ପଶିବାପାଇଁ ରାସ୍ତା ତ ଏଇ ।”

 

ସେକ୍ରେଟେରୀ କହିଲେ—“ହଜୁର, ଥାର୍ଡ଼କ୍ଳାସ୍‌ ଡବାରେ କେବଳ ପବନ ଯା’ଆସ କରିବା ଲାଗି କବାଟ ଥାଏ । କବାଟକୁ ଲୋକେ କେବଳ ଇମର୍‌ଜେନ୍‌ସି ବେଳେ ବ୍ୟବହାର କରନ୍ତି-। ନଚେତ୍‌ ଡବା ଭିତରକୁ ଯିବାପାଇଁ ଖିଡ଼ିକି ହେଉଛି ପ୍ରକୃତ ରାସ୍ତା । ଏଣୁ ଏଗୁଡ଼ିକ ବହୁଜାଗାରେ ଲଗାଯାଇଛି । ପ୍ରକୃତରେ କହିବାକୁଗଲେ ଏ ଖିଡ଼ିକିଗୁଡ଼ିକ ବି ଭିତରକୁ ଯିବାର ଠିକ୍‌ ରାସ୍ତା ନୁହେଁ-। ବରଂ ସିନ୍ଧିକରି ତା ଭିତରକୁ ପଶିବା ଉଚିତ୍‌ । ମୋତେ କିନ୍ତୁ ସିନ୍ଧିକରିବା ଉପାୟ ଜଣାନାହିଁ-।”

 

ମନ୍ତ୍ରୀ ମହାଶୟ ଶୀଘ୍ର ଗୋଟିଏ ଝରକା ପାଖରେ ପହଞ୍ଚିଗଲେ ।

 

ସେକ୍ରେଟେରୀ କହିଲେ—“ହଜୁର, ଆପଣ ମୋତେ ଟେକି ଭିତରକୁ ଫୋପାଡ଼ି ଦିଅନ୍ତୁ-।”

 

ମନ୍ତ୍ରୀ କହିଲେ—“କାହିଁ ଭିତରେ ତ ଆଦୌ ଜାଗା ନାହିଁ ।”

 

ସେକ୍ରେଟେରୀ କହିଲେ—“ଆପଣ ଚିନ୍ତା କରନ୍ତୁ ନାହିଁ । ରେଳଡ଼ବା ଭିତରେ ଯେତେ ଖୁନ୍ଦିବ ସେତେ ଜାଗା ମିଳିବ । ଯାକିଯୁକି ହେଲେ ପ୍ରେମିକର ହୃଦୟ, ପ୍ରସାରିତ ହେଲେ ବିରାଟ ଜଗତ ପାଲଟିବ । ଦରିଆକୁ ସୋରେଇ ଭିତରେ ପୂରେଇ ଦିଆଯାଏ ଏଇଠି । ଆପଣ ବିଶ୍ୱାସ କରନ୍ତୁ କି ଏଇ ଗୋଟିଏ ଡବାରେ ଆମ ଗାଆଁର ସମସ୍ତେ ସମେଇଯିବେ । ଯାତ୍ରୀକୁ ଖାଲି ଗୋଡ଼ ରଖିବାକୁ ଜାଗା ମିଳିଗଲେ, ଜିନିଷପତ୍ର ସହ ତା’ର ସବୁକିଛି ତା’ ଭିତରେ ରହିଯିବ । ଆପଣ ଘବରାନ୍ତୁ ନାହିଁ ବରଂ ନିର୍ଦୟତାରସହ ମୋତେ ଭିତରକୁ ଠେଲି ଦିଅନ୍ତୁ । ନହେଲେ ଗାଡ଼ି ଛାଡ଼ିଦେବ ।”

 

ମନ୍ତ୍ରୀ ମହାଶୟ ଶୀଘ୍ର ସେକ୍ରେଟେରୀଙ୍କୁ ଟେକି ବିଜୁଳିଟି ପରି ଝରକା ଉପରେ ଥୋଇଦେଲେ । ତତ୍‌କ୍ଷଣାତ୍ ଡବା ଭିତରେ କୋଳାହଳ ଆରମ୍ଭ ହୋଇଗଲା—“ଏହାକୁ ବାହାର କର, ଡବାରେ ଜାଗାନାହିଁ, ଆମ ମୁଣ୍ଡଉପରେ କଅଣ ବସିବ !”

 

ଦେଖୁ ଦେଖୁ ପୂରା ଡବାର ଲୋକେ ସେକ୍ରେଟେରୀଆଡ଼କୁ ମାଡ଼ିଆସିଲେ । ସମସ୍ତ ଯାତ୍ରୀ ତାଙ୍କୁ ପଦାକୁ ଠେଲିଲାଗିଲେ ଏବଂ ମନ୍ତ୍ରୀ ମହାଶୟ ତାଙ୍କୁ ବାହାରୁ ଭିତରକୁ ଠେଲୁଥାନ୍ତି । ମନ୍ତ୍ରୀଙ୍କର ମନେ ନଥିଲା ଯେ ସେ ତାଙ୍କ ସେକ୍ରେଟେରୀ । ସେତେବେଳେ ତାଙ୍କ ମନ ଭିତରେ ପ୍ରତିହିଂସାର ନିଆଁ ଜଳୁଥାଏ । ସେ ଚାହୁଁଥିଲେ କିପରି ହେଲେ ଯାତ୍ରୀମାନଙ୍କୁ ପରାସ୍ତ କରିବେ ଏବଂ ସେକ୍ରେଟେରୀଙ୍କୁ ଭିତରେ ପୂରେଇ ଦମ୍‌ ନେବେ । ଏହିପରି ଚେଷ୍ଟାରେ ସେ ନିଜ କାନ୍ଧରେ ଏପରି ଏକ ଜୋର୍‌ ଧକ୍‌କା ଦେଲେ ଯେ ସେକ୍ରେଟେରୀ ଡବା ଭିତରକୁ ଗଳିଯାଇ ଗୋଟିଏ ଯାତ୍ରୀର ମୁଣ୍ଡ ଉପରେ ବସିଗଲେ । ଯାତ୍ରୀ ରଡ଼ି ଛାଡ଼ିଲା—ଆବେ ହଟ୍‌, ଏଠି କଅଣ ବସୁଛୁ, ଏଠି ମୁଁ ବସିଛି । ଏହାପରେ ସେକ୍ରେଟେରୀ ଆଉଜଣେ ଯାତ୍ରୀର ପିଠି ଉପରେ ସବାର ହୋଇଗଲେ । ସେ ପିଠି ଝାଡ଼ିଦେବାରୁ ସେକ୍ରେଟେରୀ ଯାଇ ଗୋଟିଏ ବୁଢ଼ୀର କୋଳରେ ପଡ଼ିଲେ । ସେତେବେଳକୁ ସେ ପ୍ରାୟ ଅଧା ବେହୋସ୍‌ ହୋଇ ଯାଇଥିଲେ । ବୁଢ଼ୀ ତାଙ୍କୁ ଗାଳିଗୁଲଜ କଲାରୁ, ସେକ୍ରେଟେରୀ ନିଊନ ହୋଇ କହିଲେ ଏ ସାରା ଡବାରେ ମୋତେ ମାଆର କୋଳହିଁ ସବୁଠାରୁ ନିରାପଦ ମନେହଉଛି । ମୋତେ ଏଇଠି ଟିକିଏ ବସିବାକୁ ଦେ ।”

 

ବୁଢ଼ୀ ପାଟିକରି କହିଲା—“ଆରେ ହଟ୍‌, ତୁ ଯଦି ମୋ କୋଳରେ ବସିବୁ, ତେବେ ମୋର ପୁଅ ଆଉ ତା’ର ଦଶଟି ପିଲା ବସିବେ କେଉଁଠି ?” ସେକ୍ରେଟେରୀ କଡ଼ ଯାତ୍ରୀର କୋଳ ଖାଲିଥିବା ଦେଖି ପଚାରିଲେ— “ଭାଇ ସାହେବ—ଆପଣଙ୍କ କୋଳରେ ଆଗରୁ କେହି ବସି ଆସୁଛି କି-?”

 

ଯାତ୍ରୀଟି କହିଲା—“ଦେଖାଯାଉନି, ମୋ କୋଳରେ ଦୁଇଟା ରୁମାଲ୍‌ ଥୁଆ ହୋଇଛି । ସେ ଦି’ ଜଣଯାକ ପରା ଚାହା ପିଇବାକୁ ଯାଇଛନ୍ତି ।”

 

ସେକ୍ରେଟେରୀ ନିଜକୁ ସମ୍ଭାଳି ଝରକା ପାଖକୁ ଆସିଲେ । ମନ୍ତ୍ରୀ ମହାଶୟ ଝରକା ବାଟଦେଇ ଭିତରକୁ ଆସିବାର ଅପେକ୍ଷା କରି ରହିଥିଲେ । ସେକ୍ରେଟେରୀ କହିଲେ—“ହଜୁର, ଆପଣ ଝରକା ଉପରେ ଚଢ଼ି ପ୍ରଥମେ ଦୁଇ ଗୋଡ଼ର ଗୋଟିଏ ଗୋଟିଏ ଆଙ୍ଗୁଠି ଭିତରକୁ ପୂରାନ୍ତୁ-। ମୁଁ ଧୀରେ ଧୀରେ ଆପଣଙ୍କୁ ଭିତରକୁ ଟାଣିଆଣିବି ।”

 

ମନ୍ତ୍ରୀ କହିଲେ—“କିନ୍ତୁ ଭିତରେ ଜାଗା କାହିଁ ?”

 

ସେକ୍ରେଟେରୀ କହିଲେ—“ଏ ବି ଗୋଟାଏ କଳା । ପ୍ରାଚୀନ କାଳରେ ଆମ କାରିଗରମାନେ ସୂକ୍ଷ୍ମ ପାଟ ଲୁଗାର ଗୋଟିଏ ଥାନକୁ ମୁଦି ଭିତରେ ଗଳେଇ ଦେଉଥିଲେ, ଆଉ ଆମେ ଜଣେ ମନ୍ତ୍ରୀଙ୍କୁ ଝରକା ବାଟେ ଗଳେଇ ନେଇପାରିବା ନାହିଁ । ଆପଣ ଚିନ୍ତା କରନ୍ତୁ ନାହିଁ । ରେଳଗାଡ଼ିର ଝରକା ଖୁବ୍‌ ପ୍ରଶସ୍ତ । ମୁଁ ଜୋର ଦେଇ କହିପାରେ ଯେ ଦରକାର ପଡ଼ିଲେ ମୁଁ ଇଞ୍ଜିନ୍‌ ସହ ରେଳଗାଡ଼ିକୁ ଏହି ଝରକା ବାଟ ଦେଇ ଗଳାଇ ଦେଇପାରିବି । ଏ ସବୁ ଗହନ ଦର୍ଶନର କଥା-। କେତେବେଳେ ବିନ୍ଦୁ ସିନ୍ଧୁରେ ଆଉ କେତେବେଳେ ସିନ୍ଧୁ ବିନ୍ଦୁରେ ପରିଣତ ହୁଏ-।”

 

ଏତିକି ବେଳେ ରାଳଗାଡ଼ି ସିଟି ବଜେଇଲା । ମନ୍ତ୍ରୀ ମହାଶୟ ସଙ୍ଗେ ସଙ୍ଗେ ଉପରେ ଚଢ଼ିଗଲେ ଏବଂ ତାଙ୍କର ଦୁଇପାଦ ତତ୍‌କ୍ଷଣାତ୍‌ ଭିତରକୁ ପୂରେଇ ଦେଲେ । ସେକ୍ରେଟେରୀ ତୁରନ୍ତ ମନ୍ତ୍ରୀଙ୍କ ପାଦ ଦୁଇଟାକୁ ଧରି ପକେଇଲେ ଏବଂ ପୂରା ସାମର୍ଥ୍ୟ ଖଟେଇ ଭିତରକୁ ଟାଣିବାକୁ ଲାଗିଲେ । ଏହି ସମୟରେ ଯାତ୍ରୀମାନଙ୍କର ଏକ ଜୁଆର ତାଙ୍କ ସାମ୍‌ନା ଦେଇ ଚାଲିଗଲା । ସେ ପଡ଼ି ଯାଉ ଯାଉ ରକ୍ଷା ପାଇଗଲେ । ସେ ତ ମନ୍ତ୍ରୀଙ୍କୁ ଦେଖି ପାରୁନଥିଲେ । କିନ୍ତୁ ତାଙ୍କ ପାଦ ଯୋଡ଼ିକ ନିଶ୍ଚିତରୂପେ ଦେଖି ପାରୁଥିଲେ । ସେ ମନ୍ତ୍ରୀଙ୍କର ପାଦ ଭଲଭାବରେ ଚିହ୍ନିଥିଲେ; କାରଣ, ଭିନ୍ନ ଭିନ୍ନ ଭୁଲ୍‌ଭଟକା ପାଇଁ ତାଙ୍କ ଗୋଡ଼ ଧରିବାକୁ ପଡ଼ୁଥିଲା । ତାଙ୍କର ଏହି ପାଦ ପ୍ରତି ଭକ୍ତି ଥିଲା, ଘୃଣା ବି ଥିଲା । ପୁଣି ତାଙ୍କ ପାଦ ଯେମିତି ନଜରରେ ପଡ଼ିଲା, ସେ ଖପ୍‌କରି ତାକୁ ଧରିପକାଇ ଝିଙ୍କି ଟାଣିବାକୁ ଲାଗିଲେ । ପୁଣି ବଡ଼ ପାଟି କରି ପଚାରିଲେ—“ଦୟାକରି କହନ୍ତୁ ଆପଣ କୋଉଯାଏ ଭିତରକୁ ଆସିଲେଣି ।’

 

ଦୂରରୁ ସ୍ୱର ଶୁଭିଲା—“କେବଳ ଆଣ୍ଠୁଯାଏ ଭିତରକୁ ଗଲାଣି ।”

 

ସେକ୍ରେଟେରୀ କହିଲେ—“ବାସ୍‌ ବାସ୍‌, ଆପଣ ଆଉ ଚିନ୍ତାକରନ୍ତୁ ନାହିଁ । ଆପଣ ଅଧାଅଧି ଭିତରକୁ ଆସିଗଲେ ଆଉ କୌଣସି ଶକ୍ତି ଆପଣଙ୍କୁ ଡବା ବାହାରେ ରଖିପାରିବ ନାହିଁ-।”

 

ଏହି ଅବସରରେ ଗାଡ଼ି ଚାଲିବାକୁ ଲାଗିଲା । ସେତିକିବେଳେ ସେକ୍ରେଟେରୀ ନିଜର ସମସ୍ତ ଶକ୍ତି ଲଗେଇ ମନ୍ତ୍ରୀଙ୍କୁ ଭିତରକୁ ଟାଣିନେଲେ । ମନ୍ତ୍ରୀ ଭିତରେ ପହଞ୍ଚିବା କ୍ଷଣି କହିଲେ, “ମୁଁ ଭିତରକୁ ଆସିଗଲିଣି । ଏବେ ମୋ ଗୋଡ଼ ଛାଡ଼ିଦିଅ ।”

 

ସେକ୍ରେଟାରୀ କହିଲେ—“ପାଦ କେମିତି ଛାଡ଼ିବି ହଜୁର, ମୋ ଦୁଇ କାଖ ଭିତରେ ଦୁଇଟା ଯାତ୍ରୀ ରହି ଯାଇଛନ୍ତି ଆଉ ମୋ ବେକ ଉପରେ ଅନ୍ୟଜଣେ ଯାତ୍ରୀର ପାଦ ଥୁଆ ହୋଇଛି ସେ ବିଚରା ଉପର ବର୍ଥରେ ଥୁଆ ହୋଇଥିବା ବାକ୍‌ସ ଏବଂ ବାକ୍‌ସ୍‌ ଉପରେ ଥୁଆ ହୋଇଥିବା ଆଟାଜି ଆଉ ତା ଉପରେ ଥୁଆ ହୋଇଥିବା ବେଡ଼ିଂ ଉପରକୁ ଚଢ଼ିବା ଲାଗି ଚେଷ୍ଟା କରୁଛି । ଆପଣ ସେହିପରି ପଡ଼ିରହନ୍ତୁ । ଯେପର୍ଯ୍ୟନ୍ତ ଏ ଚାପରୁ ମୁଁ ମୁକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ଆପଣଙ୍କ ଚରଣ ଯୁଗଳକୁ ଆଶ୍ରା କରି ରହିବାକୁ ସୁଯୋଗ ଦିଅନ୍ତୁ ।” ମନ୍ତ୍ରୀଙ୍କ ସ୍ୱର ଶୁଣାଗଲା–“ଆରେ ବେବକୁଫ୍‌, ଏବେ ମୋ ଛାତି ଉପରେ ଦୁଇଟା ଲୋକ ବସି ସାରିଲେଣି ।”

 

ସେକ୍ରେଟେରୀ କହିଲେ—“ଅଳ୍ପ ସମୟ ଟିକିଏ ସହି ଯାଆନ୍ତୁ । ଗାଡ଼ି ଚାଲିଲେ ସବୁ ଠିକ୍‌ ହୋଇଯିବ ।”

 

ଗାଡ଼ି ଚାଲିବାକୁ ଲାଗିଲା । କିଛି ସମୟ ପରେ ମନ୍ତ୍ରୀ ତଳୁ ଉଠି ଆସି ଗୋଟିଏ ଗଣ୍ଠିଲି ଉପରେ ବସିପଡ଼ିଲେ । ସେକ୍ରେଟେରୀ ତାଙ୍କୁ ଦେଖିଲେ ଏବଂ ସେ ସେକ୍ରେଟେରୀଙ୍କୁ ଦେଖିଲେ । ମନ୍ତ୍ରୀଙ୍କର କାମିଜ୍‌ର ଗୋଟିଏ ହାତ କାନ୍ଧ ପାଖରୁ ଚିରିଯାଇ ବିଲ୍‌କୁଲ୍‌ ଗାଏବ୍‌ ହୋଇଯାଇଥିଲା । ଅବଶ୍ୟ ଆର ପାଖରେ ଥିବା ହାତଟି ଠିକ୍‌ ଥିଲା ।

 

ମନ୍ତ୍ରୀ କହିଲେ—“ଏକ ହାତିଆ କାମିଜ୍‌ଟି ଭଲ ଦିଶୁନି । ଭାବୁଚି ଆରପାଖଟା ଚିରି ଦେବି-।”

 

ସେକ୍ରେଟେରୀ କହିଲା—“ସେ ଭୁଲ୍‌ କରନ୍ତୁ ନାହିଁ ଆଜ୍ଞା ! ଡବାରୁ ଓହ୍ଲାଇଲାବେଳେ ଆର ହାତଟି ନିଶ୍ଚୟ ଦରକାର ପଡ଼ିବ । ଓହ୍ଲାଇଲା ବେଳେ ଆପଣଙ୍କ କାମିଜରୁ ଚିରିଯିବା ଲାଗି କିଛି ରହିବା ତ ଦରକାର ।”

 

ମନ୍ତ୍ରୀ ମହାଶୟ କଥାଟା ବୁଝିଗଲେ । ଏହିଭଳି ଭାବରେ ଗାଡ଼ିରେ ଚଢ଼ିବା ଫଳରେ ତାଙ୍କର ଜ୍ଞାନୋଦୟ ହୋଇଯାଇଥିଲା ।

 

ସାରା ଜୀବନରେ ପ୍ରଥମଥରପାଇଁ ମନ୍ତ୍ରୀ ମହାଶୟ ଥାର୍ଡ଼କ୍ଳାସ ଡବାରେ ଏକ ସାଧାରଣ ଯାତ୍ରୀପରି ଯାତ୍ରା କରୁଥିଲେ । ସେ ଏହି ଯାତ୍ରାରୁ ଆମୋଦ ଉଠେଇବାକୁ ଚାହୁଁଥିଲେ । ସେ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼େ ଚାହିଁଲେ । ସମସ୍ତ ଡବାଟା ଏକ ଆତ୍ମା ଓ ହଜାରେ ଶରୀର ହୋଇ ରହିଥିଲେ । ଲୋକେ ଏମିତି ଚିପିଚାପି ହୋଇ ଠିଆ ହୋଇଥିଲେ ଯେ ଯେମିତି ସବୁ ଯାତ୍ରୀ ମିଶି ଗୋଟିଏ ଶରୀରରେ ପରିଣତ ହୋଇଯାଇଛନ୍ତି । ଡବାର ଗୋଟିଏ କଡ଼ରେ ଥିବା ଜଣେ ଯାତ୍ରୀର ହୃତ୍‌ସ୍ପନ୍ଦନ ଆରକଡ଼ରେ ଥିବା ଯାତ୍ରୀ ପରିଷ୍କାର ଶୁଣିପାରୁଥିଲା । ଗୋଟିଏ କଣରେ ଜଣେ ଯାତ୍ରୀ କଡ଼ ଲେଉଟେଇଲେ ତାହା ସମୁଦ୍ରର ତରଙ୍ଗ ପରି ସମଗ୍ର ଡବା ଭିତରେ ଖେଳିଯାଇ ଡବାସାରା ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା । ପୂର୍ବପଟ କବାଟ ଦେଇ ପବନର ଗୋଟିଏ ଝାଙ୍କ ପଶି ଆସିଲେ ଡବା ଭିତରେ ପବନପାଇଁ ସ୍ଥାନ କରିବାକୁ ପଶ୍ଚିମପଟ କବାଟ ନିକଟରେ ଠିଆ ହୋଇଥିବା ଯାତ୍ରୀ ଡବା ବାହାରେ ନିଜେ ନିଜକୁ ଆନ୍ଦୋଳିତ କରୁଥିଲେ । ଏଇ ସମୟରେ ଜଣେ ଯାତ୍ରୀର ପାଦ ଉପରେ ବାକ୍‌ସଟା ପଡ଼ିଗଲା ଏବଂ ଡବାର ସବୁ ଯାତ୍ରୀ ସେ ଆଘାତର କଷ୍ଟ ଅନୁଭବ କରିଗଲେ । ମନ୍ତ୍ରୀ ମହାଶୟ କିଛି ସମୟପାଇଁ ଚିନ୍ତାକଲେ ଯେ ସମସ୍ତ ଦେଶ ଯଦି ଏହିପରି ସଂଗଠିତ ହୋଇପାରନ୍ତା ତେବେ ଦେଶ ଯେ କେତେ ଉପରକୁ ଉଠନ୍ତା କହିବାର ନାହିଁ । ମନ୍ତ୍ରୀ ମହାଶୟ ଦେଖିଲେ ଜଣେ ଯାତ୍ରୀ ଦୁଇ ବର୍ଥରେ ନିଜ କହୁଣି ଭରାଦେଇ ଠିଆ ହୋଇଚି ଆଉ ତା ଚାରିପଟେ ଅନ୍ୟ ଯାତ୍ରୀମାନେ ଲତାପରି ଗୁଡ଼େଇ ହୋଇ ରହିଚନ୍ତି । ତାହାର ମୁଣ୍ଡ ବର୍ଥରେ ଥୁଆ ହୋଇଥିବା ବେଡ଼ିଂ ତଳେ ରହିଯାଇଛି । ତା ଥୋଡ଼ି ତଳେ ଆଉଜଣେ ଯାତ୍ରୀର ମୁଣ୍ଡ ରହିଚି । ତେଣୁ ସେ ନିଜ ବେକ ଗୋଟିଏ ପଟକୁ ମୋଡ଼ି ଠିଆ ହୋଇଛି । ଉପର ବର୍ଥରେ ଜଣେ ଯାତ୍ରୀ ସିଗାରେଟ୍ ଲଗେଇଚି ଆଉ ବାରମ୍ୱାର ସିଗାରେଟର ଗୁଳ ସେଇ ଯାତ୍ରୀର କାନରେ ଝାଡ଼ୁଚି । ମନ୍ତ୍ରୀ ମହାଶୟ ତାଙ୍କ ଜୀବନରେ ପ୍ରଥମଥରପାଇଁ କାନକୁ ଆସ୍‌ଟ୍ରେରୂପେ ବ୍ୟବହୃତ ହେଉଥିବାର ଦେଖିଲେ । ଯେଉଁ ଯାତ୍ରୀର କାନରେ ଗୁଳ ଝଡ଼ା ଯାଉଥିଲା ସେ କିଛି କହିପାରୁନଥିଲା କାହିଁକି ନା ତା’ର ତଣ୍ଟି ଆଉଜଣେ ଯାତ୍ରୀର କହୁଣିରେ ଚିପିହୋଇ ଯାଇଥିଲା । ପୁଣି ଯେତେବେଳେ ଉପରେ ଥିବା ଯାତ୍ରୀ ବହୁତ ଗୁଳ ଝାଡ଼ିବା ପରେ ତା କାନରେ ସିଗାରେଟ ଚାପି ଲିଭେଇବାର ଚେଷ୍ଟାକଲା ସେ ଯନ୍ତ୍ରଣାରେ ଚିତ୍କାର କରିଉଠିଲା କିନ୍ତୁ ତଥାପି ନିଜ ଜାଗାରୁ ଘୁଞ୍ଚିପାରିଲା ନାହିଁ ।

 

ଆଗରେ ଦୁଇଜଣ ଯାତ୍ରୀ ଜାକିଜୁକି ହୋଇ ଠିଆ ହୋଇଥିଲେ । ଦୁଇଜଣଯାକଙ୍କୁ ସିଗାରେଟ ପିଇବାର ଇଚ୍ଛା ହେଲା । ଦୁଇଜଣଯାକ ଏକା ସାଙ୍ଗରେ ନିଜ ହାତକୁ ନିଜ ନିଜ ପ୍ୟାଣ୍ଟ ପକେଟରେ ପୂରାଇଲେ । ସେଥିରୁ ସଗାରେଟ୍ ଡବା ବାହାରିବାରୁ ଦୁହେଁ ଯାକ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଜଣେ କହିଲା, “ମୁଁ ତ ଚାରମିନାର ଖାଏ ଏ ବର୍କଲେ ଡବା ମୋ ପକେଟରେ ଆସିଲା କୁଆଡ଼ୁ !” ଅନ୍ୟଜଣକ କହିଲା, “ମୁଁ ତ ବର୍କଲେ ପିଏ ଏ ଚାରମିନାର ଡବା କୁଆଡ଼ୁ ଆସିଲା !”

 

ଦୁଇଜଣଯାକ ଆଶ୍ଚର୍ଯ୍ୟ ହୋଇ ପୁଣି ନିଜ ନିଜ ହାତକୁ ପକେଟରେ ଭର୍ତ୍ତି କଲେ କିନ୍ତୁ ନିଜ ନିଜ ହାତ ଆଡ଼କୁ ଚାହିଁବାରୁ ଜଣାଗଲା ଯେ ଦୁହିଁଙ୍କ ହାତ ପରସ୍ପରର ପକେଟରେ ଭର୍ତ୍ତି ହେଉଛି ।

 

ଦୁହେଁଯାକ ହସିପକାଇ କହିଲେ “ଠିକ୍‌ ଅଛି ମୋ ପ୍ୟାଣ୍ଟ ପକେଟ୍ ତୁମେ ବ୍ୟବହାର କର ଓ ତୁମର ମୁଁ ବ୍ୟବହାର କରେ ।

 

ଏଇ ସମୟରେ ଜଣେ ଯାତ୍ରୀ ଅନ୍ୟ ଯାତ୍ରୀମାନଙ୍କ ମୁଣ୍ଡ ଉପରେ ଚାଲିଚାଲି ଡବାର ପାଇଖାନା ପାଖରେ ପହଞ୍ଚିଲା । ସେ ପାଇଖାନା କବାଟରେ ଜୋରରେ ବିଧା ମାରିବାକୁ ଲାଗିଲା-। ତା’ଭିତରୁ ତିନି ଚାରିଜଣ ଯାତ୍ରୀଙ୍କ ଶବ୍ଦ ଶୁଣାଗଲା, “କିଏ !”

 

ଯାତ୍ରୀ ଜଣକ କହିଲା, “ବାହାରକୁ ଆସ । ମୁଁ ଭିତରକୁ ଯିବି ।” ଭିତରୁ ଏକାସାଙ୍ଗରେ ଅନେକ ଯାତ୍ରୀ କହିଲେ, “ଆଉ କୌଣସି ପାଇଖାନାକୁ ଯାଅ ଏ ପାଇଖାନା ରିଜର୍ଭ ଅଛି ।”

 

ଯାତ୍ରୀ କହିଲେ, “ପାଇଖାନା କିପରି ରିଜର୍ଭ ହୋଇପାରିବ ?”

 

ଭିତରୁ ଶୁଣାଗଲା, “ଆମେ ନାଳରକ୍ତ ଝାଡ଼ା ରୋଗୀ, ତେଣୁ ଆମେ ବିଶେଷ କରି ଏଇ ପାଇଖାନା ରିଜର୍ଭ କରିଚୁ ।”

 

ଯାତ୍ରୀଜଣକ ନିରୁତ୍ତର ହୋଇଗଲା ଏବଂ ଲୋକଙ୍କ ମୁଣ୍ଡ ଉପରେ ଚାଲିକରି ଯାଇ ଗୋଟିଏ ପଙ୍ଖାରେ ଝୁଲି ଠିଆହେଲା ।

 

ଜଣେ କେହି କହିଲା, “ଭାଇ, ପଙ୍ଖା ଖୋଲ, ଖୁବ୍‌ ଗରମ ହଉଛି । ଆଉ ଜଣେ ଯାତ୍ରୀ ପଙ୍ଖାର ବୋତାମ ଟିପିଲା । ତା ଫଳରେ ପଙ୍ଖାର ପାତ ତ ହଲିଲା ନାହିଁ, ଅବଶ୍ୟ ପଙ୍ଖା ଚାରିପଟେ ଥିବା ଜାଲିଖୋଳ ବାଁରୁ ଡାହାଣ ଓ ଡାହାଣରୁ ବାମ ହଲିବାକୁ ଲାଗିଲା । ଆଉ ତା ସାଙ୍ଗରେ ସେ ପଙ୍ଖାରେ ଝୁଲି ରହିଥିବା ଯାତ୍ରୀଜଣକ ମଧ୍ୟ ଝୁଲିବାକୁ ଲାଗିଲା ।

 

ଝୁଲୁଥିବା ଯାତ୍ରୀଜଣକ ଚିତ୍କାର କରି କହିଲା, “ଆବେ ପଙ୍ଖା ବନ୍ଦକର ତା ପାତ ତ ଘୂରିନାହିଁ । ପବନ ଆସିବାର ତ ପ୍ରଶ୍ନ ନାହିଁ । ଖାଲି ଖୋଳଟା ହଲୁଚି ଆଉ ଖୋଳ ସାଙ୍ଗରେ ମୁଁ ହଲୁଚି” ତଳେ ବସିଥିବା ଯାତ୍ରୀମାନେ କହିଲେ, “ପଙ୍ଖା ବନ୍ଦକର ନାହିଁ । ପଙ୍ଖାର ଖୋଳ ସାଙ୍ଗରେ ଏ ଲୋକଟି ହଲିବାରୁ କିଛି ତ ପବନ ହଉଚି ।”
 

ଏତିକିରେ ଆଗରେ ବସିଥିବା ଜଣେ ଯାତ୍ରୀ ବଡ଼ କଷ୍ଟରେ କଡ଼ ମୋଡ଼ିହୋଇ କହିଲା, “ବାପରେ, ଆମ ରେଳବାଇର କେବେ ସୁବ୍ୟବସ୍ଥା ହେବ କେଜାଣି ।”

 

ଆଉଜଣେ କହିଲା, “କଣ ଆଜ୍ଞା ଠିକ୍‌ ହେବ । ଆମ ରେଳବାଇର ମନ୍ତ୍ରୀ ତ ଖାଲି ବଡ଼ ବଡ଼ କଥା କହନ୍ତି । ପହରିଦିନ ତାଙ୍କ ବକ୍ତୃତା ଖବର କାଗଜରେ ବାହାରିଥିଲା । ମନ୍ତ୍ରୀ ମହାଶୟ କହୁଛନ୍ତି ଦେଶରେ ଟ୍ରେନ୍‌ ଜରିଆରେ ହିଁ ସମାଜବାଦ ଆସିବ ।

 

ତୃତୀୟ ଯାତ୍ରୀ କହିଲା, “ଭଗବାନ ସାମ୍ୟବାଦରୁ ରକ୍ଷା କରନ୍ତୁ । ଆମ ଦେଶରେ ସାମ୍ୟବାଦ ବଳଦଗାଡ଼ିରେ ବସି ଆସିଲେ ଭଲହେବ । ରେଳଗାଡ଼ିରେ ଆସିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ବେଳକୁ ତାର ଅବସ୍ଥା ଆଉ ନଥିବ ।”

 

ଚତୁର୍ଥ ଯାତ୍ରୀ କହିଲା, “ଆପଣ ମନ୍ତ୍ରୀ ମହାଶୟଙ୍କ ଉକ୍ତିର ଉଦ୍ଦେଶ୍ୟ ବୁଝିଲେ ନାହିଁ । ସାମ୍ୟବାଦ ରେଳଗାଡ଼ିରେ ହିଁ ଆସିବ କିନ୍ତୁ ୧ମ ଶ୍ରେଣୀ ଡବାରେ ଆସିବ । ବୁଝିଲେ । ଆମ ସାମ୍ୟବାଦ ସହ ୩ୟ ଶ୍ରେଣୀ ଡବାର କି ସମ୍ପର୍କ ?

 

ମନ୍ତ୍ରୀମହାଶୟ ଏ କଥାବାର୍ତ୍ତା ଶୁଣି ହଠାତ୍‌ ରାଗିଗଲେ । ସେ ହଠାତ୍‌ କହିପକାଇଲେ, “ଆପଣମାନେ ଭୁଲ୍ ବୁଝିଲେ । ମୋ କହିବାର ଉଦ୍ଦେଶ୍ୟ ଏହା ନୁହେଁ ବରଂ-”

 

ସେ ଆଉକିଛି କହିବାକୁ ଚାହୁଁଥିଲେ କିନ୍ତୁ ସେକ୍ରେଟେରୀ ସାଙ୍ଗେ ସାଙ୍ଗେ ତାଙ୍କ ପାଟିରେ ହାତ ଦେଇଦେଲ ଆଉ କାନରେ କହିଲେ, “ଆଜ୍ଞା, ଆପଣ ଏ କଅଣ କରୁଚନ୍ତି । ଆପଣ ତ ବର୍ତ୍ତମାନ ଛଦ୍ମବେଶରେ ଅଛନ୍ତି ।”

 

ମନ୍ତ୍ରୀ ମହାଶୟଙ୍କୁ ହଠାତ୍‌ ଏ ବିଷୟ ମନେପଡ଼ିଗଲା ଆଉ ସେ ନିଜକୁ ସମ୍ଭାଳି ନେଲେ-।”

 

ଏଇ ସମୟରେ ଗାଡ଼ି ଗୋଟିଏ ପୋଲରେ ପଡ଼ିଲା । ହଠାତ୍‌ ଏକ ଧମ୍‌କରି ଶବ୍ଦ ଶୁଭିଲା । ଯାତ୍ରୀମାନଙ୍କ ଚିତ୍କାରରେ ସମଗ୍ର ପରିବେଶ କମ୍ପିଉଠିଲା । ଆଉ ଟ୍ରେନ୍ ନଦୀ ଭିତରକୁ ଖସିପଡ଼ିବାକୁ ଲାଗିଲା । ମନ୍ତ୍ରୀ ମହାଶୟ ଭୀତତ୍ରସ୍ତ ହୋଇ ହଠାତ୍‌ ତାଙ୍କ ସେକ୍ରେଟେରୀଙ୍କୁ ଜାବୁଡ଼ିଧରିଲେ କିନ୍ତୁ ସେକ୍ରେଟେରୀ ତାଙ୍କୁ ପେଲିଦେଇ କହିଲେ, “ଏବେ ମୋ ପାଖକୁ ଆସନ୍ତୁ ନାହିଁ । ମରଣର ବେଳ ଆସିଗଲା । ତୁମେ ମୋ ମନ୍ତ୍ରୀ ନୁହଁ କି ମୁଁ ତୁମ ସେକ୍ରେଟେରୀ ନୁହଁ, ନିଜ ଜୀବନ ନିଜେ ରକ୍ଷାକର । ମୁଁ ଚାଲିଲି ଏତିକି କହି ସେକ୍ରେଟେରୀ ଝରକାବାଟେ ନଦୀ ଭିତରକୁ ଡେଇଁପଡ଼ିଲେ ।

 

ମନ୍ତ୍ରୀ ମହାଶୟ ମଧ୍ୟ ଖୁବ୍‌ ଜୋରରେ ଚିତ୍କାରଟାଏ କଲେ ଏବଂ ସେଇ ଚିତ୍କାର ଶବ୍ଦରେ ତାଙ୍କ ଆଖି ଖୋଲିଗଲା । ଖୋଲିବାରୁ ଜଣାଗଲା ଯେ ସେ ତ ନିଜ ଶୋଇବାଘରେ ଏକ ଆରାମଦାୟକ ଶଯ୍ୟାରେ ଶୋଇଚନ୍ତି ଏବଂ ଦୂରରୁ କୁକୁଡ଼ା ରାବିବାର ଶବ୍ଦ ଆସୁଚି ।

 

ମନ୍ତ୍ରୀଙ୍କୁ ବହୁତ ବେଳଯାଏ ଆଉ ନିଦ ଆସିଲା ନାହିଁ । ସେଇ ଭୟଙ୍କର ସ୍ୱପ୍ନ ଦେଖି ତାଙ୍କ ଅବସ୍ଥା ଶୋଚନୀୟ ହୋଇଯାଇଥିଲା ।

 

ପରଦିନ ସେ ତାଙ୍କ ଅଫିସ୍‌କୁ ଗଲାବେଳେ ତାଙ୍କ ମାନସିକ ଅବସ୍ଥା ଖୁବ୍‌ ଖରାପ ଥିଲା-। ତାଙ୍କ ସେକ୍ରେଟେରୀ କୋଠରିକୁ ପଶିବା ମାତ୍ରେ ସେ ଗର୍ଜିଉଠି କହିଲେ, “ତୁମେ ବର୍ତ୍ତମାନଠାରୁ ମୋ ଆଗରୁ ଦୂର ହୋଇଯାଅ । ମୋର ତୁମଭଳି କୃତଘ୍ନ ସେକ୍ରେଟାରୀର ଆବଶ୍ୟକ ନାହିଁ । ତୁମକୁ ଆଜିଠାରୁ ଡିସ୍‌ମିସ୍‌ କରାଗଲା । ଦୂର ହୁଅ ଏଠୁ ।”

 

ସେକ୍ରେଟେରୀ କହିଲେ, “କିନ୍ତୁ ମାର ଦୋଷ କଅଣ ?” ମନ୍ତ୍ରୀ କହିଲେ, “ମୁଁ କିଛି ଶୁଣିବାକୁ ଚାହେଁନା । ମୋ ଆଗରୁ ଚାଲିଯାଅ ।”

 

ଆଉ ସେକ୍ରେଟେରୀ ଚୁପ୍‌ଚାପ୍‌ ମନ୍ତ୍ରୀ ମହାଶୟଙ୍କ କୋଠରିରୁ ବାହାରି ଚାଲିଆସିଲେ । ତାଙ୍କୁ ଜଣାଗଲା ସେ ଯେପରି ସତରେ କୌଣସି ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି ।

Image

 

ଲେଖକ

 

ମୁଜ୍‌ତବା ହୋସୈନ ୧୯୩୬ ଖ୍ରୀଷ୍ଟାବ୍ଦ ଜୁଲାଇ ପନ୍ଦର ତାରିଖରେ କର୍ଣ୍ଣାଟକ ରାଜ୍ୟର ଗୁଲ୍‌ ବର୍ଗାଠାରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ସେ ଇଣ୍ଟରମିଡ଼ିଏଟ୍‌ ପାଠ୍ୟକ୍ରମ ଶେଷ କରି ହାଇଦରାବାଦ ଗଲେ ଏବଂ ଉସ୍‌ମାନିଆ ବିଶ୍ୱବିଦ୍ୟାଳୟରୁ ବି. ଏ. ଡି. ପି. ଏ. ଡିଗ୍ରୀ ହାସଲ କଲେ-

 

୧୯୭୨ରେ ସେ ଚାକିରିରେ ଯୋଗ ଦେବାକୁ ଦିଲ୍ଲୀ ଗଲେ । ବର୍ତ୍ତମାନ ସେ ନ୍ୟାସନାଲ୍‌ କାଉନ୍‌ସିଲ୍‌ ଅଫ୍‌ ଏଡ଼ୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (N. C. E. R. T) ଉର୍ଦ୍ଦୁର ସମ୍ପାଦକ ।

 

୧୯୬୨ରେ ପ୍ରଥମେ ସେ ଲେଖା ଆରମ୍ଭ କଲେ । ଏ ପର୍ଯ୍ୟନ୍ତ ସେ ଚାରିଗୋଟି ହାସ୍ୟରସାତ୍ମାକ ପୁସ୍ତକ ରଚନା କରିଛନ୍ତି । ସେଗୁଡ଼ିକ ହେଲା— (୧) ‘ତକଲ୍‌ ଲୁଫ୍‌ ବର୍‌ ତରଫ୍‌’ (୨) ‘କତାକଲାମ୍‌’ (୩) ‘କିସ୍‌ସା ମୁଖ୍‌ତସର୍‌’ ଓ (୪) ‘ବହର୍‌ ହାଲ୍‌’ । ଏହାଛଡ଼ା ସେ ‘ଶୀଶା ୱ ତୀଶା’ ପୁସ୍ତକଟିର ସମ୍ପାଦନା କରିଛନ୍ତି ।

Image